Unknown

 

 

 

 

 

 

 

 

 

 

 

ବସୁଧା

ଚୌଧୁରୀ ବରଦାପ୍ରସନ୍ନ ଦାସ

 

 

 

 

 

 

ଉତ୍ସର୍ଗ

 

ଅଶେଷ ଶ୍ରଦ୍ଧା ସହ ନୀତୁ ପରି

ଅଗଣିତ ଶିଶୁମାନଙ୍କୁ.....

 

ମୁଖବନ୍ଧ

 

‘ବସୁଧା’ର ସୁମନ୍ତ ଆଉ ସୁମି ଅବା କନ୍ୟାଦାନର ଅନୀତା ଆଉ ବାରିଷ୍ଟର ଜଷ୍ଟିସ୍ ଜଗଦ୍ଦେବ ରାୟ ହୁଅନ୍ତୁ, ଏମାନଙ୍କୁ ମୁଁ ଯଦି ମୋର କଳ୍ପନାପ୍ରସୂତ ଚରିତ୍ର ବୋଲି କହେ, ତେବେ ମୁଁ ନିଶ୍ଚୟ ସତ୍ୟର ଅପଳାପ କରୁଛି ବୋଲି ଅନୁଭବ କରିବି । ଜୀବନର ଗତିପଥରେ ଏମାନଙ୍କୁ ମୁଁ ବାରବାର ସାମନା କରିଛି ଆଉ ଗଭୀର ଭାବରେ ପ୍ରଭାବିତ ହୋଇଛି ତାଙ୍କର ଆଖିର ଭାଷା ଦ୍ଵାରା-। ଅର୍ଚ୍ଚନାର ମଦ୍ୟପ ବାପା ଗୋଟିଏ ମୁହୂର୍ତ୍ତର ରାଗରେ ସୁନାର ସଂସାରକୁ ଭାଙ୍ଗି ତାର ମାଆକୁ ନିଧନ କରି ଜେଲ୍ ଯିବା ଘଟଣା ଆଜି ଖବରକାଗଜର ପ୍ରାୟ ନିୟମିତ କାହାଣୀ । ଜ୍ୟୋତିର୍ମୟୀର ଶୁଭମ୍ ଆଉ ସୁଲତା ମୋର ମାନସ ସନ୍ତାନ କିନ୍ତୁ ମୃଣାଳିନୀ ଦେବୀ ହେଉଛନ୍ତି ମୋର କ୍ରାନ୍ତିକାରୀ ମହିଳା ଯିଏ କି ବ୍ରିଟିଶ ସରକାରଙ୍କୁ ଜବାବ ଦେଇଥିଲେ ଯେ ଯଦି ସ୍ଵାଧୀନତା ପାଇଁ ସଂଗ୍ରାମ କରୁଥିବା ସ୍ଵାମୀ ଜେଲ୍‌ରେ ମରି ଯାଆନ୍ତି, ମୁଁ ସମ୍ମାନର ସହ ସହିଦର ବିଧବା ହେବି-। କିନ୍ତୁ ସରକାରଙ୍କ ସହ ସାଲିସ୍ କରି ସେ ଜେଲରୁ ମୁକୁଳି ମନ୍ତ୍ରୀଟିଏ ହେଲେ ମୁଁ ଜଣେ ନିର୍ଲଜ ମଣିଷର ସ୍ତ୍ରୀ ହେବାକୁ ପସନ୍ଦ କରିବି ନାହିଁ । ଯେଉଁଦିନ ସାରା ଦେଶରେ ରାମ ମନ୍ଦିର ଓ ବାବ୍ରି ମସଜିଦର ରାୟ ନେଇ ଆମେ ଉତ୍ସୁକ ଥିଲେ, ଠିକ୍ ସେଇଦିନ ମିଲି ଦାସ ଆଉ ହାଲିମା ବିବି ନାମକ ଦୁଇ ଭିନ୍ନ ସମ୍ପ୍ରଦାୟର ନାରୀ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ଥାନାକୁ ଆସିଥିଲେ । ସବୁଠୁ ଦୁଃଖର କଥା ହେଲା ଜଣେ ନିଜର ଛୋଟପୁଅକୁ ଅଫିମ ଖୁଆଇ ଦେଇ ବାହାରକୁ ଆସିଥିଲା । ଦାରିଦ୍ର୍ୟ ଏମାନଙ୍କୁ ବିପଥଗାମୀ କରିଛି । ମଣିଷ ଆଜି ଅଭାବୀ, ଅପପୁଷ୍ଟି, ଦାରିଦ୍ର୍ୟ ଆଉ ଅଶିକ୍ଷାର ଶିକାର ହେଉଥିଲା ବେଳେ ସେଇ ଚିର ଦୟାବତୀ ସାଗରଦୁଲଣୀ କ’ଣ ଶ୍ରୀମନ୍ଦିରରେ ରହି ପାରିବେ ? ଏଇ ଅନୁଭବରୁ ‘ଦୁଃଖିନୀ ସିନ୍ଧୁଜେମା’ର ସୃଷ୍ଟି ।

 

ଏହା ପୂର୍ବରୁ ମୋର ପ୍ରକାଶିତ ଗଳ୍ପ ସଙ୍କଳନ ‘ଅମୃତ ମାଟି’ ମୋତେ ଅନେକ ପାଠକୀୟ ଶ୍ରଦ୍ଧା ଦେଇଛି । ସେମାନଙ୍କ ମଧ୍ୟରୁ ଆଉ ଯାହାଙ୍କୁ ମୁଁ ଚର୍ମ ଆଖିରେ ଆଉ ଦେଖିପାରିବିନି, ତାଙ୍କ ନାମଟି ଉଲ୍ଲେଖ କରିଛି । ସେ ହେଲେ ମହାନ ପ୍ରତିଭା ଅସୀମ ବସୁ ।

 

ଶାନ୍ତିସେନା ପବ୍ଲିକେଶନସର ପ୍ରକାଶକ ଶ୍ରଦ୍ଧେୟ ରଜତ ରଶ୍ମି ସ୍ଵାଇଁ ଏହି ସଙ୍କଳନର ପ୍ରକାଶ ଭାର ନେଇଥିବାରୁ ତାଙ୍କୁ ଧନ୍ୟବାଦ ଦେଉଛି ।

 

ଚୌଧୁରୀ ବରଦାପ୍ରସନ୍ନ ଦାସ

Image

 

ସୂଚୀପତ୍ର

 

୧.

କନ୍ୟାଦାନ

୨.

ଫେରିଆ

୩.

ଅତିନ୍ଦ୍ରିୟ

୪.

ମିଲି ଦାସ, ହାଲିମା ବିବି...

୫.

ମଣିଷ

୬.

ଚିରଞ୍ଜୀବୀ

୭.

ଆଇନାକୁ ପଛ କରି

୮.

ନିର୍ବାସିତ ଦେବଶିଶୁ

୯.

ମୂକ ସଙ୍ଗୀତ

୧୦.

ଅମୃତ ସାଗର

୧୧.

ମୁହୂର୍ତ୍ତ

୧୨.

ଧରିତ୍ରୀ

୧୩.

ଆମ ପୃଥ୍ଵୀ ଆମକୁ ସୁନ୍ଦର

୧୪.

ଜ୍ୟୋତିର୍ମୟୀ

୧୫.

ବସୁଧା

୧୬.

ମେଲଘରାର ମା’

୧୭.

ଦୁଃଖିନୀ ସିନ୍ଧୁଜେମା

୧୮.

ସମ୍ପର୍କ

 

କନ୍ୟାଦାନ

 

ବିଚାରପତିଙ୍କ ଚାମ୍ବର୍ ଭିତରେ ପହଞ୍ଚିଲା ପରେ ଚମକି ପଡ଼ିଲା ପରି ଲାଗିଲା ଅନିତାକୁ । ବିରାଟ ରୁମ, ଆଲମିରାରେ କିଛି ମୋଟା ବହି । ପରିବେଶର ନିରବତାଟା ବାରିହେଇ ପଡ଼ୁଛି । କିଛି କ୍ଷଣ ଆଗରୁ ଗମ୍ଭୀର ଭାବେ ବସି ଉଭୟ ପକ୍ଷର ଜବାବ ସୁଆଲ ଶୁଣୁଥିବା ବିଚାରପତି ଦେହରୁ ଗାଉନ୍ କାଢ଼ି ବସିଥିଲେ ଆର୍ମଚେୟାର ଉପରେ ।

 

ଅଣନିଃଶ୍ଵାସୀ ଲାଗିଲା ତାକୁ । ଏ.ସି. ରୁମର ଥଣ୍ଡା ଭିତରେ ବି ମୁହଁଟା ତା’ର ଝାଳେଇ ଆସିଲା ପରି ଲାଗିଲା ! ଅସ୍ଵାଭାବିକତାରୁ ମୁକୁଳିବା ପାଇଁ ଶାଢ଼ି କାନିରେ ମୁହଁ ପୋଛିଲା ସେ । କ’ଣ ପାଇଁ ତାକୁ ଏକୁଟିଆ ଚାମ୍ବରକୁ ଡାକିଛନ୍ତି ବିଚାରପତି ? ପରିବାର ଲୋକଙ୍କୁ ଜରୁରୀ କାମରେ ବାହାରକୁ ଡାକି ନେଇଛନ୍ତି ପୋଲିସ ଇନସପେକ୍ଟର ।

 

ଉଚ୍ଚ ନ୍ୟାୟାଳୟରେ ତା’ ବିବାହ ବିଚ୍ଛେଦର ବିଚାର ଚାଲିଛି । କଥା ଅଟକିଛି କ୍ଷତିପୂରଣ ମାତ୍ରା ଉପରେ । ସ୍ଵାମୀର ସମ୍ପତ୍ତିର ଅଧାଭାଗ, ମାସିକ ଦରମାର ଅଧାଭାଗ, ଏପରିକି ବର୍ଷକୁ ବର୍ଷ ବଢ଼ୁଥିବା ଦରମାର ଅଧାଭାଗ ଦାବି କରି ତା’ ଓକିଲ ଯୁକ୍ତି ବାଢ଼ୁଥିଲେ । କୋର୍ଟ ଆଗରେ ଉପସ୍ଥାପନା କରୁଥିଲେ, “ସ୍ଵାମୀ ସ୍ତ୍ରୀ ସମ୍ପର୍କ ସାତ ଜନମର । ଏଇ ବନ୍ଧନ ଯେତେବେଳେ ତୁଟିଯାଉଛି, ତା’ ପାଇଁ ଉପଯୁକ୍ତ କ୍ଷତିପୂରଣ ଦରକାର ।’’ ପ୍ରତିପକ୍ଷ ଓକିଲ ଆହୁରି ଜୋରରେ ପାଟିକରି ଯୁକ୍ତି ଦର୍ଶାଉଥିଲେ, ‘ଅନୀତା ଶାଶୂଘରେ ସମସ୍ତଙ୍କୁ ଖରାପ ବ୍ୟବହାର କରୁଥିଲା, ଶାରୀରିକ ଭାବେ ସେ ସନ୍ତାନ ଧାରଣ କରିବାକୁ ଅକ୍ଷମ, ବହୁ ପୁରୁଷଙ୍କ ସାଙ୍ଗରେ ତାର ସମ୍ପର୍କ ଅଛି’ ଆଦି ଅନେକ ମନଗଢ଼ା କାହାଣୀ । ଅବଶ୍ୟ ଚରିତ୍ର ଉପରେ ଟିପ୍ପଣୀ ନ ଦେବାକୁ ଜଜ୍ ସାହେବ ଚେତେଇ ଦେଇଥିଲେ ଓକିଲ ଜଣଙ୍କୁ ।

 

ମନେ ପକାଉଥିଲା ଅନୀତା । ସ୍ଵାମୀ ତା’କୁ କେବେ ବି ମାଡ଼ ଗାଳି ଦେଇ ନଥିଲେ । ତେବେ ସମସ୍ତେ ତାକୁ କେଶ୍ କରିବାକୁ ହେଲେ ମିଛ କଥା କହିବାକୁ ହୁଏ ବୋଲି ବୁଝାଇଥିଲେ । ପ୍ରତିଥର ତା' ଓକିଲ ତାକୁ କହୁଥିଲେ କୋର୍ଟ ଆଗରେ କାନ୍ଦି କାନ୍ଦି ତାକୁ କହିବାକୁ ପଡ଼ିବ ସ୍ୱାମୀଙ୍କର ବହୁ ନାରୀ ସହ ସମ୍ପର୍କ ଅଛି, ସେ ନିଶାସକ୍ତ ଆଦି କଥା । ଜଣେ ନାମୀ ଓକିଲ କହିଥିଲେ ଯେ କେଶକୁ ଦୃଢ଼ କରିବାକୁ ହେଲେ ଅନୀତାକୁ ତା’ର ବଡ଼ ଯାଆଙ୍କ ବିରୋଧରେ ଅଭିଯୋଗ ଆଣିବାକୁ ପଡ଼ିବ । ଏକା ବିଛଣାରେ ଦିଅର ଭାଉଜଙ୍କୁ ଅସଂଯତ ଅବସ୍ଥାରେ ଦେଖିଥିଲା ବୋଲି କହିବାକୁ ପଡ଼ିବ ।

 

ସେ ଦିନର ଘଟଣାଟି ଥିଲା ସାଧାରଣ । ଯେଉଁଦିନ ସ୍ୱାମୀ ଜାଣିଲେ ଷ୍ଟିଲପ୍ଲାଣ୍ଟ୍ କର୍ତ୍ତୃପକ୍ଷ ସେ ବାହାଘର ପାଇଁ ଆଣିଥିବା ଛୁଟି ବଢ଼ାଇ ନାହାଁନ୍ତି, ସେଦିନ ରାଉରକେଲା ଯିବା ପାଇଁ ଯୋଡ଼ିଏ ଟିକଟ କାଟି ଘରେ ପହଞ୍ଚିଲେ । ରାତିରେ କାହାକୁ କିଛି କହି ନଥିଲେ, ଯଦିଓ ଗଭୀର ରାତିରେ ମସିଆ ଆଲୁଅ ତଳେ ଟିକେଟ କାଢ଼ି ତାକୁ ଦେଖେଇଥିଲେ । କହିଥିଲେ, “ତାଳଚେର ପଟେ ରାଉରକେଲା ଯିବାକୁ ହେବ । ରାସ୍ତା ପୁରା ଆବୁଡ଼ା ଖାବୁଡ଼ା ।’ ପୁଣି ହସି ହସି ଧୀର ସ୍ଵରରେ କହିଥିଲେ, ‘ଢୁଳେଇ ପଡ଼ିଥିବେ ସବୁ ଯାତ୍ରୀ । ଶୋଇ ନଥିବା ଆମେ ଦି' ଜଣ । ଚଳନ୍ତା ବସରେ ଦୋଳି ଖେଳୁଥିବା ଆମେ ।”

 

ଅନୀତାର ସ୍ୱାମୀ ରାଉରକେଲାରେ ଇଂଜିନିୟର । କ୍ୱାଟର୍ସଟିଏ ପାଇଛନ୍ତି । ସ୍ୱାମୀଙ୍କ ମୁହଁରୁ ଏହି କଥା ଶୁଣୁଶୁଣୁ ତାଙ୍କ କାନ୍ଧରେ ମୁଣ୍ଡ ରଖିଥଲା ଅନୀତା । ସେ ଖାଲି ଭାବୁଥିଲା ଆଉ ସପନ ଦେଖୁଥିଲା । କ୍ଵାର୍ଟର୍ସ ପାଚେରୀରେ ମଧୁମାଳତୀର ଲଟା ମାଡ଼ି ସବୁବେଳେ ନାଲିଆ, ଧଳା ଫୁଲରେ ହସୁଥିବ । ସାମନାରେ ପାର୍କ । ଗ୍ରୀଲ୍ ପାଖରେ ସେ ଚାରିଟା ବେଳଠୁଁ ଅନେଇଥିବ । ବୋଉଠାରୁ ଶିଖିଥିବା ରାନ୍ଧଣାକୁ ଆଉରି ଭଲ କରି ରାନ୍ଧିଥିବ ।

 

ସ୍ୱାମୀଙ୍କର ଦି ବାହାକୁ ଦି ମୁଠାରେ ଧରି କାନ୍ଧରେ ଚିବୁକ ରଖି କାନ ଡେରି ସେ ଶୁଣୁଥିଲା ଯୋଡ଼ିଏ ନଦୀର ମିଳନର କାହାଣୀ । ଶଙ୍ଖ ଆଉ କୋଏଲ ଭିନ୍ନ ଭିନ୍ନ ଦିଗରୁ ଆସି ଏକାଠି ମିଶିଯାଇଛନ୍ତି ବେଦବ୍ୟାସ ପାହାଡ଼ ତଳେ । ଶୁଣୁଶୁଣୁ କହିଥିଲା, ‘ଆମେ ଠିକ୍ ସେମିତି’ । ଖୁସିରେ ଫୁଲି ଉଠିଥିଲେ ସ୍ୱାମୀ । ଶିହରଣ ଭିତରେ ପ୍ରେମ ଆଉ ଅଭିପ୍‍ସାର ବ୍ରାହ୍ମଣୀ ବହିଯାଇଥିଲା ସାଗର ଆଡ଼କୁ । ଷ୍ଟିଲ ପ୍ଲାଣ୍ଟର ସାଇରନ ନୁହେଁ, ବ୍ରାହ୍ମଣୀର କୁଳୁକୁଳୁ ତରଙ୍ଗର ଗୀତ ଶୁଣୁଶୁଣୁ ଶୋଇଯାଇଥିଲେ ସେମାନେ ।

 

ତା’ ପର ଦିନ ସେଇ ଟିକେଟ ଦିଓଟି ଏକ ବିରାଟ ଝଡ଼ର କାରଣ ହୋଇଗଲେ । ବାଣୀବିହାରରେ ସମାଜ ବିଜ୍ଞାନରେ ଡକ୍ଟରେଟ୍‌ କରୁଥିବା ନଣନ୍ଦ ଘରେ ନିଆଁ ଲଗେଇ ଦେଇଥିଲେ-। ବାପା, ବୋଉଙ୍କୁ ଛାଡ଼ି ସ୍ଵାମୀ ସାଙ୍ଗରେ ରାଉରକେଲା ଚାଲିଯିବାଟା ଗୋଟାଏ ଘରଭଙ୍ଗା କଥା ବୋଲି କହି ସକେଇ କାନ୍ଦିଲେ ।

 

ତା’ ପରେ ବଢ଼ିଲା ଝଡ଼ର ପ୍ରକୋପ । “ୟା ବାପା, ମା’ ୟାଙ୍କୁ ସଂସ୍କାର ଦେଇ ନାହାନ୍ତି”-। ଝିଅ କଥାରେ କଥା ମିଶାଇ କହିଲେ ଶ୍ୱଶୁର ।

 

ସବୁ ସହିବାକୁ ପ୍ରସ୍ତୁତ ଥିବା ଅନୀତା କିନ୍ତୁ ବାପାଙ୍କ ନାଁଟା ଶୁଣି ଚିହିଁକି ପଡ଼ିଲା । ତାକୁ କୋଳେଇ କାଖେଇ ମଣିଷ କରିଥିବା ଆଉ ଶାଶୂ ଶ୍ଵଶୁରଙ୍କ ବାପା, ମା’ ବୋଲି ଭାବିବାକୁ ତାକୁ ବୁଝେଇଥିବା ବାପାଙ୍କ ବିଷୟରେ କଟୁ ମନ୍ତବ୍ୟକୁ ଗ୍ରହଣ କରିପାରିନଥିଲା ସେ ।

 

“ଆପଣ ଯାହା କୁହନ୍ତୁ ପଛେ ମୋ ବାପାଙ୍କୁ ଖରାପ କୁହନ୍ତୁନି’, ରାଗରେ ଉତ୍ତର ଦେଇଥିଲା ଅନୀତା ।

 

‘ଦେଖ ଶ୍ୱଶୁର ମୁହଁରେ ଜବାବ ଦେଉଛନ୍ତି । ଠିକ୍ କଳିକାଳ ବୋହୂ’ । କହିଲେ ନଣନ୍ଦ । ଗେହ୍ଲେଇ ହୋଇ କାନ୍ଦି କାନ୍ଦି କହିଲେ, “ତୋ ଭାଗ୍ୟରେ ପୁଣି ଏୟା ଥିଲା ବୋଉ ? ନଣନ୍ଦଙ୍କୁ ପୁଣି ନିଆଁରେ ଘିଅ ଢାଳିବାକୁ ସୁଯୋଗ ଜୁଟିଗଲା ।

 

ତା’ ପରେ ଆହୁରି ତାତିଗଲେ ଶ୍ୱଶୁର, ଶାଶୁଙ୍କ କଥାରେ ନାଚନ୍ତି ସେ । ଡକେଇ ପଠେଇଲେ ବାପାଙ୍କୁ ।

 

ସେଦିନ ତାଙ୍କ ଘରେ ବାପା ପହଞ୍ଚିଲା ବେଳକୁ ଦିନ ପ୍ରାୟ ଗୋଟାଏ । ତାଙ୍କର ସେ ଦିନର ଶୁଖିଲା ଆଉ ବିକଳ ମୁହଁଟା ମନେପଡ଼ିଲେ ଏବେବି କାନ୍ଦ ଲାଗେ ତାକୁ । ଶାଶୂଟିକେ ମୁହଁ ଅଲଗା କରି ଘରର ଭିତରକୁ ଚାଲିଗଲେ । ବାପ, ଝିଅ ମିଶି ଯାହା କହିବାର କହିଗଲେ । ସହିବାର ବନ୍ଧ ଭାଙ୍ଗିଗଲା ବାପାଙ୍କର । ରାଗରେ କହିଲେ, “ମୋ ଝିଅକୁ ସାରା ଜୀବନ ବେକରେ ବାନ୍ଧିବାର ଶକ୍ତି ମୋତେ ଭଗବାନ ଦେଇଛନ୍ତି–ଚାଲ ମୋ ସାଥିରେ” । ବିଜୟିନୀ ହବା ଭଳି କୁରୁଳି ଉଠିଲେ ନଣନ୍ଦ । ବଳଦ ଭଳି ନିର୍ବିକାର ଆଖିରେ ଚାହିଁ ରହିଥିଲେ ଦୁଇ ଭାଇ । ଆଖିଗୁଡ଼ିକ ଛଳ ଛଳ ଦେଖା ଯାଉଥିଲେ ବି ନିରବ ଥିଲେ ସେମାନେ ।

 

ହେଲେ ଏ କଥାରେ ଯିଏ ବାଟ ଓଗାଳି ଛିଡ଼ା ହୋଇଥିଲେ ସେ ଥିଲେ ବଡ଼ ଯାଆ ସାରଦା । ବହୁତ ବୁଝେଇଥିଲେ ଦୁଇ ବାପାଙ୍କୁ । ଏହା ଦେଖି ଶ୍ଵଶୁର ପାଟି କରିଥିଲେ ବଡ଼ ଯାଆଙ୍କୁ-। ହସରେ ଉଡ଼େଇ ଦେଇ ନଣନ୍ଦ କହିଲେ ‘ବୋହୂମାନଙ୍କୁ ନେଇ ସଂଘ କରୁନା’ । ବିକଳରେ ସେଇ ଅୟୁତ କଲ୍ୟାଣୀ ପ୍ରେମମୟୀ ରକ୍ତ ମାଂସର ମୂର୍ତ୍ତିର ଆଖିରୁ ଲୁହ ଗଡ଼ି ଯାଇଥିଲା-। “ଏ ଖରାରେ ଶତ୍ରୁକୁ ବି କେହି ଯିବାକୁ ଦବନି । ଆସିଲାବେଳୁ ଆପଣ ପାଣି ଟୋପାଏ ବି ପିଇନାହାନ୍ତି” ବୋଲି କହି ଘର ଭିତରକୁ ଦଉଡ଼ି ଯାଇଥିଲେ ସେ ।

 

ଅନୀତା ଆସି ଗାଡ଼ିରେ ବସିବା ପର୍ଯ୍ୟନ୍ତ ସେ ଟ୍ରେରେ ଦହି ଗ୍ଲାସ ଦି’ଟା ଧରି ନିର୍ବାକ ହେଇ ଚାହିଁ ଥାଆନ୍ତି । ଶ୍ଵଶୁର, ଶାଶୂଙ୍କ ପାଟିରୁ ଅଶ୍ରାବ୍ୟ ଗାଳି ଶୁଭୁଥିଲା ସେମିତି । ପାଠ ପଢ଼ୁଆ ନଣନ୍ଦ ଢଗ ପକେଇ କହୁଥାଆନ୍ତି, ‘ଯିବେ କୁଆଡ଼େ, ଆରେ ଢମଣା, ବୁଲି ବୁଲି କରି ସେଇ ଅଗଣା’ ।

 

ବେଦବ୍ୟାସର ଅମୃତ ଧାରା କର୍ଦ୍ଦମାକ୍ତ ହୋଇଗଲା । ରାଉରକେଲାର ଅଠର ନମ୍ବର ସେକ୍ଟର କ୍ଵାଟର୍ସ ପାଚେରିରୁ ମଧୁମାଳତୀ ଲତା ସବୁ ଝାଉଁଳିଗଲେ । ବେଦବ୍ୟାସ ରୋଡ଼ରେ ହସି ହସି ଯାଉଥିବା ଦମ୍ପତିଙ୍କର ସ୍ୱପ୍ନ ହଜିଗଲା କେଉଁ ଏକ ଭାରୀଯାନ ଚକ ତଳେ ।

 

ବିଚାରପତିଙ୍କ ମୁହଁକୁ ତ୍ରସ୍ତ ଆଖିରେ ଚାହିଁଲା ଅନୀତା । ସ୍ମିତ ହସି ତାକୁ ସାମନା ଚଉକିରେ ବସିବା ପାଇଁ କହିଲେ । କଣ ପଚାରିବେ ? ଏ ପର୍ଯ୍ୟନ୍ତ ଖାଲି ଉତ୍ତର ନଦେବାକୁ ଚାହୁଁଥିବା ଗୁଡ଼ାଏ ପ୍ରଶ୍ନର ଶିକାର ହୋଇଛି । ସବୁଠିଁ ଲୋକେ ତାକୁ ନପଚାରିବା ପ୍ରଶ୍ନ ପଚାରିଛନ୍ତି । ଆଘାତ ପାଇଥିଲେ ବି ନିରୁପାୟ ହୋଇଯାଇଛି ।

 

ବାପା ସେଦିନ ସାରା ଜୀବନ ବେକରେ ବାନ୍ଧିବେ ବୋଲି କହି ତାକୁ ଶାଶୂଘରୁ ନେଇ ଆସିଲେ, ହେଲେ ତା’ ପରେ କେଜାଣି କାହିଁକି ତା’ ଚଲାବାଟରେ ଅନେକ ଲୋକ ବାନ୍ଧି ହେବା ପାଇଁ ଆସିଲେ । ଆଇନ ବିଭାଗରେ କାମ କରୁଥିବା ଦୂର ସମ୍ପର୍କୀୟ ମାମୁଁ ପୁଅ ଭାଇ ଶ୍ୟାମ ଚରଣ ଘରକୁ ଆସିଲେ ବାପା ତାଙ୍କ ସାଙ୍ଗରେ ସବୁବେଳେ ଆଇନ କାନୁନ, ପୁଲିସ ବିଷୟରେ କଥା ହୁଅନ୍ତି । ବୋଉ ମନ ମାରି ଉଦାସ ଆଖିରେ ଚାହିଁ ଏ ସବୁ ଶୁଣେ । କିଛି କହେନା । ଗୋଡ଼େ ଗୋଡ଼େ ତା’ ପଛରେ ଥାଏ । ସବୁ ଦିନେ ମୁଣ୍ଡ କୁଣ୍ଡେଇ ଦିଏ । ତା’ ପସନ୍ଦର ଖାଇବା ରାନ୍ଧେ । ସବୁବେଳେ ତାକୁ କ’ଣ କହିବାକୁ ଚାହୁଁଥିବା ପରି ଲାଗେ । ହେଲେ କିଛି କହେନି । ପଡ଼ିଶା ଘରର ବୋହୂ ମାମୁନିର ତା’ ସାଥିରେ ଏକା ଦିନେ ବାହାଘର ହୋଇଥିଲା । ତିନି ବର୍ଷର ଛୋଟ ପିଲାଟା ତାର । ଘରକୁ ଆସିଲେ ବୋଉ ଖୁସି ହୁଏ । ଦୁଷ୍ଟାମି କରି କିଛି ଭାଙ୍ଗି ଦେଲେ ଆହୁରି ଖୁସି ହୋଇଯାଏ ।

 

ଅନୀତା ଅନୁଭବ କରୁଥିଲା ଘରେ କେହି ନଥିଲା ବେଳେ ଶ୍ୟାମଚରଣ ଭାଇ ବାରମ୍ବାର ତାଙ୍କ ଘରକୁ ଆସୁଥିଲେ । ଯେଉଁ ଦିନ ଡ୍ରଇଂ ରୁମରେ ତାଙ୍କୁ ଚା’ ଦେଲା ପରେ ତା’ ହାତ ଧରି ଶ୍ୟାମଚରଣ ଭାଇ ତା’ ହାତର ରେଖାରୁ ଭବିଷ୍ୟତ ଗଣନା କରିବା ଆରମ୍ଭ କଲେ, ଅନୀତା ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଧୀରେ ହାତ ଖସାଇ ଆଣି ଡରି ଯାଇଥିଲା ସେ । ଲାଗିଲା ଘରେ କେହି ନଥିବାର ସୁଯୋଗ ନେଇ ଶ୍ୟାମଚରଣ ଭାଇ ପ୍ରାୟ ଆଉ କିଛି ଚାହୁଁଛନ୍ତି । ନିଜକୁ ନିଆଶ୍ରୀ ଲାଗୁଥିଲା ।

 

ଡାକ୍ତର, ଓକିଲ, କୋର୍ଟ, କମିଶନ, ସମାଜସେବୀ, ଏପରିକି ଅଲୌକିକ ଘଟେଇବାର ପ୍ରତିଶୃତି ଦେଉଥିବା ବାବା ସବୁଠିଁ ଅନୀତା ଅନୁଭବ କରୁଥିଲା ଏକା ପରି ଦରଦ ଆଉ ସହାନୁଭୂତି-। ସମସ୍ତଙ୍କର ସୁନ୍ଦର ଆଖିତଳେ ବିଷ ମୁଣିଟିଏ ଥିଲା ପରି ଲାଗେ ତାକୁ । ସମସ୍ତେ ନ କହିଲା କଥା କହନ୍ତି । ନ ପଚାରିବାର କଥା ପଚାରନ୍ତି । ସେମାନଙ୍କର ଚାହିଁବା ଭଙ୍ଗୀରେ ତାକୁ ଝାଉଁଳିଗଲା ପରି ଲାଗେ । ହେଲେ ଏ ସମସ୍ତେ ବାପାଙ୍କର ବିଶ୍ଵାସ କିଣି ନେଇଛନ୍ତି ସହଜରେ-। ସାମ୍ବାଦିକମାନେ ଖାତା, କଲମ, କ୍ୟାମେରା ଧରି ତା' ଚାରିପାଖରେ ଭିଡ଼ ଜମାଇଆନ୍ତି ।

 

ଭୀଷଣ ଭୟରେ ଜଜ ସାହେବଙ୍କ ସାମ୍ନା ଚେୟାରରେ ବସିଥିଲା ଅନୀତା । ଆତଙ୍କିତ ମନରେ ଆଖି ଚୁପୁଡ଼ିଥିଲା ସେ । ଭାବୁଥିଲା ଏ ସମସ୍ତ ବ୍ୟବସ୍ଥା ବିରୋଧରେ ଚିତ୍କାର କରି ସେ କୁଆଡ଼େ ଚାଲିଯିବ ।

 

‘ମୁଁ ଚାହୁଁଛି ତୁ ରାଉରକେଲା ଯା ।’ ଶୁଭିଲା ସ୍ପଷ୍ଟ ସ୍ଵର । ଓଠ ଅଧାମେଲା କରି ଚାହିଁଲା ଅନୀତା । ବିବାହ ବିଚ୍ଛେଦର ଅନ୍ତିମ ପର୍ବରେ ସେ ଏକଥା ଆଶା କରି ନଥିଲା । ଏ ପର୍ଯ୍ୟନ୍ତ ସବୁଠିଁ ସେ ଶୁଣିଥିଲା ଭାଙ୍ଗିବାର ଭାଷା । ଜଷ୍ଟିସ ବାରିଷ୍ଟର ଜଗଦେବ ରାୟଙ୍କ ହସଟା ତାକୁ କାହିଁକି ଅଲଗା ଲାଗିଲା । ସତେ ଯେମିତି ଏକାନ୍ତ ଆପଣାର । ଜଜ୍ ସାହେବ ପୁଣି କହିବା ଆରମ୍ଭ କଲେ-। “ମୁଁ ଏଇ ଚ୍ୟାମ୍ବରକୁ ଡାକି ତୋ ସ୍ଵାମୀ ସହିତ କଥା ହୋଇସାରିଛି । ଏ ଘଟଣା କେବଳ ଦୁଇ ବାପାଙ୍କ ଭିତରେ ବିବାଦର ଫଳ । ଅଯଥା ସମ୍ମାନର ପ୍ରଶ୍ନ ଘାରିଛି ଏମାନଙ୍କୁ । ଚିହ୍ନିପାରି ନାହାନ୍ତି ପୁଅ ଝିଅର ମନକୁ ! ବିବାହ ବିଛେଦର କ୍ଷତିକୁ କ୍ଷତିପୂରଣ ଦେଇ ଭରଣା କରାଯାଇପାରେନା-।”

 

ନିଜ ଅଜାଣତରେ ଚେୟାରଟିକୁ ଆଉ ଟିକିଏ ପାଖକୁ ଟାଣି ସହଜ ହୋଇ ବସିଲା ଅନୀତା । ଲୁହ ଭିତରେ ହସ ଝିଲି ମିଲି କରି ଉଠିଲା । ସ୍ୱତଃ ତା’ ପାଟିରୁ ବାହାରି ପଡ଼ିଲା, “ମୁଁ ଯିବି’ । ପିଅନଟି କବାଟ ଖୋଲିଦେଲା ପରେ ଯେତେବେଳେ ତା'ର ସ୍ଵାମୀ ସୁବ୍ରତ ରୁମ୍‌ରେ ପ୍ରବେଶ କଲେ ତାକୁ ରୁମଟା ଲୋକାରଣ୍ୟ ଲାଗିଲା । ଚାରିପଟେ ଶୁଭିଲା କୋଳାହଳ । ଆକସ୍ମିକ ଭାବେ ଜଷ୍ଟିସ ବାରିଷ୍ଟର ଜଗଦେବ ରାୟ ବାହାର କଲେ ଯୋଡ଼ିଏ ଟିକେଟ । କଟକରୁ ରାଉରକେଲା । ‘ନିଅ, ଏ ଟିକେଟ ଦୁଇଟି ମୁଁ କରିଛି । ଏଇଠୁ କାହାକୁ ନ କହି ରାଉରକେଲା ଚାଲିଯିବ ! ତମ ବାପାମାନେ ଏବେ ଲାଲବାଗ୍ ଥାନା ଇନିସପେକ୍ଟରଙ୍କ ମାର୍ଫତରେ । କ୍ଷତିପୂରଣ ପରିମାଣ ଛିଡ଼େଇବାରେ ବ୍ୟସ୍ତ ରଖାଯାଇଛି ସେମାନଙ୍କୁ । ବେଶି କିଛି ଅସୁବିଧା କଲେ ତାଙ୍କ ପାଇଁ ହାଜତର ଦ୍ଵାର ଖୋଲାଯିବ । ତମକୁ ଶୁଣିଲାପରେ ମୁଁ ଅନୁଭବ କରୁଛି ତୁଚ୍ଛା ସମ୍ମାନ ଯୁଦ୍ଧରେ ତମେମାନେ ବଳିପଡୁଛ’ ।

 

ଅଜାଣତରେ ଟିକେଟ ଦିଓଟି ପାଇଁ ଏକା ସଙ୍ଗରେ ହାତ ଲମ୍ବି ଯାଉଥିଲା ସୁବ୍ରତ ଆଉ ଅନୀତାର । ଜଜଙ୍କ ଆଖିରେ କନ୍ୟାଦାନର ଲୁହ । ସେଦିନ ରାତିରେ ଲହୁଣିପଡ଼ା ବଣେଇ ଆବୁଡ଼ା ଖାବୁଡ଼ା ରାସ୍ତାରେ ଦୋହଲି ଦୋହଲି ଚାଲିଥିବା ବସ୍‌ରେ ପରସ୍ପର କାନ୍ଧରେ ମୁଣ୍ଡରଖି ସପନ ଦେଖି ଦେଖି ଚାଲିଥିଲେ ସୁବ୍ରତ ଆଉ ଅନୀତା । ଅପେକ୍ଷା କରିଥିଲା ଅଠର ନମ୍ବର ସେକ୍ଟର୍ ମଧୁମାଳତୀ କୁଞ୍ଜ । ଶଙ୍ଖ ଆଉ କୋଏଲର ମଧୁର ମିଳନରେ ବହିଯାଉଥିଲା ସୁଖର ବ୍ରାହ୍ମଣୀ ।

Image

 

ଫେରିଆ

 

ନୂଆଁଖାଇ ଆସିବାର ବେଳ ହେଲେ ସମସ୍ତେ ଆନନ୍ଦ ଉଲ୍ଲାସରେ ମାତି ଉଠନ୍ତି । କିଏ ମନ ପସନ୍ଦର ଲୁଗା ଖଣ୍ଡେ କିଣିଲା ବେଳେ ପୁରୀକ୍ଷିରୀର ସପନରେ କିଏ କିଏ ହଜିଯାଆନ୍ତି । ଅଦେଖାରେ ଗୋଟାଏ ଖୁସିର ପବନ ଘୂରିଯାଏ । ଶୁକତେଲର ଜଳଧାରାଟି ଆନନ୍ଦରେ କୁଳୁକୁଳୁ ହୋଇ ଗୀତ ଗାଇ ଗାଇ ସେଇ ପବନ ସାଥୀରେ ନାଚି ଉଠେ । ନଈ ପଠାରେ ଆନନ୍ଦରେ ଦୋଳି ଖେଳେ କାଇଁଶଫୁଲ ।

 

ହେଲେ ଆନନ୍ଦର ଏଇ ପବନ, ସେଇ ଖୁସିର ଜୋଛନା, ମିଳନର ନିନାଦ ଶୁକତେଲ ନଦୀକୂଳର ଚନ୍ଦନ ଭାଟି ଗାଁର ସୁକୁମାରୀ ନାମକ ବୋହୂଟି ପାଇଁ ସେଦିନ ସପନ ନୁହେଁ କମ୍ପନ ଆଣୁଥିଲା । ଚମକି ପଡ଼ି ସୁକୁମାରୀ ମନେ ପକାଉଥିଲା । କେତେ ସରାଗରେ ସନାତନର ହାତଧରି ବାହାହୋଇ ସେ ଆସିଥିଲା ଏଇ ଗାଁକୁ । କେଉଁ ଆଖିପାଉ ନଥିବା ଅତୀତରେ ଶ୍ରୀ ଜଗନ୍ନାଥଙ୍କୁ ଚନ୍ଦନ ଭେଟି ଦେଇ ଏ ଗାଁର ନାଁ ହୋଇଥିଲା ଚନ୍ଦନ ଭେଟି । ପୁଣି ଲୋକ ମୁଖରେ କାଳକ୍ରମେ ଏଇ ନାଁ ହୋଇଯାଇଛି ଚନ୍ଦନ ଭାଟି । ବାହା ହେଲା ବର୍ଷ ମାଣ ବସାଯିବ ବୋଲି ଖୁବ୍ ସରାଗରେ ଘରକୁ ଲିପା ପୋଛା କରି ରଙ୍ଗମାଟିରେ ଲିପିଥିଲା କାନ୍ଥକୁ, ବଡ଼ି ଅନ୍ଧାରୁଆରୁ ଉଠି ଜାଙ୍ଗୁଲୁ ଜାଙ୍ଗୁଲୁ ରାତିରେ ସେ କାନ୍ଥରେ ପକେଇଥିଲା ଚିତା । ଦାଣ୍ଡ ଦୁଆରେ ବୁଣିଥିଲା କେତେ ରଙ୍ଗର ମୁରୁଜ । ପାହାନ୍ତି ଆକାଶର ନିଦୁଆ ତାରାଗୁଡ଼ାକ ଖୁବ ସୁନ୍ଦର ଦେଖା ଯାଇଥିଲେ ତାକୁ । ମସିହା ଆଲୁଅ ତଳେ ଦି ଚାରିଥର ଓଲଟ ପାଲଟ କରି ଦେଖିଥିଲା, ତା’ ପାଇଁ ସନାତନ ଆଣିଥିବା ଲୁଗାକୁ । ନୀଳ ଶାଢ଼ିରେ ଓସାରିଆ କୁମ୍ଭ । ଖୁସିରେ ଛାତିରେ ମାଡ଼ି ଦେଇଥିଲା ଲୁଗାକୁ ।

 

ବାହାହେଲା ପରେ ଚୁପଚୁପ ପାଟିରେ କଥାକହି ସୁକୁମାରୀ ଆଉ ସନାତନ ଅନେକ ସପନ ଦେଖନ୍ତି । କଟେଇ ଆସିଥିବା ସମୟ, ହଜେଇ ଆସିଥିବା ସାଙ୍ଗସାଥୀ ବିଷୟରେ ଗପନ୍ତି । ପୁଣି ଗୋଟାଏ ସୁନ୍ଦର ଭବିଷ୍ୟତର ଛବି ଆଙ୍କି ହସିହସି ଗଡ଼ିଯାଆନ୍ତି । ମୁଣ୍ଡରେ ଓଢ଼ଣା ଟାଣି ସାଇପଡ଼ିଶାଙ୍କ ଆଗରେ ସମ୍ଭ୍ରମରେ ଠିଆ ହଉଥିବା ସୁକୁମାରୀଟା ରାତିର ଅନ୍ଧାର ଭିତରେ ହଜିଯାଏ କେଉଁ ଅତିନ୍ଦ୍ରିୟ ରାଇଜରେ । ସନାତନ ସାଥୀରେ ସପନର ଘୋଡ଼ାଚଢ଼ି ବୁଲିଆସେ ତରାରୁ ସାଗରର ଦେଶରେ ।

 

ମନେ ପକାଉଥିଲା ସୁକୁମାରୀ, ସେ ବର୍ଷ ହରିଶଙ୍କର ମେଳାରେ ତା’ର ଦେଖାହୋଇ ଥିଲା ସନାତନ ସାଙ୍ଗରେ । ଦୂର ସମ୍ପର୍କୀୟ ଥିଲେ ସନାତନର ପରିବାର । ବୋଉ ତାର ସେଇ ମେଳାରେ ପ୍ରାୟ ବାହାଘର କଥା ପକ୍କା କରିଥିଲା ସନାତନର ବାପା ବୋଉଙ୍କ ସାଙ୍ଗରେ । ତା’ପରେ ସୁକୁମାରୀ ପାଇଁ ପ୍ରତ୍ୟେକ ରାତି ସପନର ରାତି ହୋଇଯାଇଥିଲା । ସବୁ ସପନକୁ ସତ କରି ସେ ବୋହୂ ହୋଇ ଆସିଥିଲା ଚନ୍ଦନ ଭାଟି ଗାଁଆକୁ । ଶାଶୁ ତା’ର ଭଲ ଲୋକ । 'ପାଠ ପଢ଼ି ନଥିଲେ ବି ତାକୁ ଲାଗେ ସେ ଅନେକ ଜ୍ଞାନୀ । ବୋହୂହେଇ ଆସିଲା ପରେ ତା’ ଆଖି ଆଗରେ ତା’ ବୋଉର ଚେହେରା ବଦଳି ଗଲେ ବି ସେ ଶାଶୂଙ୍କ ଭିତରେ ଅବିକଳ ତା’ର ବୋଉକୁ ଦେଖିଥିଲା । ବହୁତ ଖୁସି ହୋଇଥିଲା ସିଏ, ଯୋଉଦିନ ଶାଶୂ ସାଇତି ରଖିଥିବା କିଛି ଟଙ୍କା ହାତରେ ଦେଇ ପୁଅ ବୋହୂଙ୍କୁ ବୁଲି ପଠେଇ ଥିଲେ । ସେମାନେ ବୁଲିଥିଲେ ମନ୍ଦାରମାଳିନୀ ପାଟଣେଶ୍ଵରୀ ମନ୍ଦିର, ତେଲ୍ ଆଉ ମହାନଦୀର ସଙ୍ଗମ ସ୍ଥଳରେ ଅନିର୍ବଚନୀୟ ଶୋଭାର ଆଧାର ଉତ୍କଳୀୟ ସଂସ୍କୃତିର ଅନ୍ୟତମ ମନ୍ଦିରମୟୀ ନଗରୀ ସୁବର୍ଣ୍ଣପୁର । ପୁଣି ନିଥର ଜହ୍ନରାତିରେ ଜ୍ୟୋତ୍ସ୍ନାର ଉତ୍ତରୀୟ ଭିତରେ ଉପଭୋଗ କରିଥିଲେ ରାଣୀପୁର ଝରିୟାଲର ପ୍ରସ୍ତର ଉପତ୍ୟକାର ବିଜନତାକୁ । ଆଭୂମ ପ୍ରଣାମ କରିଥିଲେ ଚଉଷଠି ଯୋଗିନୀଙ୍କୁ । ଆମୋଦିତ ହୋଇଥିଲେ ଚନ୍ଦନ ଅଗୁର, କସ୍ତୁରୀ ଆଉ କୁଙ୍କୁମର ମିଳନରେ ପ୍ରସ୍ତୁତ ଚଉସମର ବାସ୍ନାରେ ।

 

ହଠାତ୍‍ କିନ୍ତୁ ଶାଶୁ ସେଦିନ ଆତଙ୍କିତ ଆଖିରେ ଚାହିଁଲେ ସନାତନକୁ, ପୁଣି ଝରକା ଦେଇ ଖୋଲା ଆକାଶକୁ ଯେତେବେଳେ ହାତରେ ନୋଟ୍ କେତେଟା ଧରି ଘରକୁ ଆସି କହିଲା “ବୋଉ ମୁଁ କାମ କରିବାକୁ ଆନ୍ଧ୍ର ଯିବି । ବୋଉର ମୁହଁକୁ ଠିକ୍‍ ବୁଝି ପାରି ନଥିଲା ସନାତନ । ଘର କ’ଣରେ ଡେରା ହୋଇଥିବା ପଟିଟାକୁ ନେଇ ଦାଣ୍ଡକୁ ବାହାରିଗଲା ବେଳେ କହିଲା ‘ହରି ମଉସା, ଆସିଛନ୍ତି ତାଙ୍କ ପାଇଁ ଚା କର ।”

 

“ନିଆଁଲଗା, କୂଳବୁଡ଼ା... ।’’ ଏ ଯାବତ ଦେଖିଥିବା ଶାନ୍ତ, ମଙ୍ଗଳମୟୀ ମୂର୍ତ୍ତିଟି ତାକୁ ଟିକିଏ ଅଲଗା ଲାଗିଲା । କିଏ ଏଇ ହରି ମଉସା ? କ’ଣ କରିଛନ୍ତି ସିଏ ? ତାଙ୍କ ନାଁ ଶୁଣି ଏଇ କରୁଣାର ଅବତାରଟି କ୍ରୋଧରେ ଫାଟି ପଡ଼ୁଛନ୍ତି କାହିଁକି ? କ’ଣ ଆଶଙ୍କା କରି ଶିହରି ଉଠୁଛନ୍ତି ଏମିତି ?

 

କିଛି ବୁଝି ନପାରି ସେଦିନ ଚା କରି ହରି ମଉସାଙ୍କ ହାତକୁ ବଢ଼େଇ ଥିଲା ସୁକୁମାରୀ । ଚା ଦେଲା ବେଳେ ପକ୍ୱ କେଶ ଏଇ ବ୍ୟକ୍ତିଟି ଗୋଡ଼ଠାରୁ ମୁଣ୍ଡଯାଏ ନ ଚାହିଁବା ଭଙ୍ଗୀରେ ଚାହିଁଥିଲେ ସୁକୁମାରୀ କି । ଆନନ୍ଦରେ ସନାତନ ଖାଲି ଶୁଣୁଥାଏ ତାଙ୍କରି କଥାକୁ । କୋଉ ଆଡ଼କୁ ନିଘା ନଥାଏ ତାର ।

 

ସେଦିନ ରାତିରେ ବିଛଣାରେ ପଡ଼ି ଛଟପଟ ହଉଥିବା ସୁକୁମାରୀକୁ ସନାତନ କହୁଥିଲା ସେ ଆନ୍ଧ୍ର ଯିବ । ସେଠି ମାଟିରେ ଲକ୍ଷ୍ମୀ ଫଳୁଛନ୍ତି । ହରି ମଉସା ଦେଇଥିବା ବଇନା ଟଙ୍କାକୁ କାଢ଼ି ସିଏ ପୁଣିଥରେ ଦେଖେଇଲା । ଖୁସିରେ ଗଣି ବାକସରେ ରଖିଲା । ଚାରିଛଅ–ମାସରେ ଫେରି ଆସିବ, ଏଠି କାମଧନ୍ଦା କିଛି ନାହିଁ । ଧାନ ପରେ ବିଲ ପଡ଼ିଆ ।

 

ଖୁସିରେ କହୁଥିଲା ସନାତନ । ହଟି ମଉସା ଖୁବ ପତିଆରା ଥିବା ମଣିଷ । ଏମ.ଏଲ.ଏ ମନ୍ତ୍ରୀଙ୍କ ପାଖ ଲୋକ । ଅମଲା ସବୁ ତାଙ୍କ ହାତରେ । ସିଏ ନ ଚାହିଁଲେ କେହି ୱାର୍ଡ଼ ମେମ୍ବରଟିଏ ବି ହୋଇ ପାରିବ ନାହିଁ ! ଯୋଉ ଦଳର ନେତା ହୁଅନ୍ତୁ, ଯୋଉ ସଂପ୍ରଦାୟରୁ ହୁଅନ୍ତୁ, ସମସ୍ତଙ୍କ ପାଖରେ ତାଙ୍କର କାଟତି ! ଅମଲାଙ୍କ ପିଲାଛୁଆ ତାଙ୍କର ଧର୍ମର ପୁଅଝିଅ, ଦାଣ୍ଡ ଦୁଆରେ ପାଦ ଥୋଉଥୋଉ ଘର ଭିତରକୁ ଟାଣି ନିଅନ୍ତି । ଦନ୍ତା ମାଙ୍କଡ଼ଟି ମା’ କୋଳରୁ ଅଣ୍ଡିରା ଛୁଆଙ୍କୁ ଛଡ଼େଇ ନେଇ ତଣ୍ଟି ଚିପି ମାରିଲା ଭଳି ଯଦି କିଏ ନୂଆ ଲେବର୍ ଏଜେଣ୍ଟ ବାହାରେ, ତେବେ ମଣିଷ ଚାଲାଣ କରୁଛି ବୋଲି ଅଫିସରଙ୍କୁ ଧରି ତା' ନାଁରେ କେସ୍ ଠୁଙ୍କି ଦିଅନ୍ତି । ଥାନାବାଲାଙ୍କ ମାଡ଼ରେ ସେ ବେହାଲ ହୋଇଯାଏ ।

 

ମନ୍ତୁରେଇଲା ପରି ସନାତନ ସେଇଦିନଠାରୁ ଖାଲି “ହରି ମଉସା, ହରି ମଉସା” ବୋଲି ଭଜି ହେଲା । ବାହାରେ ସାଥିହୋଇ ଖାଦାନରେ କାମ କରିବାକୁ ଯିବାକୁ ସାଥୀରେ ଆଉ କିଛି ସାଙ୍ଗ ବି ଜୁଟିଲେ ।

 

ଧୁମଧାମ୍‌ରେ ପାଳନ ହେଲା ନୂଆଁଖାଇ । ଜୋରରେ ବାଜିଲା ମାଦଳ । ଝୁଣା, ଅଗୁରର ବାସ୍ନାରେ ଚହଟିଗଲା ଚନ୍ଦନ ଭାଟି ଗାଁ । ପାଣିପରି ବୋହିଗଲା ବଇନା ବାଦଦରେ ପାଇଥିବା ଟଙ୍କା ।

 

ଶାଶୂ ଆହୁରି ଆଶ୍ଚର୍ଯ୍ୟରେ ଚାହିଁଲେ ଯୋଉଦିନ ସନାତନ ସାଙ୍ଗରେ ସୁକୁମାରୀକୁ ନେଇଯିବାର ପ୍ରସ୍ତାବ ଆଣିଲା । କହିଲା ‘ହରି ମଉସା, କହୁଛନ୍ତି ସେ କାମକୁ ଗଲା ପରେ ସୁକୁମାରୀ ରାନ୍ଧିଦବ । ଦିନସାରା କାମ ଶେଷରେ ପିଲାଏ ଟିକିଏ ଶାନ୍ତିରେ ରହିବେ ।' ସୁକୁମାରୀ ବି ଆନନ୍ଦିତ ହେଲା । ଗୋଦାବରୀ ନଦୀର କୂଳ ଆଉ ମନୋରମ ବିଜୟୱାଡ଼ା ସହରର ରଙ୍ଗୀନ ବିପଣୀ ଖାଲି ତା’ ଆଗରେ ହାଉଜାଉ ହବାକୁ ଲାଗିଲେ । ମନେ ମନେ ଧନ୍ୟବାଦ ଦେଲା ହରି ମଉସାଙ୍କୁ । କିନ୍ତୁ ଅସମାଧିତ ରହିଗଲା ପ୍ରଶ୍ନଟି । କ’ଣ ପାଇଁ ଶାଶୂ ହରି ମଉସାଙ୍କୁ ନିଆଁଲଗା, କୂଳବୁଡ଼ା...ବୋଲି ଅଜାଣତରେ କହି ପକେଇ ଥିଲେ ଆଉ ସେ ବୋହୂ ହୋଇ ଆସିଲା ଦିନ ଠାରୁ ଦେଖି ଆସିଥିବା ଶାଶୂଙ୍କର ହସିଲା ହସିଲା ମୁହଁ ହରି ମଉସାଙ୍କ କଥାରେ ସନାତନର ଆନ୍ଧ୍ର ଯିବା କଥା ଶୁଣିଲା ପରେ କାଇଁକି ଝାଉଁଳି ପଡ଼ିଥିଲା ।

 

ଶାଶୂଙ୍କ ମୁହଁରେ ଟିକିଏ ହସ ଆସିଲା, ଯୋଉଦିନ ସେ ଶୁଣିଲେ ସୁକୁମାରୀ ମା' ହବାକୁ ଯାଉଛି । କହିଲେ ଯାହା ହେଉ ସେ ଆନ୍ଧ୍ର ଯାଇ ପାରିବନି । ସାହାଡ଼ା ଠାକୁରାଣୀଙ୍କ ପାଖରେ ମୁଣ୍ଡିଆ ମାରିଥିଲେ ସେ । ପିଲାଟିଏ ଆସିବାର ଖୁସିଠାରୁ ପ୍ରାୟ ସୁକୁମାରୀ ନଯିବାଟା ତାଙ୍କ ପାଇଁ ପ୍ରାୟ ଥିଲା ଆହୁରି ଖୁସିର ଖବର ।

 

ଭୂଲେଇ ଭାଲେଇ ବହୁ ପ୍ରକାର କହି ଚାହିଁଥିଲେ ସନାତନକୁ ରୋକିବାକୁ, ହେଲେ ସନାତନ ଆଖିରେ ରଙ୍ଗ ଲାଗିଥିଲା । ସେ ମୁଠାମୁଠା ଟଙ୍କା କମେଇବ, ଚାଳ ଘରଟା ଜାଗାରେ ପକ୍କାଘର କରିବ, ଏମିତି ଏମିତି । ବହିଯାଉଥିବା ନଦୀ କି ବାଲି କେଇମୁଠା ଫିଙ୍ଗି କିଏ ବା ଅଟକେଇବ । ଏକେ ତ ସନାତନ ଗୋଟିଏ ପୁଅ । ସବୁବେଳେ ଅବୁଝା ।

 

ନୂଆଁଖାଇ ସରିଲା । ସମସ୍ତଙ୍କ ଘରୁ କୁଣିଆଁ ମାନେ ଲେଉଟିଗଲେ । ସନାତନ ଟ୍ରେନ ଚଢ଼ିଲା ଆଉ କେତେ ଜଣଙ୍କ ସାଙ୍ଗରେ । ଗାଁ ଖାଲି ମାଇପିମୟ ହେଇଗଲା । କିଏ ଗଲା ଆନ୍ଧ୍ର, କିଏ ଗଲା ସୁରଟ, କିଏ ଗଲା ବେଙ୍ଗାଲୁର ତ କିଏ ଗଲା କାଶ୍ମୀର । ସେଇଦିନଠୁଁ ଦୀର୍ଘଶ୍ଵାସ ଛାଡ଼ି ଉଦାସ ଆଖିରେ ଖାଲି ଚାହିଁ ରହନ୍ତି ଶାଶୂ, କିଛି ବୁଝି ପାରେନା ସୁକୁମାରୀ ।

 

ସିଏ ଥିଲା ମାଣବସା ଗୁରୁବାରର ଆଗ ରାତି । ସୁକୁମାରୀ ଦେଖିଲା ଶାଶୂ ବସି ବିଛଣାରେ କାନ୍ଦୁଛନ୍ତି । ପଚାରିଲାରୁ କିଛି ନାହିଁ ବୋଲି କହିଲେ ହେଲେ ଆପଣାର ମଣିଷ ପାଖରେ ମନ ଖୋଲିଯାଏ । କହିଦେଲେ ପ୍ରାୟ ମନ ହାଲୁକା ହୋଇଯାଏ ।

 

“ମା ଲକ୍ଷ୍ମୀ କ’ଣ ଆମ ପ୍ରତି ଏତେ ନିର୍ଦ୍ଦୟ,” ବୁଝିପାରିଲାନି ସୁକୁମାରୀ । “ଏଇଠି କ’ଣ ରୋଜଗାର କରି ପାରନ୍ତେ ନାଇଁ ଆମ ପିଲାଏ ? ଏଇ ମାଟିରେ କ’ଣ ସୁନା ଫଳନ୍ତା ନାଇଁ ?’’ ସୁକୁମାରୀ ଭାବିଲା, ପୁଅ ଘର ଛାଡ଼ି ଯାଇଚି ବୋଲି ମା’ ବ୍ୟସ୍ତ ହେଉଛନ୍ତି । ଗୋଟିଏ ପୁଅ ତ । ତା’ ମନ ବି ଟିକିଏ ଚହଲି ଗଲା । ସତରେ ସନାତନ ପାଖରେ ଥିଲେ ରାତିଟା ତାକୁ ଏତେ ବଡ଼ ଲାଗି ନଥାନ୍ତା । ପୁଣି ଭାବିଲା, ସେ ବି ଯାଇଥାଆନ୍ତା । ଯୋଡ଼ାଏ ନୁହେଁ ଦି’ଜଣଙ୍କର ଚାରିହାତରେ ରୋଜଗାର ହେଇଥାଆନ୍ତା । ସମାଳି ପାରିଲା ନାଇଁ ମନକଥା ଖୋଲି କହିଦେଲା । କିନ୍ତୁ ଉତ୍ତରଟା ଥିଲା ଖୁବ୍ ଦୁଃଖଦାୟକ ଆଉ ବାଧିଲା ଭଳି ।

 

ଶାଶୂ କହିଥିଲେ ଆଜି ବି ସନାତନ ଯେମିତି ଗାଁ ଛାଡ଼ିଲା, ତା ବାପା ବି ଦିନେ ସେମିତି ଗାଁ ଛାଡ଼ିଥିଲା । ସାଙ୍ଗରେ ସେ ବି । ଖଟଣି ଅପର୍ଯ୍ୟାପ୍ତ । ଯେମିତି ହେଲେ ଦିନକୁ ଗଢ଼ିବେ ହଜାରେ ଇଟା । ଦଲାଲମାନଙ୍କର ମନଭୁଲା କଥା ସେଠି ନଥାଏ । ଠିକାଦାର ସର୍ଦ୍ଦାର ସେଠି ରାଜା-। ରୋଗ ବୈରାଗ ହେଲେ ବି ଖଟଣିରେ ବନ୍ଦ ନାହିଁ । ପଳେଇ ଆସିବାକୁ ଚାହିଁଲେ ବି ବାଟ ନାହିଁ-। ପୁଣି ପୁଲିସ୍, ଲେବର୍ ଅଫିସର ଆଉ ଗୁଣ୍ଡାମାନଙ୍କର ଭୟ । ସବୁ ସରକାରୀ ଲୋକ ତାଙ୍କ ପାଖରେ । ଦେହର ମଜୁରା ମେଣ୍ଟାଇବା ପାଇଁ ଠିକାଦାର ବେଳେ ବେଳେ କାମିକାମାନଙ୍କୁ ନିଶାପାଣି ଟିକିଏ ଟିକିଏ ଦିଏ । ସେଇଥିରେ ମଣିଷ ପୋଷାମାନେ । ହିତାହିତ ଜ୍ଞାନ ଭୁଲିଯାଏ-। ସେ ନ କଲା କାମ କରିବସେ ।

 

ସନାତନର ବାପା ସେଇ ଜାଲରେ ପଡ଼ିଲେ । ଠିକାଦାର କ୍ୟାମ୍ପରେ ବଳିଥିବା ମଦ ଟିକିଏ ପିଉ ପିଉ ଦିନକୁ ଦିନ ତାଙ୍କର ପିଇବା ବଢ଼ିଗଲା । ମଦ ଟୋପାଏ ପାଇଁ ସିଏ ବି ଯାଇ ଠିକାଦାରର ବେଳେବେଳେ ବୋଲହାକ କଲେ । ତାଙ୍କୁ ମଦ ଲୋଭ ଦେଖେଇ ଠିକାଦାର ବହୁତ କାମ କରାଏ । ମଦ ଜୋରରେ ସେ କାମ କରେ । ଅଧିକା ପଇସା ଆଣେ । ପୁଣି ତାକୁ ମଦ ଦୋକାନରେ ଉଡ଼େଇ ଦିଏ । ଧୀରେ ଧୀରେ ବାପାକୁ ତା'ର ଧରିଲା ଅସାଧ୍ୟ ରୋଗ । ଠିକାଦାର ଦଲାଲଙ୍କର ଆଖି ପଡ଼ିଲା ତାଙ୍କ ଉପରେ । ଦଲାଲ କହିଲା ମୋ କଥା ନ ମାନିଲେ ତୋ ନାଁରେ କେସ୍ ଦେଇଦେବି । ଗୋଟାଏ ଥାନାରେ ନୁହଁ ଭାରତର ବିଭିନ୍ନ ରାଜ୍ୟର ଥାନାରେ । କୋଉଠି ଚୋରି କେସ୍ ତ ପୁଣି କୋଉଠି ଦେହ ବେପାର କରୁଛୁ ବୋଲି କେସ୍ । ଭୟ ଆଉ ଲୋଭ ଦେଖେଇ ଚାଲିଲେ ସେମାନେ । ସେଠି ଖୋଲାରେ ଗାଧୋଇବାକୁ ହୁଏ । ଅଜାଣତରେ ଦେହରୁ ଲୁଗା ଖସିଲାବେଳେ ଲୁଚେଇ କରି ଫଟୋ ଉଠେଇ ରଖୁଥିଲା । ଖବର କାଗଜରେ ଛାପିଦେବ ବୋଲି କହିଲା । ସନାତନର ବାପା କହିଲେ “ଠିକାଦାର ବାବୁଟା ଭଲ ଲୋକ ଖାଇବା ପିଇବାରେ ହଇରାଣ ହଉଚି, ତା’ କ୍ୟାମ୍ପରେ ଟିକେ ରନ୍ଧାବଢ଼ା କରିଦେ.... । କହୁ କହୁ ଭୋ ଭୋ ହୋଇ କାନ୍ଦି ଉଠିଲେ ଶାଶୂ । ଉଜୁଡ଼ି ଗଲା ଶୁକତେଲ ନଦୀକୂଳ ଗାଁର ସୁଖର ସଂସାର । ଶଶୁର ଚାଲିଗଲେ । ଶାଶୂଙ୍କର ଦୁଃଖ ଉପରେ ଦୁଃଖ ମାଡ଼ି ଆସିଲା । ଦଲାଲମାନେ ଶଶୁରଙ୍କ ଉପରେ ବାକି ଥିବା ଅନେକ ଟଙ୍କାର ହିସାବ ଧରି ଆସିଲେ କେତେ ସତ, କେତେ ମିଛ ସେକଥା କହିବାକୁ ତ ଆଉ ଶଶୁର ନଥିଲେ ?

 

ସୁକୁମାରୀ ଆଗରେ ଅନେକ ଅନ୍ଧାରୁଆ ଘରର କବାଟ ଖୋଲିଗଲା । ଉତ୍କଳ ଲକ୍ଷ୍ମୀଙ୍କର ଭଣ୍ଡାରର ଅମୂଲ୍ୟ ମଣିମାନେ ଆଜି ବାଟ ଧରୁଛନ୍ତି ଝାନ୍‍ସି କି ଅବା ପୁଣି କେଉଁ ନିଷିଦ୍ଧ ଇଲାକାକୁ ବାଟ କଢ଼େଇ ନଉଛନ୍ତି ଏଇ ହରିମଉସାଙ୍କ ପରି ମଣିଷମାନେ । ଉପକୂଳରୁ ମାଳାଞ୍ଚଳ, ହରିଶଙ୍କରରୁ ଭୁବନେଶ୍ଵର ସବୁଠିଁ ହରିମଉସା ମାନେ ଗୋଟିଏ ଜାତିର । ମା’ ଭଉଣୀର ବିଚାର ନାହିଁ ଏମାନଙ୍କର । ପୁରାଣର ରାକ୍ଷସମାନଙ୍କର ହେଉ କି ବଣଜଙ୍ଗଲର ପଶୁମାନଙ୍କର ହେଉ ତାଙ୍କର ବିଚାରବୋଧ ଏମାନଙ୍କ ଠାରୁ ଅଧିକ ।

 

ମାଣ ବସେଇବା ପାଇଁ ସାଇ ସାଇରେ ମାଇପିମାନେ ଉଠିଲେଣି । ଅନ୍ଧାର ରାତିରେ ଟ୍ୟୁବୱେଲ୍ ମାରିବାର ଶବ୍ଦ ଆଉ ବାଲତି ଗରା ଖଡ଼ଖଡ଼ ଶୁଭିଲାଣି । ଉଠିଗଲା ସୁକୁମାରୀ ବିଛଣାରୁ । ଶାଶୁଙ୍କ କଥା ତା’ କାନରେ ଖାଲି ବାଜୁଥିଲା “ଆମ ପିଲାମାନେ କ’ଣ ଏଇଠି ରୋଜଗାର କରିପାରନ୍ତେ ନାଇଁ ଏଇ ମାଟିରେ କ’ଣ ସୁନା ଫଳନ୍ତା ନାଇଁ ?”

 

ଭୟରେ ସୁକୁମାରୀ ଶିହରି ଉଠୁଥିଲା । ତାକୁ ଲାଗୁଥିଲା ସନାତନ ତା ବାପାଙ୍କ ପରି ମଦ ପିଇବା ଆରମ୍ଭ କରିବ । ତା'ପରେ ଉଜୁଡ଼ିଯିବ ତା’ର ସଂସାର । ମୁକୁଳେଇ ପାରିବିନି ହରି ମଉସାମାନଙ୍କ ପରି ମଣିଷମାନଙ୍କ ପଞ୍ଝାରୁ । ଘର ଡିହଟା ତା’ ପାଇଁ ଅଲୋଡ଼ା ହେଇଯିବ । ସ୍ୱପ୍ନମୟ ଦୁନିଆଁଟା ତାକୁ ମରୁଭୂମି ପରି ଲାଗିଲା । ଆତଙ୍କିତ ହୋଇ ଉଠିଲା ଯୋଉଦିନ ଶୁଣିଲା କୋଉଠି ଦଲାଲମାନେ ଅମାନିଆଁ ଶ୍ରମିକମାନଙ୍କର ହାତ ପାପୁଲି କାଟି ଦେଇଛନ୍ତି । ଖବରକାଗଜରେ ସେଇ ଶ୍ରମିକଙ୍କ ମୁହଁ ତାକୁ ସନାତନର ମୁହଁ ପରି ଦିଶିଲେ ।

 

ମାଣ ବସେଇ ସାରି ଛଟପଟ ମନରେ ଏପଟ ସେପଟ ହେଉଥିଲା ସୁକୁମାରୀ ! ଲକ୍ଷ୍ମୀ ମା’ଙ୍କୁ ସେ ମାଗିଛି ତା ଗାଁକୁ ସୁନାକରି ଦିଅନ୍ତୁ । ଏ ଗାଁରୁ ମଣିଷ ତା' ପରିବାରକୁ ଭାଙ୍ଗି ଦେଇ ମେହେବୁବ ନଗର, ଜାମ୍ମୁ କି ଝାନ୍‍ସି ନଯାଉ । ମନେ ମନେ କହୁଥିଲା ଶ୍ରୀୟା ଚଣ୍ଡାଳୁଣା ପାଇଁ ସାଗର କୂଳରେ ଏତେ ବଡ଼ ମହଲ ଗଢ଼ିଦେଲ ମୋ ପାଇଁ ଟିକିଏ କିଛି କରନ୍ତ ନାଇଁ ? ସନାତନ ଆଉ ତା ପାଇଁ ଘର ଖଣ୍ଡେ କରି ଦିଅନ୍ତେ ନାଇଁ ? ତା' ଗାଁ ମାଟିରେ ସୁନା ଫଳେଇ ଦିଅନ୍ତେ ନାଇଁ-

 

“ଭାଉଜ, ଭାଉଜ ସେଇମିତି ଥାଅ, ଟିକିଏ, ଆଉ ଟିକିଏ ।” ଚଉରାରେ ପାଣି ଦେଇ ସୂର୍ଯ୍ୟ ନମସ୍କାର କରି ବୁଲି ପଡ଼ିଲା ବେଳକୁ ତାକୁ କିଏ ସେଇ ଭଙ୍ଗୀରେ ରହିବା ପାଇଁ କହୁଚି ? ତରବରରେ ହାତରେ କ୍ୟାମେରାର ଖୋଳ ଖୋଲୁଛି ଝିଅଟାଏ । ଦେହରେ ସମ୍ବଲପୁରୀ ସାଲୁଆର ପଞ୍ଜାବି, ବେକରେ ସରୁ ସୁନାଚେନ୍ ଆଉ ଚାହାଣିରେ ଦୁଷ୍ଟାମି ।

 

କିଛି କହିବା ଆଗରୁ ଫଟୋ ଉଠେଇ ଆଣି କ୍ୟାମେରାର ସ୍କ୍ରିନରେ ତା ଫଟୋ ଦେଖାଇ କହୁଥିଲା କେତେ ସୁନ୍ଦର ଦେଖାଯାଉଚ ମ ତମେ । ଫଟୋଟାଏ ନଉଠେଇ ରହି ପାରିଲିନି । ଲାଜେଇ ଗଲା ସୁକୁମାରୀ । ଶୁଣିବାକୁ ଭଲ ଲାଗିଲେବି ଲାଜ ଲାଗିଲା ତାକୁ । ସୁକୁମାରୀର ଅନୁସନ୍ଧିତ୍ସୁ ଆଖିକୁ ଲକ୍ଷ୍ୟ କରି ଝିଅଟି କହିଲା ‘ମୋ ନାଁ କ୍ଷୀରାବ୍ଧିତନୟା !'

 

ବୁଝି ନପାରିବା ଆଖିରେ ଚାହିଁଲା ସୁକୁମାରୀ । ‘ମାନେ ଲକ୍ଷ୍ମୀ, ସାଗର କନ୍ୟା’ କହିଲା ଝିଅଟି ।

 

ହସି ପକେଇଲା ସୁକୁମାରୀ । ଗତ ରାତିର ବିଷାଦ ପରେ ଝିଅଟାର କଥାରେ ସେ ଆପେ ଆପେ ହସି ପକେଇଲା । ଲକ୍ଷ୍ମୀ ସାଆନ୍ତାଣୀଙ୍କ କଥା ଭାବୁ ଭାବୁ ସକାଳୁ ସକାଳୁ ସ୍ଵଦେହରେ ମା'ଙ୍କର ଆବିର୍ଭାବ । ପୁଣି ସ୍କୁଟି ପିଠିରେ ! ଗୋଡ଼ରୁ ଚପଲ କାଢ଼ି ଚଉରା ଉପରକୁ ଉଠିଗଲା ଝିଅଟି । “ଭାଉଜ ଚଉରାରେ ଫୁଲ କାଇଁ ?” ଏ ପର୍ଯ୍ୟନ୍ତ ଓଳିକୁ ଧରି ଠିଆ ହୋଇ ସବୁ ଶୁଣୁଥିବା ଶାଶୂ ଆଗକୁ ଦି ପାଦ ଆସି କହିଲେ “ଫୁଲବିକାଳି କାଇଁ କାଲିଠୁଁ ଆସିନାଇଁ, କିଏ କହୁଚି କ’ଣ ଷ୍ଟ୍ରାଇକ୍ ହେଇ ଟ୍ରେନ ଗାଡ଼ି ସବୁ ବନ୍ଦ । ସିଏ ଫୁଲ ପାଇ ନଥିବ । ଖାଲି ଫୁଲ କ’ଣ ମା’ ଗାଡ଼ି ମଟର ଷ୍ଟ୍ରାଇକ୍ ଯୋଗୁଁ ଆଳୁ ପିଆଜଠୁଁ ସବୁ ପନିପରିବା ଆସିବା ବନ୍ଦ ।

 

ଝିଅଟି ହସି ହସି କହିଲା, “ମାଉସୀ ମୁଁ ତ ସେଇଥି ପାଇଁ ଆସିଲି, ମୁଁ ଫୁଲ, ଫଳ ପନିପରିବା ସବୁ ବିକେ । ଏକଥା କହି ସ୍କୁଟିରେ ଟଙ୍ଗା ହୋଇଥିବା ଫୁଲ ବ୍ୟାଗଟି ବାହାର କରି କହିଲା “ଟଙ୍କାକୁ ପାଞ୍ଚଟା” ଦୁଷ୍ଟାମିରେ ଆଖି ନାଚି ଯାଉଥାଏ ତା’ର ।

 

ଶାଶୂଙ୍କ ହାତକୁ ଫୁଲ ଡାଲାଟା ବଢ଼େଇ ଦେଲା ବେଳେ ଶାଶୂ ଟିକିଏ ଶଙ୍କି ଯାଇ କହିଲେ ‘ମା’ ଆଜି ତ ଗୁରୁବାର, ପଇସା ଦେଇ ହବନି ମୁଁ ଫୁଲ ନେବି କେମିତି ।

 

‘ସେକଥା ମୁଁ ଜାଣେ, ଆଜି ଦେଇଯିବି କାଲିକି ଆସି ପଇସା ନେବି ! ଗାଁର ଆଉ–ଯିଏ ଯିଏ କିଣିବେ ତାଙ୍କୁ ବି ଫୁଲ ଦେବି ।’ ସତକୁ ସତ ଗାଁସାରା ବୋହୂ ଝିଅ ଧାଡ଼ି କଲାପରି ଏଇ ଅଜବ ଫୁଲ ବିକାଳି ଠାରୁ ଫୁଲ ବାକିରେ ନେଇଗଲେ । କାହାରି ଘରେ ଠାକୁରଙ୍କ ପାଇଁ ଫୁଲ ନଥିଲା ।

 

ସତକୁ ସତ ତା’ ପରଦିନ ସକାଳୁ ଫୁଲ ବିକାଳି ଝିଅଟି ଆସି ସୁକୁମାରୀ ଘର ଚଉରା ଚାନ୍ଦିନୀ ଉପରେ ବସିଲା । ବାକି ପଇସା ଦେବାକୁ ପୁଣି ଝିଅ ବୋହୂଙ୍କ ଧାଡ଼ି ଲମ୍ବିଲା । ସମସ୍ତଙ୍କୁ ଦେଖି ହସି ହସି ଗଡ଼ିଗଲା ଝିଅଟା ପଇସା ନେଲାନି, ବୁଝେଇ ଦେଇ କହିଲା, ଆଚ୍ଛା କହିଲେ ଏ ଫୁଲ ଏଇ ଗାଁର ବାଡ଼ିରେ ହୋଇ ପାରିଥାଆନ୍ତା ନା ନାହିଁ ? ପରିବା, କ୍ଷୀର ପାଇଁ ଆମେ ବାହାରକୁ ଅନେଇ ବସୁଚେ । ତା’ ଆମ ପାଇଁ ଆମ ଗାଁରେ ଉପୁଜେଇ ପାରନ୍ତେ ନା ନାଇଁ ? ଆମ ଗୋରୁ ଗାଈ ବୁଢ଼ାବୁଢ଼ୀ ହେଲେ ବିକି ଦଉଚେ । ତା’ ଗୋବର, ମୁତକୁ ଆମେ ଖତ ସାର କରିପାରନ୍ତେ ନା ନାଇଁ ? ନିମ୍ବ, କରଞ୍ଜ ଗୋବର ପାଣି ଛିଞ୍ଚି ଫସଲରୁ ରୋଗ ପୋକ ଦୂର କରନ୍ତେ ନାଇଁ । ଦଳ ପୋଖରୀ ଆଡ଼କୁ ହାତ ବଢ଼େଇ କହିଲା ୟାକୁ ଖାଲି ଦଳ ସଫା କରି ମାଛ ଜାଆଁଳ ଛାଡ଼ି ଦେଲେ ଆମେ ବର୍ଷସାରା ମାଛ ପାଆନ୍ତେ ନା ନାଇଁ ? କଥାରେ ବାଟୁଳି ବାଜୁ ନଥିଲା ଝିଅଟିର । ଆମ ମାଟିରେ ଆମେ ଏସବୁ ଫଳେଇଲେ ଆମେ ବର୍ଷସାରା କାମ ପାଆନ୍ତେ, ଆମ ପଇସା ଆମ ପାଖରେ ରହନ୍ତା, ଯାଯାବର ପରି ଆନ୍ଧ୍ର, କର୍ଣ୍ଣାଟକ କି ଆରବରେ ପିଲାଛୁଆ ଛାଡ଼ି କଟାଗୁଡ଼ି ପରି ଘୂରନ୍ତେ ନାଇଁ ।

 

କ୍ଷୀରାବ୍ଧିତନୟାର କଥାରେ ବାଧା ଦେଇ ବୁଢ଼ୀଟିଏ କହିଲା ମାଆ ତୁ ନିଶ୍ଚୟ କୋଉ କମ୍ପାନୀ ଲୋକ, ନହେଲେ ଏମିତି ମନଭୁଲା କଥା କହନ୍ତୁ ନାଇଁ । କେତେ ସନ ତଳେ ଗୋଟାଏ କମ୍ପାନୀ ଆସିଥିଲା ଜାକଜମକରେ ଆମ ସାଥୀରେ କ’ଣ ଲେଖାପଢ଼ା କଲା । ତା’ ପରେ ଠକି ଆମ ଘରେ କଳାକନା ବୁଲେଇ ଚାଲିଗଲା । ତୁ କାଇଁକି ଆସିଚୁ ? ବୁଢ଼ୀ କଥାକୁ ବି କିଛି ଲୋକ ମୁଣ୍ଡ ହଲେଇ ହଁ କଲେ । କହିଲେ “ଇଂରେଜୀ କମ୍ପାନୀ ସିନା ଆମକୁ ସାମନାରୁ ଛୁରି ମାରୁଥିଲା ଏବେ ଦେଶୀ କମ୍ପାନୀ ପଛରୁ ଛୁରି ମାରୁଚି ।” ଟିକିଏ ଝଟକା ଖାଇଲା ପରି ହେଇ ତନୟାର ଗାଲଟା ଲାଲ ହୋଇଗଲା । କହିଲା ମା’ ମୁଁ କମ୍ପାନୀ ଲୋକ ନୁହଁ ମୁଁ ତମରି ସରକାରଙ୍କ ପଇସାରୁ ଦରମା ପାଇ ବ୍ଲକରେ ଚାକିରି କରିଛି । ଅଳପ ଜମିରେ ବେଶି ଫସଲ କେମିତି କରିହବ, ସେକଥା ବୁଝେଇବା ମୋ କାମ । କିଛି ଜାଗାରେ କରି ମଧ୍ୟ ଦେଖେଇବି । ଏ ଯୋଉ ଫୁଲ ଆଣିଥିଲି ତାକୁ ମୋ ବାଡ଼ିରେ କରିଚି ।

 

ସୁକୁମାରୀକି କିନ୍ତୁ ଝିଅଟାର କଥା ବହୁତ ଭଲ ଲାଗୁଥିଲା । ସତରେ କ’ଣ ମାଣବସା ଗୁରୁବାର ସକାଳେ ଏଇ ଝିଅ ବେଶରେ ଲକ୍ଷ୍ମୀ ସାଆନ୍ତାଣୀ ଆସିଛନ୍ତି ? ଶାଶୂଙ୍କ କଥା କାନରେ ବାଜି ଯାଉଥିଲା ତାର ‘ଆମ ପିଲାମାନେ କ’ଣ ଏଇଠି ରୋଜଗାର କରି ପାରନ୍ତେ ନାଇଁ, ଏଇ ମାଟିରେ କ’ଣ ସୁନା ଫଳନ୍ତା ନାଇଁ । ମନରେ ତା’ର ଭୟଟା ବିରାଟ ବରଗଛ ପରି ବଢ଼ିଯାଇଥିଲା-। ଠିକାଦାର ସନାତନକୁ ଆଖି ଦେଖେଇ କାମ କରଉଚି, ସନାତନ ମଦ ନିଶାରେ ବାଉଳେଇ ହଉଚି, କୋଉ ବାରନାରୀ ପାଖକୁ ଯାଇ ଭୟଙ୍କର ରୋଗ କିଣିଛି, ଏମିତି ଏମିତି, ଅଜାଣତାରେ ମନଭିତରୁ ତାର ‘ନାଇଁ ନାଇଁ ବୋଲି ଶବ୍ଦ ବେଳେ ବେଳେ ବାହାରୁଛି । ଠିକାଦାର, ଦଲାଲ ସର୍ଦ୍ଦାରମାନେ ତା ପାଇଁ ଦୁଃଶାସନ ପାଲଟି ଯାଇଛନ୍ତି ଆଉ ସେ ‘ନାରାୟଣ, ନାରାୟଣ ରକ୍ଷାକର’ ବୋଲି ଚିତ୍କାର କରୁଛି ।

 

ତା' ପରଠୁଁ ଗାଁ ଝିଅ ବୋହୂଙ୍କର ସାଙ୍ଗ ହୋଇଗଲା ଝିଅଟା । କିମିଆଁ କଲାପରି ତା’ କଥାରେ ସମସ୍ତେ ମାତିଗଲେ । ଶୁକତେଲର ନଦୀରୁ ମଟର ଲାଗି କେମିତି ପାଣି ଉଠିବ, ନୂଆ ନୂଆ ବିହନ କେମିତି ଆସିବ, ଫାଙ୍କା ଜାଗା କିଛି ରହିବନି ଫଳ ଫୁଲ ଗଛରେ ଭରିଯିବ, ସରକାରୀ ଯୋଜନାର ସୁବିଧା କେମିତି ଲୋକଙ୍କ ପାଖରେ ପହଞ୍ଚିବ, ସବୁଥିରେ ଲାଗିପଡ଼ିଲା । ରୋଗର କାରଣ ଜାଣିବା ପାଇଁ ରକ୍ତ, ମଳ, ମୂତ୍ରର ପରୀକ୍ଷା ହେଲା ପରି ମାଟି, ପାଣି କି ସିଏ ଯନ୍ତ୍ରରେ ପରୀକ୍ଷା କଲା । ସେଇ ଅନୁସାରେ କ’ଣ ଗଛ ଲାଗିବ, କି ସାର ଦିଆହେବ ବୁଝେଇଲା । ହରଗଉରା ଫୁଲରେ ନଖ ପଚେଇଲା । ବୁଝେଇଲା ମହାବୀର ହନୁମାନ ଆମ ଗନ୍ଧମାର୍ଦ୍ଦନରୁ ବିଶଲ୍ୟକରଣୀ ନେଇଥିଲେ । ଏ ମାଟିରେ ସବୁଅଛି । ଚନ୍ଦନ ଭାଟି ଗାଁରୁ ସ୍ଵର ଉଠିଲା “ଏ ମାଟିରେ ସବୁ ଅଛି । ଏ ମାଟିରେ ସବୁ ଅଛି । ପିଲାଏ ସ୍କୁଲରେ ପାଳି ଧରି ଗାଇଲେ “ଜୟ ଗୋ ଉତ୍କଳଲକ୍ଷ୍ମୀ ଏକମାତ୍ର ସୁନ୍ଦରୀ ତୁ ବସୁଧାରେ” । ମାଟିକୁ ନିନ୍ଦୁଥିବା ହରି ମଉସାଙ୍କ ପରି ମାତୃଦ୍ରୋହୀମାନଙ୍କ ମୁଣ୍ଡ ତଳକୁ ହୋଇଗଲା । ହରି ମଉସା ମୂକ ହୋଇଗଲେ ଯୋଉଦିନ ତାଙ୍କର ପ୍ଲସ ଟୁ ପାଠ ପଢ଼ୁଥିବା ନାତୁଣୀ ଘର ଦୁଆର ମୁହଁରେ ତାଙ୍କ ବାଟ ଓଗାଳି କହିଲା ‘ଜେଜେ ଆଉ କାହାକୁ କାହିଁକି ଆଗ ମତେ ଝାନ୍‍ସୀ ପଠାଅ ? ଭୁବନେଶ୍ଵର ନେଇ ବେପାର ବଢ଼ାଅ ? ଅମଲା ଜନପ୍ରତିନିଧିମାନେ ରାଗରେ ଦାନ୍ତ କାମୁଡ଼ିଲେ । ତାଙ୍କର ଦୁହାଳିଆ ଗାଈଟା ବନ୍ଧ୍ୟା ପାଲଟିଗଲା ।

 

ସବୁଜିମାରେ ହସି ଉଠିଲା ଚନ୍ଦନ ଭାଟି ଗାଁ । ଗାଁରୁ ପନିପରିବା ଗଲା ବାହାରକୁ । ଗାଁର ଗାଈମାନେ କାମଧେନୁ ପାଲଟିଗଲେ । ଗାଁ ପୋଖରୀର ସଫା ପାଣିରେ ଜହ୍ନଟା ଦୋଳି ଖେଳିଲା । ପ୍ରଥମ କରି ଯୋଉଦିନ ଫସଲ ବିକା ପଇସା ହାତକୁ ଆସିଲା ଶାଶୂଙ୍କ ଆଖିରୁ ଗଡ଼ି ପଡ଼ୁଥିବା ଲୁହ କେତେ ବୁନ୍ଦା ସୁକୁମାରୀକୁ ମୁକ୍ତା ପରି ଦିଶିଲେ । ସୁକୁମାରୀର ଚିଠି ପାଇ ଯୋଉଦିନ ସନାତନ ଗାଁକୁ ଫେରିଲା ତାକୁ ଲାଗିଲା ସିଏ ଛାଡ଼ି ଯାଇଥିବା ଗାଁର ଧୂସର ସୀମନ୍ତରେ ଦାଉଦାଉ ହୋଇ ଜଳୁଚି ସିନ୍ଦୂର । ଅଜୋତ ପଡ଼ିଆ ଜମି ସବୁଜିମାରେ ହସୁଛି । ସୂର୍ଯ୍ୟମୁଖୀ ଫୁଲ ଲହଡ଼ି ମାରୁଛି ଗାଁ ବିଲରେ । ବନ୍ଦ ହୋଇ ଯାଉଥିବା ତନ୍ତରୁ ତରଙ୍ଗ ତରଙ୍ଗ ବୋଡ଼ି ବାହାରିଯାଉଛି ସମ୍ବଲପୁରୀ ଲୁଗା । ବିଶ୍ଵାସ କରିପାରିଲାନି ସନାତନ, ସତରେ ତା’ ଗାଁ ମାଟିରେ ବି ଆନ୍ଧ୍ର ପରି ସୁନା ଫଳିପାରେ ? ତା' ପାଇଁ ଅନେଇ ବସିଥିଲା ବର୍ଷ ସାରାର କାମ । ଦାଦନ ଗଲାବେଳେ ମା’ ପେଟରେ ଥିବା ଶିଶୁଟା ଏବେ ଦରୋଟି କଥା କହିଲାଣି । ସନାତନକୁ ଯେତେବେଳେ ସେ ଖନେଇ ଖନେଇ ଫେରିଆଇଲୁ, ଫେରିଆଇଲୁ ବୋଲି କହିଲା ତା’ ଗାଲରେ ଅସରନ୍ତି ବୋକ ଦେଇ ବିଦେଶରେ ଥିବା ସାଙ୍ଗସାଥୀମାନଙ୍କୁ ମୋବାଇଲ ଫୋନ୍‌ରୁ ସୁଇଟ ଟିପି ଗୋଟି ଗୋଟି କରି କହି ଚାଲିଥିଲା ‘ଫେରିଆ, ଫେରିଆ,’ । ଚନ୍ଦନଭାଟି ଗାଁର ସୁକୁମାରୀମାନେ ଚନ୍ଦନର ଭେଟି ଧରି ଅପେକ୍ଷା କରିଥିଲେ ଆପଣାର ମଣିଷମାନଙ୍କର ଫେରିବା ବାଟକୁ । ଏଯାବତ ସୁଅ ମୁହଁର ପତର ହୋଇ ଭାସିଯାଉଥିବା ‘ଗୁରେଇ’, ଦାଦନର ଜଳନ୍ତା ଇଟାଭାଟିରେ ଏବେବି ଜଳୁଥିବା ‘କାଇଁଚ’ ଜୀବନ୍ୟାସ ପାଇଥିଲେ ମାଆ ଚଉଷଠି ଯୋଗିନୀମାନଙ୍କ ଭିତରେ ।

Image

 

ଅତିନ୍ଦ୍ରିୟ

 

ଗୌହାଟୀ, ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ମୋର ସେଦିନର ଯାତ୍ରା ଥିଲା ନିଆରା । ପ୍ରଥମେ ଝରକା ପାଖରେ ଥିବା ମୋର ସିଟ୍ ତଳେ ଆଟାଚିଟି ରଖିଦେଇ ଖୋଲା ଆକାଶକୁ ଚାହିଁ ହସି ଦେଲି । ଏଇ ଗବାକ୍ଷ ଦେଇ ବ୍ରହ୍ମପୁତ୍ର, ଗଙ୍ଗା, ମହାନଦୀର ପୂତ ଜଳଧାରା, ସରାଇ ଘାଟ କି ଧଉଳିର ଯୁଦ୍ଧ ଭୂଇଁ, ଦେବୀ କାମାକ୍ଷା, କାଳୀଘାଟର ନୃମୁଂଡ଼ମାଳିନୀ ମା’ କାଳୀ ପୁଣି କେତେ ଦେବାଦେବୀଙ୍କ ମନ୍ଦିର ଅବା ବଳାକା ପୁଞ୍ଜପରି ଚଳମାନ ଶୁଭ୍ର ବାଦଲ ମୋର ଯାତ୍ରାକାଳର ସାଥୀ ହେବେ । ଟ୍ରେନରେ ଗଲାବେଳେ ଝରକା ପାଖ ସିଟଟି ପାଇଁକି ଏଇଥିଲାଗି ମୋର ସବୁବେଳେ ଲୋଭ ।

 

ହଠାତ୍ କାନରେ ବାଜିଲା କେହି ଉଚ୍ଚାରଣ କରୁଛନ୍ତି “ବ୍ରହ୍ମନ ସତ୍ୟ” । ଆକାଶରୁ ଆଖି ଫେରେଇ ଟ୍ରେନ ଡବା ଭିତରକୁ ଚାହିଁଲି । ଟିକିଏ ଦୂରରେ ସିଟରେ ମୃଗଛାଲ ବିଛେଇ ବସିଛନ୍ତି ଜଣେ ସାଧୁ । ଦେହରେ ଗୈରିକ ବସନ, ମୁଖରେ ସଜତ୍ନ ବର୍ଦ୍ଧିତ ଶ୍ମଶ୍ରୁ, କଣ୍ଠରେ ରୁଦ୍ରାକ୍ଷ । ଅପଲକ ନୟନରେ ଚାହିଁ କିଛି ସହଯାତ୍ରୀ ସାଧୁଙ୍କ ବାଣୀକୁ ଶୁଣୁଛନ୍ତି । ପାଖ ସିଟରୁ ବି ଉଠିଆସି କେତେ ଲୋକ ପହୁଁଚିଛନ୍ତି ସାଧୁଙ୍କ ପାଖରେ । ଛୋଟକାଟିଆ ଭିଡ଼ଟିଏ ଜମି ଯାଇଥାଏ । ଚମତ୍କାର ଭାବରେ ସାଧୁ ବର୍ଣ୍ଣନା କରୁଥିଲେ ମାନବ ଜୀବନର ତତ୍ତ୍ଵକୁ ।

 

ଆମେ କହୁଛେ ମୋ ମନ, ମୋ ଦେହ ହେଲେ ଏ ଦେହ ମୁଁ ନୁହେଁ, ଏ ମନ ମୁଁ ନୁହେଁ । ମୁଁ ଏ ମନ, ଏ ଦେହ ସବୁଠାରୁ ଉର୍ଦ୍ଧ୍ଵରେ । ସାଧୁଙ୍କର ଏଇ ବୌଦ୍ଧିକ ବାଣୀ ମତେ ଚମତ୍କୃତ କଲା । ଭାବନା ରାଜ୍ୟରେ କିଛିକ୍ଷଣ ପାଇଁ ହଜିଯିବାର ସୁଯୋଗ ଦେଲା । “ସାଧୁ କହୁଥିଲେ ଏ ମନ ଅନେକ କିଛି ଚାହିଁବ । ଉଡ଼ିବୁଲିବା ତାର ପ୍ରକୃତି । ଏ ଦେହ ଅନେକ କିଛି ଚାହିଁବ । ତା ତାର ଧର୍ମ-। ହେଲେ ଏ ଚଞ୍ଚଳ ମନ, ଭୋଗବାଦୀ ଦେହ କେହି ପରମାତ୍ମା ନୁହନ୍ତି କି ପରମାତ୍ମାର ଅଂଶ ନୁହନ୍ତି । ପରମାତ୍ମାରେ ଆମେ ସଦା ବିଲିନ୍ନ । ବ୍ରହ୍ମନ ହିଁ ସତ୍ୟ” ।

 

ଅଜାଣତାରେ ସନ୍ନ୍ୟାସୀଙ୍କ ଉଦ୍ଦେଶ୍ୟରେ ଅନ୍ତରରୁ ପ୍ରଣାମ କଲି ମୁଁ । ଏହା ଆମର ରକ୍ତରେ ଅଛି । ପିଲାଟିଦିନରୁ ଏଇ ଗୈରିକ ବସନ ପରିଧାନକାରୀମାନେ ଚନ୍ଦ୍ର ସୂର୍ଯ୍ୟ ପରି ସତ୍ୟ ବୋଲି ଆମ ମନରେ ଏକ ନିଶ୍ଚିତ ଧାରଣା ସୃଷ୍ଟି ହୋଇଥାଏ । ସ୍ଵପ୍ନର ଦୁନିଆଁରୁ ମତେ ସେ ଫେରେଇ ନେଇ ଗଲେ ଏଇ ପାରମାର୍ଥିକ ସତ୍ୟ ପାଖକୁ । ପରମେଶ୍ଵର ହିଁ ଶ୍ରେଷ୍ଠଙ୍କ ମଧ୍ୟରେ ଶ୍ରେଷ୍ଠ । ଆଗ୍ରହରେ କାନ ଡେରି ମଝିରେ ମଝିରେ ତାଙ୍କ ଆଡ଼େ ଚାହିଁ ମୁଁ ଶୁଣୁଥିଲି ସନ୍ନ୍ୟାସୀଙ୍କ କଥାକୁ । ସନ୍ନ୍ୟାସୀ ଆଲୋଚନା କରୁଥିଲେ ଏ ଜଗତ ମିଥ୍ୟା, ମୋ ବାପା, ମୋ ବୋଉ, ମୋ ସ୍ତ୍ରୀ, ମୋ ପିଲା, ମୋ ଘର, ମୋ ଗାଡ଼ି ସବୁ କ୍ଷଣିକ । ଆଖି ବୁଜିଲେ ସବୁ ଗଲା । ଏ ଜଗତ ଏକ ମିଛ ମାୟା । ମଣିଷ ହେଉଛି ପରମାର୍ଥୀ । ପରମତତ୍ତ୍ୱର ଜିଜ୍ଞାସୁ ।

 

ମନକୁ ଛୁଇଁଲା ଭଳି କହୁଥିଲେ ସନ୍ନ୍ୟାସୀ । ବୀର ଆଲେକ୍‌ଜାଣ୍ଡାର ବିଶ୍ଵ ବିଜୟ କରି ସାରି ଗଲାବେଳେ କହିଥିଲେ “ମୃତ୍ୟୁ ପରେ ମୋ ହାତ ଦୁଇଟିକୁ ତଳକୁ ଝୁଲେଇ ରଖିଦେବ” । ଏହା ସୂଚେଇ ଦେଉଥିଲା, ଆସିଥିଲି, ଖାଲି ଯାଉଛି ଖାଲି । ସତରେ ମଣିଷ ଖାଲି ଆସେ ପୁଣି ଖାଲି ଯାଏ । ପଛରେ ଛାଡ଼ିଯାଏ ଯଶ ଅବା ଅପଯଶ । ଯାହା ତାକୁ ବଂଚାଇ ରଖେ ଭଲରେ ହେଉ କି ମନ୍ଦରେ ହେଉ ।

 

ଟ୍ରେନର ଗତି ବେଳକୁ ବେଳ ବଢ଼ୁଥିଲା । ଅଦୃଶ୍ୟ ହୋଇ ଯାଉଥିଲା ମା’ କାମାକ୍ଷାଙ୍କ ମନ୍ଦିର । ମାନବ ସୃଷ୍ଟିର ଇନ୍ଦ୍ରିୟର ତତ୍ତ୍ଵ ଉପରେ ଆଧାରିତ ଏଇ ଦେବୀ । ମାନବ ସମାଜର ସୃଷ୍ଟି ଏଇ ଇନ୍ଦ୍ରିୟରୁ । ଜୀବରୁ ଜୀବନର ସୃଷ୍ଟି ଏଇ ଇନ୍ଦ୍ରିୟରୁ ।

 

ସରାଇଘାଟ ବ୍ରିଜ ଅତିକ୍ରମ କରି ଟ୍ରେନ କେତେବେଳୁ ଚାଲି ଆସିଲାଣି । ପଛରେ ରହିଗଲାଣି ବ୍ରହ୍ମପୁତ୍ର । ଝାପସା ହୋଇଗଲାଣି ଗୌହାଟୀ ସହର । ଜୀବନଟା କାହାକୁ ଅପେକ୍ଷା ନ କରି ଗଡ଼ି ଚାଲିବା ପରି ଗଡ଼ି ଚାଲିଥିଲା ଗୌହାଟୀ ଏର୍ଣ୍ଣାକୁଲମ ସୁପରଫାଷ୍ଟ ଏକ୍‍ସପ୍ରେସ୍‍ । ଆଖି ପାଇ ନଥିଲା, ହିମାଚଳରୁ ଆରବସାଗର ।

 

ଆକସ୍ମିକ ଭାବରେ ସନ୍ନ୍ୟାସୀଙ୍କୁ ଏ ଯାବତ୍ ନିବିଷ୍ଟଭାବରେ ଦେଖୁଥିବା ଶ୍ରୋତା ମଣ୍ଡଳୀର ଆଖି କ୍ଷଣକ ପାଇଁ ସନ୍ନ୍ୟାସୀଙ୍କ ଉପରୁ ଓହରି ଯାଇ ତାଙ୍କୁ ଆଭୂମ ପ୍ରଣାମ କରୁଥିବା ନାରୀ ମୂର୍ତ୍ତୀଟି ଉପରେ ପହଁରିଗଲା । ପ୍ରଣାମ କଲାବେଳେ ବେକରେ ଗୁଡ଼େଇଥିବା ଶାଢ଼ିର କାନିକି ସିଧା କରି ଯେତେବେଳେ ସିଟ ପାଖକୁ ଫେରି ଆସିଲା । ତାକୁ ଚାହିଁଥିଲା ଯୋଡ଼ିଏ କରୁଣ ଆଖି । ହାତଟିକି ବୁଲେଇ ଆଣିଲା ସେଇ ଅର୍ଦ୍ଧଶାୟିତ ଯୁବକଟିର ମଥାରେ । ସନ୍ନ୍ୟାସୀଙ୍କର ପାଦର ସ୍ପର୍ଶକୁ ଆଣିଥିଲା ପ୍ରାୟ ହାତରେ । ଆଖିରେ ବିଶ୍ଵାସର ସାଗର । ନାରୀ ମନର କଥାକୁ ପ୍ରାୟ ବୁଝିପାରି ଯୁବକଟି ପ୍ରଣାମ କଲା ସେଇ ଅଦୃଷ୍ଟ ଉଦ୍ଦେଶ୍ୟରେ ।

 

ଥରେ ସେଇ ଅର୍ଦ୍ଧ ଆଲୁଳାୟିତ ବେଶା ନାରୀ ମୂର୍ତ୍ତୀ ଆଉ ଥରେ ସେଇ ଅର୍ଦ୍ଧଶାୟିତ ନିଶ୍ଚିତ ଅସୁସ୍ଥ ଯୁବକକୁ ଚାହିଁ ଅତୀତର ଗବାକ୍ଷ ଖୋଲି ମୁଁ ଯେଉଁଠିକି ଓହ୍ଲେଇ ଗଲି ତା ଥିଲା ଗୋଟାଏ ଆଲୋକିତ ଉପତ୍ୟକା । ଯେଉଁଠୁ ଶୁଭୁଥିଲା “ପ୍ରଭୁ ମତେ ମୋ ଧନର ରୋଗ ଝାରିଝୁରି ଦିଅ” ମୁଁ ପାରି ପୁରି ଶୁଏ, ହେଲେ ମୋ ଧନକୁ ଭଲକରି ଦିଅ । ପିଲାଦିନେ ମତେ ଥରେ ଭୀଷଣ ଜର ହୋଇଥିଲା । ବାଉଳାରେ ମୁଁ ମୁଣ୍ଡ ଗଡ଼ଉଥିଲି । ବୋଉ ମୋର କୋଉ ଅଜଣା ଠାକୁରଙ୍କୁ ପ୍ରଣାମ କରି ମାଟିରେ ହାତମାରି ମୋ ମୁଣ୍ଡରେ ହାତ ବୁଲେଇ ଆଣି କହିଥିଲା ଏଇ କଥା । ପ୍ରାୟ ଆଖିରେ ସେଇ କଥା କହୁଥିଲା ଯୁବତୀଟି । ଯୁବକଟି ସହ ତାର ସମ୍ପର୍କ ଯାହା ହେଉନା କାହିଁକି ସେହିକ୍ଷଣଟା ପାଇଁ ସେ ତାର ମା’ ପରି ହୋଇ ଯାଇଥିଲା । ହଠାତ୍ ସେ ତଲ୍ଲୀନ ହୋଇ ଯାଇଥିଲା-। ହଜିଯାଇଥିଲା ନାରୀର ସବୁରୂପ ମା’ ରୂପ ଭିତରେ । ଯେମିତି ସାତରଙ୍ଗ ହଜିଯାଏ ଶୁଭ୍ରତା ଭିତରେ ।

 

ଅବାରିତ ଭାବରେ ଅଣଆନୁଷ୍ଠାନିକ ଭାବେ ପ୍ରବଚନ ଦେଇ ଚାଲିଥିଲେ ସନ୍ନ୍ୟାସୀ ଜଣକ । ବେଳକୁ ବେଳ ଆଗ୍ରହୀ ଶ୍ରୋତାମାନଙ୍କର ଗହଳି ବଢ଼ୁଥିଲା । ବାର ବାର ସନ୍ନ୍ୟାସୀ କହୁଥିଲେ “ଜଗତ ମିଥ୍ୟା”, “ଜଗତ୍ ମିଥ୍ୟା” । ଦସ୍ୟୁ ରତ୍ନାକରର ଉଦାହରଣ ଦେଇ କହୁଥାଆନ୍ତି ରତ୍ନାକରର ପାପ ଉପାର୍ଜିତ ଅର୍ଥରେ ପରିବାରର ଭାଗ ଅଛି ହେଲେ ପାପରେ କେହି ଭାଗୀ ନୁହନ୍ତି-। ତା ପାପର ଫଳ ସିଏ ଭୋଗିବ । ପୁଣି କେତେବେଳେ ବଖାଣୁଥାଆନ୍ତି ଇତିହାସର କେଉଁ ଚରିତ୍ର-। ପରମବ୍ରହ୍ମରେ ଆତ୍ମା ବିଲୀନ ହେବ । ମାଟି ସାଥୀରେ ମାଟିର ଦେହ ମିଶିଯିବ । ମିଛରେ ଆମେ ସମ୍ପର୍କ ଗଢ଼େ । କିଏ ବାପ, କିଏ ମା ପୁଣି କିଏ ପୁତ୍ର, କନ୍ୟା ଅବା ଆତ୍ମୀୟ ସ୍ଵଜନ । ଶ୍ମଶାନ ହିଁ ସତ୍ୟ ।

 

ଯୁବକଟିକୁ ବହୁତ କଷ୍ଟ ହେଉଥିଲା ନିଶ୍ଚୟ । ଯନ୍ତ୍ରଣାକୁ ଚାପିଧରି ବେଳେ ବେଳେ ସେ “ଆଃ” ବୋଲି ଶବ୍ଦ କରୁଥାଏ । ପ୍ରତ୍ୟେକ ଥର ସେ ଆଃ ବୋଲି କହିଲେ ଚମକି ପଡ଼ୁଥାଏ ନାରୀଟି-। ଲାଗୁଥାଏ କିଏ ଯେମିତି ତାର ଛାତିର କଲିଜାକୁ ଚିପି ଦେଉଥାଏ । ସହି ପାରୁନଥାଏ ସେଇ ଯନ୍ତ୍ରଣାର ସ୍ଵରକୁ । ବିକଳରେ ଚାରିପାଖକୁ ବେଳେବେଳେ ଆମ୍ଭୀୟତାଭରା ଆଖି ବୁଲେଇ ଆଣୁଥାଏ । ନିଜ ପାଖରେ ଥିବା ମଣିଷ ଗୁଡ଼ାକ ସବୁବେଳେ ନିଜର । ଟ୍ରେନ ଚାଲୁଥିଲା ଷ୍ଟେସନ ପରେ ଷ୍ଟେସନ । ରହୁଥିଲା, ପୁଣି ସିଟି ମାରି ଚାଲୁଥିଲା । କିଏ ଆସୁଥିଲେ କିଏ ଯାଉଥିଲେ, ସିଟରେ ଖାଲି ଲୋକ ବଦଳୁଥିଲେ ।

 

ସିଟତଳେ ପଡ଼ିଥିବା ଟୁକୁରା କାଗଜ, ଖାଲି ବୋତଲ ଆଉ ଚା’କପଗୁଡ଼ାକୁ ହଠାତ୍ ଗୋଟେଇ ଫିଙ୍ଗିଦବାକୁ ଚାଲିଗଲା ସ୍ତ୍ରୀ ଲୋକଟି । ଆମେ ଲାଜେଇ ଯାଇ କିଛି କହିବା ଆଗରୁ ସେ ସବୁକୁ ନେଇ ସେ ଫିଙ୍ଗିଦେଇ ଆସିଥିଲା ପ୍ରାୟ ଡଷ୍ଟବିନରେ ! ଲଜ୍ଜା ଲାଗିଲା, ଚା’ ଖାଇସାରି ଖାଲି କପ, ପିଇସାରି ପାଣି ବୋତଲକୁ ଆମେ ଫିଙ୍ଗି ଥିଲୁ ସିଟ୍ ତଳେ । ମନେ ମନେ ଭାବୁ କେତେ ସମୟ ପାଇଁ ଏ ସିଟଟା ବା ଆମର ! ଷ୍ଟେସନ ଆସିଲେ ଓହ୍ଲେଇ ଯିବା କେଇ ମୁହୂର୍ତ୍ତର କଥା । ଚମକି ପଡ଼ିଲା ପରି ଲାଗିଲା । ସତରେ ଜୀବନଟା ବି ଏମିତି କେତୋଟି ମୁହୂର୍ତ୍ତର ସମାହାର । କେତେଥିଲେ କେତେ ଗଲେଣି, ପୁଣି କେତେ ନୂଆ ବି ଆସିଲେଣି, ଆଇନା ପାଖକୁ ଯାଇ ମୁହଁଟା ଦେଖିବାକୁ ଇଚ୍ଛା ହେଲା ।

 

ଯୁବକଟିର ପାଦକୁ ଆଉଁସି ଦଉଥିଲା ବୋହୂଟି, ପୁଣି ବେଳେ ବେଳେ ଆଉଁସୁ ଆଉଁସୁ ସେଇଠି ଆଖି ବନ୍ଦ କରି ରହିଯାଉଥିଲା । ସେ ଘୁମେଇ ପଡ଼ୁଥିଲା କି ବିଲୀନ ହୋଇଯାଉଥିଲା କେଉଁ ଅତିନ୍ଦ୍ରିୟ ରାଜ୍ୟରେ ଜଣାପଡ଼ୁ ନଥିଲା ।

 

ବେଳକୁ ବେଳ ବଢ଼ୁଥିବା ଜନଗହଳିରେ ଉତ୍ସାହିତ ହୋଇ ବାବା ପ୍ରବଚନ ଦେଇ ଚାଲିଥିଲେ । କେହି କେହି ଯାତ୍ରୀ ବିରକ୍ତ ହେଲେ ବି ପ୍ରାୟ ସାହସ କରି ପାରୁ ନଥିଲେ କହିବାକୁ । ବାବାଙ୍କ କଥାର ସାର ଥାଏ ଜଗତ ମିଥ୍ୟା, ଏ ଦେହ ମିଥ୍ୟା, ଏ ସମ୍ପର୍କ ମିଥ୍ୟା, ଏଇପରି ଏଇପରି-

 

ଏଇ ଆଧ୍ୟାତ୍ମିକ ପରିବେଶ ଭିତରେ ମତେ ଲାଗିଲା ଯେ ରୋଗଗ୍ରସ୍ତ ଯୁବକଟି ବେଳକୁ ବେଳ ବିଚଳିତ ହୋଇ ଉଠୁଛନ୍ତି । ବେଳେ ବେଳେ ବିକଳରେ ଚାହୁଁଛନ୍ତି ବୋହୂଟି ଆଡ଼କୁ । ଆଖି ଯୋଡ଼ିକ କରୁଣ ପୁଣି କେତେବେଳେ ଛଳଛଳ । କଥା ନ କହିଲେ ବି ମୁଁ ପ୍ରାୟ ସେଇ ଆଖି ସାଥୀରେ ସମ୍ପର୍କ ଯୋଡ଼ି ସାରିଥାଏ ମୋର ଅଲକ୍ଷ୍ୟରେ । କିଛି ସମୟ ପାଇଁ ବୋହୂଟି ସିଟରୁ ଉଠିଗଲା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ସେଇ ରୋଗଗ୍ରସ୍ତ ବ୍ୟକ୍ତିଜଣକ ତଳୁ ଖଣ୍ଡେ ଛିଡ଼ା କାଗଜ ଉଠେଇ କ’ଣ ଲେଖି ମୋ ହାତକୁ ବଢ଼େଇ ଦେଲେ । ଆଖିର ଉପକୂଳରେ ଲୁହର ଚିହ୍ନ ।

 

କାଗଜଟିକୁ ପଢ଼ି ଆଶ୍ଚର୍ଯ୍ୟରେ ଚାହିଁଲି । ଲେଖା ଅଛି “ଜଗତ୍ ସତ୍ୟ, ଜଗତ୍ ସତ୍ୟ । ପ୍ରାୟ ସେଇ କଷ୍ଟ ଭିତରେ ହସି ଦେଲେ ସେଇ ରୋଗଗ୍ରସ୍ତ ବ୍ୟକ୍ତି ଜଣକ । ଥରେ ଚାହିଁଲି ତାଙ୍କୁ ଆଉଥରେ ସନ୍ନ୍ୟାସୀଙ୍କୁ । “ବ୍ରହ୍ମ ସତ୍ୟ ଆଉ “ଜଗତ୍ ସତ୍ୟ”ର ସଂଘର୍ଷ ଭିତରେ ମୁଁ ଆଉଟି ହୋଇ ଯାଉଥିବା ବେଳେ ପୁଣି ସିଟ ପାଖକୁ ଫେରି ଆସିଥିଲା ବୋହୂଟି । ନିର୍ଲିପ୍ତ ଭାବରେ ବ୍ୟାଗରୁ ବାହାର କଲା ଛୋଟ ଆଇନାଟିଏ । ମଥାରେ ଆଙ୍କିଲା ସିନ୍ଦୁର ବିନ୍ଦୁ । ବୋହୂଟି ଖୁବ ଆତ୍ମୀୟତା ଭିତରେ ଯେତେବେଳେ ସେଇ ସିନ୍ଦୁର ବିନ୍ଦୁ ସାଥୀରେ ସମ୍ପର୍କ ଯୋଡ଼ୁଥିଲା ତା ମୁହଁ ତୃପ୍ତିର ରଙ୍ଗରେ ଉଜ୍ଜ୍ୱଳ ଦେଖାଯାଉଥିଲା । ଆଇନା ଆଢ଼ୁଆଳରେ ବୋହୂଟି ରହିଯାଇଥିବା ବେଳେ ସଙ୍କେତରେ ମୋ ସନ୍ଦେହ ଆଖିର ଉତ୍ତର ଦେବାକୁ ଯାଇ ତା ଆଡ଼େ ହାତ ଦେଖେଇ ଦେଲେ ସେଇ ଶାୟିତ ବ୍ୟକ୍ତି ଜଣକ ।

 

ଖୋଜିବାକୁ ଚେଷ୍ଟା କରୁଥିଲି ମୁଁ “ଜଗତ୍ ସତ୍ୟ” ସହ ୟାର ସମ୍ପର୍କ କଣ’ ।

 

ସତରେ କ’ଣ ବାରବାର ବ୍ରହ୍ମନ ସତ୍ୟ, ବ୍ରହ୍ମନ ସତ୍ୟ କହୁଥିବା ସନ୍ନ୍ୟାସୀଙ୍କ କଥାର କିଛି ପ୍ରତିବାଦ କରୁଛନ୍ତି ସେ ? ମତେ ଲାଗୁଥିଲା ଯେତେବେଳେ ସଂସାରକୁ ଅଳିକ ବୋଲି କହୁଛନ୍ତି ସନ୍ନ୍ୟାସୀ, ସେ ଭଦ୍ରବ୍ୟକ୍ତି ଜଣକ ଅତିଷ୍ଠ ହୋଇ ପଡ଼ୁଛନ୍ତି । ଅନ୍ତରରେ ମାନିବାକୁ ପ୍ରାୟ ପ୍ରସ୍ତୁତ ନୁହନ୍ତି ଏଇ ଚିରନ୍ତନ ସତ୍ୟକୁ ! ବୋହୂଟିକୁ ଦେଖେଇ ଯେଉଁ ସଙ୍କେତ ଦେଲେ ତା’ର ବା ଅର୍ଥ କଣ ?

 

ଆଖିରେ ମୋର ନିଦ ଆସିଲା ନାହିଁ । ବଗି ଭିତର ସମସ୍ତେ ଘୁମେଇ ପଡ଼ିଥିଲେ । ଏପରିକି ପ୍ରଗଳଭ ସନ୍ୟାସୀ ମଧ୍ୟ । ସ୍ଵାମୀର ପାଦ ଦିଓଟିକୁ ଆଉଁସୁ ଆଉଁସୁ ବି ଟିକିଏ ଘୁମେଇ ପଡ଼ିଥିଲା ବୋହୂଟି । ବେଳେ ବେଳେ ସେଇ ବ୍ୟକ୍ତିଙ୍କ ଆଖି ସହ ମୋ ଆଖି ମିଶିଲା ବେଳେ ପ୍ରାୟ ମୋର ଉତ୍କଣ୍ଠା ବାରି ହୋଇ ପଡ଼ୁଥାଏ । ଛୋଟ ଟୁକୁରା କାଗଜଟିକୁ ବେଳେବେଳେ ମୁଁ ଖାଲି ଖୋଲି ଦେଖୁଥାଏ ।

 

କଥା କହିବାର ଶକ୍ତି ପ୍ରାୟ ନ ଥାଏ ଭଦ୍ରଲୋକଙ୍କର । ତଥାପି ତାରି ଭିତରେ ମୋ ସହ କଥା ଯୋଡ଼ିଲେ ।

 

ସାଥିରେ ଥିବା ବୋହୂଟି ତାଙ୍କର ସ୍ତ୍ରୀ । ବହୁତ ଧନୀ ଘର ଝିଅ ସେ । ବାପର ଗୋଟିଏ ବୋଲି ଝିଅ । କଲିକତା ସହରରେ ଥିବା ବାପାଙ୍କର ଘରବାଡ଼ିର ସେ ଉତ୍ତରାଧିକାରିଣୀ । ଭଦ୍ରବ୍ୟକ୍ତି ଜଣକ ମଧ୍ୟ ଥିଲେ ଜଣେ ପ୍ରତିଭାବାନ ଯୁବକ । ସୌମ୍ୟ ଦର୍ଶନ ମଧ୍ୟ । ଭଲପାଇ ପରସ୍ପରକୁ ବିବାହ କରିଥିଲେ ସେମାନେ । ବାପ ମା'ଙ୍କର ବି ସମ୍ମତି ଥିଲା । ହେଲେ ଅବିଶ୍ଵାସୀ ସମୟର ଖେଳ ବଡ଼ ବିଚିତ୍ର । ଆଚମ୍ବିତେ ଆସି ହାବୁଡ଼ିଯିବାରେ ସେ ଧୂରନ୍ଧର । ପାଟିରେ ପାଟିରେ ଭୋଗ ନଡ଼ିଆ ଦେଇ ଦୀପ ଆଲୁଅ ତଳେ ସପନ ଦେଖିବା ଆଗରୁ ତାଙ୍କ ହାତରେ ସାଲାଇନ୍ ଲାଗିଲା । ବଦଳିଗଲା ସମୟ । ଦିନ ରାତି ହେଲା ସମାନ । ବଦଳିଗଲା ଠିକଣା । ଟାଟା ମେମୋରିଆଲ ହସ୍ପିଟାଲ, ପରେଲ, ମୁମ୍ବାଇରେ ସେ ନିଜକୁ ଆବିଷ୍କାର କଲେ । ଭୟଙ୍କର କର୍କଟ ରୋଗ ମାଡ଼ି ବସିଛି ତାଙ୍କୁ । ପାଦରୁ ଅଳତା ଲିଭିନି, ମୁଣ୍ଡରୁ ଦୋଳମୁକୁଟ ଓହ୍ଲା ହୋଇନି କି ଗଇଁଣ୍ଠାଳ ଫିଟିନି । ବାପା ତାଙ୍କର ଖୁବ ବିଚାରବନ୍ତ । କନ୍ୟାଘରର ପ୍ରସ୍ତାବରେ ସେ ସହମତି ଦେଲେ କନ୍ୟା ଫେରିଯାଉ । ଥରଥର କଣ୍ଠରେ କହୁଥିଲେ ଭଦ୍ରଲୋକ । “ମୁଁ ବି ଚିନ୍ତାକଲି ଥୁଣ୍ଟା ଗଛରେ କେତେଦିନ ବା ଜୀବନ ଖୋଜିବ । ଲମ୍ବା ସମୟ ଅଛି ଜୀବନରେ ଝିଅଟି ଆଗରେ । ବାସ୍ତବତାକୁ ଗ୍ରହଣ କରି ତାର ପରବର୍ତ୍ତୀ ବୈବାହିକ ଜୀବନ ସୁଖମୟ ହେଉ ବୋଲି ଭାବିଲି ମୁଁ ।”

 

ମୋତେ ବିସ୍ମିତ କରି କହି ଚାଲିଥିଲେ ଭଦ୍ରଲୋକ । କିନ୍ତୁ ଓଳିଓଳି ଧରି ଟାଟା ମେମୋରିଆଲ ହସ୍ପିଟାଲ୍ ବାରଣ୍ଡାରେ ଦିନରାତି ଏକାକାର କରି ଅପେକ୍ଷା କରିଥିବା ଯୁବତୀଟି ସମୟ ବିରୁଦ୍ଧରେ କଠୋର ହୋଇଉଠିଲା । ହାତଛଡ଼ା କଲାନି ମତେ । ବାପଘର ଲୋକେ ବୁଝେଇଲେ ଟ୍ରିଟମେଣ୍ଟର ସମସ୍ତ ଖର୍ଚ୍ଚ ଦେଇ ଦେବେ । ବାକିଥିବା ଜୀବନର ସମୟ ପାଇଁ ଯଥେଷ୍ଟ କିଛି ଅର୍ଥ ଦେବେ । ଟଳିଲାନି ସେ । ବାପଘର ଦୂରେଇ ଗଲେ । ଆମ ପରିବାର ବି ନିଜକୁ ଦୋଷୀ ମନେକଲେ । ବେଳେବେଳେ ବାପା, ବୋଉ ବି କଥା ହୁଅନ୍ତି, ଝିଅଟାର ଜୀବନ ଆମ ପାଇଁ ନଷ୍ଟ ହୋଇଗଲା । ମୋର ଆସନ୍ନ ମୃତ୍ୟୁଟା ସମସ୍ତଙ୍କ ପାଇଁ ଥିଲା ଅବଧାରିତ । କିନ୍ତୁ କେବେ ବିଚଳିତ ହେବାର ଦେଖିନି ସୁପର୍ଣ୍ଣାକୁ । ଏପରିକି ବୋଉ, ବାପାଙ୍କ ମନରେ କେବେ ଦୁଃଖ ଦିଏନି । ସଦା ହସେଇ ରଖିବାକୁ ପ୍ରାୟ ଚେଷ୍ଟା କରେ ।”

 

ପ୍ରାୟ ଯେଉଁମାନେ ସମୟ ପାଖରେ ହାର ନ ମାନନ୍ତି, ସମୟ ସେମାନଙ୍କ ପାଖରେ ହାରିଯାଏ । ଜୀବନ ମୃତ୍ୟୁର ଝଡ଼ ଭିତରେ ଏବେ ବ୍ୟବଧାନ ସୃଷ୍ଟି କରି ପାରିଛି ସୁପର୍ଣ୍ଣା । ସତୀ କଥାରେ ରାତିକ ସପତ ରାତି ହୋଇଛି । “ଏଥର ଚେକଅପ୍ ପରେ ଡାକ୍ତର କହୁଛନ୍ତି ଆଶ୍ଚର୍ଯ୍ୟଜନକ ଭାବେ ମୁଁ ସୁସ୍ଥ ହେବାକୁ ଯାଉଛି । ଦେହର ଦୁର୍ବଳତା ଧୀରେ ଧୀରେ କମିବ ବୋଲି କହୁଛନ୍ତି ।” ଖୁସିରେ କହୁଥିଲେ ଭଦ୍ରଲୋକ । ଏବେ ସୁପର୍ଣ୍ଣା ମା’ ହେବାକୁ ଯାଉଛି । ବାସର ରାତିରେ ଲିଭିଯାଇଥିବା ପ୍ରଦୀପ ଆଜି ସୁପର୍ଣ୍ଣାର ସାଧନାର ଦୀପକ ରାଗିଣୀର ମୂର୍ଚ୍ଛନାରେ ପୁଣିଥରେ ଜଳିଉଠୁଛି । ଆଜି ସେମାନେ ଯାଉଛନ୍ତି ବିବେକାନନ୍ଦ ରକ୍ ମେମୋରିଆଲ ଦେଖିବାକୁ-

 

ଭୁବନେଶ୍ୱର ଷ୍ଟେସନ୍ ଆସୁଥିଲା । ଭଦ୍ରଲୋକ ଦେଇଥିବା ଟୁକୁରା କାଗଜଟିକି କାଢ଼ି ମୁଁ ଶତବାର ପଢ଼ୁଥିଲି ଆଉ ଭାବୁଥିଲି “ବ୍ରହ୍ମନ ସତ୍ୟ” କିନ୍ତୁ ସୁପର୍ଣ୍ଣାମାନଙ୍କ ପରି ସନ୍ନ୍ୟାସିନୀମାନଙ୍କ ହାତରେ ଜଗତ ପାଲଟିଛି ଆହୁରି ସତ୍ୟ । ପ୍ରବଚନ କ୍ଳାନ୍ତ ସନ୍ନ୍ୟାସୀ ଶୋଇଯାଇଥିଲେ ନିଦରେ । ସକାଳ ସୂର୍ଯ୍ୟର ଅବିର ଦୋଳି ଖେଳୁଥିଲା ସୂପର୍ଣ୍ଣାର ମୁହଁରେ । ଚାରିଆଡ଼େ ମୁଖରିତ ହେଉଥିଲା “ଜଗତ ସତ୍ୟ, ଜଗତ ସତ୍ୟ ।”

Image

 

ମିଲି ଦାସ, ହାଲିମା ବିବି ଆଉ ସେଇ ଦୁଇ ଏକର କେଇ ଡିସମିଲ

 

ବନ୍ଧୁ ସୁବ୍ରତଙ୍କ ଠାରୁ ଫୋନ ପାଇ ଯେତେବେଳେ ବ୍ୟାସନଗର ଥାନାରେ ପହଞ୍ଚିଲି, ଥାନାଟି ଲାଗୁଥିଲା ଶୂନଶାନ୍‍ । ଶୁଣିଲି ମତେ ଫୋନ କଲାପରେ ସୁବ୍ରତ ହଠାତ୍ ବାହାରକୁ ଚାଲିଯାଇଛି । ସୁବ୍ରତ ଥାନାର ଭାରପ୍ରାପ୍ତ ଅଧିକାରୀ । ଜରୁରୀ କାମ ପଡ଼ିବା କିଛି ନୂଆ କଥା ନୁହେଁ । ଖାଲିଥିବା ଚଉକିଟିରେ ବସିବି କି ନ ବସିବି ଭାବିଲାବେଳେ, ଯାହାହେଉ ସେଂଟ୍ରିଟି ଆସି ବସିବାକୁ ଅନୁରୋଧ କଲା ।

 

ନିରବତା ଏମିତି ଥିଲା ଯେ କେବଳ ଓୟାରଲେସ ମେସିନର ସୁ ସୁ ଶବ୍ଦଟା ଶୁଭୁଥିଲା । ଓୟାରଲେସ ମେସିନ୍‌ରେ ଘନଘନ ବାର୍ତ୍ତା, ଘନଘନ ନିର୍ଦ୍ଦେଶ, ସାମାନ୍ୟତମ ତୃଟି ବି ବରଦାସ୍ତ କରାଯିବ ନାହିଁ ।

 

ରାତି ପାହିଲେ ରାୟ ବାହାରିବ କୋର୍ଟରୁ । ସେଇ ଦୁଇ ଏକର କେତେ ଡିସିମିଲ ଜମି କାହାର ? ତା ରାମଙ୍କର ଜନ୍ମଭୂମି ନା ବାବ୍ରୀ ମସଜିଦ୍‌ର ସେଇ ଜମି । ବର୍ଷ ବର୍ଷ ଧରି ବିଚାର ଚାଲିଥିବା ମୋକଦ୍ଦମାର ରାୟ ପ୍ରକାଶ ପାଇବ । ସରଜୁ ନଦୀର ଚହଲା, ଜଳରେ ଆଉଟି ହୋଇ ଯାଉଛି ଅଯୋଧ୍ୟା ନଗରୀର ଛବି ।

 

ଭି ଏଚ୍ ଏଫରେ ମୋଟା ଗଳାରେ ମେସେଜ୍ ପରେ ମେସେଜ୍ ଆସୁଛି । ସତର୍କବାଣୀ ପରେ ସତର୍କବାଣୀ । ସୁବ୍ରତ ଏ ଯାଏ ଆସିନି । ନିଶ୍ଚୟ ବ୍ୟସ୍ତ ଥିବ ।

 

ମନ୍ଦିରରେ ପୂଜାର୍ଚ୍ଚନା ଚାଲିଛି, ଦୀପଦାନ ଚାଲିଛି, ମସିଜିଦରେ ବି ପ୍ରାର୍ଥନା ଚାଲିଛି । ସମସ୍ତଙ୍କର ପ୍ରାର୍ଥନା, ସେ ଜମି ଆମର ହେଉ ।

 

ସୁବ୍ରତର ଫେରିବାକୁ ନିଶ୍ଚୟ ଡେରି ହେବ, ଏଇ କଥା ଭାବି ଯିବାକୁ ଉଠିଲା ବେଳକୁ ହଠାତ୍ ଗୋଟାଏ ଶକ୍ତ ଚାପୁଡ଼ାର ଶବ୍ଦ । ଆଉ ‘‘ଆଃ” ବୋଲି କାହାର ଅସ୍ପଷ୍ଟ ଚିତ୍କାର ଭିତରେ ମୁଁ ବୁଲି ଚାହିଁଲା ବେଳକୁ ମୋ ଠାରୁ ଅଳ୍ପ ଦୂରରେ ଚଟାଣ ଉପରେ ବସିଥିବା ଝିଅ ଦୁଇଟିକୁ ଦେଖିଲି-। ପାଖ ଚଉକିରେ ବସିଥିବା ଲେଡିଜ୍ କନେଷ୍ଟବଳଟି କଷି କରି ମାରିଛି ଚାପୁଡ଼ାଟାଏ । ଠିକ୍ ତାର ଗୋଡ଼ଟା ଗୋଇଠାଏ ଦବାକୁ ଉଠିଲା ବେଳକୁ ତା ଆଖି ମୋ ଆଖି ଏକାଠି ହୋଇଗଲାରୁ ଗୋଡ଼ଟି ପ୍ରାୟ ତଳକୁ ଖସି ଆସିଲା । ଅଜାଣତରେ ମୋର ସାମ୍ବାଦିକ ସୁଲଭ ପାଟିରୁ ‘ଥାଉ’ ବୋଲି ଶବ୍ଦଟିଏ ଖସିଗଲା । ମୋର ଏଇ ପ୍ରତିବାଦରେ ହେଉ ବା ସମବେଦନାରେ ହେଉ ପାଟିରୁ ଖସିଯାଇଥିବା ଶବ୍ଦଟିକୁ ପୋଲିସ ଝିଅଟି ସମ୍ଭାଳି ନେଲା, ପ୍ରାୟ ମୁଁ ଥାନାର ଭାରପ୍ରାପ୍ତ ଅଧିକାରୀ ବନ୍ଧୁ ବୋଲି ।

 

ମୁହଁର ବିରକ୍ତିକୁ ଘୋଡ଼େଇ ପକେଇ ଛୋଟିଆ ହସଟିଏ ହସି କହିଲା, ଆପଣ ଜାଣି ନାହାନ୍ତି ସାର, ଏମାନଙ୍କ ଚରିତ୍ର ବହୁତ ଖରାପ, ବୁଲିବୁଲି ବେପାର କରୁଛନ୍ତି ।

 

ମୋର ପୁନଃ ନିରବତାର ପ୍ରାୟ ତା ମନରେ ଶଙ୍କା ଆଣିଲା । ଟିକିଏ ପାଖକୁ ଆସି ଝିଅ ପୋଲିସଟି କହିଲା “ଆମେ ଚାହିଁଲେ ବି ଦୋଷୀକୁ ଶାସନ କରି ପାରୁନୁ, ୟାଙ୍କୁ ମାଡ଼ ଦରକାର । ହାଡ଼, ଗୋଡ଼ ଚୂନା କରିଦିଅନ୍ତୁ, ହେଲେ କଥା କଥାକେ ମହିଳା କମିଶନ, ମାନବାଧିକାର କମିଶନ, କୋଉ ଏନ ଜିଓ ତ ଆଉ ଆପଣମାନଙ୍କ ପରି ସାମ୍ବାଦିକମାନେ । ପାଟିରେ ବାଟୁଳି ବାଜୁ ନଥିଲା ତାର । “ଦେଖୁ ନାହାନ୍ତି କେମିତି ସକଉଚି” ? କୋହକୁ ସଂପୂର୍ଣ୍ଣ ଚାପିବାରେ ବିଫଳ ହେବାର ଚିହ୍ନ ସ୍ୱରୂପ କଇଁ କଇଁ ଶବ୍ଦଟିଏ ବାହାରି ଆମକୁ ପ୍ରାୟ ତା ପାଖକୁ ଫେରେଇ ନେଇଗଲା । ମାଡ଼ ଖାଉଥିବା ଝିଅଟିକୁ ଚିକେନ୍ ଦୋକାନରେ ବେକ ମୋଡ଼ା ଯାଉଥିବା କୁକୁଡ଼ାଟିକୁ ଜାଲି ଭିତରୁ ମୃତ୍ୟୁକୁ ଅପେକ୍ଷା କରିଥିବା କୁକୁଡ଼ାଟି ପରି ଚାହିଁଥିଲା ଆର ଝିଅଟି ।

 

“ଲାଜ ମାଡ଼ୁନି, ଆଲାଜୁକି, ଅନେଇଛୁ” ବୋଲି କହି ମାଡ଼ ଖାଇ ନଥିବା ଝିଅଟି କି ଚାରି ଗୋଇଠା କଷି ଦେଲା ସେଇ ମହିଳା ପୋଲିସଟି । ଟିକିଏ ଦୂରରୁ ନିଜ ଚଉକି ଉପରେ ଅନେଇ ହସୁଥିଲେ ରାଇଟର ବାବୁ । କଥା ଆରମ୍ଭ କଲେ ରାଇଟର ବାବୁ “ଆମ ମୁଣ୍ଡ ଠିକ୍ ରହୁନି । କେହି ଆମକୁ ଶାନ୍ତିରେ ରଖେଇ ଦେବେନାହିଁ । କାଲି କ’ଣ ସେ ବାବ୍ରୀ ମସଜିଦ୍, ରାମଜନ୍ମଭୂମି ରାୟ ବାହାରିବ ଯେ ଆମେ ଆମ ଜନ୍ମଭୂମି ନାଁ ଭୁଲି ଗଲୁଣି । ଉପରୁ ଖାଲି ମେସେଜ ପରେ ମେସେଜ, ତାଗିଦା ପରେ ତାଗିଦା” ।

 

ମତେ ପ୍ରାୟ ସେମାନଙ୍କ କଥା ଭଲ ନଲାଗୁ ଥିବା ଅନୁମାନ କରି ରାଇଟର ବାବୁ ଜଣଙ୍କ କଥା ବଦଳେଇ ସେ ଝିଅଟିକୁ ପଚାରିଲେ “ତୋ ନାଁ କ’ଣ ? ଉତ୍ତର ନଦେଇ ଖାଲି ମୁହଁ ଟେକି ଚାହିଁବାରୁ କନେଷ୍ଟବଳଟି ପୁଣି ଗୋଇଠାଏ ଦେଇ “ଆବେ ନାଁ କହୁନୁ, ବୋଲି ତାଗିଦା କଲା-

 

“ହାଲିମା ବିବି” । କହିଲା ଝିଅଟି ।

 

“ଘର” ?

 

“ବଙ୍ଗଳାରେ”

 

“ଆବେ ତୋ ନାଁ ? ଆଉ ଜଣକ କହିଲା “ମିଲିଦାସ” ପୁଣି ସେଇ ପ୍ରଶ୍ନ “ଘର” ?

 

“ଓଡ଼ିଶାରେ”, ଉତ୍ତରଟି ପ୍ରାୟ ପସନ୍ଦ ହେଲା ନାହିଁ ବାବୁଙ୍କର । “କହିଲା ଓଡ଼ିଶାରେ । ଆବେ ତୁ କଣ ବିଜୁ ପଟ୍ଟନାୟକ ନା ନନ୍ଦିନୀ ଶତପଥୀ । ଘର ଖୋଜି ଖୋଜି ସମସ୍ତେ ପାଇଯିବେ-। ଗାଁ ନାଁ କହିବାକୁ ଖରାପ ଲାଗୁଚି । କହୁନୁ ଭାରତରେ । ତୋର ତ ଭାରତ ସାରା ସ୍ଵାମୀ”-। ହସି ଉଠିରେ ବାବୁ ଜଣକ, “ଜଣେ ବଙ୍ଗଳାର ଆଉ ଜଣେ ଓଡ଼ିଶାର । “ଜଣେ ହିନ୍ଦୁ ଆଉ ଜଣେ ମୁସଲମାନ” !

 

“ନାଇଁରେ ?” ହାଲିମା ଆଡ଼କୁ ଚାହିଁ ପଚାରିଲେ । ମୁଣ୍ଡ ଟୁଙ୍ଗାରିଲା ହାଲିମା ।

 

‘‘ହେଲେ ବେପାର ଏକା” ।

 

“ପେଟ ପାଇଁ ବାବୁ ଏ ଅବାଟରେ” କହିଲା ଝିଅଟି ! “ଆମ ପରି ଗରିବର ଜାତି ଗୋଟିଏ ଧରମ ଗୋଟିଏ କହୁଥିଲା ମିଲି ବୋଲି ଝିଅଟି ।’’

 

ମଝିରେ ମଝିରେ ସଚେତନ ହୋଇ ପଡ଼ୁଥିବା ବାବୁ ଜଣକ ପ୍ରାୟ ମୋ ଉପସ୍ଥିତିରେ ଅପ୍ରତିଭ ହୋଇ ଉଠୁଥିବା ଲକ୍ଷ୍ୟ କରୁଥିଲି । “ସାର୍‍ ଆସିବାକୁ ଡେରି ହେବ । କେତେ ସମୟ ବସିବେ । ଆପଣ ସାର୍‍ ବରଂ, ଏଇ ସମ୍ବାଦଟା ଟିପିନେଇ ଚାଲିଯାଆନ୍ତୁ । ଭଲ ଖବରଟା ହବ” ।

 

ମୋର କାଇଁ ଉଠିବାକୁ ଇଚ୍ଛା ହୋଇ ନଥିଲା । ସତେ ଯେମିତି ଭାରତବର୍ଷର ଗୋଟିଏ ଅନ୍ଧକାରମୟ ଅଂଚଳକୁ ଗବାକ୍ଷ ଦେଇ ମୁଁ ଦେଖୁଥିଲି । “ଆମପରି ଗରିବର ଜାତି ଗୋଟିଏ, ଧରମ ଗୋଟିଏ” ବାର ବାର କାନକୁ ଶୁଭି ଯାଉଥିଲା ମୋର ।

ଆମକୁ ଛାଡ଼ିଦିଅ ବାବୁ ମୋ ଛୁଆଟା ଉଠିପଡ଼ି ଅନ୍ଧାରରେ କାନ୍ଦୁଥିବା ଆଉ ତାର ବି ବୁଢ଼ା ବାପ ମା” । ଅନୁନୟ କରି କହୁଥିଲା ଝିଅଟା ।

“ଆବେ ତୋ ଛୁଆକୁ କାହା ପାଖରେ ଛାଡ଼ି ଆସିଛୁ” ? ପଚାରିଲା ଲେଡ଼ିଜ କନେଷ୍ଟବଳଟି ।

“ତାଲା ପକେଇ” ଏଁ ତାଲା ପକେଇ ? ଚମକି ପଡ଼ିଲା ପରି ଦୋହରାଇଲା ଲେଡ଼ିଜ୍ କନେଷ୍ଟବଳଟି । ହଠାତ୍ ପ୍ରାୟ ଖାକି ପୋଷକ ତଳେ ଘୁମେଇ ପଡ଼ିଥିବା ମା’ ମନଟି ଘୁମୁରି ଉଠିଲା-। ଏଥର ତା' ମୁହଁରୁ ଗାଳି ବାହାରୁ ନଥିଲା କି ଗୋଡ଼ରୁ ଗୋଇଠାଗୁଡ଼ାକ କୁଦି ପଡ଼ୁନଥିଲା-। ଆଖିରେ ଆଶ୍ଚର୍ଯ୍ୟଭାବ ଓ ସମ୍ବେଦନଶୀଳତା ଭରି ରହିଥିଲା ।

“ଆରେ ଛୁଆ କେତେ ବର୍ଷର ? ରହିଚି କେମିତି” ।

“ଶୋଇଥିବ । ମୁଁ ଗଲେ ଉଠେଇବି । ଯଦି ଉଠିଥିବା ବନ୍ଦ ଘରେ ବୁଲୁଥିବ” ।

“ଶାଳୀ ପେଖେନା କାଢ଼ୁଛୁ” କହି ରାଇଟର ବାବୁ ଜଣଙ୍କ ତାଙ୍କ କାମରେ ଉଠି ଯାଉଥିଲେ, ହେଲେ”...ଏଇଟା କଣ ଥାନା ନ ଭୂତଖାନା ?” ଏକଥା କହି କହି ଭିତରକୁ ପଶି ଆସିଲେ ଦଳେ ଯୁବକ । ମୁଣ୍ଡରେ ସିନ୍ଦୁର କଲି, ଗାଲରେ ଦାଢ଼ି । ପୋଖତ ପୁଲିସ ଅଫିସର, ରାଇଟର ବାବୁ ଜଣଙ୍କ କଣ୍ଠରେ ଯଥା ସମ୍ଭବ ନମ୍ରତା ଫୁଟେଇ କହିଲେ “କୁହନ୍ତୁ କ’ଣ ଅସୁବିଧା ଅଛି” ?

“କାହିଁକି ଆପଣ ପ୍ରସେସନ ବାହାର କରିବାକୁ ଅନୁମତି ଦେଲେନି ଏଯାଏଁ ? ଚିତ୍କାର କରି କଇଫତ ମାଗିଲା ଢଙ୍ଗରେ ପଚାରୁଥିଲା ଯୁବକଟିଏ । “ନାଇଁ ଆପଣ ପରିମିଶନ ଦେଇପାରିବେନି” ବୋଲି କହି କହି ପ୍ରବେଶ କଲେ ଆଉ ଦଳେ ଉତ୍ୟକ୍ତ ଯୁବକ । ଦେହରେ ପାଇଜାମା, ମୁଣ୍ଡରେ ଟୋପି । ବାଦାନୁବାଦ ଆଉ ଶବ୍ଦ ପ୍ରତିଶବ୍ଦରେ କମ୍ପିଗଲା ଏ ଯାବତ ନିରବ ଥିବା ଥାନା ପରିସର ।

ପରିସ୍ଥିତି ଅଣାୟତ୍ତ ହେବ ଭାବି ବାବୁ ଜଣକ କହିଲେ “ଏତେ ରାତିରେ ଆଉ କିଛି ହବନି ଆଇ. ଆଇ.ସି କ’ଣ କରିଥିବେ ନିଶ୍ଚୟ । କାଲି ସକାଳେ ଆମେ ଖବର କରିଦେବୁ’’ । “ଏ କୋଲଡ଼ ଡ୍ରିଙ୍କସ ଆଣରେ” କହି ଆଉ ଘରକୁ ଜୋରରେ ମାଡ଼ିଗଲେ । ସତକୁ ସତ କିଏ ପୁଳାଏ କୋଲଡ୍ରିଙ୍କ ଆଣି ଦେଇଗଲା । ଯାହା ହେଉ ସମସ୍ତେ ଫେରିଗଲେ । ଏକ ସମ୍ଭାବ୍ୟ ଅଘଟଣକୁ ସମ୍ଭାଳି ନେଇ ବାବୁ ଜଣକ କହିଲେ “ହେ ଇଶ୍ଵର, ହେ ଆଲ୍ଲା, ହେ ଯୀଶୁ ଆପଣଙ୍କୁ ପ୍ରଣାମ । ଏମାନଙ୍କୁ ସନମତି ଦେଇ ରାତିଏ ନୁହେଁ ଯୁଗଟିଏ ପାଇଁ ଆମକୁ ବଞ୍ଚେଇଦେଲ ପ୍ରଭୁ” । ଯାହା ହେଉ ସକାଳକୁ ଅପେକ୍ଷା କରିବାକୁ କହି ସେମାନଙ୍କୁ ଫେରେଇ ଦେବାରେ ସଫଳତା ହାସଲ କରିଥିବା ରାଇଟର ବାବୁ ଏକଥା ଟିକିଏ ରହସ୍ୟ କରି କହିଲା ବେଳେ ମୁଁ ପଚାରିଲି “ଆପଣ କଣ ଏମାନଙ୍କୁ ଦେଖିଛନ୍ତି ? ଆଲ୍ଲା, ଯୀଶୁ, ଇଶ୍ଵରଙ୍କୁ ଦେଖିଲା ପରି କହୁଛନ୍ତି” । ହସିଦେଇ ବାବୁ ଜଣଙ୍କୁ କହିଲେ “ଆପଣ ସାମ୍ବାଦିକ ଲୋକ, ନଦେଖିଲେ ବି ମନରୁ ଯୋଡ଼ି ଲେଖିଦେବେ । ହେଲେ ଆମେ ପୁଲିସ ବାଲା, ଆମେ ଯାହା ଦେଖିଚୁ ତା ବିଶ୍ଵାସ କରିବୁ । ହେ...ସାରଙ୍କୁ ଥଣ୍ଡା ଦେ, ମତେ ଦେ, ଦିଦିଙ୍କି ଦେ, ଆରେ ଏ ଛୁଆଙ୍କୁ ବି ଗୋଟାଏ ଗୋଟାଏ ଦେ” ।

ମୋର ଆଶ୍ଚର୍ଯ୍ୟ ଭାବ ଦେଖି କହିଲେ, “ଆପଣ ଭଗବାନଙ୍କୁ ଦେଖିବା କଥା ପଚାରୁଥିଲେ, କେମିତି ଆଉ ଦେଖି ଥାଆନ୍ତେ, ଦେଖିଲେ ନାଇଁ ଇଶ୍ଵରମାନେ, ଆଲ୍ଲାମାନେ ଆସିଥିଲେ ।

“ହେଇଟି ବାବୁ ସ୍ୱର୍ଗରେ ନୁହେଁ ଭଗବାନ ଏଇଠି ଅମୃତ ଦେଇଛନ୍ତି” । ମତେ ଚକିତ କରି ଠିଆ ହୋଇପଡ଼ି ଆବେଗରେ ହାଲିମାର ବକ୍ଷୋଜ ଉପରେ ହାତ ଥାପିଦେଇ ରାଇଟର ବାବୁ ଜଣଙ୍କ ଆବେଗରେ କହି ଚାଲିଥିଲେ । “ବ୍ରାହ୍ମଣ ଛୁଆ ମୁଁ । ପୁରୀର ଶାସନି ବ୍ରାହ୍ମଣ । ପିଲାବେଳେ ମା' କ୍ଷୀର ହେଲା ନାହିଁ । ଆମ ଘରକୁ ହରିଜନ ସ୍ତ୍ରୀ ଲୋକ ଜଣେ ଆସୁଥିଲେ । ଜନ୍ମ ପରେ ପିଲାଟି ତାର ମରିଯାଇଥିଲା କୋଳରେ । ଥନରେ ବହୁତ କ୍ଷୀର । ମୋ ବୋଉ ତାକୁ ଟେକିଦିଏ ମତେ । ମୁଁ ତାଠୁ କ୍ଷୀର ଖାଏ ! ମୋ ଜେଜେ ବୁଝେଇ ଦେଇଥିଲେ “ମା’ର ଜାତି ଧର୍ମ ନାହିଁ । ହିନ୍ଦୁ ଶାସ୍ତ୍ର କାଢ଼ି ଦେଖେଇଲେ । ସବୁ ଧର୍ମରେ ଏକଥା ବି ଲେଖା ଅଛି ବୋଲି ବୋଉ ମୋର କହୁଥିଲା-। କହିଲ ବାବୁ “ମା’ର ଯଦି ଜାତି ନାହିଁ ପିଲାର କୁଆଡ଼ୁ ଜାତି ଆଇଲା ? ଶଳା ମାତୃଦ୍ରୋହୀଙ୍କ...-"। ଓୟାରଲେସରୁ ବଡ଼ ଅଫିସରଙ୍କର ଡାକରା ଶୁଣି, ଅଜାଣତରେ ସାର୍ ସାର୍ କହି ଚମକି ପଡ଼ି ଉଠିଗଲେ ବାବୁ ଜଣଙ୍କ ।

ମତେ ଲାଗିଲା ସେଦିନର ସେଇ ପିଲାଟି ନୁହେଁ ଏ ପୃଥିବୀରେ ପ୍ରତିଟି ମଣିଷ ଆଜି ମାତୃହରା ହେଇ ଯାଇଛନ୍ତି । ତଥାପି ଛାତିରେ କ୍ଷୀର ଧରି ମା’ ଏବେ ବି ଖୋଜୁଛି ଏଇ ପୃଥିବୀରେ ମାତୃହରା ମଣିଷମାନଙ୍କୁ । ଆଖିରେ ଅନ୍ଧପୁଟୁଳି ବାନ୍ଧି କେହି କାହାକୁ ପାଉନାହାନ୍ତି ।

ଜୋରରେ କାନ୍ଦୁଥିବା ହାଲିମା । ବେଳେ ବେଳେ ଗୋଡ଼ ଧରି ପକାଉଥିଲା ଲେଡ଼ିଜ କନେଷ୍ଟବଳଟିର । ପୁଅ ଉଠିଯିବ, ବନ୍ଦ ଘରେ କାନ୍ଦିବ । ଏତିକିବେଳେ ଲାଇନ୍ ଚାଲିଗଲା । ଅନ୍ଧାର ଭିତରେ ହାଲିମାର କାନ୍ଦର ବେଗ ବଢ଼ିଗଲା । ସଫଳତାରସହ ଛଳନା କରୁଥିଲେ ବି ଏଇମାତ୍ର ହାରିଯାଇଥିବା ରାଇଟର୍ ବାବୁଜଣଙ୍କ ଏମରଜେନ୍ସି ଲାଇଟ୍ ଅନ୍ କରୁ କରୁ କହିଲେ “ଆରେ ତୋ ଛୁଆକୁ ତୁ ଯେମିତି ଚାବି ଦେଲାପରି ଶୁଆଇଛୁ, ଉଠାଉଛୁ, ଆମ୍ଭ ଦିଦିଙ୍କି ଟିକେ ବୁଝେଇ ଦଉନୁ । ସିଏ ତାଙ୍କ ଛୁଆକୁ ଦେଖିବାକୁ ଖାଲି ଥାନାରୁ ଘର, ଘରରୁ ଥାନାକୁ ହଉଛନ୍ତି । ତୋତେ ଆମେ ଗୁରୁ ମାନିବୁ” ।

ଆଲୁଆ ଆସିବା ପରେ ଝିଅଟିକୁ ବହୁ ପଚାରିଲା ଉତ୍ତାରୁ ସେ ଯେଉଁ ଉତ୍ତର ଦେଲା, ତା ଶୁଣି ମତେ ପୁଣି ଲାଇନ ଚାଲିଗଲା ପରି ଲାଗିଲା । ଅନୁଭବ କଲି ଅନ୍ଧାରଟା ଯେମିତି ମତେ ପୁଣି କୁଣ୍ଢେଇ ଧରିଛି । “ଟିକିଏ ଅଫିମ ଦେଇ ଆସିଛି”, ଥିଲା ଉତ୍ତର ।

ସାରା ଥାନାଟା ଆହୁରି ନିରବ ଲାଗିଲା ।

ଆଶ୍ଚର୍ଯ୍ୟରେ ଚାହିଁଥିଲା ଲେଡିଜ୍ କନଷ୍ଟେବଳଟି । ଆଖିକୁ ଲାଗୁଥିଲା ଯେମିତି କିଛି ସମୟ ତଳେ ମୁଁ ଆଉ କାହାକୁ ଦେଖିଥଲି । ବିକଳରେ ସେ ନିବିଡ଼ ଭାବରେ ହାଲିମାର ମୁହଁକୁ ଚାହୁଁଥିଲା ।

 

“ଏଗୁଡ଼ାକ ଦେଖି ଦେଖି ଆମର ଦେହସୁହା ହେଇ ଗଲାଣି । ଭାବିଲେ ବି କିଛି କରିପାରିବୁନି । ଝିଅଟା ବି ମିଛ କହି ନପାରୁ ଥାଏ । ଏମାନେ ସେୟା କରନ୍ତି ! କରିବାକୁ ବାଧ୍ୟ । ପେଟ ପୋଡ଼ିଗଲେ ଆମ ଝିଅ ବୋହୂ ବି ଘରୁ ଗୋଡ଼ କାଢ଼ିବେ” । ମୁଁ କେବଳ ବଲ ବଲ କରି ଚାହୁଁଥିଲି । ରାଇଟର୍ ବାବୁଜଣଙ୍କ ଗପି ଚାଲିଥିଲେ !” ବୋପାମାନେ ଆସିଥିଲେ ଝିଅଙ୍କ କଥା କିଛି ପଚାରିଲେ ?” “ମାନେ” ବୁଝି ନପାରି ମୁଁ ପଚାରିଲି ।

 

କ’ଣ ଆପଣ ସାମ୍ବାଦିକ, ଲେଖକ ହେଲେ ବୁଝିପାରୁ ନାହାନ୍ତି । ଏଇଟା ଗୋଟାଏ ହିନ୍ଦୁ, ସିଏ ଗୋଟାଏ ମୁସଲମାନ । ଏବେ ତାଙ୍କ ବାପା, ଦାଦାମାନେ ଆସିନଥିଲେ ? ଏମାନେ ବିଭିନ୍ନ ସଂପ୍ରଦାୟର ନେତା । ଧର୍ମକୁ ଏଇମାନେ ପୃଥିବୀକୁ ବାସୁକି ମୁଣ୍ଡେଇଲା ପରି ମୁଣ୍ଡେଇଛନ୍ତି । ସତକଥା ହେଲା କ୍ଷମତା ପାଇବା ପାଇଁ ଧର୍ମ ନାଁରେ ମଣିଷ ମଣିଷ ଭିତରେ ବିଭେଦ ସୃଷ୍ଟି କରୁଛନ୍ତି । ଝିଅଟା ଠିକ୍ କହୁଛି, ଗରିବର ଜାତି ନାହିଁ, ଧରମ ନାହିଁ ।

 

ହଠାତ୍‍ ସମସ୍ତେ ଛିଡ଼ା ହୋଇପଡ଼ିଲେ । ମୁଣ୍ଡକୁ କ୍ୟାପଟା କାଢ଼ି ବସି ପଡ଼ିଲା ସୁବ୍ରତ । କ୍ଷମା ମାଗିବା ଢଙ୍ଗରେ ହସିଦେଲା ! କହିଲା, “ବହୁତ ସମୟ ବସେଇଲି ତତେ ।’’ ରାଇଟର ବାବୁ ଜଣଙ୍କ ଦଳଦଳ ହୋଇ ଆସିଥିବା ସେଇ ଲୋକଗୁଡ଼ାକ ବିଷୟରେ କହିଗଲେ । କିଛି ସମୟ ପରେ ତଳେ ଇଶ୍ଵର ଆଉ ଆଲ୍ଲାଙ୍କ କଥା କହି ହସାଇବାକୁ ଚେଷ୍ଟା କରୁଥିବା ଲୋକଟା ବଡ଼ ଗମ୍ଭୀର ଭାବରେ କାଲି ସକାଳର ସମ୍ଭାବ୍ୟ ପରିସ୍ଥିତି ବିଷୟରେ ବୁଝାଉଥାଏ ।

 

ବଳି ପଶୁ ପରି ଟେବୁଲ ପାଖରେ ଛିଡ଼ା ହୋଇଥିଲେ ଝିଅ ଦିଅଟି । ଅନୁନୟ କରୁଥିଲେ “ଆମକୁ ଛାଡ଼ିଦିଅ, ଜେଲ ପଠାଅ ନାହିଁ । ଆମର ଘରେ ଛୋଟ ପିଲା, ବୁଢ଼ା ବାପ ମା’ଙ୍କ କଥା କହି ଛୁଇଁବାକୁ ଚେଷ୍ଟା କରୁଥିଲେ ପୁଲିସ ବାବୁଙ୍କ ମନକୁ ।

 

ମୋ କାନକୁ ଖାଲି ଶୁଭୁଥିଲା “ଆମେ ପେଟ ପାଇଁ ଅବାଟକୁ ଯାଉଛୁ ବାବୁ । ଆମର ଜାତି, ଧରମ କିଛି ନାହିଁ । ଟିକିଏ ଆଗକୁ ଯାଇ ସୁବ୍ରତକୁ ବୁଝାଇବାକୁ ଚେଷ୍ଟା କଲି । ଅନୁରୋଧ କଲି ସେମାନଙ୍କୁ ଛାଡ଼ି ଦେବାକୁ । ସତରେ, ସେଇ ଜମିରେ ରାମଙ୍କ ପାଇଁ ମନ୍ଦିର ହେଉ ବା ବାବରଙ୍କ ନାମରେ ପୁଣି ମସଜିଦ ଗଢ଼ାହେଉ କ'ଣ ବା ମିଳିବ ଏ ଦେଶର ହାଲିମା ଆଉ ମିଲିମାନଙ୍କୁ ? ବାରବାର କାନକୁ ଶୁଭିଲା “କ’ଣ ବା ମିଳିବ ଏ ଦେଶର ମିଲି ଆଉ ହାଲିମାମାନଙ୍କୁ-।” କ’ଣବା ମିଳିବ ଏ ଦେଶର କୋଟି କୋଟି ଭୋକିଲା ମଣିଷକୁ ?

 

ସୁବ୍ରତ କିଛି କହିବା ଆଗରୁ ରାଇଟର ବାବୁ ଜଣଙ୍କ କହିଲେ “ଗୋଟେ ବଡ଼ ଭୁଲ ହୋଇଯାଇଛି ସାର” । ଉପରୁ ଫୋନ ଆସିଥିଲା, ଦଙ୍ଗା: ଆଶଙ୍କାରେ କାହିଁକି କାହାକୁ ଅଟକ ନ ରଖିଛ ? ଭୟରେ ମୁଁ ଉତ୍ତର ଦେଇ ଦେଇଛି ଉଭୟ ସମ୍ପ୍ରଦାୟରୁ ଏକ ଦୁଇ ଜଣଙ୍କୁ ଆମେ ଅଟକ ରଖିବୁ ବୋଲି କହି ଦେଇଛି, କହିଛି “ଦୁଇ ବିରୋଧୀ ସମ୍ପ୍ରଦାୟର ନାରୀନେତ୍ରୀ ଏମାନେ” । ମୁକୁଳିବାର ଆଶା କ୍ଷୀଣ ମନେ କରି ଭେମାରଡ଼ି ପକେଇ କାନ୍ଦି ଉଠିଲେ ମିଲି ଆଉ ହାଲିମା ।

 

ମତେ ଲାଗୁଥିଲା ଯେପରି ସେମାନେ ନୁହଁନ୍ତି ସିନ୍ଧୁ, କାବେରୀ, ପଦ୍ମା, ମାଟିର ମା’, ଭଉଣୀମାନେ, ଏକାଠି କାନ୍ଦି ଉଠୁଛନ୍ତି ଆଉ ଅଯୋଧ୍ୟାର ସେଇ ଦୁଇ ଏକର ଶତସ୍ତରୀ ଡେସିମିଲ ଜମି ଉପରେ ମିଲି ଦାସ ଆଉ ହାଲିମା ବିବିର ଅପେକ୍ଷାରେ ଅଫିମ ଖାଇ ନିଦରେ ଶୋଇ ଯାଇଛି ସେଇ ଛୋଟ ପୁଅଟି ।

Image

 

ମଣିଷ

 

ବନ୍ୟା ଆସିଲେ ତନୟାର ମନେପଡ଼େ ସେଇ ମଣିଷ କଥା । ଖାଲି ମନେପଡ଼େନି, ଦେହରେ ଅନୁଭବଟିଏ ଚରିଯାଏ । ସେ ଛାତିରେ ମୁଣ୍ଡ ଗୁଞ୍ଜି ଶୋଇଛି, ନିଦରେ ନୁହେଁ, ଭୟରେ ଆଖିବୁଜି ପଡ଼ିଛି । ସେଇ ଜାଗାଟି ତାର ଭାରି ନିରାପଦ ଜାଗା । ଖୁସି ଲାଗିଲେ ସେ ସେଇଠି ମୁଣ୍ଡ ଗୁଞ୍ଜେ । ପୁଣି କେତେବେଳେ କେଉଁ ଭୟ ଭିତରେ ରହିଗଲେ ସେ ସେଇଠି ଶୋଇଯାଏ । ଆଉ ମନରେ କିଛି ଚିନ୍ତା ନଥିଲେ ସେ ସେଇଠି ମୁଣ୍ଡମାଡ଼ି ଜାଗରଣରୁ ସପନ ରାଇଜ ଭିତରକୁ ଚାଲିଯାଏ । ସେଇଟି ତା ବୁଢ଼ୀମାର କୋଳ ।

 

ପିଲାଦିନୁ ହେତୁ ହେଲା ପର୍ଯ୍ୟନ୍ତ ସେ ସେଇ ଜାଗାଟିକି ସବୁଠୁ ନିରାପଦ ଥାନଟିଏ ବୋଲି ଅନୁଭବ କରିଛି । ତା ବାପା ରାଗିଲା ବେଳେ ହେଉ କି ଘୋର ମେଘରେ । ଘଡ଼ଘଡ଼ି ମାରିଲାବେଳେ ହେଉ ଅବା ଗାଁ ଦାଣ୍ଡରେ ବଢ଼ି ପାଣିର ସୁଅ ଚାଲିଲା ବେଳେ ହେଉ । ସେଦିନ ଆକାଶ ପ୍ରାୟ ପୃଥିବୀ ସାଥିରେ ଦାଉ ସାଧୁଥିଲା । ଅହରହ ବର୍ଷି ଚାଲୁଥିଲା ମେଘ । ସତେ ଯେମିତି ଚାରିମେଘ ଏକାଠି ହୋଇଛନ୍ତି । ତା ସାଙ୍ଗକୁ ପାଣିରେ ବୁଡ଼ିଛି, ଗାଁ ଦାଣ୍ଡଠାରୁ ଗହୀର ବିଲ ପର୍ଯ୍ୟନ୍ତ । କୂଳ ଲଂଘିଥିଲା ଚିତ୍ରୋତ୍ପଳା, ପୂଣ୍ୟତୋୟା ସେଦିନ ଧରିଥିଲା ପ୍ରଳୟର ରୂପ । ବେଡ଼ାରି ଘାଇ ଭାଙ୍ଗି ପାଣି ଚାଲିଥିଲା । ପାଣି ତୋଡ଼ରେ ସାପ ମୁଣ୍ଡ ଦିଗଡ଼ ହୋଇଯିବ ।

 

ପ୍ରକୃତି ପାଖରେ ମଣିଷ ଯେ କେତେ ଅସହାୟ ହୋଇଯାଏ ସେଇଦିନ ଅନୁଭବ କରିଥିଲା ତନୟା । ଆଦରର ବୁଢ଼ୀମା ରାତି ଅଧରେ ଆଖିବୁଜି ଦେଲା । ସବୁଦିନ ପାଇଁ ଶୋଇଗଲା ନିଦରେ । ବାପା, ଦାଦାମାନେ ଡାକ୍ତରଖାନା ନେବାକୁ ଯେତେ ଚେଷ୍ଟା କଲେ ବି ଏରୁଣ୍ଡି ଡେଇଁ ପାରିଲେନି । ମାତ୍ର କେଇ ମାଇଲର କେନ୍ଦ୍ରାପଡ଼ା ଲାଗୁଥିଲା ଯୋଜନ ଯୋଜନ ଦୂର-। ସେତେବେଳେ ତାଳସଂଗା ହାଇସ୍କୁଲର ମାଟ୍ରିକ ପ୍ରଥମ କ୍ଲାସର ଛାତ୍ରୀ ତନୟା । ବନ୍ୟା ଚାଲିଗଲା, ଆଉ ତା ସାଥିରେ ବୁଢ଼ୀମାକୁ ସ୍ମୃତି କରି ଛାଡ଼ିଦେଇଗଲା । ବୁଢ଼ୀମା ନାମକ ମଣିଷଟି ଅଦୃଶ୍ୟ ହେଇଗଲା । ସେଇଦିନୁ ସେ ମନ ଭିତରେ ଗୁଣୁଗୁଣୁ ହୋଇ ବୁଢ଼ୀମାକୁ ଖୋଜେ-। ହସୁଥିବା ଆଖି ଦିଇଟା ବେଳେବେଳେ ଉଦାସ ହୋଇଯାଏ । କାହାକୁ କିଛି କହେନି, ଛାତ ଉପରକୁ ଉଠିଯାଏ ଆଉ ଆଖି ମିଶେଇ ଦିଏ ଦିଗବଳୟ ସାଥିରେ । ବୋଉ, ତା’ର ଉଦାସ ଭାବକୁ ବୁଝି ତା ମୁଣ୍ଡରେ ଆଦରରେ ହାତ ବୁଲେଇ ଆଣି କହେ, ଏ ମଣିଷ ଦେହ ମାଟିରେ ଗଢ଼ା, ନାରାୟଣ ତା ଭିତରେ ରହି କଥା କହୁଛନ୍ତି । ଯେଉଁଦିନ ସେଥିରୁ ନାରାୟଣ ଚାଲିଯିବେ, ସେ ଦେହ ମାଟି ହୋଇଯିବ । ସ୍କୁଲରେ ପାଠ ପଢ଼ୁଥିବା ତନୟା ସେଇଦିନୁ କେହି ନଥିଲା ବେଳେ ମାଟିରୁ ଟିକିଏ ନେଇ ମୁଣ୍ଡରେ ମାରେ, ଛାତିରେ ହାତ ଦେଇ ଖୋଜେ ସେଇ ନାରାୟଣଙ୍କୁ-। ଅନୁଭବ କରେ ଛାତି ଭିତରଟାର ଦୁକ ଦୁକ ଶବ୍ଦର ସ୍ଵରକୁ, କାନ ଡେରି ଶୁଣେ ସତରେ ସେଇ କ’ଣ ନାରାୟଣଙ୍କର ସ୍ଵର ? ହେଲେ ମୁହଁ ଗୁଞ୍ଜିବାକୁ ଥାନ ଟିକେ ପାଏନା । ଏକୁଟିଆ ଲାଗେ-।

 

ହଠାତ୍ ସେଦିନ ଚମିକି ପଡ଼ିଲା ତନୟା । ସ୍କୁଲରୁ ଫେରି ଦେଖିଲା ଘର ପାଖକୁ ଲାଗି ରାଧାମୋହନ ମନ୍ଦିର ଜଗମୋହନ ତଳେ ଛିଡ଼ା ହୋଇଚି ବୁଢ଼ୀମା । ଠାକୁର ଆଉ ତା ମଝିରେ ଗରୁଡ଼ ସ୍ତମ୍ଭଟି ଆଢ଼ୁଆଳ କରୁ ଥିବାରୁ ଏପଟ ସେପଟ କରି ବୁଲି ଠାକୁରଙ୍କୁ ଦେଖିଥିଲା ବୁଢ଼ୀଟି । ଘର ଭିତରକୁ ନପଶି ମନ୍ଦିର ପାଖକୁ ଗଲା ତନୟା । ବସ୍ତାନି ଥୋଇ ଦେଇ ଜଗମୋହନ ଉପରକୁ ଉଠିଯାଇ ଯୋଡ଼ ହସ୍ତରେ ଧାର ଧାର ଲୁହ ବୋଳା ଆଖିରେ ମନ୍ଦିର ଭିତରକୁ ଚାହୁଁଥିବା ମହିଳାଜଣଙ୍କୁ ଚାହିଁ ଆଶ୍ଚର୍ଯ୍ୟ ହେଲା ସେ । ଠିକ୍ ଦେଖିବାକୁ ତାର ବୁଢ଼ୀମା ପରି । ଯଦିଓ ମହିଳା ଜଣଙ୍କୁ ଆଗରୁ ଦେଖିଥିଲା ତେବେ ଏତେ ନିରେଖି ଦେଖି ନଥିଲା । ସତରେ ଯୋଡ଼ିଏ ମଣିଷ କ’ଣ ଏମିତି ଏକାପରି ଦେଖା ଯାଆନ୍ତି । ମନକୁ ମନ କହି ପକେଇଲା ଏ ତ ଆମଗାଁ ଭୋଇସାଇର ବାୟାଣୀ ବୁଢ଼ୀ । “ସତରେ ସେ ବୁଢ଼ୀ ବାୟାଣୀ ନୁହେଁ । ହେଲେ ଆଦରରେ ସେ ନାଁରେ ସମସ୍ତେ ତାକୁ ଡାକନ୍ତି । ତନୟାକୁ ଦେଖି ବୁଢ଼ୀ କହିଲା, “ମନ୍ଦିର କବାଟଟା ଟିକେ ଖୋଲିଦବ ମା ।” ତନୟା କହିଲା । “କାଇଁକି ଭିତରକୁ ଆସୁନ । ଏଇଠୁ ଠାକୁର ଭଲ ଦେଖାଯିବେ-।’’

 

ଜିଭ କାମୁଡ଼ି ପକେଇଲା ବୁଢ଼ୀ । “ସେକଥା କହନା ମା, ବାପା ତମର ରାଗିବେ, ଠାକୁର ବି ରାଗିବେ । ଆମ ଘରେ ଆମକୁ ମନ୍ଦିର ଯିବା ମନା ।’’ ସେଦିନ ଆଉ କିଛି କହି ନଥିଲା ତନୟା । କାହିଁକି ତା ବାବା ରାଗିବେ ? ଆଉ ପୁଣି ଠାକୁର ବି ରାଗିବେ । କଥାଟାକୁ ସେ ଆଦୌ ଗ୍ରହଣ କରି ନପାରିଲେ ବି ବାପା ଆଉ ଠାକୁରଙ୍କ ରାଗର ସାମ୍ନା କଲାଭଲି ଶକ୍ତି ନଥିଲା ତା’ର ।

 

ମନେ ମନେ ଭାବିଲା ବୋଉ ତ କହେ ମାଟି ଦେହରେ ନାରାୟଣ ମିଶିଲେ ମଣିଷ କଥା କହେ, ଚାଲେ, ବୁଲେ । ବୋଉକୁ ତା’ର ଦିନେ ସେ ପଚାରିଥିଲା । ଏ ପୃଥିବୀରେ କ’ଣ ଯେତେ ମଣିଷ ସେତେ ନାରାୟଣ ଅଛନ୍ତି ? ବୋଉ ସେଦିନ ହସି ହସି କହିଥିଲା, ନାରାୟଣ ଏକ ଆଉ ଅଭିନ୍ନ, ପଢ଼ିଲେ ଜାଣିବୁ । ହେଲେ ମନେ ରଖିଥିବୁ ସକଳ ଘଟେ ନାରାୟଣ । "ସେଦିନ ସେ ଥରେ ବାୟାଣୀ ବୁଢ଼ୀକି ଆଉ ଥରେ ରାଧାମୋହନ ଠାକୁରଙ୍କ ମୁହଁକୁ ଚାହିଁଲା । ଲାଗିଲା ଉଭୟେ ଯେମିତି କାନ୍ଦୁଛନ୍ତି । ପୁଣି ନିରିଖେଇ ଚାହିଁଲା ଠାକୁରଙ୍କ ମୁହଁକୁ ତାକୁ ଲାଗିଲା ଯେମିତି ସେଇ ସୁନ୍ଦର କଳା ଭଅଁର ପରି ଆଖିରେ ସାରା ପୃଥିବୀଟା ହଜିଯାଉଛି । ସମାନ ଦୃଷ୍ଟିରେ ଚାହିଁଛନ୍ତି ସମସ୍ତଙ୍କୁ ।

 

ମନକୁ ତାର ଘୋର ବାଧିଥିଲା ବାୟାଣୀ ବୁଢ଼ୀର କଥା । ବାରବାର ତାକୁ ଶୁଭି ଯାଉଥିଲା ସେ ମନ୍ଦିରକୁ ଆସିଲେ “ତା’ ବାପା ରାଗିବେ ପୁଣି ଠାକୁର ବି ରାଗିବେ ?” ସେଦିନ ମୁଣ୍ଡିଆ ମାରି ସାରି ବାୟାଣୀ ବୁଢ଼ୀ ଅପସରି ଗଲାପରେ ବି କେମିତି କେଜାଣି ତନୟା ନାମକ ନିରୀହା ବାଳିକାର ଛାତି ଭିତରୁ ସେ ଅପସରି ଯାଇ ନଥିଲା । ବୁଢ଼ୀମାର ଛବିଟି ତାକୁ ବାୟାଣୀ ବୁଢ଼ୀ ଭିତରେ ସବୁ ବେଳେ ଦେଖାଯାଏ । ଦେଖିଲେ ତା ସାଥିରେ କଥା ନହେଲେ ବି ଇଛାହୁଏ ଠାକୁରଙ୍କ ଜଗମୋହନରେ ତା ଛାତିରେ ମୁଣ୍ଡଗୁଞ୍ଜି ଦିଅନ୍ତା, ଆଉ ତାରି ଭିତରେ ବୁଢ଼ୀମାକୁ ଅନୁଭବ କରନ୍ତା । ହେଲେ ମନରେ ତା’ର ଢେଉ ପିଟୁଥିଲା ଯଦି ‘ସକଳ ଘଟେ ନାରାୟଣ’ ତେବେ ଏ ବିଭେଦ କାହିଁକି ? ଧୀରେ ଧୀରେ ବଡ଼ ହେଲେ ବି ମନରେ କେବେ ଏଭଳି ପ୍ରଥା ଭାଙ୍ଗିବାକୁ ସାହସ କରି ପାରି ନଥିଲା ତନୟା । ହେଲେ ଚିତ୍ରୋତ୍ପଳା ପାଣିର ଭଉଁରୀ ପରି କଥାଟା ସଦାବେଳେ ତା’ ମନରେ ଖେଳୁଥାଏ । ସମାଜ ବିଜ୍ଞାନର ଛାତ୍ରୀ ହିସାବରେ ନାଁ କଲା ପରେ ଯଦିଓ ସେ ଅନେକ ସଂଦର୍ଭ ଲେଖିଲା, ଉଚ୍ଚ ପ୍ରଶଂସିତ ହେଲା, ତଥାପି କେବେ ସଂସ୍କାରିକାର ଭୂମିକାକୁ ଓହ୍ଲେଇ ଯାଇ ପାରିନଥିଲା । ଚାରିପାଖରେ ଯେମିତି ଅଲଘ୍ୟ ହେଇ ଠିଆ ହେଇଥିଲା ସମାଜର ମେଘନାଦ ପାଚେରୀ ।

 

ଝଡ଼, ବର୍ଷା, ଆଉ ବନ୍ୟାର ଦାଉ ଭିତରେ ସେଦିନ ବହୁ କଷ୍ଟରେ ସେନାବାହିନୀର ଉଦ୍ଧାରକାରୀ ଢଙ୍ଗୀରେ ଦେଡ଼ାରି ଗାଁ ଦାଣ୍ଡ ଛୁଇଁଲା ତନୟା । ସହରରେ ରହିଯାଇଥିଲା ସେ । ଗାଁରେ ଥିଲେ ପରିବାରର ଅନ୍ୟମାନେ । ତା ଭିତରେ ପୁଣି ବଡ଼ ଭାଇର ଅନ୍ନପ୍ରାଶନ ହୋଇ ନଥିବା ଛୋଟପିଲାଟି । ବୁଢ଼ୀମା ଚାଲିଗଲାର ଦିନ କଥା ଖାଲି ମନେ ପଡ଼ୁଥାଏ ତନୟାର । ଆତଙ୍କିତ ଲାଗୁଥାଏ ମନ । କେବଳ ଗୋଟିଏ ପ୍ରତିଷ୍ଠିତ ଜାତୀୟ ଖବର କାଗଜର ସାମ୍ବାଦିକା ହୋଇଥିବାରୁ ସେନା ବାହିନୀର ଉଦ୍ଧାରକାରୀ ଡଙ୍ଗାରେ ନିଜ କାନ୍ଧ ବ୍ୟାଗରେ କେତେଟା ପାଉଁରୁଟି, ଲାକ୍ଟୋଜେନ୍ ଆଦି ନେଇ ଯିବାକୁ ସୁଯୋଗ ପାଇଥିଲା ସେ । ପାଣିର ମହା ସମୁଦ୍ର ଭିତରେ ବି ଚିହ୍ନି ପାରୁଥିଲା ନିଜ ଗାଁକୁ ତନୟା । ରାଧାମୋହନଙ୍କ ଜଗମୋହନକୁ ସିଧାଲାଗିଲା ଡଙ୍ଗାଟା । କେମିତି ଆସିଲୁ ମା !” ବୋଲି କହି ବୋଉ ତାର ଛିଡ଼ା ହେଇ ପଡ଼ିଲା ବେଳକୁ ଯେଉଁ ଦୃଶ୍ୟ ଦେଖିଲା ତା ତାକୁ ଚକିତ କରିଦେଲା । ପୁଲକିତ ବି କଲା “ମାଉସୀ ଠଣା ପଥୁରୀରୁ ତୁଳସୀ ଟିକିଏ ମୋ ଝୁଅ ହାତକୁ ଦେଲ, ଏ ପାଣି ତୋଡ଼ରେ ଜୀବନକୁ ପାଣି ଛଡ଼େଇ କେମିତି ଆସିଛି ସିଏ ? ଠାକୁର ତାକୁ ସାହା ହୋଇଛନ୍ତି ।” ମାଉସୀ ବୋଲି ଯାହାକୁ ତାର ବୋଉ ଡାକିଲା ଆଉ ଠାକୁରଙ୍କ ତୁଳସୀ ଆଣି ତା ପାଟିରେ ଯିଏ ଦେଲା ସେ ଆଉ କେହି ନଥିଲା ସେଦିନ ମନ୍ଦିର ଜଗମୋହନଙ୍କୁ ଉଠିବାକୁ ସଙ୍କୋଚ କରିଥିବା ଭୋଇ ସାଇର ବାୟାଣୀ ବୁଢ଼ୀ । ଯେତେ ଡାକିଲେବି ଠାକୁରଙ୍କ ମଣିଣ ଉପରକୁ ସେ ଉଠିନଥିଲା । କହିଥିଲା ଠାକୁର ରାଗିବେ, ତା ବାପା ରାଗିବେ ।

 

ହେଲେ ଆଜି କାଇଁତ କେହି ରାଗି ନାହାଁନ୍ତି । ବାପା ବରଂ ଥଟ୍ଟା କରି ବାୟାଣୀ ବୁଢ଼ୀ କି କହୁଥାନ୍ତି ‘କାଳେ ବଢ଼ି ପାଣି କି ନ ଡରି ଝିଅଟା ପଳେଇ ଆସିବ ବୋଲି ଠାକୁରଙ୍କୁ କେତେ ମନାସୁଥିଲୁ, ନେ ତୋ ନାତୁଣୀ କି ?

 

କାନ୍ଧ ବ୍ୟାଗରୁ କାଢ଼ି ବୋଉ ହାତକୁ ଲାକ୍ଟୋଜେନ୍ ଡବା ଦେଲା ବେଳେ ବୋଉ ଯାହା କହିଲା ତା ଆଶ୍ଚର୍ଯ୍ୟ କଲା ତନୟାକୁ । ଝଡ଼ି, ବର୍ଷା ଆଉ ବନ୍ୟା ରାତିରେ ବହୁତ କାନ୍ଦିଲା ଭାଇର ପୁଅଟା ଯେତେ ଯାହା କଲେ ବି ରାହା ବନ୍ଦ ହେଲାନି । ଅସହାୟ ହେଇ ପଡ଼ିଲେ ସମସ୍ତେ । ଠାକୁରଙ୍କ ଦ୍ଵାରଦେଶରେ ବୋଉ ମୁଣ୍ଡ ପିଟି ଦେଲା । ହେଲେ ସେଇ କାଳିଆ ଠାକୁରଙ୍କ ମୁହଁରେ ହସ ବଦଳିଲାନି ସେମିତି ହସୁଥାଆନ୍ତି । ରାଗ ଲାଗେ ଦୁନିଆଁର ଦୁଃଖ ଦେଖିଲେ ଓ ସେମିତି ଅବିଚଳିତ ହୋଇ ଠାକୁର ହସନ୍ତି ।

 

କିଛି ସମୟ ପରେ ଭାଉଜ କହିଥିଲେ ଥନରେ କ୍ଷୀର ନାହିଁ । ଶୁଖିଲା ଥନକୁ ରେକେଟି ଛୁଆଟା କାନ୍ଦୁଛି । ପାଖରେ ବି କ୍ଷୀର ଟୋପାଏ ନାହିଁ, ଛୁଆଟା ଚୁଡ଼ା, ମୁଢ଼ି, ଖାଇବ ନାଇଁ । କାନ୍ଦବୋବାଳି ପଡ଼ିଗଲା । ପଡ଼ିଶା ଘର ପିଣ୍ଡାରେ ବସିଥିଲେ ବାୟାଣୀ ବୁଢ଼ୀର ପରିବାରର ବୋହୂର ବି ଥିଲା ଛୋଟ ପିଲା । ଥନରେ ବହୁତ କ୍ଷୀର । ପରିସ୍ଥିତି ପ୍ରାୟ ସମସ୍ତଙ୍କୁ ଏକାଠି କଲା । ତା ଛାତିରୁ କ୍ଷୀର ପିଇ ଭାଇର ପୁଅ ବଞ୍ଚିଯାଇଛି । ଠାକୁର ବି ପ୍ରାୟ ସେଇଥିପାଇଁ ହସୁଥିଲେ । ମଣିଷ ଭିତରେ ଥିବା ନାରାୟଣଙ୍କୁ ଚିହ୍ନି ନ ପାରୁଥିବାରୁ ସେ ହସୁଥିଲେ । ଉଭେଇଯାଇଛି ବର୍ଣ୍ଣ, ଜାତି ବିଭେଦର ପାଚେରୀ । ବାୟାଣୀ ବୁଢ଼ୀକି କୁଣ୍ଢେଇ ଧରି ତନୟା ଲେଖୁଥିଲା ଆଗାମୀ କାଲିର ସମ୍ବାଦ । ଶୀର୍ଷକ ଥିଲା “ଅମୃତ ତନୟାର କାହାଣୀ ।

Image

 

ଚିରଞ୍ଜୀବୀ

 

ପ୍ରଧାନ ଶିକ୍ଷୟିତ୍ରୀ ସୁଲତା ଦେବୀ ସେଦିନ କିନ୍ତୁ ପିଲାଟି ପଛରେ ଯିବାର ଇଛାକୁ ସମ୍ବରଣ କରି ପାରିଲେ ନାହିଁ । ଠିକ୍ ଖେଳଛୁଟି ହେଲେ ପିଲାଟି ସ୍କୁଲ ଛାଡ଼ି ବାହାରକୁ ଚାଲିଯାଏ । ଏପଟେ ସ୍କୁଲରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଚାଲେ । ପିଲାଙ୍କ ପାଇଁ ସରକାରୀ ଯୋଜନାରେ ଖାଇବା ପ୍ରସ୍ତୁତ ହୋଇଥାଏ । ପିଲାମାନ ପତ୍ର ପକାଇ ଖାଆନ୍ତି । ସବୁପିଲାଙ୍କୁ ନିଜର ପରିବାର ବୋଲି ଭାବୁଥିବା ସୁଲତା ଦିଦି ଅଇଲା ବେଳେ ପିଲାଙ୍କ ମୁହଁଙ୍କୁ ଚାହାଁନ୍ତି । କାହା ପତ୍ରରୁ କିଛି ସରିଗଲେ ଆଉ ଟିକିଏ ଲଗେଇ ଦେବା ପାଇଁ କହନ୍ତି । ଏପରିକି ଘରୁ ଲେମ୍ବୁ, ଆଚାର ଆଦି ସାଥିରେ ଆଣି ପିଲାଙ୍କୁ ଖାଇଲାବେଳେ ଦିଅନ୍ତି । ସୁଲତା ଦିଦିଙ୍କର ସୁଗୁଣର ସୁଗନ୍ଧ ଚାରିଆଡ଼େ ପ୍ରସରି ଯାଇଥାଏ । ସବୁ ସହକାରୀ ଶିକ୍ଷକ, କର୍ମଚାରୀ ଏପରିକି ପାଚକ ପାଚିକାମାନଙ୍କ ପର୍ଯ୍ୟନ୍ତ ମିଳୁଥିବା ଚାଉଳ ଡାଲିକି ପଟାର ଭାଡ଼ି କରି ତା ଉପରେ ରଖନ୍ତି । ରାନ୍ଧିବା ଆଗରୁ ମଲାପୋକ ଚାଉଳ ଓ ଡାଲିରୁ ନିଜ ହାତରେ ବି ବେଳେବେଳେ ବାଛି ପକାନ୍ତି ।

 

ପିଲାଙ୍କ ଭିତରେ ଥିବା ଗୁଣକୁ ବିକାଶ କରାଇବାରେ ସେ ସିଦ୍ଧହସ୍ତା । ସବୁ ପିଲାଙ୍କ ଭିତରେ କିଛି ନା କିଛି ଗୁଣ ଥିବାରେ ସେ ବିଶ୍ଵାସ କରନ୍ତି । କାହାର ସାହିତ୍ୟ କି ବିଜ୍ଞାନରେ ଥିଲେ, କାହାର ଥିବ କୃଷି ଏପରିକି ଖେଳକୁଦରେ ।

 

ସ୍କୁଲକୁ ଲାଗି ରହିଥିବା କ୍ଵାଟର୍ସରେ ରହନ୍ତି ସୁଲତା ଦିଦି । ନିଜର ବୃଦ୍ଧ ଶାଶୁ ଶ୍ଵଶରୁଙ୍କୁ ସେବା କରିବାରେ ସେ ନିପୁଣା । ନିଜ କଥାକୁ କାମରେ ପାଳୁଥିବା ସୁଲତା କିନ୍ତୁ ଏକ ଭୟଙ୍କର ଲତାରେ ପରିଣତ ହୁଅନ୍ତି କେହି କିଛି ଅନ୍ୟାୟ କଲେ । ସ୍କୁଲ ଘରର କାମ ନିମ୍ନମାନର ବୋଲି କହି ସେ ଯେଉଁଦିନ ପ୍ରଭାବଶାଳୀ କଂଟ୍ରାକ୍ଟରମାନଙ୍କୁ ନିକାଲି ଦେଲେ ସେ ପାଲଟିଥିଲେ ଏକ ରଣଚଣ୍ଡୀ-

 

ସେଦିନ ସୁଲତାଙ୍କ ଆଖିରେ କିନ୍ତୁ ବାଦଯାଇନଥିଲା ସୁମନ ନାମକ ପିଲାଟି । ଭଲ ପଢ଼େ, କ୍ଲାସରେ ପ୍ରଥମ, ହୁଏ । କିନ୍ତୁ ଖେଳ ଛୁଟି ହେଲେ ନିରବରେ ପିଲାଟି ଯାଉଛି କୁଆଡ଼େ ? କିଛି ଦିନ ହେଲା ଲକ୍ଷ୍ୟ କରୁଛନ୍ତି ଯେ ସମସ୍ତଙ୍କ ଅଲକ୍ଷ୍ୟରେ ପିଲାଟି ଖେଳଛୁଟିରେ ବାହାରକୁ ଚାଲିଯାଉଛି ।

 

ଅନୁସରଣ କରି ସେ ଯେଉଁଠି ପହଞ୍ଚିଲେ ତା’ ଥିଲା ସୁମନଙ୍କ ଘର । ଜାଣିଥିଲେ ତାର ବାପା ଅକାଳରେ ଚାଲିଯାଇଛନ୍ତି । ଘରେ ମା’ ପୁଅ । ମା’ ବହୁ କଷ୍ଟରେ ପିଲାଟିକି ପାଠ ପଢ଼ାନ୍ତି । ନିଜର ଅଭାବ, ଦାରିଦ୍ର୍ୟକୁ ନେଇ କେବେ ସୁମନକୁ ବିରସ ହେବାର କେହି ଦେଖି ନାହାନ୍ତି । କିନ୍ତୁ ମଧ୍ୟାହ୍ନ ଭୋଜନ ପରିବେଷଣ ହେବାର ବେଳ ହେଲେ ସୁମନ ବିରସ ଦେଖାଯାଏ । କ’ଣ ଭାବିଲା ପରି ଲାଗେ । ନୁଆଣିଆଁ ଆଜବେଷ୍ଟସ୍ ତଳେ ସଜା ହୋଇ ରଖିଥିବା ଡେକଚି କଡ଼େଇ କି ଚାହେଁ । ଏପରିକି ଯଦି କେବେ ଘୋଡ଼ାହୋଇ ନଥାଏ ତେବେ ପାଖରୁ କଦଳୀପତ୍ରଟାଏ ଆଣି ଘୋଡ଼େଇ ଦିଏ ।

 

ସୁମନ କ’ଣ ତେବେ କିଛି ଦୀକ୍ଷା ନେଇଛି । କାହା ରୋଷେଇରେ ନଖାଇବାର କ’ଣ କିଛି କାରଣ ଅଛି ସେଇ ଦୀକ୍ଷାରେ ଏମିତି ଅନେକ କିଛି ଭାବି ମୁକୁଳା ପଡ଼ିଥିବା ଦାଣ୍ଡ ଦୁଆର ଡେଇଁ ଘର ଭିତରକୁ ଗଲେ ସୁଲତା । ସିଲଭର ଥାଳିରେ ଭାତ ଆଉ ସାଥୀରେ ଆଉ କ’ଣ ଟିକିଏ-। ତୁଛା କହିଲେ ବି ଚଳିବ । ଆଶ୍ଚର୍ଯ୍ୟ ଲାଗିଲା ସୁଲତାଙ୍କୁ, ସ୍କୁଲରେ ତ ଭଲ ରୋଷେଇ ହୋଇଚି-। ତେବେ କ’ଣ ପାଇଁ ଏ ପିଲା ଘରକୁ ଚାଲି ଆସୁଚି । ଖାଇବା ପାଖରୁ ଦିଦିଙ୍କୁ ଦେଖି ଉଠିଯାଇଥିଲା ସୁମନ । ହାତ ଧରି ବସେଇ ଦେଲେ ତା’କୁ । ସୁମନର ମା’ଙ୍କର ଚେହେରା ଥରିଲା ଭଳି ଦେଖାଯାଉଥିଲା । କ’ଣ ପାଇଁ ଦିଦି ତାଙ୍କ ଘରକୁ ଆସିଲେ । ସୁମନ କ’ଣ ସ୍କୁଲରେ କିଛି ଗଣ୍ଡଗୋଳ କରିଛି ? ନାଁ ପକେଇଲା ଭଳି କିଛି କାମ କରିଛି ? ବିବ୍ରତ ଦେଖାଯାଉଥିବା ମହିଳା ଜଣଙ୍କୁ ସୁଲତା ହସି ହସି ସୁମନ ସ୍କୁଲରେ ନଖାଇ ଖେଳ ଛୁଟିରେ ଘରକୁ ଆସୁଥିବାର କାରଣ ପଚାରିଲେ ।

 

ଘର କ’ଣରେ କିଛି ଖାଲି କାଗଜ, ଆଉ କିଛି ଠୁଙ୍ଗା ଅଧା ତିଆରି ଅବସ୍ଥାରେ ଅଛି । ସୁଲତାଙ୍କର ସ୍ପଷ୍ଟ ଧାରଣା ହେଲା ମା’ ତାର ଠୁଙ୍ଗା ତିଆରି କରୁଛନ୍ତି ନିଶ୍ଚୟ ! ବାରବାର ପଚାରିଲେ ପରେ ମହିଳା ଜଣଙ୍କ ବହିଟି ସୁଲତାଙ୍କ ହାତକୁ ବଢ଼ାଇ ଦେଲେ ତାହା ସୁମନର ସାହିତ୍ୟ ବହି । ନାଲି କାଗଜ ଖଣ୍ଡେ ଚିହ୍ନ ଦିଆଯାଇଛି ଗୋଟିଏ ପୃଷ୍ଠାରେ । ବହିଟି ଖୋଲି ଆହୁରି ଆଶ୍ଚର୍ଯ୍ୟ ହେଲେ ସୁଲତା । ଗଳ୍ପଟି ଉପରେ ନାଳି ଗାର ପଡ଼ିଛି କେତୋଟି ଧାଡ଼ିରେ । କିଛି ବୁଝି ନପାରି ସୁମନର ମୁହଁକୁ ଚାହିଁଲେ । କଇଁ କଇଁ ହୋଇ କାନ୍ଦି ଉଠିଲା ସୁମନ । କହ କାହିଁକି ସ୍କୁଲରେ ମଧ୍ୟାହ୍ନ ଭୋଜନ ନଖାଇ ଘରକୁ ଆସୁଛୁ ? ସୁଲତାଙ୍କର କଣ୍ଠ ଥିଲା କୋମଳ ଆଉ ଅନୁସନ୍ଧିତ୍ସୁ । ଗଳ୍ପଟିର ଓ ତା’ର ଏଇ ଆଚରଣ ସହ ସମ୍ପର୍କ କ’ଣ ?

 

ପାଠ ବହିର ଗଳ୍ପଟିକି ପୁଣିଥରେ ଚାହିଁଲେ ସୁଲତା ‘ଏବେ ମଧ୍ୟ ବଞ୍ଚିଛି ।’ ମଫସଲ ଗାଁର ରିଲିଫ କ୍ୟାମ୍ପରେ ଗୋଟିଏ କୋଣରେ ଛିଡ଼ା ହେଇଛି ବୃଦ୍ଧଟିଏ । କଙ୍କାଳସାର ଦେହରେ । ଅଭାବରେ ପଡ଼ି ସବୁଦିନେ ଆସୁଛି ହେଲେ ରିଲିଫ ବାବଦ ଚାଉଳ କି ଆଉ କିଛି ନେଉନାହିଁ । ଶେଷରେ କହିଛି ଗାନ୍ଧୀ ମହାତ୍ମାଙ୍କ କଥା । ବଞ୍ଚିଥିବା ଯାଏ ହାତ ନପତେଇବାର ଶପଥ ଏ ଦେଶ କରିଥିଲା । ଦେଶ ସ୍ଵାଧୀନ ହେଲା । ଲୋକେ ଗାନ୍ଧୀଙ୍କୁ ଭୁଲିଗଲେ । ରିଲିଫ ନେବା ପ୍ରାୟ ଏକ ଅଧିକାରରେ ପରିଣତ ହେଲା । କିନ୍ତୁ ଗାଁର ସେଇ ମଣିଷଟିଏ ଥିଲା ଅଲଗା । ରିଲିଫ ନେବା କି ସାହାଯ୍ୟ ନେବା, ତା ପାଇଁ ନଥିଲା ସମ୍ମାନ । ଗଳ୍ପଟିର ଉପସଂହାର କରି କଥାକାର ଲେଖିଛନ୍ତି ‘ଏବେ ମଧ୍ୟ ବଞ୍ଚିଚି, ବଞ୍ଚିବ ସ୍ଵାଭିମାନ, ଦେଶ ପ୍ରେମ । ’ କିନ୍ତୁ ଏ ଗଳ୍ପ ସହ ସୁମନର ସମ୍ପର୍କ କ’ଣ ? କଇଁ କଇଁ ହୋଇ ସୁମନ କହିଲା, ଆପଣ କ୍ଲାସରେ ଏଇ ଗପଟି ପଢ଼େଇଲା ବେଳେ ଆପଣଙ୍କ ଆଖିରୁ ଲୁହ ଗଡ଼ିଯାଇଥିଲା । ଆପଣ କୋହଭରା ତୁଣ୍ଡରେ କହୁଥିଲେ ‘ଦେଶ ଏବେବି ଖୋଜୁଛି ସେଇ ମଣିଷମାନଙ୍କୁ, ଯେଉଁମାନେ ନିଜ କର୍ମ ଉପରେ ବିଶ୍ଵାସ କରୁଥିବେ ।” ସୁମନ କଥା ଯୋଡ଼ିଲା, “ମତେ ଲାଗିଲା ଆପଣ ଖାଲି ଏକଥା କଥାରେ କହୁନାହାନ୍ତି, କାମରେ ବି ପାଳୁଛନ୍ତି । ସରକାର ଦେଇଥିବା ସାହାଯ୍ୟକୁ କାଇଁ ଗ୍ରହଣ କରିବାକୁ ଇଛା ହେଲା ନାହିଁ ମୋର । ମା’ ମୋର ପରିଶ୍ରମ କରି ମତେ ଯାହା ଖାଇବାକୁ ଦଉଛି ତା’ ମୋ ପାଇଁ ଅମୃତ । ଆମେ ପରିଶ୍ରମ କରୁଛୁ... ।

 

ସାହାଯ୍ୟ ଆଣିବା ମା’ ପ୍ରତି ଅପମାନ । କେଉଁ ଏକ ଅଜଣା ଆବେଗରେ ସୁମନକୁ କୋଳରେ ଚାପି ଧରିଲେ ସୁଲତା । ନିଜ କାନ୍ଦର ଶବ୍ଦକୁ ଲୁଚାଇ ପାରିଲେ ନାହିଁ ସେ । ଅନୁଭବ କରୁଥିଲେ ‘ଏବେବି ବଞ୍ଚିଛି ଭାରତୀୟ ମଣିଷର ସ୍ଵାଭିମାନ । ସୁମନର ମଥାକୁ ଆଉଁସି ଦେଇ ସେ ଅନୁଭବ କରୁଥିଲେ ଚିରଞ୍ଜୀବୀ ହେଉ ପିଲାଟି । ବଞ୍ଚେଇ ରଖୁ ଏଇ ଚିନ୍ତନକୁ । ଅନ୍ଧାରିଆ ଘରଟା ଫର୍ଚ୍ଚା ଲାଗୁଥିଲା ସୁଲତାଙ୍କୁ ।

Image

 

ଆଇନାକୁ ପଛ କରି

 

ତାରକା ହୋଟେଲରେ ଚାଲିଥିବା ଆଲୋଚନାଚକ୍ରରେ ମଧ୍ୟାହ୍ନ ଭୋଜନ ବିରତି ହେଲା ପରେ ଆମେ ସମସ୍ତେ ଯେତେବେଳେ ଗରମ ଗରମ ସୁପ୍‍, କଟଲେଟ୍ ଆଉ ବିଶେଷ କରି ବନବାସୀ ଅଂଚଳରୁ ଅଣାଯାଇଥିବା ଦେଶୀ କୁକୁଡ଼ା ମାଂସର ମହ ମହ ବାସ୍ନାରେ ବିଭୋର ଥିଲୁ ସେତେବେଳେ ଦେଖିଲି ଆମ ଭିତରେ ରଚନା ନାହିଁ । ଏପଟ ସେପଟ ବୁଲି ଦେଖିଲି । ଭାବିଲି କାଳେ କୋଉଠି ଥିବ । ଇମ୍ପୋଟେଡ଼୍ ଡ୍ରାଏ ଫ୍ରୁଟ୍ ହାତରେ ଧରି ଲବିକୁ ଆସି ଦେଖିଲି କାଳେ ସେଠି ଥିବ ? ନା ସେଠିବି ନାହିଁ । ଅନ୍ୟ କେହି ତାର ଅନୁପସ୍ଥିତିକୁ ଅନୁଭବ କରି ନଥିଲେବି ମୁଁ ସ୍ପଷ୍ଟ ବାରି ପାରୁଥିଲି । ତା’ ସାଥିରେ ଆସିଥିବା ବନବାସିନୀ ମାଉସୀ ବି ନାହାନ୍ତି ।

 

ଆଜିର ଆଲୋଚନା ଥିଲା ସରଗରମ । “ଦାରିଦ୍ର୍ୟ, ସାମ୍ପ୍ରଦାୟିକତା ଓ ଜାତିବାଦ” ଉପରେ ଏହା ଏକ ଜାତୀୟ ଆଲୋଚନାଚକ୍ର । ଭାରତର ବହୁନାମୀ ଦାମୀ ବିଶ୍ଵବିଦ୍ୟାଳୟର ପ୍ରଫେସର, ବହୁ ବେସରକାରୀ ସଙ୍ଗଠନର ପ୍ରବକ୍ତା, ଜନବାଦୀ ସମାଜସେବୀଙ୍କଠାରୁ ଆରମ୍ଭ କରି ଅତ୍ୟୁଚ୍ଚ ସରକାରୀ ପଦବୀରୁ ଅବସର ନେଇ ସାମାଜିକ ଆନ୍ଦୋଳନରେ ଯୋଗ ଦେଇଥିବା ଅନେକ ବ୍ୟକ୍ତିତ୍ଵ, ନିର୍ବାଚନରେ ପରାଜୟ ପରେ ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରୁଥିବା କିଛି ରାଜନେତା ଆଉ ସାହିତ୍ୟରେ ଝଡ଼ ସୃଷ୍ଟି କରି ପାରୁଥିବା କିଛି ସାହିତ୍ୟିକଙ୍କୁ ନେଇ ଏ ଆଲୋଚନାଚକ୍ରଟି ଥିଲା ଗମ୍ଭୀର । ଆହୁରି ମଧ୍ୟ ଉପସ୍ଥିତ ଅଛନ୍ତି ଏହି ଆଲୋଚନା ଚକ୍ରର ଅନ୍ୟତମ ପ୍ରାୟୋଜକ ଭାବେ ଗୋଟାଏ ଦରିଆପାରି ଅନୁଷ୍ଠାନର ପ୍ରତିନିଧି । ଖୁବ୍‍ ଚିତ୍ତାକର୍ଷକ ଏଇ ହୋଟେଲଟିର ପରିବେଶ । ଆଜିକାର ଆଲୋଚନାଚକ୍ର ପାଇଁ ଗୋଟାଏ ନିଆରା ଢଙ୍ଗରେ ସଜାଇଛନ୍ତି ହୋଟେଲ କର୍ତ୍ତୃପକ୍ଷ । ହଲର ଚାରିପାଖରେ ଅନେକ ଆଦିବାସୀ ଚିତ୍ର । ସେମାନଙ୍କର ଜୀବନଧାରା ବେଶଭୂଷାକୁ ନେଇ ମଧ୍ୟ ଅନେକ ଛବି । ଆହୁରି ସୁଖଦ ଆଉ ଆକର୍ଷଣୀୟ ହେଉଛି ସ୍ଥାନୀୟ ଢଙ୍ଗରେ ପ୍ରସ୍ତୁତ ଦେଶୀ କୁକୁଡ଼ାର ତରକାରୀ । ଆଉ ଅନ୍ୟାନ୍ୟ ଜିନିଷ ତ ଏଠି ମିଳିବା ସାଧାରଣ ।

 

ମୁଁ ଏପଟ ସେପଟ ଚାହିଁ ଲବିରେ ଠିଆ ହୋଇଥିବା ବେଳେ ପଛପଟ କାନ୍ଧରେ କିଏ ହାତ ଥାପିଲା ବୋଲି ଚାହିଁଲା ବେଳକୁ ଠିଆ ହୋଇଛନ୍ତି ଏଇ ସେମିନାର୍ ପାଇଁ ଅର୍ଥ ପ୍ରଦାନକାରୀ ଦରିଆପାରି ସଂସ୍ଥାର ପ୍ରତିନିଧି । ଖୁସିରେ କହୁଥିଲେ, “ଆମର ଏସିଆ ଅଞ୍ଚଳର ମୁଖ୍ୟ ଆଜିର ସେମିନାର୍ ଓ ତା’ର ଉଦ୍‌ଘାଟନ ଢଙ୍ଗରେ ଅନେକ ଖୁସି । ଫଟୋ ସହ ଉଦ୍‌ଘାଟନ ଉତ୍ସବର ବିବରଣୀ ମୁଁ ତାଙ୍କୁ ମେଲ୍ କରିଥିଲି । ସେ ଏତେ ଖୁସି ଯେ ସେଇଟିକୁ ସବୁଆଡ଼େ ଫରୱାର୍ଡ଼ କରୁଛନ୍ତି । ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ । ବହୁତ ଇନୋଭେଟିଭ ଆଇଡ଼ିଆ” । ୟୁ.ଜି.ସି. ପ୍ଲାନିଂ କମିଶନ ଆଦି ନିଶ୍ଚୟ ଖୁସି ହେବେ । ସି.ଏସ୍.ଆର୍ ଫଣ୍ଡରୁ ଅର୍ଥ ଦେଉଥିବା କମ୍ପାନୀମାନେ ମଧ୍ୟ ଆଗାମୀ ଆଲୋଚନାଚକ୍ରମାନଙ୍କ ପାଇଁ ଅର୍ଥ ଦେବାକୁ ଆଗେଇ ଆସିବେ ।

 

ସମ୍ମାନଟିକୁ ଚିରାଚରିତ୍ର ଭାବେ ନେତା ମନ୍ତ୍ରୀ କିମ୍ବା ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ଦ୍ୱାରା ଉଦ୍‌ଘାଟନ କରାନଯାଇ, କରାଯାଇଛି ଜଣେ ବନବାସୀ ମହିଳାଙ୍କ ଦ୍ଵାରା । ଉଦ୍‌ଘାଟନ ପର୍ବ ଆରମ୍ଭରେ ଆୟୋଜକମାନଙ୍କ ତରଫରୁ ଘୋଷିକା ଘୋଷଣା କରିଥିଲେ “ଦେଶର ତୃଣମୂଳ ସ୍ତରରେ ଥିବା ମଣିଷ ସବୁଠାରୁ ବଡ଼, ସବୁଠୁଁ ସମ୍ମାନସ୍ପଦ । ଆଜି ସେହିପରି ଜଣେ ମହିଳାଙ୍କ ଦ୍ଵାରା ଏ ଆଲୋଚନାଚକ୍ରର ଉଦ୍‌ଘାଟନ କରାଇ ସେମାନଙ୍କ ପ୍ରତି ଆମର ଆନ୍ତରିକତା... ଘୋଷିକା ଏକଥା କହିଲା ବେଳେ କରତାଳି ଶବ୍ଦରେ ଗୃହ ଏତେ ଜୋରରେ କମ୍ପି ଉଠୁଥିଲା ଯେ ଅନ୍ୟ କଥା କିଛି ଶୁଭୁ ନଥିଲା । ଗଣମାଧ୍ୟମର କ୍ୟାମେରାର ଫ୍ଲାସ ଲାଇଟ୍‌ର ଚକ୍ ଚକ୍ ଭିତରେ ଝଲସି ଉଠୁଥିଲା ସଭାମଞ୍ଚ । ସୁନ୍ଦର ଡି.ଟି.ପି. କରି ଆଉ ଦାମୀ ଫୋଲଡ଼ରରେ ଭର୍ତ୍ତି ହୋଇଥିବା ପ୍ରେସନୋଟ୍ ବାଣ୍ଟି ଦିଆଯାଇଥିଲା ।

 

ଉଦ୍‍ଘାଟନ ପରେ ଯେତେବେଳେ ସେଇ ଉଦ୍‍ଘାଟିକା ବନବାସୀ ମହିଳାଙ୍କୁ କିଛି କହିବାକୁ କୁହାଗଲା କୋହ କୋହ କଣ୍ଠରେ ସେ କିଛି କହି ପାରିଲେ ନାହିଁ । ପାଟି ଖୋଲିଲେ ବି ଶବ୍ଦ ନଥିଲା । ଆଖିରୁ ଟପ କରି ଲୁହ ବୁନ୍ଦା କେତେଟା ଖସି ପଡ଼ିଲା ବେଳେ ପ୍ରଫେସର ଯୋଶୀ ଉଠି ପଡ଼ି କହିଲେ “ବନବାସୀମାନଙ୍କୁ ଆଜି ଏଠି ଗୁରୁତ୍ଵ ଦିଆଯାଇଥିବାରୁ ସେ ଖୁସି, ଅଭିଭୂତ । ଖୁସିରେ ତାଙ୍କର ବାକ୍‍ରୁଦ୍ଧ ହୋଇଯାଇଛି । ପ୍ରଫେସର ଯୋଶୀ ଏକଥା କହିଲାବେଳେ ମହିଳା ଜଣକ ମାଇକ୍ରୋଫୋନ୍ ସାମନାରୁ ଟିକିଏ ଘୁଞ୍ଚିଯାଇ ତାଙ୍କ ପାଇଁ ମାଇକ ସାମନାଟି ଛାଡ଼ି ଦେଲେ-। କରତାଳି ଦେଇ ସମସ୍ତେ ପ୍ରଶଂସା କରୁଥାଆନ୍ତି ଏଇ ନିଆରା ଢଙ୍ଗକୁ । ପ୍ରଫେସର ଯୋଶୀ ଏଇ ସେମିନାରର ଅନ୍ୟତମ ପୃଷ୍ଠପୋଷକ ଭାବେ କହୁଥାଆନ୍ତି “ଆମେ ଆଜି ସମସ୍ତଙ୍କର ଆଖି ଖୋଲି ଦେଇଛୁ...’’ ।

 

ଆଜିର ଏଇ ବର୍ଣ୍ଣାଢ଼୍ୟ ଆଲୋଚନାଚକ୍ର କାହାର ଆଖି ଖୋଲୁକି ନ ଖୋଲୁ ମତେ କାଇଁକି ମୋର ଆଖି ଖୋଲି ଦେଲାପରି ଲାଗୁଥିଲା । ଉଦ୍‍ଘାଟନ ପର୍ବରେ ଶୁଭ ପ୍ରଦୀପ ଜଳାଇଲା ବେଳେ ଅନ୍ୟତମ ଆୟୋଜକ ଭାବେ ସେଇ ଭଦ୍ର ମହିଳାଙ୍କ ପାଖରେ ଠିଆ ହେବାର ସୁଯୋଗ ମୋତେ ମିଳିଥିଲା । ସେତେବେଳେ ବେକରେ ଶାଢ଼ି ଗୁଡ଼େଇ ଆଲୋକକୁ ପ୍ରଣାମ କରି ଗୁଣୁଗୁଣୁ ହୋଇ ସେ କହୁଥିଲେ “ଦୁନିଆର ସବୁ ଦୁଃଖ ଦୂରେଇ ଯାଉ ମା, ସବୁ ଦୁଃଖ ମତେ ଝାରି ଝୁରି ଦେ” । କାହାର ଶୁଣିବା ପାଇଁ ନିଶ୍ଚିତ ଏକଥା କହୁ ନଥିଲେ । ଆୟୋଜକମାନଙ୍କ ଭିତରୁ ଜଣେ ହିସାବରେ ତାଙ୍କ ହାତକୁ ମହମବତୀ ବଢ଼େଇବାର ଭାର ମୋ ଉପରେ ଥିବାରୁ ମୁଁ ପ୍ରାୟ ତାଙ୍କ କଥା ଶୁଣି ପାରିଥିଲି । ନିର୍ବିବାଦରେ କୁହାଯାଇପାରେ ଏ ଥିଲା ତାଙ୍କର ଅନ୍ତରର ଭାଷା । ସେଇ କଥା କେଇପଦ ମୋତେ ଗୋଟାଏ ଦୂର ଅତୀତକୁ ଫେରେଇ ନେଇଥିଲା । ପିଲାଦିନେ ମୋ ଭାଇକୁ ବହୁତ ଜର ହୋଇଥିଲା ଆଉ ତା କଷ୍ଟ ଦେଖି ବୋଉ ତା ପାଖରେ ବସି କାନ୍ଦି କାନ୍ଦି କହୁଥିଲା, “ହେ କାଳିଆ ଠାକୁର ମୋ ପୁଅର ଜର ମତେ ଝାରିଝୁରି ଦେ, ମୁଁ ପାରିପୁରି ଶୁଏ, ତାକୁ ଟିକିଏ ଭଲ କରିଦେ ।” ଏଇ ମହିଳାଙ୍କ ପାଇଁ ଦୁନିଆଁର ସମସ୍ତେ ପ୍ରାୟ ନିଜର ପିଲାପିଲି ।

 

ସଭା ଭିତରେ ବି ଅନେକ ଲୋକ ଆମର ଏଇ ସାଧୁ ଉଦ୍ୟମକୁ ପ୍ରଶଂସା କରି ପକେଇଲେ, କିନ୍ତୁ ଆମେ ପ୍ରାୟ ଆଲୋଚନାଚକ୍ରଟିକୁ ନିଆରା କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଅତି ଚତୁରତାର ସହ ଏଇ ମହିଳା ଜଣଙ୍କୁ ଡାକିଥିଲୁ । ବିଜ୍ଞାପିତ କରିବାକୁ ଚାହିଁଥିଲୁ ସମାଜର ଅନ୍ତିମ ସ୍ତରରେ ଥିବା ମଣିଷମାନଙ୍କ ପ୍ରତି ଆମର ଦରଦ ଆଉ ଆନ୍ତରିକତା । ଖୁବ ସୁନ୍ଦର ଭାବରେ ମଧ୍ୟ ଏହାକୁ ଗ୍ରହଣ କରିଥିଲେ ସେମିନାରର ଦରିଆପାରି ଅର୍ଥଦାତା ।

 

ଡାଇନିଂ ହଲରେ ଜଣକ ପରେ ଜଣକ ପାଖକୁ ଯାଇ ଭଲମନ୍ଦ ବୁଝୁଛନ୍ତି ଅର୍ଥ ପ୍ରଦାନକାରୀ ସଂସ୍ଥାର ରାଜ୍ୟ ପ୍ରତିନିଧି ଜଣକ । ପୁଣିଥରେ ଆଖି ବୁଲେଇ ଦେଖିଲି ରଚନା ନାହିଁ । ଆହୁରି ବି ସେଇ ବନବାସୀ ମହିଳା ଜଣକ ନାହାନ୍ତି । ଆଶ୍ଚର୍ଯ୍ୟ ଲାଗିଲା, ଯଦି ଏଇ ଉଦ୍‌ଘାଟକ ଜଣକ କେହି ତଥାକଥିତ ନାମୀଦାମୀ ପ୍ରଭାବଶାଳୀ ବ୍ୟକ୍ତି ହୋଇଥାଆନ୍ତେ ତେବେ ତାଙ୍କ ଚାରିପାଖରେ ବୁଲି ଭଲମନ୍ଦ ବୁଝିବାରେ ବ୍ୟସ୍ତ ଥାଆନ୍ତେ ସମସ୍ତେ । କିନ୍ତୁ କିଛି କ୍ଷଣ ଆଗରୁ ମଞ୍ଚ ଉପରେ ବାରବାର ତାଙ୍କୁ ତାରିଫ କରୁଥିବା ଆୟୋଜକମାନେ ପ୍ରାୟ ଭୁଲିଯାଇଛୁ ତାଙ୍କୁ । ସମସ୍ତେ ହସ ଖୁସିରେ ମସଗୁଲ । ବରଂ ସବୁରି ମୁହଁରେ ଦେଶୀ କୁକୁଡ଼ାର ପ୍ରଶଂସା । ବଧେଇ ଜଣେଇ ଅନେକ ହୋଟେଲ୍ ସିଲେକ୍ସନକୁ ପସନ୍ଦ କରୁଥାଆନ୍ତି ।

 

ଖୁବ ଗମ୍ଭୀର ଭାବରେ ଗୋଟାଏ କୋଣରେ ଠିଆ ହୋଇଥାଆନ୍ତି ପ୍ରଫେସର ଯୋଶୀ ତାଙ୍କୁ ଘେରି ରହିଥାଆନ୍ତି ଅନେକ ଲୋକ ! ହାତ ପଛକୁ ଦେଇ ଚାହିଁ ଥାଆନ୍ତି ଅନୁସନ୍ଧିତ୍ସୁ ଆଖିରେ। ବହୁ ନାମକରା ଏଇ ସମାଜ ବିଜ୍ଞାନୀ ଉପସ୍ଥାପିତ କରିଛନ୍ତି ଭିତ୍ତି ପ୍ରବନ୍ଧ । ଅନେକ ସାରଣୀ, ଟିପ୍ପଣୀ ଟୀକା, ସାକ୍ଷାତକାର ମାନ ସ୍ଥାନ ଦେଇଛନ୍ତି । ଡଃ ଯୋଶୀ ଯେତେବେଳେ ଯେଉଁ ରାଜ୍ୟକୁ ଯାଆନ୍ତି, ସେ ରାଜ୍ୟରେ ଝଡ଼ ସୃଷ୍ଟି ହୁଏ । ଆଜିକାର ଆଲୋଚନାଚକ୍ରର ବିବରଣୀ ଯେତେବେଳେ ସକାଳ ଖବର କାଗଜରେ ବାହାରିବ ସରକାର ନିଶ୍ଚୟ ଚହଲିଯିବ । ଚମତ୍କାର ଭାବରେ ବର୍ଣ୍ଣନା କରାଯାଇଛି କେମିତି ଭାବରେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର କରାଯାଇଛି-। ପୋଲିସ କିପରି କୋହଳ ଦଫା ଲଗାଇଛି । ଧାର୍ମିକ ଭାବନା ଉପରେ ଆଘାତ ଲାଗିଛି-। ସମ୍ବିଧାନକୁ କେମିତି କରାଯାଇଛି ଅବମାନନା । ପୁଣି ପ୍ରଶାସନର ଅପାରଗତା, ସରକାରଙ୍କ ଚତୁର ନିରବତା । ବିଶ୍ଵସ୍ତରରେ ଆଦୃତ ତାଙ୍କର ନିବନ୍ଧ । କେତେବେଳେ କନ୍ଧମାଳ, କୋକ୍ରାଝରର କଙ୍କାଳ ପ୍ରାୟ ଜରାଜୀର୍ଣ୍ଣ ଅର୍ଦ୍ଧଉଲଗ୍ନ ବୁଭୁକ୍ଷୁମାନଙ୍କର ଚିତ୍ର ତ କେତେବେଳେ ରିଲିଫ କ୍ୟାମ୍ପରେ ଖୋଲା ଆକାଶ ତଳେ ସିଲଭର ତାଟିଆକୁ ଚାଟି ଚାଟି ଖାଉଥିବା ଶିଶୁର ଦୃଶ୍ୟକୁ ନେଇ ତା’ ସମୃଦ୍ଧ ।

 

ଭାରତର ଦଙ୍ଗା ଆଉ ଦାରିଦ୍ର୍ୟର ଚିତ୍ରକୁ ବିଶ୍ୱ ଦରବାରରେ ଉପସ୍ଥାପନା କରି ଆମପରି ପାଠୁଆ ମଣିଷମାନେ ତାରକା ହୋଟେଲରେ ଆଜିପରି ଖୁସି ମନାଇବାରେ ସିଦ୍ଧହସ୍ତ । ହସ ଲାଗିଲା, ଦାରିଦ୍ର୍ୟ ଜର୍ଜରିତ ଅଞ୍ଚଳରେ କାହାର ମୃତ୍ୟୁ ହେଲେ କିମ୍ବା ମରୁଡ଼ି କି ବିପର୍ଯ୍ୟୟ ପଡ଼ିଲେ ଆମର ନିବନ୍ଧ ଲେଖା, ସେମିନାର୍ ଆଦି ବଢ଼ିଯାଏ । ଆମେ ସବୁ ପାଠୁଆ ଲୋକେ ସଚେତନ ହୋଇଉଠୁ । ମୁକ୍ତ ଅଧିକାର, ମୁକ୍ତ ଚିନ୍ତନ ଆଦି ସାମ୍ବିଧାନିକ ଅଙ୍ଗୀକାରର ପୁରା ସୁବିଧା ନେଉ ! ୟୁ.ଜି.ସି., ପ୍ଲାନିଂ କମିଶନର ସେମିନାରକୁ ଆସିଲା ବେଳେ ଘର ଦୁଆରେ ମୋ ସ୍ତ୍ରୀ ହସି ହସି କହନ୍ତି ଗଉଡ଼ର ଗୁହାଳ ଧୋଇ ଆଉ ଚମଡ଼ା ବେପାରିର ବାହାଘର”, ମୁଁ ହସିଦେଇ ବାହାରିଯାଏ । ସାଥୀରେ କେତେବେଳେ ସୁନ୍ଦର ସୁନ୍ଦର ବ୍ୟାଗ ପୁଣି କେତେବେଳେ ମିଳିଥିବା ଜରିଘେରା ଆଦି ଦାମୀ ଫୁଲର ତୋଡ଼ା । ଏବେ ପୁଣି ଓଡ଼ିଶୀ ଚାଦର ମିଳିଲାଣି । କେତେବେଳେ ବଡ଼ ଲୋକଙ୍କ ଦସ୍ତଖତଥିବା ମାନପତ୍ରଟିଏ ବି ମିଳେ । ଆଜୀବନ ଜନସେବା ପାଇଁ ଏକ ଛୋଟିଆ ନିଦର୍ଶନଟିଏ ବୋଲି ପ୍ରଦାନକାରୀ ସଂସ୍ଥାମାନେ କହନ୍ତି । ନମ୍ରତାର ସହ ଆମେ ପରସ୍ପରର ଗୁଣଗାନ କରୁ । ଶାସନରୁ ଯିବା ପରେ ନିଜ କର୍ମକୁ ସିଲଟରୁ ପୋଛି ଦେଇ ଇନ୍ଦିରା ଗାନ୍ଧୀ ପାର୍କ ସାମନା ତୃତୀୟ ମହଲାକୁ ଚାହିଁ ସମାଲୋଚନାର ଝଡ଼ ସୃଷ୍ଟି କରୁଥିବା କ୍ଷମତା ବେପାରୀମାନଙ୍କୁ ସାଥୀରେ ନେଇ କେତେବେଳେ କେଉଁ ଚାଷୀ ଦୁଆରେ ତ ପୁଣି କେତେବେଳେ କେଉଁ ଧର୍ଷିତା ଦୁଆରେ ଲୁହ ଗଡ଼ାଉ । ଦଙ୍ଗା, ଅପମୃତ୍ୟୁ, ଧର୍ଷଣ ଆମ ପାଇଁ ଖରିଫ ଆଉ ରବି ଫସଲ ପରି । ଦାରିଦ୍ର୍ୟ ଆମ ପାଇଁ ଏକ ଫଳଗଛ ଭରା ବଗିଚା । ତାକୁ ନେଇ ଆମେ ସିନେମା କରି ପୁରସ୍କାର ପାଉ, ସନ୍ଦର୍ଭ ଲେଖି ରୋଜଗାର କରୁ କି ଲୁହ ଗଡ଼େଇ ରାଜଗାଦି ପାଉ ।

 

ମୋତେ ଅଧର୍ଯ୍ୟ ଲାଗିଲା । ରଚନା ଏତେବେଳେ ଯାଏ କାହିଁ ? ଉଦ୍‌ଘାଟନ କରିବାକୁ ଆସିଥିବା ବନବାସୀ ମହିଳା ବି ନାହାନ୍ତି । ଦୋଷୀ ଦୋଷୀ ଲାଗିଲା । ଆମ ବ୍ୟବହାରରେ ତ୍ରୁଟି ରହିଗଲା ପ୍ରାୟ । ମନକୁ କେତେ କଥା ଆସିଲା । ଲଞ୍ଚ ଟେବୁଲ, ପାଖକୁ ଆସିବାର ଥିଲେ ଆସି ସାରନ୍ତାଣି ।

 

ରଚନା, ଏକଦା ସମାଜ ବିଜ୍ଞାନରେ ମୋର ଛାତ୍ରୀ ଥିବା ରଚନାକୁ ଅନେକ ବର୍ଷ ପରେ ଭେଟିଥିଲି ଏଇ ଜାତୀୟ ସେମିନାରରେ । ଅବଶ୍ୟ ଇତି ମଧ୍ୟରେ ତା’ ବିଷୟରେ ବହୁତ ଶୁଣିଛି । ଲାଲ ପାଢ଼ୀର ଧଳା ବର୍ଡ଼ର୍ ଥିବା ଶାଢ଼ି ସାଥିରେ ଚନ୍ଦନର ବଳୟ ଭିତରେ ସିନ୍ଦୁର ବିନ୍ଦୁ ପିନ୍ଧିଥିବା ଝିଅଟାର ବ୍ୟକ୍ତିତ୍ଵ ଥିଲା ସ୍ଵତନ୍ତ୍ର । ହାତରେ ବୀଣା ନଥିଲେ ବି କଣ୍ଠରେ ବୀଣାର ସ୍ଵର ଆଜିକାର, ସେମିନାରକୁ ଉଦ୍‌ଘାଟନ କରିବାକୁ ଆସିଥିବା ଜନଜାତି ମହିଳାଙ୍କୁ ମାଳାଞ୍ଚଳରୁ ସାଥୀରେ ଆଣି ଆସିବାର ଦାୟିତ୍ଵ ତାକୁ ଆମେ ଦେଇଥିଲୁ ।

 

ଏକଦା ବାଣୀବିହାରରେ ମଜା କରି ଛାତ୍ରମାନେ କେଉଁ ଝିଅକୁ ଅଭିନେତ୍ରୀର ନାଁ ନେଇ ‘ଶ୍ରୀଦେବୀ' ବୋଲି ତ ପୁଣି ଆସିଥିବା ସହରର ନାଁ ନେଇ କାହାକୁ ‘ଜୟପୁରୀ ଖାଣ୍ଟି ସୁନା’ ବୋଲି ଚିଡ଼ାଉଥିଲେ । ହେଲେ ରଚନାକୁ ପଛରେ ମା’ ବୋଲି କହୁଥିଲେ । ସୌନ୍ଦର୍ଯ୍ୟର ସାମ୍ରାଜ୍ଞୀ ଏଇ ଝିଅଟା ମୁହଁରେ ତା’ ଅନ୍ତରର ସୌନ୍ଦର୍ଯ୍ୟଟା ଖୁବ୍‍ ସୁନ୍ଦର ଭାବରେ ସଦାସର୍ବଦା ବୋଳି ହୋଇ ଯାଇଥାଏ । କେହି ରୋଗରେ ପଡ଼ିଲେ ସେ ଅନିଦ୍ରା ହୋଇ ତା’ ସାଥୀରେ ରାତି କଟେଇ ଦିଏ । ଭିକାରୀ ଭିକାରୁଣୀମାନଙ୍କୁ ସେ ଦାରିଦ୍ର୍ୟ ରାକ୍ଷସ ବିରୋଧରେ ଲଢ଼ିବାର ବାଟ ଦେଖାଏ । ମଣିଷର ହାତକୁ ଜଗନ୍ନାଥ ବୋଲି କହେ । ତାଙ୍କର ଛୋଟ ପିଲାଙ୍କୁ ବହି ବସ୍ତାନି ଧରାଏ । ବାଣୀବିହାର ଛକରେ ପୋଲିସର ବର୍ବରତା ବିରୋଧରେ ତା’ର ଅନଶନ ଥିଲା ଏକ ଅନନ୍ୟ ଘଟଣା ।

 

ଶୁଣିଛି କନ୍ଧମାଳର ଏକ ଅଗମ୍ୟ ଅଞ୍ଚଳରେ ରହୁଛି ସେ । କିଛି ଦିନ ପାଇଁ ସେଇ ଅଞ୍ଚଳରେ ପ୍ରଶାସନିକ ଦାୟିତ୍ଵରେ ଥିବା ମୋର ଜଣେ ଛାତ୍ର ମତେ ଭେଟିଥିଲା ବେଳେ ତା’ ବିଷୟରେ କହୁଥିଲା । ବଡ଼ ଖୁସିରେ ସେ କହୁଥିଲା “ବେଳେବେଳେ ଏମିତି ମଣି କାଞ୍ଚନର ସଂଯୋଗ ହୁଏ ।” ରଚନା ଆଉ ତା’ର ସ୍ଵାମୀ ଏକାଠି ଅଭାବୀ ମଣିଷର ସେବାରେ ହଜିଯାଇଛନ୍ତି । ସ୍ଵାମୀ ଚାକିରି କଲେବି ସେଠୁ ବଦଳି ନାହିଁ । ବଦଳି ହେଲେ ବି ରିଲିଭର ଯିବାର ନାହିଁ । ରଚନା ଛୋଟ ଛୋଟ ପିଲାଙ୍କୁ ପାଠ ପଢ଼େଇବା, ପରିମଳ ସଚେତନତା, ବିଜ୍ଞାନର ପ୍ରୟୋଗ ଆଉ ସାମ୍ପ୍ରଦାୟିକ ସଦ୍‍ଭାବନା ଉପରେ କାମ କରୁଛି । ଲୋକମାନଙ୍କ ଉପରେ ବାହାରିଆ ଚିନ୍ତାଧାରା, ଜ୍ଞାନକୌଶଳକୁ ନଦି ନଦେଇ ତାଙ୍କ ପରମ୍ପରା, ଚଳଣି, ବିଶ୍ଵାସ ଉପରେ ଏକ ଆଲୋକିତ କନ୍ଧମାଳ ଗଢ଼ିବାର ପ୍ରଚେଷ୍ଟା କରୁଚି ।

 

ଆଜିକାର ସେମିନାରକୁ ଜଣେ ଅଗ୍ରଣୀ ବନବାସୀ ମହିଳାଙ୍କୁ ଉଦ୍‌ଘାଟକ ହିସାବରେ ଆଣିବାକୁ ରଚନାକୁ ଆମେ ଯେତେବେଳେ ଫୋନରେ ଅନୁରୋଧ କରିଥିଲୁ, ସେ ଖୁବ୍‍ ଖୁସି ହୋଇଗଲାପରି ଜଣା ପଡ଼ୁଥିଲା ତା’ ସ୍ଵରରୁ ।

 

ଆଜି କିନ୍ତୁ ସେମିନାରରେ ଆଲୋଚନା ହେବାକୁ ଥିବା ନିବନ୍ଧ ସୂଚୀରେ ତା’ର ନିବନ୍ଧର ନାମ ନଦେଖି ମୋ ପାଖକୁ ଯେତେବେଳେ ବୁଝିବା ପାଇଁ ଆସିଲା କିଛି ଉତ୍ତର ନଥିଲା ମୋ ପାଖରେ । ଥମଥମ ଆଖିରେ ମୁଁ ଯେତେବେଳେ ଅପ୍ରତିଭ ହୋଇ ତାକୁ ଚାହିଁଲି ମୋର ବ୍ୟସ୍ତତାକୁ ଦେଖି ସେ ସହି ପାରିଲାନି ପ୍ରାୟ ।” କହିଲା “ସାର ବ୍ୟସ୍ତ ହୁଅନ୍ତୁନି, ଡାକରେ ଲେଖାଟି ପଠାଇଥିଲି, କୋଉଠି ଡେରି ହୋଇଯାଇଥିବ ।’’

 

ତା’ ପରେ ତାର ବିଷୟ ବଦଳିଗଲା । ରଚନା ଫେରିଗଲା ତା’ ସିଟ ପାଖକୁ । ତା’ର ସମ୍ମାନାସ୍ପଦ ଶିକ୍ଷକଙ୍କୁ ବା ସେ ଅବିଶ୍ଵାସ କରିଥାଆନ୍ତା କେମିତି ?

 

ସତରେ କିନ୍ତୁ ରଚନାର ନିବନ୍ଧଟି ଡାକରେ ହଜି ନଥିଲା ବରଂ ପହଞ୍ଚିଥିଲା ଠିକଣା ସମୟର ଯଥେଷ୍ଟ ଆଗରୁ । କିନ୍ତୁ ବଡ଼ ବଡ଼ ପ୍ରଫେସର, ମାନବିକ ଅଧିକାରର ତୁଙ୍ଗ ପ୍ରବକ୍ତାମାନଙ୍କୁ ନେଇ ଗଠିତ ଚୟନ ମଣ୍ଡଳୀର ପସନ୍ଦ ହୋଇନି ଲେଖାଟି । କାରଣ ଅବଶ୍ୟ ନୁହେଁ ଯେ ଲେଖାଟି ନିମ୍ନମାନର । ଜଣେ ବରିଷ୍ଠ ଅଧ୍ୟାପକ ଚୟନ କମିଟିରେ ମତ ଦେଇଥିଲେ ଯେ ଆମକୁ ଧର୍ମ ଧର୍ମ ଭିତରେ ଥିବା ବିଭେଦକୁ ତୀବ୍ର ଭାବରେ ଦେଖାଇବାକୁ ହେବ । ସଂଖ୍ୟାଲଘୁଙ୍କ ଗୃହଦାହ, ଧର୍ମାନୁଷ୍ଠାନମାନଙ୍କ ଉପରେ ଆକ୍ରମଣ ଆଉ ରିଲିଫ କ୍ୟାମ୍ପର ଚିତ୍ରକୁ ବାରବାର ଉପସ୍ଥାପନା କରି ପାରିଲେ ସନ୍ଦର୍ଭର ଆଦୃତି ବଢ଼ିବ । ସହାବସ୍ଥାନ, ସମ୍ପର୍କ ଆଉ ଶାନ୍ତିର କଥା କହିଲେ ଆମକୁ ସଚେତନ ନାଗରିକ ସମ୍ପ୍ରଦାୟ ଗାନ୍ଧିବାଦୀ ମୌଳବାଦୀ ବୋଲି କହିବେ ।

 

କନ୍ଧମାଳର ରଚନାର ନିବନ୍ଧ ଥିଲା ଏକ ଗାଁର ଅନୁଧ୍ୟାନ । କନ୍ଧମାଳର ସିମନବାଡ଼ି ଗାଁର ହିନ୍ଦୁ, ମୁସଲମାନ ଖ୍ରୀଷ୍ଟିୟାନ ଦଙ୍ଗାର ପରିବେଶ ଭିତରେ ବି କିପରି ମାନବ ପ୍ରେମକୁ ଆବିଷ୍କାର କରି ଅଶାନ୍ତ ସାଗରରେ ଶାନ୍ତିର ହୁଲିଡ଼ଙ୍ଗାଟିଏ ବାହି ଚାଲିଛନ୍ତି ତା’ର କରିଥିଲା ବିଶ୍ଳେଷଣ । ତା’ରି ଭିତରେ ତିଆରି କରିଥିଲା ଏକ ଶାନ୍ତ ସମୃଦ୍ଧ କନ୍ଧମାଳ କ୍ରୋକ୍ରାଝର, କାଶ୍ମୀରର ମଡ଼େଲ୍ । ମହାନ ଶାସ୍ତ୍ରଜ୍ଞ ପଣ୍ଡିତ ଆନନ୍ଦ ଭରଦ୍ଵାଜଙ୍କୁ ଉଦ୍ଧାର କରି ପଚାରିଥିଲା “ଦେଶ ବିଭାଜନରେ ନା ଭାରତବାସୀଙ୍କୁ ମିଳିଛି ଈଶ୍ଵର, ନା ପାକିସ୍ଥାନବାସୀଙ୍କୁ ମିଳିଛନ୍ତି ଆଲ୍ଲା କିନ୍ତୁ ନେତାଙ୍କୁ ମିଳିଛି ମନ୍ତ୍ରିତ୍ଵ” । ସତରେ ଭୂଖଣ୍ଡବାସୀଙ୍କୁ ଉତ୍ତରାଧିକାରୀ ଭାବେ ମିଳିଛି ଚରମ ଦାରିଦ୍ର୍ୟ, ଆତଙ୍କବାଦ, ରକ୍ତପାତ, ନାରୀ ନିର୍ଯାତନା ଆଉ ମାନବଚାଲାଣ । ଅସ୍ତ୍ର ବେପାରୀଙ୍କୁ ଜୁଟିଛି ଗୋଟାଏ ବଡ଼ ଅସ୍ତ୍ର ବଜାର । ଖୁବ୍‍ ସୁଚିନ୍ତିତ ଭାବରେ କଳା ସାହେବମାନେ ଆମର ଦେଶୀ ବିହନ, ଦେଶୀ କୃଷିଧାରାକୁ ବିଲୋପ କରି କମ୍ପାନୀମାନଙ୍କ ହାତରେ ଟେକି ଦେଉଛନ୍ତି ଆମ ଭାତ ହାଣ୍ଡିକି । ପିନ ପୟୋଧରା ବ୍ରାହ୍ମଣୀକୁ କଳଙ୍କିତ କରିଛନ୍ତି ।

 

ରଚନାର ନିବନ୍ଧଟିକୁ ଆଲୋଚନାଚକ୍ରରେ ସାମିଲ କରିବା ଉଦ୍ଦେଶ୍ୟରେ ମୁଁ ଯେତେବେଳେ କହିଲି, “ସାମ୍ପ୍ରଦାୟିକତା, ଦାରିଦ୍ର୍ୟ ଆଉ ବିଭେଦର ଭୃଣକୁ ହତ୍ୟା କରିବାର ବାଟ ଦେଖାଇଛି ରଚନାର ନିବନ୍ଧଟି..... ” । ମୋ ପାଟିରୁ କଥା ଛଡ଼େଇ ନେଇ ଜଣେ ବିଶିଷ୍ଟ ପ୍ରଫେସର୍ କହିଲେ–“ସାର୍‍ ତାଙ୍କର କନ୍ୟାବତ୍ ଛାତ୍ରୀଟିର ଲେଖାଟିକି ପିଇଯାଇଛନ୍ତି ହେଲେ ସେ ଗାନ୍ଧୀଯୁଗ ଗଲାଣି । ଯେଉଁ ପ୍ରଧାନଶିକ୍ଷକ ଛାତ୍ରୀକୁ କନ୍ୟାବତ୍ ବୋଲି ଭାବୁଥିଲେ ସେ ଗଲେଣି । ଏବେ ପ୍ରଧାନଶିକ୍ଷକ ଛାତ୍ରୀକୁ ନେଇ ଫେରାର୍ । ପଢ଼ିଲେଣି ଆଜିର ଖବରକାଗଜ ? ଗ୍ଲାସରେ ଦାମୀ ଫଳରସ ଢାଳୁ ଢାଳୁ ହସି ଉଠିଲେ ଅନ୍ୟମାନେ । ବିଜ୍ଞ ବନ୍ଧୁମାନଙ୍କ ସାଙ୍ଗରେ ବିବାଦ ଯୋଡ଼ିବାକୁ ଚାହୁଁ ନଥିଲି ମୁଁ । ସେମିନାର୍ ପାଇଁ ଅର୍ଥ ଯୋଗାଇଥିବା ପ୍ରାୟୋଜକ ସଂସ୍ଥାର ପ୍ରତିନିଧି ସେତିକି ବେଳେ ଅତି ସନ୍ତର୍ପଣରେ କହୁଥିଲେ “ଆଉ ଗୋଟିଏ ସେମିନାର ପାଇଁ ଅର୍ଥ ମଞ୍ଜୁର ହୋଇଛି” ନିଆଁରେ ପାଣି ପଡ଼ିଲା ପରି ଥମିଗଲା ଆଲୋଚନା ।

 

ମନକୁ ବୁଝେଇ ନପାରି ରଚନାର ମୋବାଇଲ ଫୋନକୁ ରିଂ କଲି । ଶଙ୍କିଗଲା ସ୍ଵରରେ : ଉତ୍ତର ଆସିଲା “ସାର୍, ଆପଣଙ୍କୁ ବ୍ୟସ୍ତ ନ କରି ଚାଲି ଆସିଲୁ । ମାଉସୀ ତ ଉଦ୍‌ଘାଟନ କାମ ସାରି ଦେଇଛନ୍ତି ?” ରଚନା କ’ଣ ବୁଝିପାରିଥିଲା ଆମର ଉଦ୍ଦେଶ୍ୟକୁ ? ମନଟା ବ୍ୟସ୍ତ ହୋଇ ଉଠିଲା ।

 

“ତୁମେ କୋଉଠି ଅଛ କୁହ ?” ମୁଁ ଜାଣିଥିଲି ରଚନା ମିଛ କହିବ ନାହିଁ । ମୋର ଦୋଷୀ ମନ ବିବ୍ରତ ହୋଇ ଉଠିଲା । ରଚନା କ’ଣ ଅପମାନିତ ବୋଧ କରି ଚାଲିଗଲା ? ମୋର ତା’ ଉପରେ ଥିବା ବିଶ୍ଵାସକୁ ଅତୁଟ ରଖି ରଚନା ଉତ୍ତର ଦେଲା “ନାଲକୋ ଛକରେ ।” ତା’ ପରେ ମୁଁ ଯେଉଁଠି ରଚନା ଆଉ ଉଦ୍‌ଘାଟନ କରିବାକୁ ଆସିଥିବା ବନବାସିନୀ ମହିଳାଙ୍କୁ ଆବିଷ୍କାର କଲି ତା’ ଥିଲା ଗୋଟିଏ ଛୋଟିଆ ହୋଟେଲ । ମୋତେ ଅପେକ୍ଷା କରି ଠିଆ ହୋଇଥିଲେ ସାମନାରେ-। ମତେ ଦେଖି ଚୋରଣୀ ଆଖିରେ ଟିକିଏ ହସିଦେଲା ସେ । ଠିକ୍ ଯେମିତି ଘରେ ଲୁଚେଇ ଲୁଚେଇ ଖଟା ବୋତଲରୁ ଖଟା ଖାଉଥିବା ମୋ ଝିଅଟା ଆମ ଆଖିରେ ଧରାପଡ଼ିଗଲା ପରେ ହସେ ।

 

ତାରକା ହୋଟେଲର ବ୍ୟଞ୍ଜନ ଉପରେ ସମସ୍ତଙ୍କର ଲୋଭ । ବରଯାତ୍ରୀଙ୍କୁ ଚର୍ଚ୍ଚା କଲାପରି ଚର୍ଚ୍ଚା ଆଗନ୍ତୁକମାନେ ପାଆନ୍ତି । ଆମ ଫଣ୍ଡିଙ୍ଗ ଏଜେନସିର ଏଠି ଖୁବ୍‍ ଖାତିର । ବାରବାର ଏଠି ତାଙ୍କର ସେମିନାର୍ ହୁଏ । ପ୍ରଫେସର୍ ଯୋଶୀ ଏଠି ସବୁବେଳେ, ବିଶେଷ ଚର୍ଚ୍ଚା । ହେଲେ ରଚନା ଆଉ ମାଉସୀ ସେଠିକାର ପରିବେଶ ଛାଡ଼ି ଚାଲି ଆସିଲେ କାହିଁକି ?

 

ଉତ୍ତରରେ ରଚନା କହିଲା, “ସାର ସେଇ ଅଞ୍ଚଳର ଅଭାବ ବିଷୟରେ ଆମେ ଅନୁଭବ କରିନେ । ସେମାନେ ତରକାରୀ କ’ଣ ଜାଣନ୍ତି ନାଇଁ । କହନ୍ତି ଏସବୁ ରଜାପୁଅର ଦରବ । ମାଉସୀଙ୍କର କିଛି ଜମିବାଡ଼ି ଅଛି । ହେଲେ ନିଜ ଅଞ୍ଚଳର ଲୋକେ ଯାହା ଖାଆନ୍ତି ସେୟା ଖାଆନ୍ତି-। ପଚାରିଲେ କିଛି କହନ୍ତିନି, ହସି ଦିଅନ୍ତି । କିଏ ମିଠାଟାଏ ଦେଲେ ଆଖିରୁ ଟପ୍ ଟପ୍ ଲୁହ ଗଡ଼ିପଡ଼େ । ଅତି ପଚାରିଲାରୁ ଥରେ କହିଲେ ମା’ଟିଏ ଛୁଆକୁ ମିଠାଟାଏ ଦବାକୁ ନପାରିଲା ବେଳେ ମୁଁ ନିର୍ଲଜୀ ହେଇ କେମିତି ମିଠାଟାଏ ଖାଇବି ?” ଅତି ପଚାରିଲାରୁ ମୋ ମୁଣ୍ଡରେ ହାତ ବୁଲେଇ ଆଣି କାହା ଆଗରେ ନ କହିବାକୁ କହି କହିଲେ ‘‘ତୁ କୁବେରପୁରୀର ଝିଅ, ଅଭିଶାପ ପାଇଲା ପରି ଏଠି କାଇଁକି ରହିଛୁ ?” ତା ପରଠୁଁ ଦାମୀ ଖାଇବାଠାରୁ ରଚନା ଦୂରେଇ ଯାଇଛି ବୋଲି ଶୁଣିଲା ପରେ ଲାଗିଲା ଥଟ୍ଟାରେ ସିନା ବାଣୀବିହାରରେ ତାକୁ ପିଲେ ମା’ ବୋଲି ଡାକୁଥିଲେ ହେଲେ ଆଜି ମୋର ତାକୁ ମା' ବୋଲି ଡାକିବାକୁ ମନ ହେଉଛି ।

 

ମୋବାଇଲ ଫୋନ୍‌ର ରିଂ ଶୁଣି ଉଠେଇଲା ପରେ ଅପର ପକ୍ଷରୁ ଜଣେ ସାଥୀ ପ୍ରଫେସର କହୁଥିଲେ “ଆରେ ଗଲୁ କୁଆଡ଼େ ? କ’ଣ ଛାତ୍ରୀକୁ ନେଇ ଫେରାର ହୋଇଗଲୁନା କ’ଣ ? ବିଭତ୍ସ ହସ ଶୁଭୁଥିଲା ଆରପଟରୁ ।

 

ଯିବାବେଳେ ରଚନା ଯେତେବେଳେ ମୋ ପାଦଧୂଳି ନେଇ ଅଟୋରେ ବସିଲା ମୁଁ ସେତେବେଳେ ଭାବୁଥିଲି ସତରେ ମୁଁ ଫେରାର ହୋଇଯାଇଛି । ଆଇନାକୁ ପଛକରି ବସିଥିବା ମୋ ପରି ମଣିଷମାନଙ୍କର ଆଇନାକୁ ଚାହିଁବାର ସାହସ ନାହିଁ ।

Image

 

ନିର୍ବାସିତ ଦେବଶିଶୁ

 

ଏପର୍ଯ୍ୟନ୍ତ ସ୍ଵାମୀଙ୍କ ମୁକ୍ତି କଥା ଚିନ୍ତା କରୁଥିବା ଗୁଡ଼ିଆ କିନ୍ତୁ ହଠାତ୍‍ ନିଜ ବିଷୟରେ ସଚେତନ ହୋଇ ଉଠିଲା । ତା’ ଭିତରେ ଥିବା ନାରୀଟି ଆତଙ୍କିତ ହୋଇ ଉଠିଲା । ନିଜକୁ ଚାହିଁଲା-! ନାରୀର ସବୁଠାରୁ ମୂଲ୍ୟବାନ ସମ୍ପଦ ପ୍ରାୟ ଦେହ । ଏଇଥିପାଇଁ ଅତୀତରେ କେତେ ଯୁଦ୍ଧ ଲାଗିଚି, ରକ୍ତପାତ ହେଇଛି ଅବା ଏଇ ଦେହଟି ପାଇଁ ପ୍ରାୟ ସେ ଘର କୋଣରେ ଆଶ୍ରୟ ନେଇଚି-। ଚମକି ପଡ଼ିଲା ସେ । ଚାରିପାଖରେ କଳା କଳା ମୁଖାପିନ୍ଧା ବନ୍ଧୁକଧାରୀ ମଣିଷ । ପୁଣି ଥରେ ସମସ୍ତଙ୍କୁ ଚାହିଁଲା । କଳାକନା ଘେରା ମୁହଁ ଭିତରୁ ରଡ଼ନିଆଁ ପରି ଆଖିଗୁଡ଼ାକ ଦିକ୍ ଦିକ୍ କରୁଛନ୍ତି-। ଗୁଡ଼ିଆକୁ ଲାଗିଲା ଏଇ ମାତ୍ର ତାକୁ ଜଳେଇ ଦେବେ ଅବା କୁରୁସଭା ପରି... ।

 

ନିଶ୍ୱାସ ବନ୍ଦ ହେଇଗଲା ପରି ଲାଗିଲା ତାକୁ । ସାମନାରେ ସେଇ ଡକାୟତ ଦଳର ସର୍ଦ୍ଦାର । ଗଛତଳେ ଖଟଟା ଉପରେ ଗୋଡ଼ହାତ ଲମ୍ବେଇ ବସିଚି । ଅପଲକ ଆଖିରେ ତାକୁ କେବଳ ଚାହିଁଚି । ଆଖିରେ ଆଖି ମିଶିଗଲା ପରେ, ଆଖି ଫେରେଇ ପାରିଲାନି ଗୁଡ଼ିଆ । କେବଳ ପଣତଟାକୁ ମେଞ୍ଚାକରି ମୁହଁରେ ଚାପି ଧରିଲା ।

 

ଅନାଗତ ଆଶଙ୍କାରେ ମନେ ମନେ ଶିହରି ଉଠି ବାରି ପାଖକୁ ଚାହୁଁଥିଲା ଗୁଡ଼ିଆ । ସେ ଚିତ୍କାର କଲେ ବି ଏଠି ଶୁଣିବାକୁ କେହି ନାହାନ୍ତି । ତାକୁ ଦେଖା ଯାଉଥିଲା ଖାଲି ପାହାଡ଼ । ଘଞ୍ଚ ଗଛରେ ଭରା । ଜନପଦକୁ ବହୁତ ପଛରେ ପକେଇ ଆସିସାରିଚି ସେ । ଅଧାଦିନ ହେଲା ସେ କେବଳ ଏଇ ବନ୍ଧୁକଧାରୀ ମୁଖାପିନ୍ଧା ମଣିଷଗୁଡ଼ାକ ସାଥୀରେ ଚାଲିଚି । ଲୁଗା ଅଧା ଟେକି ପାହାଡ଼ି ନଦୀର ଧାରକୁ ପାରି ହେଉଛି ତ ପୁଣି ଦିନରେ ବି ରାତି ପରି ଲାଗୁଥିବା ବାଟରେ ଚାଲିଚି-। ବେଳେବେଳେ ମୁହଁ ତଳକୁ କରୁଥାଏ ତ ପୁଣି ମୁହଁ ଉପରକୁ ଉଠେଇ ସେଇ ସର୍ଦ୍ଦାରର ମୁହଁକୁ ଚାହିଁ ବାଘ ପଞ୍ଝା ଭିତରେ ହଜିଯିବା ଆଗରୁ ହରିଣୀଟି ଚାହିଁଲା ପରି ଚାହୁଁଥାଏ ।

 

ତା’କୁ ଲାଗିଲା ଏଇ ନିର୍ଜନ ପରିବେଶରେ ସର୍ଦ୍ଦାର ତାକୁ କୋଉ ଗୁମ୍ଫା ଭିତରକୁ ଟାଣିନେଉଚି ଆଉ ତା’ର ସେଇ ଶକ୍ତ ହାତ ଭିତରୁ ସେ ମୁକୁଳେଇ ପାରୁନି ନିଜକୁ । ପିଲାଦିନେ ପଢ଼ିଥିବା ଗପସବୁ ତାକୁ ହଠାତ୍ ସତପରି ଲାଗିଲେ । କୋଉ ଏକ ରାକ୍ଷସ ବନ୍ଦିନୀ କରିନେଇଚି ରାଜକୁମାରୀକୁ ! ଜଙ୍ଗଲ ଭିତରେ କେଉଠି ରଖିଚି । ବିଭା ହବାକୁ ମନ ବଳେଇଛି, ହେଲେ ରାଜକୁମାରୀ କହିଛି ମୁଁ ଏବେ ବ୍ରତ ପାଳୁଛି । ଅପେକ୍ଷା କର । ଅପେକ୍ଷା କରିଚି ରାକ୍ଷସ ! ଚମକି ପଡ଼ିଲା ଗୁଡ଼ିଆ । ନା, ସେ ସବୁ ଗପ । ସତ ତା ଆଖି ଆଗକୁ ଆସିଲା । ଅହରହ ସେ ଟେଲିଭିଜନ ପରଦାରେ ଦେଖୁଚି । ନାରୀଟିଏ ଏକୁଟିଆବେଳେ ସଭ୍ୟ ସମାଜର ରାଜରାସ୍ତାରେ ହେଉ କି ହୋଟେଲ ରେସ୍ତୋରାଁ ଅବା ଅଫିସ ଭିତରେ ବି ସୁରକ୍ଷିତ ନୁହେଁ ।

 

ଏଇଟା ତ ଜଙ୍ଗଲ ! ଏଠି କେହି ଶୁଣିବାକୁ ନାହିଁ । ତାକୁ ଲାଗୁଥିଲା ଅମଣିଷମାନଙ୍କର ଜାଲରେ ପଡ଼ିଯାଇଚି ସେ । ଏମାନେ ତାକୁ କେବଳ ଭୁଲେଇ ନେଇ ଆସିଛନ୍ତି । ବିଶ୍ଵାସ କରି ଭୁଲ କରିଚି ସେ । ପଛକୁ ରାସ୍ତା ଅନେକ ଦୂର ।

 

ହଠାତ୍ ଭାବିଲା ସେ ଦେବୀ ଦୂର୍ଗାଙ୍କ ପରି ନାରୀଟିଏ ପାଲଟି ଯାଆନ୍ତା କି ? ତାର ଭୁବନମୋହିନୀ ରୂପରେ ପାଗଳ ହୋଇଥିବା କାମାନ୍ଧ ରାକ୍ଷସକୁ ହତ୍ୟା କରନ୍ତା ତ୍ରିଶୂଳ ମୁନରେ ! ରାଗ ଆସୁଥିଲା ମନରେ । କାହିଁକି ସେ ଏ ଜଙ୍ଗଲ ଭିତରକୁ ଆସିଲା । ନିଜ ଦେହ ପାଇଁ ନାରୀ କାହାକୁ ବିଶ୍ଵାସ କରିବା କଥା ନୁହେଁ । ତା’ କାନରେ ପିଟି ହଉଥିଲା ତା’ ଅଫିସ ସାଥୀ ସୀମାର କଥା ।

 

ଗୁଡ଼ିଆ ଆଖିରେ ତା’ ଅଫିସର ମୁଖ୍ୟ ଥିଲେ ଦେବତା ପରି । ଏଇ ମଧ୍ୟ ବୟସ୍କ ଉଚ୍ଚ ଡିଗ୍ରୀଧାରୀ ମଣିଷଟି ଅସମ୍ଭବ ଭାବରେ ଭଦ୍ର । ସହରର ସବୁ ଧର୍ମ ପ୍ରବଚନ ସଭାରେ ତାଙ୍କର ସ୍ଥାନ ଆଗଧାଡ଼ିରେ । ଯଦି କେହି ଗୈରିକ ବସନଧାରୀ ସହରରେ ପହଞ୍ଚିଲେ ତା ହେଲେ ଖୋଜାପଡ଼େ ତାଙ୍କୁ । ସାଥୀ ପୁଣି ତାଙ୍କର କେତେ ଉଚ୍ଚ ପଦବୀର ବ୍ୟକ୍ତି । କାହିଁ କାହିଁ ଇଂଜିନିୟର, ଅଧ୍ୟାପକ ପୁଣି ରାଜନେତା । ସମସ୍ତେ ଭଦ୍ର । ଗୁଡ଼ିଆକୁ ଗଛରୁ ପଡ଼ିଲା ପରି ଲାଗିଥିଲା । ଯେଉଁଦିନ ସେ ଶୁଣିଥିଲା ତାର ସହକର୍ମୀ ସୀମାର କଥା । ନିରୋଳାରେ ତାକୁ ସେ ଡକାଉଥିଲେ ରୁମକୁ । ପ୍ରତିଭା ଆଉ କ୍ଷମତାର ଅଧିକାରୀ ପୁରୁଷମାନଙ୍କ ପ୍ରତି ନାରୀମାନଙ୍କର ଥାଏ ସମ୍ମାନ ! ସେଇ ଭାବନାରେ ତାର ସାଥୀ ସୀମା ପ୍ରାୟ ତାଙ୍କ ପାଖକୁ ଏକୁଟିଆ ଯିବାର ସାହସ କରିପାରୁଥିଲା । ହେଲେ ସେଦିନ ଛୁଟିପରେ ଏକ ଅଘଟଣ ଘଟିଲା । ସୀମାକୁ ବଳାତ୍କାର କଲେ ସେଇ–ଅଫିସର ମୁଖ୍ୟ । ପ୍ରତିବାଦ କରିପାରିଲାନି ସେ ! ବାରବାର ତାକୁ ଧର୍ଷଣ କରି ଚାଲିଲେ ସେଇ ଭଦ୍ରବ୍ୟକ୍ତି ଜଣକ । ହାତରେ ତାଙ୍କର ସୀମାର ଅର୍ଦ୍ଧନଗ୍ନ ଫଟୋ ! ତା’ର ଅଜାଣତରେ ଉଠେଇ ରଖିଛନ୍ତି । ସୀମାକୁ ସବୁବେଳେ ଭୟ ଦେଖାନ୍ତି, ତାଙ୍କ କଥାରେ ନ ଚାଲିଲେ ନଗ୍ନ ଫଟୋକୁ ବାହାରେ ପ୍ରକାଶ କରିଦେବେ ।

 

ସେମାନେ ତ ସଭ୍ୟ ସମାଜର ମଣିଷ । ଆଖିରୁ ଅଜାଣତରେ ଲୁହଧାର ଗଡ଼ିଆସି ଓଠରେ ପଡ଼ିଲା । ତାକୁ ଲାଗିଲା ସେ ନିରୁପାୟ ହେଇ ଯାଇଛି । ବେଳକୁ ବେଳ ତା’ ଚାରି ପାଖରେ ଥିବା ବନ୍ଧୁକଧାରୀମାନେ ଅପସରି ଯାଉଛନ୍ତି । ସେମାନେ ପ୍ରାୟ ସର୍ଦ୍ଦାର ପାଖରେ ତାକୁ ଭେଟି ଦେଇ ଚାଲିଯିବେ । ରାତି ବଢ଼ିଆସୁଛି । ଛୋଟ ଧାର ଭଳି ଜହ୍ନଟା ବି ଆଉ କିଛି ସମୟ ପରେ ଅପସରି ଯିବ । ତାକୁ ଲାଗୁଥିଲା ସେଇ ସର୍ଦ୍ଦାର ତା’ ଶାଢ଼ିର ପରସ୍ତଗୁଡ଼ାକ ଖୋଲି ଦେଉଛି-। ଆଉ ତାକୁ ଭିଡ଼ି ନଉଚି...

 

ଅଜିତ ତାକୁ ଭଲପାଆନ୍ତି । ମିରିଗ ପରି ଡେଇଁ ଡେଇଁ ଘରକୁ ଫେରନ୍ତି । କହନ୍ତି ତମକୁ ଛାଡ଼ି ବେଶି ସମୟ ମୁଁ ବାହାରେ ରହି ପାରେନି । ପାଞ୍ଚଦିନ ହେଲା ଅଜିତଙ୍କୁ କିଏ ଅପହରଣ କରି ନେଇଛି । ଅଫିସ ଫେରନ୍ତା ବାଟରେ ତାଙ୍କୁ ଅପହରଣ କରିଥିଲେ–କେଉଁ ଚମ୍ବଲ ଡକାୟତମାନେ-। ପୁଣି ବିକିଦେଇଥିଲେ ଆଉ କୋଉ ଡକାୟତ ଦଳକୁ । ଟଙ୍କା ପାଇଁ ମୁଣ୍ଡ ଜାମିନ ରଖିଲେ ତାଙ୍କୁ-

 

ଆଇନା ଆଗରେ ଠିଆ ହେଇ ଦେଖିଲା ନିଜକୁ ସେ । ଅଜିତ କହନ୍ତି, ଏ ଗହଣା ପିନ୍ଧିଲେ ସେ ସୁନ୍ଦର ଦିଶେନି; ବରଂ ସୁନ୍ଦର ଦିଶନ୍ତି ଗହଣାମାନେ ।

 

ନିଆଁର ଝୁଲ ଖସି ପଡ଼ିଥିଲା ଏଇ ହସୁଥିବା ସଂସାର ଉପରେ । ହତବାକ୍ ହେଇ ଯାଇଥିଲା ଗୁଡ଼ିଆ ଯେଉଁଦିନ ସେ ଫୋନ୍ ପାଇଲା ସେ ଲକ୍ଷେ ଟଙ୍କା ନ ଦେଲେ ସେମାନେ ଛାଡ଼ିବେନି ତା’ର ସ୍ୱାମୀକି । ସମୟସୀମା ସରିଲେ ହତ୍ୟା ବି କରିଦେବେ । ଆକୁଳରେ କେବଳ କାନ୍ଦିଥିଲା ଗୁଡ଼ିଆ । ଡକାୟତ ଦଳର ଫୋନ ପାଇଲେ କେବଳ କାକୁତି ମିନତି ହେଉଥିଲା । ପ୍ରତି ବଦଳରେ କେବଳ ସେଇ ନିଷ୍ଠୁର ସ୍ଵର, ଟଙ୍କା ଆଉ ଟଙ୍କା । ସୁନାରୀ ଦୋକାନରେ ଯେତେବେଳେ ବେକର ମଙ୍ଗଳସୂତ୍ର ଆଉ ହାତର ସୁନାଚୁଡ଼ିକୁ ତଉଲି ଦେଲା କେବଳ କାନ୍ଦିଥିଲା ଗୁଡ଼ିଆ । ତା’ ଥିଲା ଆନନ୍ଦରେ । ସବୁତ ତାଙ୍କରି ପାଇଁ । ତାଙ୍କର ମୁକ୍ତି କାମରେ ଏ ଟଙ୍କା ଲାଗିବ । ଶେଷକୁ ବି କାନର ଫୁଲଟାକୁ ବଣିଆଁର ତରାଜୁରେ ଥୋଇଦେଲା । ଫୋନରେ ବହୁ ଅନୁନୟ ପରେ ଡକାୟତ ସର୍ଦ୍ଦାର ରାଜି ହୋଇଥିଲା ପଚାଶ ହଜାର ଟଙ୍କାରେ । କଥା ଛିଡ଼ିଥିଲା ଟଙ୍କା ନେଇ ଜଙ୍ଗଲ ପାଖରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବାକୁ ।

 

ଅଜିତକୁ ମୁକୁଳେଇବାକୁ ଅକ୍ଷମତା ପ୍ରକାଶ କଲେ ସମସ୍ତେ । ଏପରିକି ସେଥିପାଇଁ ନିୟୋଜିତ ସ୍ପେଶାଲ ଟାକ୍ସଫୋର୍ସ ମଧ୍ୟ ! ପୋଲିସ ପ୍ରଶାସନ କେହି ତାକୁ ସହାୟତା ଦେଇ ପାରିଲେନି ସ୍ଵାମୀଙ୍କୁ ଅପହର୍ତ୍ତା ଡକାୟତମାନଙ୍କ କବଳରୁ ମୁକୁଳେଇବାରେ । ସବୁଆଡ଼େ ନିରାଶ ହବା ପରେ ଶେଷରେ ସେ ନିଜେ ନିଜେ ଆସି ପହଞ୍ଚିଥିଲା ଜଙ୍ଗଲ ପାଖରେ ! ଆଖିରେ ତା’ର ଥିଲା ଗୋଟିଏ ଦୃଶ୍ୟ, ସ୍ଵାମୀ ଅଜିତଙ୍କର ମୁକ୍ତି । କଥା ତ ଛିଡ଼ିଛି ପଚାଶ ହଜାର ଟଙ୍କା ବିନିମୟରେ ସେମାନେ ଫେରେଇ ଦେବେ ତା’ର ସ୍ଵାମୀଙ୍କୁ । । ଡକାୟତର କଥାକୁ ବିଶ୍ଵାସ ନ କରିବା ବ୍ୟତୀତ ଅନ୍ୟ ଉପାୟ ନଥିଲା ତା’ର ।

 

ତା’ପରେ ଆରମ୍ଭ ହେଇଥିଲା ତାର ଜଙ୍ଗଲ ଯାତ୍ରା । କ୍ରମେ କ୍ରମେ ଘଞ୍ଚ ଜଙ୍ଗଲ ଭିତରକୁ । ବାଟ କଢ଼େଇ ନଉଥିଲେ କିଛି ବନ୍ଧୁକଧାରୀ ମଣିଷ । ତା’ ଆଖି ଆଗରେ କେବଳ ଥିଲେ ଅଜିତ । ବେଳେବେଳେ କୁରୁଳି ଉଠୁଥିଲା । ବାଟ ଚାଲୁ ଚାଲୁ ବି ସପନରେ ଘୁମେଇ ପଡ଼ୁଥିଲା । ଅଜିତଙ୍କୁ ସେମାନେ ମୁକୁଳେଇ ଦେବେ । ସାଥୀହେଇ ସେମାନେ ଫେରିବେ । ସେଇ ପାହାଡ଼ ଝରଣା ତାକୁ ଗୁଣୁ ଗୁଣୁ ହେଇ ବିଜନତାର ଗୀତ ଗାଇ ବିଦାୟ ଦେବେ । ମନକୁ ହସ ଲାଗୁଥିଲା ନା ଏଇ ପାହାଡ଼ ଏଇ ଜଙ୍ଗଲ ଏଇ ଝରଣା ଲୁଚିଲୁଚି ତାଙ୍କ ସାଥୀରେ ଗ୍ରେଟର୍ ନଏଡ଼ାର ବି.ଏସ୍.ଏଫ. ସୋସାଇଟିର ଘରକୁ ଯିବେ । ଛପି ଛପି ଗୀତ ଗାଇବେ ।

 

ଗୁଡ଼ିଆକୁ ଏବେ କିନ୍ତୁ ଲାଗୁଥିଲା ଏ ଜଙ୍ଗଲ ଯେମିତି ଜଳି ଯାଉଚି, ଏ ଝରଣାରେ ଯେମିତି ତତଲା ପାଣି ଧାର ବହୁଛି ଆଉ ଏ ପାହାଡ଼ ଯେମିତି ବିସୁଭିୟସ ପରି ଅଗ୍ନିର ସ୍ରୋତ ଢାଳୁଛି । ଅଜିତକୁ ତ ସେମାନେ ମୁକ୍ତି ଦେବେନି ବରଂ ତାକୁ ଦାସୀ କରି ରଖିବେ । ବରଡ଼ା ପତ୍ର ପରି ଥରୁଥିଲା । ସେ ସର୍ଦ୍ଦାରର ହାତ ଦିଟା ଭିତରୁ ଲାଗୁଥିଲା ସେ ତାକୁ ମୁକୁଳେଇ ପାରୁନି । କୁରୁସଭା ତଳେ ସେଦିନ ଦ୍ରୌପଦୀଙ୍କୁ ବିବସନା କଲାବେଳେ ସିନା ଆକାଶରେ ଭଗବାନ କୃଷ୍ଣ ଥିଲେ, କୃଷ୍ଣାଙ୍କୁ ରକ୍ଷା କରିବା ପାଇଁ । ତାକୁ ଲାଗୁଥିଲା କିଛି କ୍ଷଣ ପରେ ବାଘପାଟିରେ ନିରୀହ ମୃଗ ଶିଶୁ ପରି ସେ ଡକାୟତ ସର୍ଦ୍ଦାରର ବଳିଷ୍ଠ ବାହୁ ଭିତରେ ମିଳେଇ ଯିବ ।

 

ସମ୍ବିତ ଫେରି ପାଇଲା ପରି ଭୟରେ ସର୍ଦ୍ଦାରକୁ ପ୍ରଣାମ କରିବାକୁ ଆଗେଇଲା ଗୁଡ଼ିଆ-। ଏତେବେଳଯାଏ ସେ ଲୌକିକତା ଭୁଲି ଯାଇଥିଲା ପରି ଲାଗିଲା । ଏପର୍ଯ୍ୟନ୍ତ କେବଳ ଅପଲକ ଆଖିରେ ତାକୁ ଚାହିଁ ରହିଥିଲା ସର୍ଦ୍ଦାର !

 

ସର୍ଦ୍ଦାରକୁ ପ୍ରଣାମ କରିବା ଆଗରୁ ଆକସ୍ମିକ ଭାବରେ ଚକିତ କଲାପରି ଘଟଣାଟି ଘଟିଲା । ମା' ବୋଲି ସମ୍ବୋଧନ କରି ଗୁଡ଼ିଆର ପାଦ ଛୁଇଁ ପ୍ରଣାମ କଲା ସର୍ଦ୍ଦାର । ସର୍ଦ୍ଦାରର ବିଶ୍ଵାସ ନଥିଲା କେହି ନାରୀ ସ୍ଵାମୀର ମୁକ୍ତିପାଇଁ ଟଙ୍କା ଧରି ସତରେ ସାହସ କରି ଏ ଜଙ୍ଗଲ ଭିତରକୁ ଆସିବ ବୋଲି ! ଆବେଗରେ ଗୁଡ଼ିଆର ହାତ ଧରି କଇଁ କଇଁ ହୋଇ କାନ୍ଦୁଥିଲା ସେ । ହାତ ଫେରେଇ ନେଇ ପାରୁ ନଥିଲା ଗୁଡ଼ିଆ । ଲାଗୁଥିଲା ସେ ଯେମିତି ଫେରିଯାଉଚି ଅନେକ ପଛକୁ । ତା ପରିବାର ଭିତରକୁ । ଆଉ ତା ସାଥୀରେ ଏ ପାହାଡ଼, ଏ ଜଙ୍ଗଲ, ଏ ଝରଣା ମତୁଆଲା ହେଇ ଗୀତ ବୋଲୁଛନ୍ତି ।

 

‘ଭଉଣୀ, ତୋ ଦେହର ଅଳଙ୍କାର କାହିଁ ?’

 

ସର୍ଦ୍ଦାରର ଏ ପ୍ରଶ୍ନର ଉତ୍ତର ଦବା ଆଗରୁ ବ୍ୟାଗରୁ କାଢ଼ି ଟଙ୍କାର ପୁଡ଼ିଆଟି ବଢ଼େଇଲା ସର୍ଦ୍ଦାର ହାତକୁ । ଥରିଲା ତୁଣ୍ଡରେ କହିଲା ଅଛି ପୂରା ପଚାଶ ହଜାର । ଏ ପର୍ଯ୍ୟନ୍ତ ତା ଆଖିକୁ ବିକୃତ ଦେଖାଯାଉଥିବା ସର୍ଦ୍ଦାରର ମୁହଁଟା ବେଳକୁ ବେଳ ସୁନ୍ଦର ଦେଖାଗଲା । ସବୁ ମଣିଷ ଏ ପୃଥିବୀକୁ ଦେବତାର ମୁହଁଟିଏ ନେଇ ଆସିଥାଆନ୍ତି । ନ ଥାଏ ରାଗ, ମୋର, ତୋର, ଭାବ କି ହିଂସା ! ସମୟ ଗଡ଼ିଲେ ଦେବଶିଶୁଟି କିନ୍ତୁ ସଂସାରରେ ମା’ର ଅମୃତର ଛାତିରେ ବିଷ ଲେପିଦିଏ । ସେ ଭୁଲିଯାଏ ମା’ ଭଉଣୀ ଆଉ ପରିବାରକୁ । ପାଗଳ ହୁଏ ଅର୍ଥ, କ୍ଷମତା ଲୋଭରେ ଆଉ ଦୁନିଆଁଟା ଦେଖାଯାଏ ଉପଭୋଗମୟ ।

 

ଏ ପର୍ଯ୍ୟନ୍ତ ଗୁଡ଼ିଆ ହାତରୁ ହାତ ମୁକୁଳେଇ ନଥିବା ସର୍ଦ୍ଦାର ଆବେଗରେ କହୁଥାଏ । “ମୋ ମା’ ମତେ ପିଲାବେଳେ ଦେବୀ ସାବିତ୍ରୀଙ୍କ କଥା କହୁଥିଲା ।’’ ଯମରାଜ ପାଖରୁ ବି ମଲା ସ୍ୱାମୀଙ୍କୁ ସେ ଛଡ଼େଇ ଆଣିଥିଲା । ଭୟ ନକରି ସ୍ଵାମୀ ଅନୁଗତା ନାରୀ ଚାଲିଥିଲା ଜୀବନକୁ ପାଣି ଛଡ଼େଇ । ସୁନ୍ଦରୀ ସାବିତ୍ରୀ ସେ କୌଣସି ରାଜ୍ୟର ରାଜଲକ୍ଷ୍ମୀ ବି ହେଇ ପାରିଥାଆନ୍ତେ !

 

ଗୁଡ଼ିଆ ଆଖି ସାଥିରେ ଆଖି ମିଶେଇ କହି କହୁଥିଲା ସର୍ଦ୍ଦାର, ‘ହେଲେ ମା’ ଆଜି ଆଖିରେ ଦେଖିଲି ସାବିତ୍ରୀଙ୍କୁ’ । ପାଖ ମନ୍ଦିରକୁ ଦେଖେଇ ଦେଇ କହିଲା, ଏ ଦେବୀ ଆଜି ମଣିଷ ହେଇ ଯାଇଛନ୍ତି । ତୁ କୋଉ ସାହସରେ ଆସିଲୁ ଏ ଜଙ୍ଗଲକୁ । ଏଠି ଆମେ ସବୁ ବାଘଭାଲୁଠାରୁ ହିଂସ୍ର । ପଣଟଙ୍କା ନ ପାଇ ଆମେ କେତେ ଲୋକଙ୍କୁ ହତ୍ୟା କରିଛୁ । ହେଲେ କୋଉ ସ୍ତ୍ରୀ ଲୋକ ଏ ସାହସ କରିନି । ଯମଠାରୁ ଆମେ ଆହୁରି ନିର୍ଦ୍ଦୟ । ତୁ ଆଜି ମନେ ପକେଇ ଦେଲୁ ଆମର ମା’ ଭଉଣୀଙ୍କୁ ! ଦେଇଛୁ ସେଇ ପରଶ ।

 

ତୋ ଦେହରେ ଅଳଙ୍କାର ନାହିଁ । ଭଉଣୀ, ମୁଁ ସହିପାରୁନି କହି କାନଫୁଲ ହଳେ ପିନ୍ଧେଇ ଦେଲା ଗୁଡ଼ିଆ କାନରେ । ବେକ ବଙ୍କେଇ କାନକୁ କେବଳ ଦେଖେଇଲା ଗୁଡ଼ିଆ । ତା’ ପରେ ଫେରେଇ ଦେଇଥିଲା ସ୍ୱାମୀଙ୍କୁ ଆଉ ସେ ଆଣିଥିବା ଟଙ୍କାକୁ । ସେମାନେ ଫେରିଥିଲେ, ଗୀତ ଗାଉଥିବା ଝରଣା, ପାହାଡ଼ ଆଉ, ଜଙ୍ଗଲକୁ ପଛରେ ଛାଡ଼ି । ବାରବାର ପଛକୁ ଫେରି ଚାହୁଁଥିଲେ ସତେ ଯେମିତି କିଛି ଛାଡ଼ି ଆସିଛନ୍ତି । ଟଙ୍କା ତ ସେ ଫେରେଇ ଆଣିଛନ୍ତି । ଅକ୍ଷତ ଅବସ୍ଥାରେ ବି ଫେରିଛନ୍ତି ସ୍ଵାମୀ ସ୍ତ୍ରୀ ! ଲାଗୁଥିଲା ଯେମିତି ସୁନ୍ଦର ଅନୁଭବଟିଏ ଛାଡ଼ି ଆସିଛନ୍ତି ପୁଣି ନେଇବି ଆସିଛନ୍ତି ।

 

ଜଙ୍ଗଲ ସୀମାରେ ଛାଡ଼ିଦେଇ ଗଲେ ସାଥୀ ଡକାୟତମାନେ ! ଆଖିରେ ଲୁହ । ଘରେ ପହଞ୍ଚିଲା ପରେ ତା’ର ସକୁଶଳ ପହଞ୍ଚିବାର ବାର୍ତ୍ତା ନେଇ ଯେଉଁ ଫୋନଟି ଆସିଥିଲା, ତା ଥିଲା ସର୍ଦ୍ଦାରର ।

 

ଗୁଡ଼ିଆ ତା’ର ଅଧ୍ୟାପକ ସ୍ୱାମୀକୁ ପଚାରୁଥିଲା, କହିପାରିବ କ’ଣ ପାଇଁ ଅମୃତ ଏଇ ଧରାମାଟିରୁ ଦେବଶିଶୁଟି ନିର୍ବାସିତ ହୋଇଛି ? ଫେରେଇ ଆଣି ପାରିବ କି ତାକୁ ?

Image

 

Unknown

ମୂକ ସଙ୍ଗୀତ

 

ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୋତେ ଦିଆଯାଉଥିବା ପଦ୍ମକୁମାର ପୁରସ୍କାର ଓ ସମ୍ମାନ ଗ୍ରହଣ କରିବାପାଇଁ ମୁଁ ଯେଉଁଦିନ ଯମୁନା ନଗର ପହଞ୍ଚିଲି, ତା’ ଥିଲା ଏକ ଅଭୁଲା ସ୍ମୃତି ! ରେଳ ଷ୍ଟେସନରେ ଗାଡ଼ିରୁ ଓହ୍ଲାଇଲାବେଳେ ମୋର ପାଦ ପଡ଼ିଲା ବିସ୍ତରି ଯାଇଥିବା ଏକ ନାଲି ଗାଲିଚା ଉପରେ । ତା’ ଉପରେ ପୁଣି ଫୁଲ ପାଖୁଡ଼ାର ଝୁରା ବିଞ୍ଚା ହୋଇଥାଏ । ମଝିରେ କୋଠିଟିଏ କରି ଫୁଲରେ ଫୁଲକୁ ଯୋଡ଼ି ଲେଖା ଯାଇଥାଏ “ୱେଲକମ୍ ଶଙ୍ଖ ଫୁଙ୍କୁଥିଲେ କୁଞ୍ଚକରି ରଙ୍ଗୀନ ଲୁଗା ପିନ୍ଧି ମୁଣ୍ଡରେ ପଗଡ଼ି ବାନ୍ଧିଥିବା କିଛି ଶଙ୍ଖୁଆ । ଫୁଲର ଗଜରାର ହାର ନୁହେଁ ବରଂ ମୋ ଉଚ୍ଚର ଦ୍ଵାରଟିଏ ତିଆରି କରି ସ୍ଵାଗତ କରିଥିଲେ କିଛି କୁମାରୀ । ମୋ ପାଦର ତାଳେ ତାଳେ ମୋତେ ବଢ଼ାଇ ଦେଉଥିଲେ ଗୋଟିଏ ପରେ ଗୋଟିଏ ଗୋଲାପ । ଦୀର୍ଘ ଜୀବନ କାମନା କରି ମଝିରେ ମଝିରେ ନାରା ବାଜି ଚାଲିଥିଲା । ମୋତେ ଅଭିଭୂତ କଲା ଖବରକାଗଜରେ ସ୍ଵାଗତ କରିବାକୁ ଦିଆଯାଇଥିବା ବିଜ୍ଞାପନମାନ ଦେଖି । ବଡ଼ ବଡ଼ କମ୍ପାନୀମାନେ ସ୍ଵାଗତ କରି ବିଜ୍ଞାପନ ଦେଇଛନ୍ତି । ପୁଣି କେହି କେହି ନାଁ ନ ଦେଇ ଶୁଭ ଚିନ୍ତକ ବୋଲି ବିଜ୍ଞାପନ ଦେଇଛନ୍ତି । ଖୋଲାଗାଡ଼ିରେ ପୁଷ୍ପ ବୃଷ୍ଟି ଭିତରେ ରାଜପଥରେ ଗଲାବେଳେ ମୋତେ ଲାଗୁଥିଲା ରାମଚନ୍ଦ୍ରଙ୍କର ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ବେଳର ସ୍ଵାଗତର ଦୃଶ୍ୟ, କବିର ବର୍ଣ୍ଣନା ହୋଇପାରେ, କିନ୍ତୁ ମୋର ସ୍ଵାଗତ ହେଉଛି ସତ୍ୟ । ଯାହାହେଉ ସମଗ୍ର ଦୃଶ୍ୟର ଭିଡିଓ ରେକର୍ଡ଼ିଙ୍ଗ ଚାଲିଛି । ଏହି ଚିତ୍ରକୁ ନେଇ ମୋ ରାଜ୍ୟରେ ହେବାକୁ ଥିବା ସମ୍ବର୍ଦ୍ଧନା ସଭାରେ ପରିବେଷଣ କରିହେବ । ମନ ଭିତରେ ଖୁବ୍‍ ଆନନ୍ଦ ଅନୁଭବ କରୁଥିଲେ ବି ଫୁଲମାଳ ପାଇଁ ବାରବାର ମୁଣ୍ଡ ନୁଆଁଇବା ଭିତରେ ମୁଁ ଏ ସବୁଥିରେ ବିଶ୍ଵାସ କରେନି, ବିଶ୍ଵାସ କରେନି ବୋଲି ଜୋରରେ କହି ଚାଲିଥାଏ ।

 

ଧନ୍ୟବାଦ ଦେବାକୁ ଭାଷା ପାଉ ନଥିଲି ବନ୍ଧୁ ସୌମ୍ୟଦର୍ଶନଙ୍କୁ । ଖୁବ୍‍ ସୁନ୍ଦର ଭାବରେ ତିଆରି କରିଥିଲେ ମୋର ବାୟୋଡ଼ାଟା ସଂଯୋଗ କରିଥଲେ ଫଟୋଚିତ୍ରମାନ । କିଛି ଫଟୋଚିତ୍ର ମଧ୍ୟ ବରାଦ କରି ପ୍ରସ୍ତୁତ କରିବାକୁ ଭୁଲି ନଥିଲେ ସେ । ପୁଣି ତା’ ଭିତରୁ କିଛି କଳାଧଳା । କାରଣ କିଛି ଦଶନ୍ଧି ତଳେ ରଙ୍ଗୀନ, ଛବି ନଥିଲା । ଓଡ଼ିଶାର ତୋଫାନ, ଆସାମର ବନ୍ୟା, ୟୁପିର ଦଙ୍ଗା, ବିହାରର ରେଳ ଦୁର୍ଘଟଣା ଆଦି ସମୟରେ ସେବା କ୍ଷେତ୍ରରେ ମୋର ଅବଦାନକୁ ଖୁବ୍‍ ସୁନ୍ଦର ଭାବରେ ଉପସ୍ଥାପିତ କରିଥିଲେ ସେ ।

 

ଭାରତ ବର୍ଷରେ ପଦ୍ମକୁମାର ହେଉଛି ବେସରକାରୀ ସ୍ତରରେ ପ୍ରଦାନ କରାଯାଉଥିବା ଏକ ବିଖ୍ୟାତ ସମ୍ମାନ । ତାକୁଇ ଗ୍ରହଣ କରିବାକୁ ମୁଁ ଆଜି ଆସିଛି ଯମୁନା ନଗର । ଆସିଲା ବେଳେ ରେଳ ଷ୍ଟେସନ୍‌ରେ ଭବ୍ୟ ବିଦାୟ ସମ୍ବର୍ଦ୍ଧନା । ଶୁଭ କାମନାର ଜୁଆର । ସବୁ ଶ୍ରେୟ ସୌମ୍ୟ ଦର୍ଶନଙ୍କୁ । ବିମାନରେ ନ ଯାଇ ରେଳରେ ଯିବାକୁ କହିଥିଲେ ମୋତେ ସେ । ଗୋଟିଏ ପାଖରେ ଏଇଟା ହେବ ନମ୍ରତା । ପୁଣି ବାଟରେ ରାଜ୍ୟ ଭିତରେ ରେଳ ଅଟକୁଥିବା ପ୍ରତ୍ୟେକ ଷ୍ଟେସନରେ ବିଦାୟ ସମ୍ବର୍ଦ୍ଧନା । ଜୟ, ଜୟକାର ଧ୍ଵନି । ଟ୍ରେନ୍ ଦରଜା ପାଖରେ ଠିଆ ହୋଇ ସାମ୍ବାଦିକମାନଙ୍କୁ କିଛି ବାର୍ତ୍ତା । ପ୍ରତ୍ୟେକ ଷ୍ଟେସନରେ କ୍ୟାମେରାର ଫ୍ଲାସର ଚମକ !

 

ବନ୍ଧୁ ସୌମ୍ୟଦର୍ଶନଙ୍କ ଉପଦେଶ ମାନି ମୁଁ ମନା କରିଥିଲି କେଉଁ ବିଳାସପୂର୍ଣ୍ଣ ହୋଟେଲରେ ରହିବାକୁ ! ସରକାରୀ ଡାକ ବଙ୍ଗଳାରେ ମୋ ପାଇଁ ରାତ୍ରୀ ରହଣିର ବ୍ୟବସ୍ଥା କରାଯାଇଥିଲା । ଅନୁରୋଧ କରିଥିଲି ଅତି ସାଧାରଣ ନିରାମୟ ଖାଦ୍ୟ ପରିବେଷଣ କରିବାକୁ । ପଦ୍ମକୁମାର ପୁରସ୍କାର ଗ୍ରହଣ କରିବା ପୂର୍ବରୁ ଏକ ବନ୍ଧୁମିଳନର ଆୟୋଜନ କରିଥିଲି ସ୍ଥାନୀୟ ସଅର ସାହିର ମହାବୀର ମନ୍ଦିର ବେଢ଼ାରେ । ଏଇ ସାହିରେ ଆମର ଉନ୍ନୟନମୂଳକ କାମ ଚାଲିଛି-। ଦେଖିବାକୁ ଦେଶୀ ବିଦେଶୀ ବଡ଼ ବଡ଼ ଲୋକଙ୍କର ଖାଲି ଭିଡ଼ । ଫଟୋ ଉଠା-। ବସ୍ତିର ସାଧାରଣ ଲୋକେ ପ୍ରଶଂସା ଆଉ ଆଶୀର୍ବାଦ ଅଜାଡ଼ି ଦେଇଥିଲେ ମୋ ଉପରେ-। ଟିଭି, ଖବରକାଗଜ ପୋତି ହୋଇ ପଡ଼ିଲା ମୋର ବିନମ୍ରତା । ଆଉ ସାଧାରଣ ମଣିଷକୁ ଭଲ ପାଇବାର ସମ୍ବାଦରେ । ଅବଶ୍ୟ ଏସବୁ ପାଇଁ ମତେ ବେଶ୍‍ କିଛି ଅର୍ଥ ବ୍ୟୟ କରିବାକୁ ପଡ଼ିଥିଲା । କିନ୍ତୁ ଖର୍ଚ୍ଚ ତୁଳନାରେ ସାମାଜିକ ପ୍ରତିଷ୍ଠାତା କ୍ଷେତ୍ରରେ ଲାଭଥିଲା ଅନେକ ଗୁଣ ।

 

କିନ୍ତୁ ସୌମ୍ୟଦର୍ଶନଙ୍କ ପରାମର୍ଶରେ ପୁରସ୍କାର ପାଇବାର ଖୁସିରେ ବଡ଼ବଡ଼ିଆଙ୍କ ପାଇଁ ଏକ ପାନୀୟ ପାର୍ଟି ଦେବାକୁ ପଡ଼ିଥିଲା ଏକ ତାରକା ହୋଟେଲରେ । ପାର୍ଟିକୁ ଆହୁରି ରଙ୍ଗୀନ କରିବାକୁ ମହିଳାମାନଙ୍କ ମଧ୍ୟରେ କରାଯାଇଥିଲା ବିଅର ପାନ ପ୍ରତିଯୋଗିତା । ହଜି ଯାଇଥିଲା ମା’ ଭଉଣୀର ପରିଚୟ । ବିଦାୟବେଳେ ପ୍ରଦାନ କରିଥିଲି କିଛି ଉପଢ଼ୌକନ ।

 

ଯମୁନା ନଗର ସରକାରୀ ଅତିଥିଶାଳା । ବାହାରେ ଅଧରାତିରେ କିଛି ଲୋକଙ୍କର କଥାବାର୍ତ୍ତା ଶୁଣି ନିଦ ଭାଙ୍ଗି ଯାଇଥିଲା ମୋର । ବାଲକୋନିକୁ ଆସି ଦେଖିଲି ଅତିଥିଶାଳା ଗେଟ୍ ପାଖରେ କିଛି ଲୋକ ନିଜ ଭିତରେ କ’ଣ କଥା ହେଉଛନ୍ତି, ଶୁଭୁ ନଥାଏ । ରାତି ଅଧରେ ବାଲକୋନି ଲାଇଟ ଜଳିବା ଆଉ ସେଠି ମତେ ଦେଖି ପ୍ରାୟ ଉପରକୁ ଆସିଲା ଚୌକିଦାରଟି ।

 

ତା’ ସାଥିରେ ବାହାରକୁ ଯାଇ ଦେଖିଲି ଭିଡ଼ ଭିତରେ ପୁରୁଣା ହାତଟଣା ଶଗଡ଼ିଟାଏ । ସେଥିରେ ଲଦା ହୋଇଛି ଏକ ଶବ । ଟାଣି ଟାଣି ନେଉଛନ୍ତି ଏକ ଶୀର୍ଣ୍ଣକାୟ ବ୍ୟକ୍ତି । ବୟସ କଳନା କରିହେବନି । ତୁଣ୍ଡରେ ‘ରାମ ନାମ ସତ୍ୟ ହୈ’ ଶବ୍ଦ । ପ୍ରଚଣ୍ଡ ଶୀତ ଭିତରେ ବି ଦେହରେ ଖଣ୍ଡିଏ ଫଟା ଗଞ୍ଜି । କାନ୍ଧରେ ଗାମୁଛା ଶଗଡ଼ର ଚକ ଗଡ଼ିବା ଆରମ୍ଭ କରିଲାବେଳେ ଶଗଡ଼ଟି ଟାଣୁଥିବା ଶୀର୍ଣ୍ଣ ଲୋକଟି ଆଡ଼େ ଚାହିଁ ସମବେଦନା ଜଣେଇ କହିଲି “ପଇସା ପାଇଁ କେତେ କଷ୍ଟ କରୁଛି ଲୋକଟି” ?

 

କିନ୍ତୁ ମତେ ପଡ଼ିଲା ପରି ଲାଗିଲା ଅତିଥି ଭବନର ଚୌକିଦାରର ଆଖି ଦିଟାକୁ ଦେଖି-। ସେଥିରେ ଫୁଟି ଉଠୁଥିଲା ଭୟ, ଘୃଣା, ଆଉ ପ୍ରତିବାଦର ପ୍ରତିଛବି । କ’ଣ କହିବାକୁ ଚାହୁଁଥିଲେ ବି ସେ କିଛି କହି ପାରୁନଥିଲା ପରି ଲାଗିଲା ମତେ । “ଚାଲନ୍ତୁ ଆଜ୍ଞା” ରାତି ବେଶି ହେଲାଣି ଶୋଇ ପଡ଼ିବେ । କମିଟି ବାଲା କହୁଥିଲେ, ଆପଣ କାଲି ସକାଳ ଛଅଟାରେ ଉଠି କରସେବା କରିବାକୁ ମନ୍ଦିର ପାଖକୁ ଯିବେ । ଦୁଃଖିରଙ୍କିଙ୍କୁ ମିଠେଇ ବାଣ୍ଟିବେ । ୟେ କୁଆଡ଼େ ଆପଣଙ୍କର ନିତିଦିନିଆ କାମ । ଡେରିହେଲେ ଅସୁବିଧା । ସାମ୍ବାଦିକ କ୍ୟାମେରାବାଲାଙ୍କୁ ସେତିକି ବେଳକୁ ଡକାଯାଇଛି ।”

 

ଚୌକିଦାରର ମୁହଁର ବିରକ୍ତିଟା ଅନ୍ତରାଳରେ ଥିଲେବି ଥିଲା ସୁସ୍ପଷ୍ଟ । ତା’ ମୋର ଜିଜ୍ଞାସାକୁ ଦ୍ଵିଗୁଣିତ କରିଥିଲା । “ନିଦ ଲାଗୁନି, ଆଛା କୁହତ ଏ ଲୋକଟି କିଏ ?” ପଚାରିଲି ସେଇ ଚୌକିଦାରଙ୍କୁ । ସେ ବହୁତ ଲମ୍ବା କଥା । ଆପଣ ଶୋଇ, ପଡ଼ନ୍ତୁ । ଉତ୍ତର କିନ୍ତୁ ମୋର ଅନୁସନ୍ଧିତ୍ସାକୁ ଆହୁରି ବଢ଼ାଇଥିଲା ।

 

ତା’ ପରେ ଚୌକିଦାର ଯେଉଁ କାହାଣୀର ଅବତାରଣା କରିଥିଲା ତା’ ଦେଶ, କାଳ ସୀମାକୁ ଅତିକ୍ରମ କରି ବ୍ୟାପିଥିଲା ।

 

ଲୋକଟିର ନାଁ ବଚନ ରାମ୍ । ଲୋକମୁଖରେ ହୋଇ ଯାଇଛି ବଚ୍ଚନା ରାମା । ବୟସ ଶହେ ପୁରି ଦୁଇ ବର୍ଷ । ଜନ୍ମ ଅବିଭକ୍ତ ଭାରତବର୍ଷର ପେଶାୱାର ସହରରେ । ବହୁ ମନିଷୀମାନଙ୍କର ଜନ୍ମସ୍ଥାନ ଏଇ ପେଶାୱାର । ଯେଉଁଦିନ ଦେଶ ଦୁଇଖଣ୍ଡ ହୋଇଗଲା ସେଦିନ ଖାଲି ହାତରେ ଯମୁନା ନଗରକୁ ଚାଲି ଆସିଥିଲେ ଏଇ ବଚ୍ଚନ ରାମ୍ । ପଛରେ ରହିଯାଇଥିଲା ଧନ ସମ୍ପତ୍ତି ଆଉ ପରିଚୟ । ପ୍ରଥମ ରାତି ସେ କଟାଇ ଥିଲେ ଜଗଧାରୀ ରେଲ୍ ଷ୍ଟେସନରେ । ଚାରିପଟେ ଖାଦ୍ୟର ପସରା । ବଚ୍ଚନ ରାମଙ୍କ ପାଖରେ କିଣିବା ପାଇଁ ପଇସା ନାହିଁ । ଷ୍ଟେସନ୍ ପାଇପରୁ ଆଞ୍ଜୁଳାରେ ପାଣି ପିଇଲା ବେଳେ କେହି ଜଣେ ଡାକିଲା “ଆରେ ଏ ଶବ ବୁହା ଗାଡ଼ିକି ଟାଣି ଶ୍ମଶାନ ଯାଏ ନେଇ ଯାଇ ପାରିବୁ ?” ଅଜାଣତାରେ ‘ହଁ ଭରିଥିଲେ ବଚନ ରାମ ! ଶବଟିଥିଲା କେଉଁ ଅଜଣା ବ୍ୟକ୍ତିଙ୍କର । ମୁଶାଫିର ଖାନାରେ ଦେହାନ୍ତ ହୋଇଥିଲା ତାଙ୍କର । ପରିଚୟ ନଥିଲା । ଖଇ କଉଡ଼ି ବିଞ୍ଚି “ରାମ ନାମ ସତ୍ୟ ହୈ” କହିବାକୁ କେହି ନ ଥିଲେ ।

 

ମୃତ୍ୟୁପରେ ମଣିଷର ମୁହଁଟା ସୁନ୍ଦର ଦେଖାଯାଏ । ଠିକ୍ ଶିଶୁର ମୁହଁପରି ସମସ୍ତ ଚିନ୍ତା ହଜିଯାଇଥାଏ । ଦେହଟା ବିଲୟ ହେବା ଆଗରୁ କିଛି ମୁହୂର୍ତ୍ତ ପାଇଁ ସୁନ୍ଦର ହୋଇ ଉଠେ । ଶବ ବୁହା ଗାଡ଼ିକୁ ଏକଲା ଏକଲା ଠେଲି ନେଲାବେଳେ ଏଇ ଅଜଣା ବ୍ୟକ୍ତି ପ୍ରତି ସମ୍ପର୍କ ଚେଇଁ ଉଠିଲା ତାଙ୍କ ମନରେ । ନିଶୁନ ରାତିରେ ଚାଲିଥିଲା ବେଳେ ସେ ଚିନ୍ତା କରିଥିଲେ ଏଇ ବ୍ୟକ୍ତିଜଣଙ୍କ ଯେଉଁ ବାଟରେ ଯାଉଛନ୍ତି ଆମେ ସମସ୍ତେ ଦିନେ ନା ଦିନେ ସେଇ ବାଟରେ ଯିବା । କିଏ ଆଗ, କିଏ ପଛ-। ଖାଲି କେତୋଟି ଦିନ ରାତିର ବ୍ୟବଧାନ ମାତ୍ର । ଶ୍ରମର ପ୍ରତି ବଦଳରେ ତାକୁ ସେଦିନ ମିଳିଥିଲା ତିନି ଟଙ୍କା ଛଅ ଅଣା । ପେଶାୱାର ଛାଡ଼ିବା ପରେ ପ୍ରଥମ ଥର କରି ପେଟ ଭରି ଖାଇଥିଲେ-। ତା’ ପରେ ତାଙ୍କ ଚାରି ପାଖରେ ଘୁରି ବୁଲିଥିଲା ଗୁଡ଼ିଏ କରୁଣ ଆଖି । ବାକି ପଇସାରେ ଖୁଆଇଲେ ପ୍ଲାଟଫର୍ମର ଆଉ ଗୋଟିଏ ମଣିଷକୁ ।

 

ତା’ ପରେ ସେଇଠି ଅପେକ୍ଷା କଲେ ଶବ ବୁହା ଗାଡ଼ି ଠେଲିବାକୁ । ପୋଲିସ, ପୌରପାଳିକାଙ୍କୁ ମିଳିଲା ଅସୁବିଧାରୁ ମୁକ୍ତି ।

 

ଚୌକିଦାରଙ୍କର କଥା ମତେ ମନ୍ତ୍ର ଶୁଣିଲା ପରି ଲାଗୁଥିଲା । ମୁଁ ସଜାଗ ଅଛି ବୋଲି ତାଙ୍କୁ ସୂଚେଇ ଦେବାକୁ କହିଲି “ତାପରେ” ।

 

ଏଇ ଶବ ବୁହା ପଇସାରେ ସେଦିନର ଖାଇବା ବାଦ୍ କିଛି ରଖନ୍ତିନି ବାବୁ । ବାହା ହେଲେନି । ଅଲୋଡ଼ା ଶବ ସବୁ ପାଲଟି ଗଲେ ତାଙ୍କର ସାଙ୍ଗ ସାଥୀ । ଶ୍ମଶାନରେ ଦାହ କରିଲାବେଳେ କୁହନ୍ତି । “ଆଗ ଗାଡ଼ିରେ ଯାଅ, ପଛ ଗାଡ଼ିରେ ମୁଁ ଯାଉଛି । ବାପ, ମାଙ୍କୁ ଖୁଆଇଲା ପରେ ବାକି ପଇସାରେ ସେ ଗରିବ ପିଲାଙ୍କୁ ପାଠ ପଢ଼ାନ୍ତି । ଡାକ୍ତରଖାନାରେ ଅଭାବୀ ରୋଗୀଙ୍କୁ ଔଷଧ କିଣି ଦିଅନ୍ତି । ବାପ, ମା’ ମରିଗଲା ପରେ ସେଇମାନେ ତାଙ୍କର ପିଲାଛୁଆ । ବାବୁ ସେ ଜଣେ ବଇରାଗୀ । ଆଶ୍ଚର୍ଯ୍ୟରେ ଶୁଣୁଥିଲି ମୁଁ, ଆଜିପାଇଁ ପେଟକୁ ଖାଇ ବାକି ପଇସାକୁ ଖର୍ଚ୍ଚ କରି ଦିଅନ୍ତି ଗରିବ ପିଲା, ବୁଢାବୁଢ଼ୀଙ୍କ ପଛରେ |

 

ଏବେ ବି ତାଙ୍କ ମନରେ ବଞ୍ଚି ରହିଛି ପେଶାୱାର ସହର । ପିଲାବେଳେ, ହିନ୍ଦୁ ମୁସଲମାନ ବାଛ ବିଚାର ନଥାଇ ପିଲାମାନଙ୍କର ଧୂଳିଖେଳ ମିଛିମିଛିକା ବାହାଘର । ଉଦାସ ଆଖିରେ ବେଳେବେଳେ ଆକାଶକୁ ଚାହାଁନ୍ତି ବଚନ । ଦେଖନ୍ତି ନିଜ ଗାଁକୁ ଲମ୍ବିଯାଇଥିବା ଆକାଶକୁ-। ବେଳେବେଳେ ସୀମାନ୍ତକୁ ଚାହିଁ “ଏ ବି ଦିନେ ହଜି ଯିବ । ନିଃଶ୍ଵାସ ପ୍ରଶ୍ୱାସ ବନ୍ଦ ହୋଇଗଲେ ଏ ସୁନ୍ଦର ଦେହଟା ଶବ ହେବ । ଦେଖିବାକୁ ଆସିବନି କିଏ ତାକୁ ଉଠେଇବାକୁ ଆସିଲା କି ନାହିଁ-

 

ଶଗଡ଼ିଟି ପ୍ରାୟ ଆମ ଆଲୋଚନା ଶେଷ ବେଳକୁ ପହଞ୍ଚି ଯାଇଥିବ ଶ୍ମଶାନ ଦ୍ଵାରରେ । ପ୍ରଣାମ କରିବାକୁ ଇଚ୍ଛା ହେଉଥିଲା । ଏଇ ନିଷ୍କାମ କର୍ମଯୋଗୀଙ୍କୁ ।

 

ଏଇ ଆଲୋଚନା ଭିତରେ ଚୌକିଦାରଟି ମୋ ସାଥିରେ ଟିକିଏ ସ୍ୱଚ୍ଛଳ ହୋଇ ଯାଇଥିଲା । ମୋଟାର ଚେନ୍, ହାତର ନାଲି, ନୀଳ, ହଳଦିଆ ପଥର ବସା ମୁଦିମାଳ, ଆୟୋଜକମାନେ ମୋତେ ଦେଉଥିବା ସମ୍ମାନ ଆଉ ଅଭ୍ୟର୍ଥନାରୁ ସେ ନିଶ୍ଚୟ ଭାବିଥିଲା ମୁଁ ପ୍ରାୟ ଏକ ପ୍ରଭାବଶାଳୀ ଲୋକ ।

 

‘‘ହଉ ଶୋଇବାକୁ ଯାଆନ୍ତୁ” କହି ଠିଆ ହେଲା ବେଳେ କହିଲା ଗୋଟିଏ ଅନୁରୋଧ ରଖିବ ବାବୁ ।” –କୁହ, ବିସ୍ମୟରେ କହିଲି । “ଆପଣ ଏସନ ଏ ପଦ୍ମକୁମାର ପୁରସ୍କାର ନିଅନ୍ତୁ, ଆରସନକୁ ବଚନ ରାମଙ୍କ ପାଇଁ ଟିକେ କହନ୍ତେ ନାଇଁ । ଛୋଟ ମୁହଁରେ ବଡ଼ କଥା ବାବୁ” । ବଡ଼ ହୋଟେଲରେ ଏମାନଙ୍କୁ ଖୁଆଇ କି ପଇସା ଖର୍ଚ୍ଚ କରି ସେ ତ ପୁରସ୍କାର ନେଇ ପାରିବେ ନାଇଁ ସବୁଥର ତାଙ୍କ ନାଁ ଆସେ ହେଲେ ଶେଷ ବେଳକୁ କଟିଯାଏ । ସେଥିରେ ଅବଶ୍ୟ ତାଙ୍କର ଦୁଃଖ କି ଆନନ୍ଦ କିଛି ନଥାଏ । ହେଲେ ଆମ ପରି କେତେ ସାନ ମଣିଷମାନଙ୍କର ମନରେ ଭାରି ଦୁଃଖ ହୁଏ-। ଆମ ଦୁଃଖ ଆମ ମନରେ ମରେ । ସାନ ମଣିଷ ଆମେ । ପଚାରିଲେ ବୋଲି କହିଲି-। ଆପଣ ଯେମିତି ଓଡ଼ିଶୀ ଶାଢ଼ି ଆଉ ଚାଦରର ପେଟି ଆଣିଥିଲେ, ସବୁବର୍ଷ ପୁରସ୍କାର ପାଉଥିବା ଲୋକେ ଏମିତି ଆଣନ୍ତି । ହେଲେ ବାବୁ କିଏ କ’ଣ ନେଇ ଯିବ ଏ ଦୁନିଆରୁ । ଆମ ବାପା, ବୋଉ କ’ଣ କିଛି ନେଇ ଯାଇଛନ୍ତି ଏ ଦୁନିଆରୁ ? ଚମକି ପଡ଼ିଲି ମୁଁ । ମୋର କଲିଜାକୁ କିଏ ଖୁମ୍ପିଲା ପରି ଲାଗିଲା । କେହି କିଛି ନିଅନ୍ତୁ ନ ନିଅନ୍ତୁ ପଛେ ମୋ ବାପା ବୋଉ ଗଲା ବେଳେ ଏ ଦୁନିଆରୁ ମଣିଷପଣିଆଟା ନେଇ ଚାଲିଯାଇଥିବା ଭଳି ଲାଗିଲା ।

 

ହଠାତ୍‍ କାହିଁକି ପଦ୍ମନାମକୁ ଅପମାନ ଦେବାର ସାହସକୁ ମୁଁ ହରାଇ ବସିଲି । ସମସ୍ତଙ୍କ ଅଜାଣତାରେ ସିନ୍ଦୁରା ଫାଟିବା ଆଗରୁ ବଙ୍ଗଳା ଚୌକିଦାରକୁ ଉଦ୍ୟୋକ୍ତାମାନଙ୍କ ଉଦ୍ଦେଶ୍ୟରେ ଚିଠିଟିଏ ଲେଖି ଯମୁନା ନଗର ଛାଡ଼ିଲି । ଚିଠିର ସାରାଂଶ ଥିଲା, ଏ ପୁରସ୍କାର ପାଇ ମୁଁ ଧନ୍ୟ ହୋଇ ଥାଆନ୍ତି, କିନ୍ତୁ ପୁରସ୍କାର ଧନ୍ୟ ହେବ ବଚନରାମ ଏଇ ପୁରସ୍କାର ପାଇଲେ ।” ମନେ ହେଉଥିଲା ଏ ଚିଠି ମୋର ଭାଷା ନୁହେଁ ବଙ୍ଗଳା ଚୌକିଦାର ପରି କୋଟି କୋଟି ମୂକ ମଣିଷର ଭାଷା ।

Image

 

ଅମୃତ ସାଗର

 

ଡାକ୍ତର ଦାସଙ୍କ ଉପରେ ବେଳକୁ ବେଳ ବିରକ୍ତି ବଢ଼ି ଯାଉଥିଲା ସ୍ଵାମୀ ଶୁଭ୍ରକାନ୍ତଙ୍କ ମନରେ । ସମ୍ଭ୍ରମ ଦୃଷ୍ଟିରୁ ନିଜର ଅନ୍ୟମନସ୍କ ଭାବ ବାହାରକୁ ପ୍ରକାଶ ନ କଲେ ବି ବିରକ୍ତିଟା ବେଳକୁ ବେଳ ଅସହ୍ୟ ହୋଇ ଉଠୁଥିଲା, କିନ୍ତୁ ଆବେଗରେ ଅନର୍ଗଳ ଗପି ଚାଲିଥିଲେ ଡାକ୍ତର । ଶୁଭ୍ରକାନ୍ତଙ୍କର ଉଦାସ ଭାବ ପ୍ରତି କିଛି ଲକ୍ଷ୍ୟ ନଥିଲା ତାଙ୍କର । ବୟସ ଅଶୀ ଛୁଇଁଲାଣି । ତଥାପି ଅସୀମ ମନୋବଳ ତାଙ୍କ ହାତରେ ଏ ବୟସରେ ବି ଛୁରି, କଇଁଚି ଧରିବାର ଶକ୍ତି ଦେଇଛି । କେଉଁ ଅଦୃଶ୍ୟ ଶକ୍ତି ତାଙ୍କ ହାତରେ ଦେଇଛି ସଫଳତାର ଚାବି । କେବେ ବି ତାଙ୍କ ହାତରେ ଅପରେସନ ହୋଇଥିବା ରୋଗୀର ସେପଟିକ ହୋଇନାହିଁ । ରୋଗୀର କେହି ପରିବାର ଲୋକ ନିଜର ଉଦବେଗ୍‌ବଶତଃ ବାରବାର କିଛି ପଚାରିଲେ ବିରକ୍ତ ହୁଅନ୍ତି ନାହିଁ । ରୋଗୀର କେହି ଆତ୍ମୀୟ ତାଙ୍କ ପାଖରେ କାକୁତି ମିନତି ହୋଇ କାନ୍ଦିଲେ ସେ ଉପରକୁ ହାତ ଦେଖେଇ କହନ୍ତି, ଏ ଦିନ ରାତି ଯିଏ କରୁଛି ସିଏ ଆଉ ଜଣେ । ମୁଁ ବା କି ମଣିଷ ? ସେଇ ମଣିଷ କିନ୍ତୁ ମଣିଷକୁ ମଣିଷ ଭଳି ଦେଖନ୍ତି । ନ ଦେଖିଲେ କେହି ବିଶ୍ଵାସ କରିବନି ।

 

ବିରକ୍ତିର ସୀମା ବଢ଼ିଯାଇଥିଲା ସ୍ଵାମୀ ଶୁଭ୍ରକାନ୍ତଙ୍କର । ରାତି ଦଶଟା ବାଜିବାକୁ ଯାଉଛି-। ଉଦାସ ଆଖିରେ ବେଳେ ବେଳେ ଚାହୁଁଥିଲେ ଡାକ୍ତରଙ୍କର ମୁହଁକୁ । କ’ଣ କହିବେ ବୋଲି ଡାକିଛନ୍ତି, ଏ ଯାଏ କହୁନାହାନ୍ତି । ଧୈର୍ଯ୍ୟଚ୍ୟୁତି ଘଟୁଥିଲା ତାଙ୍କର ।

 

ହଠାତ ଶୁଭ୍ରକାନ୍ତଙ୍କର ହାତ ଧରି ପକେଇଲେ ଡାକ୍ତର । ଆଖିରେ ଲୁହ । କଣ୍ଠରେ କୋହ । ପ୍ରଗଳ୍‍ଭ ଡାକ୍ତର ଗମ୍ଭୀର ଭାବରେ ଅନୁନୟ କରି କହିଲେ ମୁଁ ଆଜି ହାରି ଯାଇଛି ସ୍ୱାମିଜୀ, ମୋର ଛୁରି, କଇଁଚି, ଇଞ୍ଜେକସନ୍ ସବୁ ବ୍ୟର୍ଥ ହୋଇଛି । କିନ୍ତୁ ମୁଁ ଏ ହାରିବାକୁ ସହିପାରୁନି । “ହଠାତ୍‍ କହିବାର ବେଗଟା ବଢ଼ିଗଲା । ସନ୍ନ୍ୟାସୀ ଶୁଭ୍ରକାନ୍ତଙ୍କର ହାତକୁ ଜୋରରେ ଜାବୁଡ଼ି ଧରି କହିଲେ ଡାକ୍ତର “ଆପଣ ମତେ ଟିକିଏ ସାହାଯ୍ୟ କରିବେ ସ୍ୱାମିଜୀ ?”

 

ଶୁଭ୍ରକାନ୍ତ ଆଶ୍ଚର୍ଯ୍ୟ ହେଉଥିଲେ, ପୂର୍ବାଶ୍ରମରେ ତାଙ୍କୁ “ଶୁଭ” ବୋଲି ଡାକୁଥିବା ଏଇ ବୟସ୍କ ଡାକ୍ତର ଆଜି “ସ୍ଵାମିଜୀ” କହି ପ୍ରଣାମ କଲେ, ତୁ ନୁହେଁ, ଏପରକି ତମେ ନୁହେଁ ଆପଣ ବୋଲି ସମ୍ବୋଧନ କରୁଛନ୍ତି ? ଅବଶ୍ୟ ଆଜି ସେ ଭାରତବର୍ଷରେ ଜଣେ ଜଣାଶୁଣା ସନ୍ନ୍ୟାସୀ । ଭାରତ ବାହାରେ ବି ଅନେକ ଶିଷ୍ୟ, ଶିଷ୍ୟା ଅଛନ୍ତି । ବହୁଦିନୁ ଗୃହତ୍ୟାଗ କରିଛନ୍ତି । ସହର ଉପକଣ୍ଠରେ ବିରାଟ ଆଶ୍ରମ । ପ୍ରତିଦିନ ଦୁଆରେ ମନ୍ତ୍ରୀ, ଅମଲା ଆଉ କାହିଁ କାହିଁ ବଡ଼ ଲୋକଙ୍କ ଧାଡ଼ି । ଯୋଡ଼ ହସ୍ତରେ ଲୋକେ ଦିନଦିନ ଧରି ଅପେକ୍ଷା କରନ୍ତି । ସବୁବେଳେ ତାଙ୍କୁ ନେଇ ଖବର କାଗଜରେ ପ୍ରଥମ ପୃଷ୍ଠାରେ ସମ୍ବାଦ, ଟିଭିରେ ଘନ ଘନ ତାଙ୍କର ଗସ୍ତ ଧାରା ଆଉ ଫଟୋର ପ୍ରସାର । କିନ୍ତୁ ସେ କେବେ ଆଶ୍ରମରେ ଏଇ ସର୍ଜରୀ ପ୍ରଫେସରଙ୍କୁ ଦେଖି ନାହାନ୍ତି । ସନ୍ନ୍ୟାସୀ ସଂସ୍କୃତିରେ ସେ ବିଶ୍ଵାସ କରନ୍ତି କି ନାହିଁ ସେ ଜାଣି ନାହାନ୍ତି, କିନ୍ତୁ ନିଜ ହାତ ଉପରେ ତାଙ୍କର ଅନେକ ଭରସା । ଆଜି କିନ୍ତୁ ତାଙ୍କର ଏଇ ସମର୍ପଣ ଭାବ ଆଶ୍ଚର୍ଯ୍ୟ କରୁଥିଲା ସ୍ଵାମୀ ଶୁଭ୍ରକାନ୍ତଙ୍କୁ-। ଏକଦା ତାଙ୍କ ମାଆଙ୍କୁ କନ୍ୟାବତ ସମ୍ବୋଧନ କରୁଥିବା ଡାକ୍ତର କେଉଁ ଦୁଃଖରେ ଭାଙ୍ଗିପଡ଼ି ତାଙ୍କୁ ଆପଣ ବୋଲି ସମ୍ବୋଧନ କରୁଛନ୍ତି ? କି ସାହାଯ୍ୟ ଚାହୁଁଛନ୍ତି ସେ ? ଅବଶ୍ୟ ଗୈରିକ ବସନ, ବର୍ଦ୍ଧିତ ଶ୍ମଶ୍ରୁ, ଅହରହ ରାମ ନାମ ନେଉଥିବା କିମ୍ବା ଶ୍ଳୋକ ଆବୃତ୍ତି କରୁଥିବା ମଣିଷମାନଙ୍କ ପାଖରେ ମୁଣ୍ଡ ନୁଆଁଇବା ଆମର ଗୋଟାଏ ପରମ୍ପରା । ସେତେବେଳେ ଆମେ କିଛି ବିଚାରୁନା, ଆମର ପାରମ୍ପରିକ ବିଶ୍ଵାସ ଆମକୁ ପ୍ରଭାବିତ କରେ । ଅବିଶ୍ଵାସ କରିବାଟା ଆମକୁ ଅପରାଧ ପରି ମନେହୁଏ ।

 

ପୂର୍ବାଶ୍ରମରେ ତାଙ୍କ ପରିବାର ସହ ଡାକ୍ତରଙ୍କର ଥିଲା ଅନେକ ଘନିଷ୍ଠତା । ପିଲାଦିନେ ତାଙ୍କୁ କୁଆଡ଼େ ଗୋଟାଏ ଦୂରାସାଧ୍ୟ ରୋଗ ହୋଇଥିଲା । ଏଇଠି ଅପରେସନ ହୋଇ ସେ ଭଲ ହୋଇଥିଲେ । ବଞ୍ଚିବାର ଆଶା ନଥିଲା । ବୋଉ କହୁଥିଲା ଅନେକ ଚେଷ୍ଟା କରି ଏଇ ଡାକ୍ତର ତାଙ୍କୁ ବଞ୍ଚେଇ ଥିଲେ । ଅପରେସନର କିଛି ଦିନପରେ ସେ ସୁସ୍ଥ ହୋଇ ଯାଇଥିଲେ କିନ୍ତୁ ବୋଉ ଅଦିନରେ ଚାଲିଯାଇଥିଲା ଆରପାରିକୁ । ତା’ର ଚେହେରା ଏବେ ସ୍ମୃତିରେ ଝାପ୍‍ସା ହୋଇଗଲାଣି-

 

ହେଲେ ଆଜି ତାଙ୍କଠାରୁ କି ସାହାଯ୍ୟ ମାଗିବେ ଡାକ୍ତର ? ଅର୍ଥ ତ କେବେ ନୁହେଁ ତେବେ କ’ଣ ? ପିଲାମାନଙ୍କ ସହ ମତାନ୍ତର ? ବିବାହିତ କନ୍ୟାର ଶାଶୁଘରେ ସମସ୍ୟା ? ଏମିତି ଏମିତି ଅନେକ ଚିନ୍ତା ବିବ୍ରତ କରୁଥିଲା ବେଳେ ଉଦାସରେ ବାହାରକୁ ଚାହିଁ କଥା ଆରମ୍ଭ କଲେ ଡାକ୍ତର । ମୋ ନର୍ସିଂହୋମର କୋଡ଼ିଏ ନମ୍ବର କ୍ୟାବିନ୍ । ଦ୍ଵିତୀୟ ମହଲାର ଦ୍ଵିତୀୟ ଘର । ନିଜ ଚ୍ୟାମ୍ବରରୁ ହାତ ବଢ଼େଇ ସେଇ ଘରର ଝରକାକୁ ସୂଚେଇ ଦେଲେ ଡାକ୍ତର । ମୋର ଏଇ ଡାକ୍ତରଖାନାକୁ ଯେତେ ଦୁଃସାଧ୍ୟ ରୋଗୀ ଆସନ୍ତି ମୁଁ ଏଇ କ୍ୟାବିନରେ ରଖେ । ମୋର ବିଶ୍ଵାସ ସେଠୁଁ ସମସ୍ତେ ଆରୋଗ୍ୟ ହୋଇ ଫେରନ୍ତି ।

 

ପୁଣି ବିରକ୍ତ ହୋଇ ଉଠୁଥିଲେ ସ୍ଵାମୀ ଶୁଭ୍ରକାନ୍ତ । ମଣିଷର ଦୁର୍ଯୋଗ ଥିଲେ ଏମିତି ବୟସ୍କ ପାଗଳମାନଙ୍କ ହାତରେ ପଡ଼େ । ଆଶ୍ରମକୁ ଯେଉଁମାନେ ଆସନ୍ତି କମ୍‍ କୁହନ୍ତି, ସନ୍ନ୍ୟାସୀଙ୍କଠାରୁ ବେଶି ଶୁଣନ୍ତି । ଗୀତା ଭାଗବତର କଥା ଶୁଣୁ ଶୁଣୁ ତାଙ୍କ ପାଦତଳେ ସମର୍ପଣ ଭାବରେ ଲୋଟି ପଡ଼ନ୍ତି । ପୁଣି କେହି ମଧ୍ୟ ନିଜର କିଛି ସ୍ଵାର୍ଥର କାମନା କରି ସନ୍ୟାସୀଙ୍କର ଆଶିଷ ଲୋଡ଼ନ୍ତି । ସ୍ଵାମୀଜୀଙ୍କର ସମ୍ଭ୍ରମର ବନ୍ଧ ଭାଙ୍ଗିବା ଆଗରୁ କଥା ଯୋଡ଼ିଲେ ଡାକ୍ତର ।

 

“ଏଇ ଘରର ଅନୁଭୂତି ମୋ ପାଇଁ ଏବେ ବି ଜୀବନ୍ତ, ମୋତେ ଲାଗେ ଏଇ ଘରେ କେହି ଜଣେ ଦେବୀ ରୋଗୀମାନଙ୍କୁ ସେବା କରି ଆସୁଛନ୍ତି । ଯମ ହାତରୁ ମଣିଷ ଜୀବନକୁ ଛଡ଼େଇ ଆଣିବାର ଶକ୍ତି ତାଙ୍କର । “ଏଥର କିନ୍ତୁ ସ୍ୱାମୀ ଶୁଭ୍ରକାନ୍ତ ସମ୍ପୂର୍ଣ୍ଣ ନିଶ୍ଚିନ୍ତ ହୋଇ ଯାଇଥିଲେ ଡାକ୍ତର ଦାସ ପାଗଳ ହୋଇଯାଇଛନ୍ତି । ବୟସ ତାଙ୍କର ମୁଣ୍ଡ ବିଗାଡ଼ିଦେଇଛି । ଡାକ୍ତର ଅତୀତକୁ ଫେରିଯାଇ ଆରମ୍ଭ କରିଥିଲେ । “ଏଇଠି, ଏଇ ଘରେ ଦିନେ ଗୋଟାଏ ଦରମରା ଶିଶୁକୁ, ମାଆଟିଏ ଆଣି ଫୋପାଡ଼ି ଦେଇ ଚଟାଣରେ ମୁଣ୍ଡ ବାଡ଼େଇ ଦେଇ କହିଥିଲା “ହେ ଡାକ୍ତର ତୁ ଭଗବାନ । ତୁ ତାକୁ ବଞ୍ଚେଇ ଦେ । ମଥା ଫାଟି ରକ୍ତ ବାହାରି ଯାଇଥିଲା ! ଡାକ୍ତର ଜୀବନରେ ଏକ ବିସ୍ମୟକର ଅନୁଭୂତି । ସମସ୍ତ ପରୀକ୍ଷା ପରେ ଅନୁଭବ କଲି ଶିଶୁଟିର ଅବସ୍ଥା ସଙ୍କଟାପନ୍ନ । ଜୀବନ ଆଉ ମୃତ୍ୟୁ ମଧ୍ୟରେ ବ୍ୟବଧାନ ମୁହୂର୍ତ୍ତଟିଏ । ମୋର ଡାକ୍ତରୀ ପାଠ କହୁଥିଲା ବଞ୍ଚିବାର ଆଶା ଆଦୌ ନାହିଁ ।

 

“ତାପରେ କ’ଣ ସେ ପିଲା ବଞ୍ଚିଲା” ? ଉତ୍କଣ୍ଠାରେ ହେଉ କି ତୁରନ୍ତ କଥା ଶେଷ କରିବାକୁ ପ୍ରଶ୍ନ କଲେ ସ୍ଵାମୀ ଶୁଭ୍ରକାନ୍ତ । ଡାକ୍ତରଙ୍କ କଥା କିନ୍ତୁ ବେଗମତୀ ମହାନଦୀ ପରି ବହିଚାଲିଥିଲା । ସ୍ଵାମୀ ଶୁଭ୍ରକାନ୍ତଙ୍କର ପ୍ରଶ୍ନର କିଛି ପ୍ରଭାବ ନଥିଲା କଥାର ଧାରା ଉପରେ ।

 

“କିନ୍ତୁ ତା’ ମାଆର ବ୍ୟଗ୍ରତା ଆଉ ନିଷ୍ଠା ମତେ ସତ କହିବାକୁ ନିବୃତ୍ତ କଲା । ବରଂ ଚିକିତ୍ସା କରିବା ପାଇଁ ବିଶ୍ଵାସ ଆଉ ଦୃଢ଼ତା ଆଣିଲା । ଦୀର୍ଘ ଏକୋଇଶି ଦିନ ଏକୋଇଶି ରାତି ସେ ପିଲା ଏଇ ଡାକ୍ତରଖାନାରେ ରହିଲା । ଦିନ ଆଉ ରାତି ତା ମା’ ପାଇଁ ଥିଲା ଏକାକାର । କେତେବେଳେ ମାଆ ଆଖିରେ ପଲକ ପଡ଼ିବା ମୁଁ ଦେଖିନି ! ଶୁଣିଥିଲି ଯମ ମା’ କୋଡ଼ରୁ କେବେ ଶିଶୁକୁ ନେଇ ପାରେନି । ସେଇ ମୁହୂର୍ତ୍ତକୁ ସେଇ କ୍ରୂର ଜନ୍ତୁରାଣ ଅପେକ୍ଷା କରନ୍ତି କେତେବେଳେ ମାଆର ପଣତର ଢାଙ୍କୁଣି ଅଜାଣତରେ ଶିଶୁ ଉପରୁ ଘୁଞ୍ଚିଯିବ ।” କିନ୍ତୁ ଏ କଥାର ଅବତାରଣା କାହିଁକି ? ପୁଣି ଏଇ ବିଳମ୍ବିତ ରାତିରେ ? ଆଶ୍ଚର୍ଯ୍ୟ ଆଉ ଅପ୍ରାସଙ୍ଗିକ ଲାଗୁଥିଲା ସ୍ଵାମୀ ଶୁଭ୍ରକାନ୍ତଙ୍କୁ ।

 

ଡାକ୍ତର କହୁଥିଲେ ସେଇ ମମତାମୟୀ ମାଆଟି ସେଇ ଦିନତକ ମଧ୍ୟ ମାଆ ପାଲଟି ଯାଇଥିଲା ସବୁ ରୋଗୀଙ୍କର । ନିର୍ବିକାର ଭାବରେ ସେ ସେବା କରୁଥିଲା । ସେ ସମ୍ରାଟ ବାବର ନଥିଲା, ଯିଏକି ନିଜ ରୋଗଗ୍ରସ୍ତ ସନ୍ତାନର ଚାରିପାଖରେ ବୁଲି କହିଥିଲେ “ହେ ପ୍ରଭୁ ମୋ ପୁଅର ଜୀବନ ବଞ୍ଚାଇ ମତେ ବରଂ ମାରିଦିଅ । “ ସ୍ଵାମୀ ଶୁଭ୍ରକାନ୍ତ କେବଳ ଚାହିଁଥିଲେ । ଏତେ ବର୍ଷ ପରେ ଆଜି ଏପରି ଏକ କାହାଣୀକୁ କାହିଁକି ଡାକ୍ତର ଅବତାରଣା କରୁଛନ୍ତି ବୁଝି ପାରୁ ନଥିଲେ ସେ-। “ଜାଣିଛନ୍ତି ସ୍ୱାମିଜୀ, ସିଏ କିନ୍ତୁ ମୁଣ୍ଡ କୋଡ଼ି ସବୁବେଳେ କହୁଥିଲା ହେ ପ୍ରଭୁ ମତେ ପଛେ ଏ ଦୁନିଆରୁ ନେଇଯାଅ, ମୋ ପୁଅକୁ ବଞ୍ଚେଇ ଦିଅ । ତାକୁ ମୁଁ ବଇରାଗୀ କରିଦେବି ।’’

 

ଏ ଯାବତ ଚଞ୍ଚଳଥିବା ଶୁଭ୍ରକାନ୍ତଙ୍କର, ଅନ୍ୟମନସ୍କ ମନଟା ଡାକ୍ତରଙ୍କ କଥା ଉପରେ ଟିକେ ଥିର ହୋଇଗଲା । କଥା ଗୁଡ଼ାକ ନିଜ ଅଜାଣତରେ ଟିକିଏ ଆପଣାର ଲାଗିଲେ କିନ୍ତୁ ଦ୍ଵନ୍ଦ ଭିତରେ ପୁଣି ଘୁରିବାକୁ ଲାଗିଲେ ସ୍ୱାମୀ ଶୁଭ୍ରକାନ୍ତ । ଏତେବର୍ଷ ହେଲା ତାଙ୍କ ଆଶ୍ରମର ଦ୍ଵାର ମାଡ଼ି ନଥିବା ଏଇ ଦୃଢ଼ମନା ଡାକ୍ତର ତାଙ୍କଠାରୁ କି ସାହାଯ୍ୟ ଚାହୁଁଛନ୍ତି ବୁଝିପାରୁ ନଥିଲେ ସେ । ପୁଣି କ’ଣ ସେ କହିବେ, ଚିନ୍ତା କରୁକରୁ ଡାକ୍ତର ଆରମ୍ଭ କଲେ । “କୋଡ଼ିଏ ନମ୍ବର କ୍ୟାବିନର ସେଇ ମାଆର ପ୍ରାର୍ଥନା ସଫଳ ହେଲା | ସମସ୍ତ ପ୍ରକାରର ଆଶଙ୍କା ଆଉ ଜୀବନ ମୃତ୍ୟୁର ସଂଘର୍ଷ ଭିତରେ ସେଦିନ ଅପରେସନ୍ ଆରମ୍ଭ କଲି । ମେଡିକାଲ ସାଇନସର ଅନେକ ପାଠକୁ ପଛରେ ପକାଇ ମୋ ଅପରେସନ୍ ସଫଳ ହେଲା । ସେ ପିଲା ବଞ୍ଚିଗଲା” । କଇଁ କଇଁ ହୋଇ କାନ୍ଦି ଉଠିଲେ ଡାକ୍ତର । ନିର୍ଦ୍ଦୟ ଭଗବାନ କିନ୍ତୁ ସେଇ ମାଆକୁ ନେଇଗଲେ । ଆକସ୍ମିକ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଲା । ସେଇଦିନୁ ଅନୁଭବ କରେ ମାଆର ଆନ୍ତରିକତା ଠାରୁ ବଡ଼ କିଛି ନାହିଁ ।

 

ବିବ୍ରତ ହୋଇ ଉଠିଲେ ଶୁଭ୍ରକାନ୍ତ । କିନ୍ତୁ ବହି ଚାଲିଥିଲା କଥାର ସ୍ରୋତସ୍ଵତୀ । ସେଇ ପିଲା ହେଲ ତମେ, ତମେ । ତମେ ଆଜି ମାଆର ଇଚ୍ଛାକୁ ସାକାର କରି ବୈରାଗୀ ହେଲ । ତୁମର ଖ୍ୟାତି ମୁଁ ଶୁଣିଛି । ଚାରିଆଡ଼େ ତୁମ ଅଲୌକିକ ମହିମାର ପ୍ରଚାର । “କ୍ଷଣକ ପାଇଁ ଶୁଭ୍ରକାନ୍ତଙ୍କ ପାଇଁ ବେଗମତୀ ମହାନଦୀ ମାତୃମୟ ହୋଇଗଲା । ସତେ ଯେମିତି ମାଆର ରକ୍ତମାଂସର ମୂର୍ତ୍ତିଟିଏ ତାଙ୍କ ଆଗରେ ଠିଆ କରିଦେଲେ ଡାକ୍ତର ଦାସ ।

 

ସ୍ଵାମୀ ଶୁଭ୍ରକାନ୍ତଙ୍କର ହାତକୁ ପୁଣିଥରେ ଧରିପକେଇ ଧୀର ସ୍ଵରରେ ଆରମ୍ଭ କଲେ ଡାକ୍ତର “ଆଜି ସେଇ କୋଡ଼ିଏ ନମ୍ବର କ୍ୟାବିନରେ ଶିଶୁଟିଏ ମରଣ ସହ ଯୁଝୁଛି । ମାଆଟି ତାର ଠିକ୍‍ ତମରି ମାଆଙ୍କ ପରି ଦିନରାତି ଏକାକାର କରି ଦେଇଛି । ଠିକ୍‍ ସେଇମିତି ଏକୋଇଶି ଦିନ ଏକୋଇଶି ରାତି । ନିଜ ପର ଚିନ୍ତା ନ କରି ସବୁ ରୋଗୀଙ୍କର ସେବା କରୁଛି । ସବୁ ଅନିଶ୍ଚିତତା ଭିତରେ ସେଦିନ ପରି ରାତି ଏଗାରଟାରେ ପିଲାଟିର ଅପରେସନ୍ କରିବାକୁ ଯାଉଛି ।’’

 

ବିଶ୍ଵାସ ଡାକ୍ତରଙ୍କର ଆବେଗକୁ ସହଜ କରିବାକୁ ଦେଇ କହିଲେ ସ୍ୱାମୀ ଶୁଭ୍ରକାନ୍ତ । “ଆପଣଙ୍କ ଦକ୍ଷତା ଉପରେ ସମସ୍ତଙ୍କର ବିଶ୍ୱାସ । ସେ ପିଲା ନିଶ୍ଚୟ ଭଲ ହୋଇଯିବ ।”

 

“କିନ୍ତୁ ମୁଁ ପୁଣିଥରେ ହାରିବାକୁ ଚାହେଁ ନାହି ସ୍ୱାମୀଜୀ । କାବେରୀ ଠିକ୍‍ ସେଦିନର ତୁମର ମାଆ ପରି ପିଲା ପାଖରେ ମୁଣ୍ଡ କୋଡ଼ି କହୁଥିଲା । ମତେ ନେଇ ଯାଅ ପ୍ରଭୁ ମୋ ପୁଅକୁ ବଞ୍ଚେଇଦିଅ । ତମେ ଟିକିଏ ଆଶୀର୍ବାଦ ଦେଇ ପାରିବ ସ୍ୱାମିଜୀ ? ତୁମ ଧ୍ୟାନର ଢାଙ୍କୁଣି ତଳେ ଢାଙ୍କି ଦେଇ ରଖି ପାରିବ ଏଇ ମା’ ପୁଅଙ୍କୁ ଯମ କବଳରୁ । ପିଲା ବଞ୍ଚିଲେ ବି ଯଦି କାବେରୀର...”-। ସ୍ଵତଃ “କିଛି ହେବନି” କହି ଡାକ୍ତରଙ୍କ ପାଟିରେ ହାତ ଦେଇ ଦେଲେ ସ୍ଵାମୀ ଶୁଭ୍ରକାନ୍ତ-। ଆପ୍ରୋନ୍ ଗଳେଇ ଅପରେସନ୍ ଥିଏଟରକୁ ବାହାରି ଗଲେ ଡାକ୍ତର ।

 

କାବେରୀ, କାବେରୀ, କାବେରୀ, ଶବ୍ଦଗୁଡ଼ାକ ପ୍ରଚଣ୍ଡ ଶବ୍ଦ କରି ବିସ୍ଫୋରିତ ହେବାକୁ ଲାଗିଲେ । ଅନ୍ଧାରର ଗୋହରୀ ଭିତରେ ଦେଖୁଥିଲେ ସ୍ଵାମୀ ଶୁଭ୍ରକାନ୍ତ । ଆଶ୍ରମରେ ତାଙ୍କର ରହିବାର ଘରର ନାଁ ସାଧନା ମନ୍ଦିର । ଅଳ୍ପଦିନ ତଳେ ତାଙ୍କ ପାଖରେ ଆକସ୍ମିକ ଭାବରେ ପହଞ୍ଚି ତାଙ୍କ ପାଦତଳେ ମୁଣ୍ଡ ପିଟି ଦେଇଥିଲା କାବେରୀ ନାମକ ନାରୀଟିଏ । ପୁଅ ତାର ଭୀଷଣ ବେମାର । ଡାକ୍ତର ଆଶା ଛାଡ଼ି ଦେଇଛନ୍ତି । ଭରସା କରି ଆସିଛି ତାଙ୍କ ପାଖକୁ ଆଶ୍ରମର ଅନ୍ତେବାସୀମାନେ ଆଉ ଦାମୀ ଭକ୍ତମାନେ ବଢ଼େଇ ଦେଇଛନ୍ତି ତାର ବିଶ୍ଵାସକୁ । “ସ୍ଵାମୀ ଶୁଭ୍ରକାନ୍ତ ସାକ୍ଷାତ ଭଗବାନଙ୍କର ଅବତାର । ତାଙ୍କର ସଙ୍ଗ ଲାଭ କରିବା ଭଗବାନଙ୍କ ସହ ଏକାତ୍ମ ହେବା’’ । ଏମିତି ଅନେକ ମନଭୁଲା କଥା କହି ଦୁଃଖୀ ମଣିଷର ବିଶ୍ଵାସକୁ ଏମାନେ ଦୃଢ଼ କରନ୍ତି । ସାଧନା ମନ୍ଦିର ଏକ ଶୀତତାପ ନିୟନ୍ତ୍ରିତ କକ୍ଷ । ସମସ୍ତ ପ୍ରକାରର ଆଭିଜାତ୍ୟପୂର୍ଣ୍ଣ ଜିନିଷରେ ଭରପୁର । ଅନେକ ସମୟରେ ଦାମୀ ଭକ୍ତମାନଙ୍କର ବେଶ ତାରିଫ କରନ୍ତି ସ୍ଵାମୀ ଶୁଭ୍ରକାନ୍ତ ! ରାଜନେତା, ସାମ୍ବାଦିକ, ବରିଷ୍ଠ ଅମଲା ଆଉ ଧନୀ ବ୍ୟକ୍ତିମାନଙ୍କର ଭିଡ଼ ସବୁବେଳେ ତାଙ୍କ ଚାରି ପାଖରେ । ଆଶ୍ରମରେ ଅର୍ଥର ଅଭାବ ନାହିଁ ।

 

“ସ୍ଵାମୀଜୀଙ୍କ ପାଖରେ ପାଟବସ୍ତ୍ର ଆଉ ଖଦିବସ୍ତ୍ର ଭିତରେ ପ୍ରଭେଦ ନାହିଁ । ତାଙ୍କ ପାଇଁ ଖରା ଆଉ ଶୀତ ସବୁ ସମାନ” । ଏକଥା କହି ଥରେ ଜଣେ ଅବସରପ୍ରାପ୍ତ ଉଚ୍ଚ ଅଧିକାରୀ କେହି ଜିଜ୍ଞାସୁ ଯୁବକଙ୍କୁ ନିରବ କରିବାର ଦୃଶ୍ୟକୁ ବେଶ ଉପଭୋଗ କରନ୍ତି ସ୍ଵାମୀଜୀ । ଏମାନେ ଲୋକଙ୍କୁ ବୁଝେଇ ଦିଅନ୍ତି । ଗୀତା ଭାଗବତରୁ ନଜିର ଦିଅନ୍ତି । ପ୍ରତିବାଦ କରିବାକୁ ଆସିଥିବା ଯୁବକ ବିଭୋର ହୋଇ ସ୍ଵାମୀଜୀଙ୍କର କୀର୍ତ୍ତନ କରେ । ସ୍ଵାମୀ ଶୁଭ୍ରକାନ୍ତ ଅନୁଭବ କରୁଥିଲେ ଡାକ୍ତର ଦାସ ଅପରେସନ ଥିଏଟରରେ ସେଇ ଶିଶୁଟିର ଅସ୍ତ୍ରୋପଚାର କରୁନାହାନ୍ତି ବରଂ ତାଙ୍କ ଦେହରେ ଅସ୍ତ୍ରୋପଚାର କରୁଛନ୍ତି । କୋଡ଼ିଏ ନମ୍ବର କେବିନକୁ ଚାହୁଁଥିଲେ ସ୍ୱାମୀଜୀ । ସାଧନା ମନ୍ଦିରରେ ସ୍ତିମିତ ଦୀପଶିଖା ପାଖରେ ଆକୁଳ ହୋଇ କାନ୍ଦୁଥିବ କାବେରୀ । ଅପେକ୍ଷା କରିଥିବ ତାଙ୍କୁ । ମଣିଷ ପାଖରେ ପ୍ରାଚୁର୍ଯ୍ୟ ପହଞ୍ଚିଲେ ତା’ର ଭାବନା ବିପର୍ଯ୍ୟସ୍ତ ହୋଇଯାଏ । ପାପପୂଣ୍ୟର ବିଚାର ସେ ଭୁଲିଯାଏ । ଅନୁଭବ କରୁଥିଲେ ସ୍ୱାମୀ ଶୁଭ୍ରକାନ୍ତ । ସନ୍ତାନକୁ ଆରୋଗ୍ୟ କରିଦେବାର ସ୍ୱପ୍ନ ଦେଖାଇ କାବେରୀକୁ ଉପଭୋଗ କରିବାର ସମସ୍ତ ରାସ୍ତା ତା’ ଅଜାଣତାରେ ସେ ଓଳେଇ ସାରିଛନ୍ତି । ରାଧାକୃଷ୍ଣଙ୍କର ପ୍ରେମକୁ ଭ୍ରାନ୍ତଭାବେ ଅବତାରଣା କରି ବିଶ୍ଵାସର ନୀଡ଼ଟିଏ ରଚନା କରିଛନ୍ତି । କାବେରୀର ସୁନ୍ଦର ଦେହ ତାଙ୍କ ମନରେ ବନାଗ୍ନିର ସଂଯୋଗ କରିଛି । ଆଜି ରାତିରେ ଏକ ବିଶେଷ ପୂଜା ପାଇଁ ଡାକିଛନ୍ତି କାବେରୀକୁ । ସନ୍ତାନଗତ ପ୍ରାଣା ଆଦୌ ବୁଝିପାରିନି ତାଙ୍କର ଏଇ ପ୍ରତାରଣାକୁ । ପ୍ରତାରିତ ହେଲାପରେ ନିଜ ଜୀବନର ଏଇ ଅନ୍ଧାରୁଆ ଅଧ୍ୟାୟକୁ କେବେବି ପ୍ରକାଶ କରି ନଥାନ୍ତି କେହି । ତା’ ପରେ ବି ଆଶ୍ରମ ସପକ୍ଷରେ ଅନେକ ସ୍ତାବକ । ନିଜ ଅଜାଣତାରେ ଆଖିବୁଜି ହୋଇଗଲା ସ୍ୱାମୀ ଶୁଭ୍ରକାନ୍ତଙ୍କର । ଆଗରୁ ବହୁବାର ଭକ୍ତମାନଙ୍କ ସାମ୍ନାରେ ଜୋର ଜବରଦସ୍ତ ଆଖି ବନ୍ଦ କରି ଧ୍ୟାନର ଛଳନା କରିଛନ୍ତି ସେ । ଧ୍ୟାନ ମୁଦ୍ରାରେ କିଛି ସମୟ ରହି ଭଗବାନଙ୍କର ଦର୍ଶନ କରିଥିବା କଥା କହିଛନ୍ତି । ଅବଶ୍ୟ ବିଶ୍ଵାସର ସାମ୍ରାଜ୍ୟକୁ ପରିଚାଳନା କରିବାକୁ ଏସବୁ ଆବଶ୍ୟକ ।

 

ନିବୁଜ ଆଖିରେ କିନ୍ତୁ ଏଥର ସ୍ଵାମୀ ଶୁଭ୍ରକାନ୍ତ ଦେଖିଥିଲେ କାବେରୀ ଦେହର ଭୂଗୋଳକୁ । କୋଡ଼ିଏ ନମ୍ବର କେବିନର ଝରକାକୁ ଚାହିଁ ସେ ଦେଖୁଥିଲେ ସେଇ ସୌନ୍ଦର୍ଯ୍ୟମୟୀ ମୂର୍ତ୍ତିକୁ । ଗତ ସନ୍ଧ୍ୟାରେ ଆଶ୍ରମରେ ପୂଜା କଲାବେଳେ ଧାର ଧାର ଲୁହ ବୋହି ଯାଉଥିଲା ତା’ର ଆଖିରୁ । ସେଇ ଲୁହକୁ ସେ ତା’ର ଅସହାୟତାର ଲୁହ ବୋଲି ଭାବିଥିଲେ । ଠାକୁରଙ୍କୁ ପ୍ରଣାମ ସାରି କାବେରୀ ନଇଁ ପଡ଼ି ତାଙ୍କ ପାଦଧୂଳି ନେଲାବେଳେ ତାଙ୍କ ଆଗରେ ତା’ ଦେହର କିଛି ଅଂଶ ଅନାବୃତ ହୋଇ ଯାଇଥିଲା । ପାପର ଏଇ ପାରାବାରରେ ଝଡ଼ ସୃଷ୍ଟି ହୋଇଥିଲା । ବୋଧଦେବା ବାହାନାରେ କୋଳେଇ ନେଇଥିଲେ ତାକୁ । ତା’ ପରେ କରିଥିଲେ ପୂଜାର ବିଶେଷ ଯୋଜନା । ପୂଣ୍ୟର ଆବରଣ ତଳେ ପାପପୂଣ୍ୟର ବିଚାର ଅନେକ ଦିନୁ ଭୁଲି ସାରିଛନ୍ତି ଶୁଭ୍ରକାନ୍ତ ! ଆଶ୍ରମ ନାମରେ ପ୍ରାସାଦ, ପ୍ରସାଦ ନାମରେ ଖାଦ୍ୟର ପ୍ରାଚୁର୍ଯ୍ୟ, ଆନ୍ତରିକ ପ୍ରାର୍ଥନା ବଦଳରେ ସ୍ତାବକଙ୍କର ଚାଟୁବାକ୍ୟ ପାଖରେ ହଜିଯାଇଛନ୍ତି ଗୃହତ୍ୟାଗୀ ବଇରାଗୀ ଶୁଭ୍ରକାନ୍ତ । ନାରୀର ଦେହ ଆଜି ତାଙ୍କ ପାଇଁ ଦୁଷ୍ପ୍ରାପ୍ୟ ନୁହେଁ, ସବୁପ୍ରକାର ଉପଭୋଗ ତାଙ୍କ ହାତ ପାଆନ୍ତାରେ !

 

ଆଜି କିନ୍ତୁ କାବେରୀର ଅନାବୃତ ଦେହର ଭୂଗୋଳ ଏକ ଭିନ୍ନ ରୂପରେ ତାଙ୍କ ମନରେ ଦେଖା ଦେଲା । ଆବିଷ୍କାର କରୁଥିଲେ ଶୁଭ୍ରକାନ୍ତ । ଅମୃତର ଏଇ ଧାରାକୁ କିଏ ଖଞ୍ଜି ଦେଲା ନାରୀର ଦେହରେ । ଏ ପର୍ଯ୍ୟନ୍ତ ଶାସ୍ତ୍ର ମଧ୍ୟରେ ଖୋଜୁଥିବା ବିଶ୍ଵପାଳକଙ୍କୁ ସେ ଅନୁଭବ କଲେ କାବେରୀର ମୁକୁଳା ଛାତିରେ । ମାତୃମୟ ଦିଶିଲା ଏ ଜଗତ । ଅଜାଣତରେ ଶିଶୁଟିଏ ପରି ମନେ ମନେ ରୂପାନ୍ତରିତ ହୋଇ ଯାଉଥିଲେ ମାଆ ମେରୀଙ୍କ କୋଳର ସେଇ ଛୋଟ ଶିଶୁ ରୂପରେ । ବିକାର ନାହିଁ, କାମନା ନାହିଁ, ଅଛି ତୃପ୍ତି ଆଉ ପରମ ଆନନ୍ଦ । ଗତକାଲି ବୁଝିପାରୁ ନ ଥିବା ଏଇ ଲୁହ ଲାଗିଲା ତାଙ୍କୁ ଅମୃତର ବିନ୍ଦୁ ଭଳି ଆଉ ସେଇ ବିନ୍ଦୁ ଭିତରେ ପ୍ରତିଫଳିତ ହେଉଛି ଏଇ ସସାଗରା ଧରା । ମାନସଚକ୍ଷୁରେ କାବେରୀର ଅନାବୃତ ଦେହକୁ ଦେଖି ସେ ଅଜାଣତରେ ଉଚ୍ଚାରଣ କରୁଥିଲେ ତୁମେ ପରମାନନ୍ଦମୟୀ, ତୁମେ ଚିନ୍ମୟୀ, ତୁମେ ତତ୍ତ୍ଵାତୀତମୟୀ, ତୁମେ ଶ୍ରୀମୟୀ, ତୁମେ ଚରାଚରମୟୀ, ତୁମେ ବ୍ରହ୍ମମୟୀ ! ବାରବାର ତାଙ୍କ କାନକୁ ଶୁଭୁଥିଲା “ଧନରେ ତତେ ମୁଁ ବଇରାଗୀ କରିଦେବି ।” ଏ ଆଶ୍ରମ, ଏ ପ୍ରାର୍ଥନାର ପ୍ରହସନ, ଏ ସେବାର ପ୍ରଚାର, ବିଶ୍ଵାସର ପ୍ରତାରଣା ତାଙ୍କୁ ଲାଗିଲା ମାତୃଦ୍ରୋହ ପରି । ଅନୁଶୋଚନାର ଦୁଃଖରେ ଚଟାଣରେ ମୁଣ୍ଡ ପିଟି ଦେବାକୁ ଗଲା ବେଳକୁ ହଠାତ୍‍ କିଏ ତାଙ୍କୁ ଯେପରି ଅଟକେଇ ଦେଇ କହିଲା “ଧନରେ କାଟିବ” । ଆଗରେ କୋଡ଼ିଏ ନମ୍ବର କେବିନର ସେଇ ଯୋଡ଼ିଏ ଆଖି, ଆଶ୍ରମରେ ଅବାରିତ ଭାବରେ ଲୁହ ବୁହାଉଥିବା ଯୋଡ଼ିଏ ଆଖି । ବାଛୁରୀକୁ କ୍ଷୀର ଦେଲା ବେଳେ ତା’ ବେକକୁ ବାରବାର ଚାଟୁଥିବା ଯୋଡ଼ିଏ ଆଖି ।

 

ସିନ୍ଦୂରା ଫାଟି ଆସିଲାବେଳକୁ ଆନନ୍ଦରେ ଫାଟି ପଡ଼ି ଚିତ୍କାର କରି ଅପରେସନ୍ ଥିଏଟରରୁ ବାହାରି ଆସୁଥିଲେ ଡାକ୍ତର ଦାସ । ଅପରେସନ୍ ସକସେସଫୁଲ ହୋଇଛି । ଆନନ୍ଦରେ ଲୁହ ବୁହାଇ ଆସୁଥିବା କାବେରୀକୁ ଚାହିଁ ଡାକ୍ତର କହିଲେ ‘ମା’ ସ୍ୱାମୀଜୀଙ୍କୁ ଯାଇ ପ୍ରଣାମ କର । ସେ ମୋରି ରୁମରେ ରାତି ସାରା ଧ୍ୟାନରେ ବସିଛନ୍ତି । କାବେରୀର ବିଶ୍ଵାସ ଦ୍ଵିଗୁଣିତ ହୋଇଗଲା । ସନ୍ନ୍ୟାସୀ ଆଶ୍ରମକୁ ନଯାଇ ପୁଅ ପାଇଁ ଧ୍ୟାନରେ ବସିଥିବା ଶୁଣି କୃତଜ୍ଞତାରେ ଡାକ୍ତରଙ୍କ ରୁମରେ ପଶିଲା ବେଳକୁ ଦେଖିଲା ସନ୍ନ୍ୟାସୀ ନାହାନ୍ତି । ପେପରୱେଟ୍ ମଡ଼ା ହୋଇ ଥୁଆହୋଇଛି କାଗଜ ଖଣ୍ଡେ । ଧଳା ଫରଫର କାଗଜରେ ଲେଖା ହୋଇଥିବା କେତୋଟି ଧାଡ଼ିକୁ ପଢ଼ୁଥିଲେ ଡାକ୍ତର ଦାସ ଆଉ କାବେରୀ ! ହେ ପ୍ରକୃତି ସ୍ଵରୂପିଣୀ, ମୋ ଜୀବନର ସମସ୍ତ ପାପ ପୂଣ୍ୟକୁ ତୁମ ଅମୃତସାଗରରେ ଭସାଇ ଦେଇ ପ୍ରାପ୍ତିର ଅନୁଭବ ନେଇ ତୁମରି ସନ୍ଧାନରେ ଚାଲି ଯାଉଛି । ମାଆ ବାରବାର ଦେହ ପରିବର୍ତ୍ତନ କରୁଥିଲେ ବି ମାତୃତ୍ଵ ବଞ୍ଚିଛି, ବଞ୍ଚିବ ! ତା’ ଚିରନ୍ତନ । ବିଶ୍ୱାସର ଅନ୍ୟନାମ ବିଶ୍ଵ” ।

 

ସମସ୍ତ ପରିବେଶକୁ ଅଲଗା କରି ଦେଇ ଅଗଣାରୁ ହସକୁରୀ ନର୍ସଟା ପାଟି କରି ଡାକୁଥିଲା, “ସାର୍ ଦେଖିବେ ଆସନ୍ତୁ ମା’ ବିଲେଇଟା କେମିତି ତା ଛୁଆକୁ ପାଟିରେ ଧରି ନିରାପଦ ଜାଗାକୁ ନେଇଯାଉଛି ।

Image

 

ମୁହୂର୍ତ୍ତ

 

ଜେଜେମା’ର କୋଳରେ ମୁଣ୍ଡରଖି ସ୍ୱପ୍ନ ଦେଖୁଥିଲା ଅର୍ଚ୍ଚନା । ମୁଣ୍ଡ ବାଳକୁ ଆଉଁସି ଦଉଦଉ କେତେ ଆଡ଼ୁ କେତେ କଥା ଗପି ଚାଲିଥିଲା ଜେଜେମା । କଥା ଭିତରେ ପ୍ରଶଂସା କରୁଥାଏ ତା’ର ଲମ୍ବା ବାଳକୁ, ପୁଣି ଓସାରିଆ ପୋଟଳଚିରା ଆଖିକି ଅବା ନଡ଼ିଆ ଫୁଲ ରଙ୍ଗର ଦେହକୁ । ଖୁସିରେ କହୁଥାଏ “ମୋ ନାତୁଣୀ ଗୋଟାଏ ରାଜକୁମାରୀ ପରି ଦିଶୁଛି’’ । ଜେଜେମା’ ସିନା ତାକୁ ରାଜକୁମାରୀ ପରି ଦିଶୁଛି ବୋଲି କହେ ହେଲେ ଅର୍ଚ୍ଚନା ତାର କଥା ଶୁଣୁ ଶୁଣୁ ସତରେ ରାଜକୁମାରୀ ହୋଇଯାଏ । ସ୍ଵପ୍ନର ଘୋଡ଼ା ଚଢ଼ି ବୁଲି ଆସେ କୋଉ ବଡ଼ବଡ଼ କଲେଜ କି କୋଉ ଆକାଶ ଛୁଆଁ ମନ୍ଦିରର ବେଢ଼ାରେ । କେତେବେଳେ ଭାବେ ବେକରେ ଷ୍ଟେଥୋ ପକାଇ ସେ ଡାକ୍ତରାଣୀ ହୋଇ ଯାଇଛି ତ କେତେବେଳେ ଆଇ.ଏ.ଏସ୍. ପାଇ ଯାଇ କୋଉ ଜିଲ୍ଲାର ଜିଲ୍ଲାପାଳ ହୋଇଯାଇଛି । ଜେଜେମା’ ଥରେ ତାକୁ ଖବରକାଗଜରୁ ଗୋଟେ ଝିଅର ଫଟୋ ଦେଖେଇ କହୁଥିଲା ତୁ ୟାରି ପରି ଆକାଶରେ ଉଡ଼ିବୁଲନ୍ତୁ କି ? ଏ ସବୁ ସପନ ପଛରେ ଗୋଟାଏ ସତ ଥାଏ, ତା ହେଲା ଅର୍ଚ୍ଚନାର ପାଠ । ଖୁବ୍‍ ଭଲ ପାଠ ପଢ଼େ । ପିଲାଟିର ମନ ପଦ୍ମ ପତ୍ରରେ ପାଣି ପରି ଢଳଢ଼ଳ । ତା’ ମନ ଭିତରେ ରୋଗୀ, ଭିକାରୀଙ୍କ ପାଇଁ ଦରଦର ସାଗର । ସେଇ ଦରଦୀ ମନ ତାକୁ ଡାକ୍ତରାଣୀ କରେ, ସେବା କରିବାକୁ ଅମୃତ ହାତଟିଏ ଦିଏ ।

 

ରୋଗୀପାଇଁ ଆଖିରେ ଲୁହ ଗଡ଼ଉ ଗଡ଼ଉ ସେ ଆନମନା ହୋଇଯାଏ । ପୁରୀରେ କେତେ ଆଡ଼ୁ କେତେ ମଣିଷ ଆସି ପେଟପାଇଁ ଖଟୁଥିଲେ । ମୁଣ୍ଡ ଗୁଞ୍ଜିବା ପାଇଁ ସରକାରୀ ଜାଗାରେ କୁଡ଼ିଆ କେତେଟା କରିଥିଲେ । ବୁଲଡ଼ୋଜର୍ ଲଗାଇ କୁଡ଼ିଆ ଭାଙ୍ଗି ଦେଇଛି ପ୍ରଶାସନ । ତଥାପି ସେଇ ଭଙ୍ଗାକୁଡ଼ିଆ ତଳୁ ଶିଶୁମାନେ କୋଉଠି ପାଠ ବହି ତ କୋଉଠି ବାସନ କେତେ ଖଣ୍ଡକୁ ଖୋଜିବାରେ ବ୍ୟସ୍ତ । ଭୋକରେ ମାଟି ଭିତରେ ଚାପି ହୋଇ ରହିଥିବା ବିସ୍କୁଟ ଡବାରୁ ଖଣ୍ଡ ବିସ୍କୁଟ କାଢ଼ି ଖାଇ ଦଉଛି ଚାରି ପାଞ୍ଚ ବର୍ଷର ପିଲାଟି । ଦୁଃଖ ଓ କ୍ରୋଧରେ ସେ ଜଳିଯାଏ ! ଭାବେ ସେ ଜିଲ୍ଲାପାଳ ହୋଇଥାଆନ୍ତା କି, ଏମାନଙ୍କ ପାଇଁ ଆଉ କୋଉଠି ଜାଗା ଟିକିଏ ଦେଇ ଘର କରି ଦେଇଥାଆନ୍ତା । ସ୍ଵପ୍ନର ସୀମା ସରହଦ ନାହିଁ, ସ୍ଵପ୍ନରେ ମଣିଷ ବଞ୍ଚେ । ଅନେକ ସପନ ସତ ହୁଏ । ଅନେକ ବି ଭାଙ୍ଗି ଯାଏ, ପକ୍କାଘରେ ହାତରୁ ଖସି ପଡ଼ି ଭାଙ୍ଗିଗଲା ଆଇନା ପରି ।

 

ସେଦିନ କିନ୍ତୁ ଜେଜେମା କୋଳରେ ମୁଣ୍ଡ ରଖି ସେ ଯୋଉ ସପନ ଦେଖୁଥିଲା । ତା’ ଥିଲା ଅଲଗା । ଜେଜେମା କହୁଥିଲା ପାଖ ଗାଁରୁ ତାଙ୍କର ଦୂରସମ୍ପର୍କୀୟ ମାଉସୀ ବୁଲି ଆସିଛନ୍ତି ତାଙ୍କ ଗାଁଆକୁ । ଦଶରାରେ ଅନେକ ବନ୍ଧୁବାନ୍ଧବ ବୁଲିଆସନ୍ତି ଦେବୀ ଦେଖିବାକୁ । ଏ ଭିତରେ ତା’ ମନକୁ ଯାହା କୁତୁକୁତୁ କରୁଥିଲା ତା’ ଥିଲା ତାଙ୍କ ପୁଅର କଥା । କଥା ଭିତରେ କୁଆଡ଼େ ବୁଲି ଆସିଥିବା ସେଇ ମାଉସୀ ତାଙ୍କ ପୁଅର କଥା କହୁଥିଲେ । ଅରିନ୍ଦମ ତା’ର ନାଁ । ତା' ଠାରୁ ଦି ତିନି କ୍ଲାସ ଉପରେ ପଢ଼ୁଥିଲା । ଏବେ କଲେଜ ଗଲାଣି । ଗୋଟିଏ ପୁଅ । କଥାରେ କଥାରେ କୁଆଡ଼େ ମାଉସୀ କହୁଥିଲେ “ତମ ଅର୍ଚ୍ଚନା ବହୁତ ସୁନ୍ଦର, ବଡ଼ ହେଲେ ମୋ ଘରକୁ ବୋହୂ କରି ପଠେଇବନା ? ଷ୍ଟେଥୋ ପକେଇ ଡାକ୍ତର ହବାର କି ଜ୍ୟାକେଟ୍ ପିନ୍ଧି ମହାକାଶରେ କଳ୍ପନା ଚାୱାଲା ହୋଇ ବୁଲିଯିବାର ସ୍ଵପ୍ନ ଦେଖୁଥିବା ଝିଅଟାର କାଇଁ ହଠାତ ବୋହୂ ହବାର ମନ ହେଲା । ତା’ ମନରେ ଦେଖା ଦେଇଥିବା ଏଇ କଳିକାଟି ବଢ଼ିଗଲା ଯେତେବେଳେ ସିଏ ଅରିନ୍ଦମର କଥା ଚିନ୍ତା କଲା । କେବେ କଥା ହୋଇନି । ସୌମ୍ୟ ଦର୍ଶନ କିଶୋର ସମ୍ଭାବନାମୟ ପ୍ରତିଭାଟିଏ । ଦେଖିଛି କେତେଥର । ଆଖିଟେକି ଚାହିଁଲେ ଆଖି ମିଶିଗଲା ପରେ ପୁଣି ତଳକୁ ମୁହଁ ପୋତି ଚାଲିଯାଏ ।

 

ଜେଜେମା କୋଳରୁ ତା’ ମୁଣ୍ଡଟିକି ଆସ୍ତେ ଟେକି ଦେଇ କହିଲା “ଯା ବୋଉକୁ କହିବୁ ଲୁଗା ପିନ୍ଧି ବାହାରି ପଡ଼ିବ । ଦଶରା ମେଢ଼ ଆଡ଼େ ଯିବା । ମାଉସୀ ଅପେକ୍ଷା କରିଥିବ ।” ଅନ୍ୟ ବେଳ ହୋଇ ଥିଲେ ମୁଣ୍ଡକୁ ପୁଣି ଜେଜେମା କୋଳରେ ଚାପି ଦେଇଥାଆନ୍ତା ଅର୍ଚ୍ଚନା କିନ୍ତୁ କେମିତି କେଜାଣି ଦଶରା ମେଢ଼ ପାଖରେ ଅରିନ୍ଦମର ପରିବାରକୁ ଭେଟିବାକୁ ବ୍ୟଗ୍ର ହୋଇଉଠିଲା । “ବୋଉ...’' ବୋଲି ଡାକି ବାହାରି ଯାଉଯାଉ ଚାପା କଣ୍ଠରେ ଶୁଭିଲା “ମତେ ଆଉ ମାରନା, ମାରନା, ସହି ପାରୁନି... ।” ବୋଉ ଥିବା ଘରକୁ ପଶି ଯାଇ ଅର୍ଚ୍ଚନା ଯାହା ଦେଖିଲା ତା’ ପାଇଁ ନୂଆ ନ ହେଲେ ବି ସେଦିନର ଘଟଣା ସବୁଦିନକୁ ଟପି ଯାଇଥିଲା । ହାତରୁ ଧାର ଧାର ରକ୍ତ ବୋହୁଥିଲା । ମାଡ଼ରେ ଶଙ୍ଖା ଭାଙ୍ଗି ପଶିଯାଇଚି ଦେହରେ । ହାତରେ ବଡ଼ ଆଇନାଟାକୁ ଧରି ଧରି ଛିଡ଼ା ହୋଇଛନ୍ତି ବାପା । ଲାଲ ଲାଲ ଆଖି ଦିଇଟା ଜଳୁଛି ନିଶାରେ । ଆଗେ ବାପା ରାତିରେ ମଦ ପିଉଥିଲେ । ଅନେକ ଥର ରାତିରେ ଡେରିରେ ଘରକୁ ଫେରି ବୋଉକୁ ଗାଳିଗୁଲଜ କରନ୍ତି । ଯେଉଁ ଭାଷା କୁହନ୍ତି ବେଳେବେଳେ ମାନେ ବୁଝି ପାରେନି ଅର୍ଚ୍ଚନା । କାହାକୁ କିଛି ପଚାରି ପାରେନା । ମନେ ପକଉଥିଲା ବେଳେ ବେଳେ ପଇସା ନିଅନ୍ତି । ଏବେ ଗୋଟି ଗୋଟି କରି ସବୁ ଗହଣା ନେଇ ସାରିଲେଣି । ସେଦିନର କଥା ମନେ ପକାଉଥିଲା ଅର୍ଚ୍ଚନା । ବୟସ କମ୍‍ ହେଲେବି କେତେକ ଘଟଣା ଆଖିରେ ଲାଖି ରହିଯାଏ ! କେତେ ଭଲର, କେତେ ମନ୍ଦର । ବୋଉ ବେକରୁ ଜବରଦସ୍ତ ହାର ଖୋଲିନେଉ ଥିଲେ ବାପା । ମଦ ଦୋକାନରେ ଅନେକ ପଇସା ବାକି । ମଦ ଆଉ ଦେଉନି । ବାପା କହୁଥିଲେ “ଜୁଆରେ ଲଗେଇ ଥିଲି, ଜିତିଥିଲେ ଛପର ଫାଡ଼ି ଜିତିଥାଆନ୍ତି । ହାରିଗଲି । ବୋଉ କହୁଥିଲା । ଯାହା ହେଲେବି ପଇସା ଦେବନି” । ବାପା ସେଦିନ ଗୋଟେ ନୂଆ କଥା କହିଲେ “ମଦ ଦୋକାନୀର ପଇସା ନ ଶୁଝିଲେ ସେ ତାଙ୍କ ପଛରେ ଗୁଣ୍ଡା ଲଗେଇ ଦବ” । ଗୁଣ୍ଡା ନାଁ ଶୁଣୁ ଶୁଣୁ ବୋଉ ଟିକେ ଚମକି ପଡ଼ିଲା । ଡରିଲା ଆଖିରେ ବେକରୁ ଖୋଲି ହାର ଦେଉ ଦେଉ କହିଲା “ମା କନକ ଦୁର୍ଗା ସେ ଗୁଣ୍ଡାମାନେ ତମର କିଛି ନ କରନ୍ତୁ’’ । ବହୁ ଅନୁନୟ କଲା ଆଉ ମଦ ନ ପିଇବାକୁ । ବାପା ଉଠିଗଲା ବେଳେ ତାଙ୍କ ହାତ ଧରି ବୋଉ କହୁଥିଲା “ଝିଅ ମୁହଁକୁ ଟିକିଏ ଚାହଁ ବୁଲିପଡ଼ି ବାପା କହିଲେ ଆରେ “ତୋ ଝିଅର ଗୁଲବଦନକୁ ଯିଏ ନାହିଁ ସିଏ ଚାହିଁବ ମୁଁ କ'ଣ କରିବି । ତାକୁ କିଏ ଦିନେ ଉଡ଼େଇ ନବ” । ସେଦିନ କିଛି ବୁଝିପାରି ନଥିବା ଅର୍ଚ୍ଚନା ହେତୁ ହେବା ପରେ ଆଜି ବୁଝିଛି ମଦ ମଣିଷକୁ କେମିତି ଅମଣିଷ କରେ ।

 

ବାପା ତା’ର ଜୋରରେ ପିଟୁଥିଲେ ବୋଉକୁ । ସେ ଧରି ପକେଇଲା ବେଳକୁ ଛାଟି ଦେଲେ ତାକୁ । ସେ ସ୍କୁଲରେ ଶୁଣିଥିଲା ବାପା ତାର ଏବେ କଣ’ ପାଉଡ଼ର୍ ଖାଉଛନ୍ତି । ନିଶା ଇଂଜେକସନ ନଉଛନ୍ତି । ସବୁ ଶୁଣି ମୁଣ୍ଡ ତଳକୁ କରି ଚାଲି ଆସେ ସେ । ଶୁଣିଥିଲା ଏ ସବୁ ନିଶା ହିତାହିତ ଜ୍ଞାନ ହଜେଇ ଦିଏ ।

 

ଏବେ କାଇଁକି ବୋଉ ବାରବାର ତାକୁ ମନାକରେ ବାପାଙ୍କ ପାଖକୁ ଆସିବାକୁ । ତଥାପି ସେ ବାପାଙ୍କ ପାଖକୁ ଯାଏ । ନିଶାରେ ନ ଥିଲା ବେଳେ ବାପା ତାକୁ ଅଲଗା ଲାଗନ୍ତି, ଆଦର କରନ୍ତି । କିନ୍ତୁ ବାହାରକୁ ଯାଇ ଫେରିଲା ପରେ ପୁଣି ବଦଳିଯାଆନ୍ତି । ଜେଜେମା ବହୁତ କାନ୍ଦେ । କହେ “ଗୋଟିଏ ବୋଲି ପୁଅ ବହୁତ ଗେଲବସରରେ ବଢ଼େଇଥିଲି । ଜେଜେମାଙ୍କୁ ବି ବାପା ଖରାପ ବ୍ୟବହାର କରନ୍ତି । କାନ୍ଥରେ ଲଗା ହୋଇଥିବା ଜେଜେବାପାଙ୍କ ଫଟୋକୁ ବିକଳରେ ସେ ଚାହେଁ । ଦଶରା ବୁଲିଯିବାକୁ ଆଲମିରାରୁ ବାହାର କରି ଥିବା ବୋଉର ଶାଢ଼ିଟା ଅଧା ଖୋଲା ହୋଇପଡ଼ିଥିଲା ବେଡ଼ ଉପରେ । ବୋଉ ମେଢ଼ ଦେଖିଯିବ ବୋଲି ମୁଣ୍ଡ କୁଣ୍ଡେଇ ମଥାଏ ସିନ୍ଦୂର ମାରିଥିଲା ସୁନ୍ଥାରେ । ସଜ ହୋଇ ବାହାରିଲେ ବୋଉ ତାର ଖୁବ୍‍ ସୁନ୍ଦର ଦିଶେ । ବୋଉର କାନ୍ଦ ଶୁଣି ବସିଲା ଥାନରୁ ଉଠିଆସିଲା ଜେଜେମା । ସହି ନପାରି ବାପାଙ୍କ ଗାଲରେ ଠାଏ କରି ଚାପୁଡ଼ାଟାଏ କସି ଦେଲା । ଲକ୍ଷ୍ମୀଛଡ଼ା...", ମୁହୂର୍ତ୍ତକରେ କ’ଣ ଘଟିଗଲା ବୁଝିପାରିଲାନି ଅର୍ଚ୍ଚନା । ଧରିଥିବା ଆଇନାରେ ଜେଜେମାକୁ ଶାଳୀ...ବୋଲି ଉଚ୍ଚାରଣ କରି ତା’ ମୁଣ୍ଡକୁ ଜୋରରେ ପିଟିଦେଲେ ବାପା । ମୁଣ୍ଡରେ ମାଡ଼ ହୋଇ ବଡ଼ ଆଇନାଟା ଗୁଣ୍ଡ ହୋଇଗଲା । କ’ଣ ଘଟିବ ବୋଲି ଭାବିବା ଆଗରୁ ସବୁ କିଛି ଘଟିଗଲା । ଜେଜେମା ନିସ୍ତେଜ ହୋଇ ତଳେ ପଡ଼ିଗଲା । କିଛିକ୍ଷଣ ପରେ ଗୋଡ଼ ହାତ ହଲିବା ବି ବନ୍ଦ ହୋଇଗଲା ।

 

“ବୋଉ...” ବୋଲି ଚିତ୍କାର କରି ତା’ର ବୋଉ ଜେଜେମା ଉପରେ ଲୋଟି ପଡ଼ିଲା । ଆଶ୍ଚର୍ଯ୍ୟରେ ବାପା ଚାହିଁ ରହିଥିଲେ । ନିରବ ହୋଇଯାଇଥିଲା ଜେଜେମା ଆଉ ବୋଉର ସ୍ଵର ପଡ଼ିଶା ଘରର ଡାକ୍ତର ଆସି କହିଲେ “ଏମାନେ ଆଉ ନାହାନ୍ତି” । ବୋଉ ଚାଲିଯାଇଛି ହୃଦଘାତରେ । ଆକସ୍ମିକ ମାନସିକ ଆଘାତରେ ହୃଦଯନ୍ତ୍ର କ୍ରିୟା ପ୍ରାୟ ବନ୍ଦ ହୋଇଯାଇଛି । ବାପାର ମାଡ଼ରେ ବି ଜେଜେମା । କଇଁକଇଁ ହୋଇ କାନ୍ଦିଉଠିଲେ ବାପା ତାର । ବିକଳରେ ଆଉଁସି ପକେଇଲେ ସେ ଦି’ ଜଣକୁ । ହେଲେ ସେତେବେଳକୁ ସେମାନେ ପାଲଟି ଯାଇଥିଲେ ମାଟି । ଅନୁଶୋଚନାରେ ଅତୀତ କେବେ ଫେରି ଆସେନା । ବିକଳରେ ବାପା ଚିତ୍କାର କରୁଥିଲେ “ବୋଉ ତୋ କଥା ମାନିବି ଆଉ ମଦ ପିଇବିନି । ଆଉ ମଦ ପିଇବିନି... ।” ହେଲେ ଶୁଣିବାକୁ କେହି ନଥିଲେ । ଦଶରା ମେଢ଼ ଦେଖିଯିବା ବେଳେ ପିନ୍ଧିବା ପାଇଁ ଖୋଲା ହୋଇ ପଡ଼ିଥିବା ଶାଢ଼ିଟାକୁ ଆଣି ଘୋଡ଼େଇ ଦେଉଥିଲେ ବୋଉ ଉପରେ ତା’ର । ମଥାର ଦାଉଦାଉ ହୋଇ ଜଳୁଥିବା ସିନ୍ଦୂର ସାଥୀରେ ନୂଆ ଲୁଗା ଘୋଡ଼େଇ ହୋଇ ସୁନ୍ଦର ଦିଶୁଥିଲା ତା’ର ବୋଉ । ଜେଜେମା ବି ଶୋଇଯାଇଥିଲା ତୃପ୍ତିରେ । ମଲା ମଣିଷର ମୁହଁରେ କେବେ ବି ପ୍ରତିହିଂସାର ଚିହ୍ନ ନଥାଏ ।

 

ବାପା ତା’ର ପ୍ରାୟ ଆଉ ଗୋଟାଏ ମଣିଷ ହୋଇଯାଇ ଚିତ୍କାର କରୁଥାଆନ୍ତି । “ମୋ ଝିଅ କ’ଣ କରିବ, ମୋ ଝିଅ କ’ଣ କରିବ ?” ଅର୍ଚ୍ଚନା ଅନୁଭବ କରୁଥିଲା ବାପାଙ୍କର ଅନ୍ତରାତ୍ମାରୁ ଆସୁଥିଲା ଏ ସ୍ଵର ! ତା’ ମୁହଁକୁ ଚାହିଁ ପାରୁ ନଥାନ୍ତି ବାପା ତାର । “ହେ ପ୍ରଭୁ ଏ ମଣିଷକୁ ଯଦି ସୃଷ୍ଟି କଲ, ଏ ନିଶାକୁ ସୃଷ୍ଟି କରି ତାକୁ କାଇଁକି ଅମଣିଷ କଲ” ବୋଲି କହି ଚିତ୍କାର କରୁଥାଆନ୍ତି । କାନ୍ଥରେ ବି ବେଳେ ବେଳେ ମୁଣ୍ଡ ପିଟି ଦେଉଥାଆନ୍ତି । ପ୍ରାୟ ପଡ଼ିଶାଙ୍କଠାରୁ ଖବର ପାଇ ପୋଲିସ ଆସି ପହଞ୍ଚି ବାପାଙ୍କୁ ତା’ର ଗିରଫ କରି ନେଇ ଚାଲିଗଲାବେଳେ କ’ଣ କହିବେ ବୋଲି ବାପା ତା’ର ତା ଆଡ଼କୁ ହାତ ବଢ଼ଉଥିଲେ । କନେଷ୍ଟବଳଟି ଧକ୍କା ମାରି ଭିଡ଼ି ଭିଡ଼ି ନେଇ ଚାଲିଗଲା ବାପାକୁ ତା’ର । କିନ୍ତୁ କିଛି କ୍ଷଣ ତଳର ଅପରାଧୀ ମୁହଁଟା ଥିଲା ଏବେକାର ମୁହଁଠାରୁ ଅଲଗା । ବାଟରେ ଯାହାକୁ ଦେଖୁଥିଲେ ନେହୁରା ହେଲା ପରି କହୁଥିଲେ “ମୋ ଝିଅ ଲାଗିଲା, ମୋ ଝିଅ ଲାଗିଲା ।

 

ଏପରି ଏକ ମୁହୂର୍ତ୍ତକୁ ବିଶ୍ୱାସ କରି ପାରୁ ନଥିବା ଅର୍ଚ୍ଚନା ପଥର ପରି ହୋଇଯାଇଥିଲା-। ତାକୁ ଖାଲି ତା ବାପାଙ୍କ ପାଟିରୁ ଶୁଭୁଥିଲା “ବୋଉ ତୋ କଥା ମାନିବି, ଆଉ ମଦ ପିଇବିନି, ଆଉ ମଦ ପିଇବିନି ।” ମୁହୂର୍ତ୍ତକରେ ଯବନିକା ପଡ଼ିଯାଇଥିଲା ଏକ ସ୍ଵପ୍ନମୟ, ସୁଖମୟ ନାଟକର-। ଚଟାଣରେ ବିଛେଇ ହୋଇ ପଡ଼ିଥିବା ଆଇନାର ଖଣ୍ଡ ଭିତରୁ ଉଙ୍କି ମାରୁଥିଲେ ଅର୍ଚ୍ଚନାର ସପନ ସବୁ ।

Image

 

ଧରିତ୍ରୀ

 

ତମ୍ବାପାତ୍ରରେ ପ୍ରଭୁ ଲିଙ୍ଗରାଜଙ୍କ ମସ୍ତକରେ ଜଳ ଢାଳୁ ଢାଳୁ କହୁଥିଲେ ସେଇ ଯୁବ ସେବକ ଜଣକ–

 

“ହେ ଶିବଶମ୍ଭୁ, ବାବା ଲିଙ୍ଗରାଜ ଏମାନଙ୍କର କୁଳ...” ଆଉ କିଛି କହିବା ଆଗରୁ ସମ୍ଭାବ୍ୟ ଅଶୁଭ ଶବ୍ଦଗୁଡ଼ିକୁ ପୂରା ଉଚ୍ଚାରଣ କରିବା ଆଗରୁ ‘ନାଇଁ ନାଇଁ ବୋଲି କହି ସେବକଙ୍କର ପାଟି ପାଖକୁ ଯିଏ ହାତ ନେଇ ଯାଇଥିଲେ, ସେ ଥିଲେ ଜଣେ ମହିଳା । ଆଖିରେ ମମତା, କରୁଣା, ମାତୃତ୍ଵର ଝଲକ ।'

 

“କଅଣ କହୁଛ ପୁଅ । ଭଗବାନ ଶିବ ହିଁ ସବୁ ମଙ୍ଗଳର କାରଣ । ସେଇ ଶିବ, ସିଏ ଶୁଭ ! ସେ ଅନାଦି, ଅନନ୍ତ । ଏ ମାଟିର ପିଣ୍ଡ ଭିତରେ ସିଏ ଜୀବନ ! ଭଗବାନଙ୍କୁ ଡାକ, ଆମର ନହେଲା ନାଇଁ, ସମସ୍ତଙ୍କର ମଙ୍ଗଳ ଚିନ୍ତା କରନ୍ତୁ । ତାଙ୍କ ହାତରେ ସରକାର କଲମ ଦେଇଛନ୍ତି, ଟେବୁଲ ପାଖରେ ଯିଏ ଛିଡ଼ା ହଉଚି, ତା' କଥା ଟିକିଏ ବୁଝନ୍ତୁ । ତାଙ୍କ ପିଲାପିଲିଙ୍କର ମଙ୍ଗଳ ହେଉ-।”

 

“ମା, ଆଶ୍ଚର୍ଯ୍ୟରେ ଚାହିଁ କହିଲେ ଯୁବକ ଜଣକ । ଆଖିରେ ବିସ୍ମୟ । ସାମାନ୍ୟ ବିରକ୍ତି ବି । ତା’ ପରେ ଅଟକି ଯାଇଥିବା ତମ୍ବାପାତ୍ରରୁ ପୁଣି ଜଳ ଢାଳିଚାଲିଲେ ଶିବଙ୍କ ମସ୍ତକରେ । “ଦୁନିଆର ମଙ୍ଗଳ ହେଉ, ଅମୃତ ଦୃଷ୍ଟିରେ ଚାହିଁଥାଆ ପ୍ରଭୁ ।” ପ୍ରାୟ ସେଇ ମହିଳାଙ୍କର ମନର ଭାଷାକୁ ଉଚ୍ଚାରଣ କରୁଥିଲେ ଯୁବ ପୂଜକ !

 

ଧାର ଧାର ଲୁହ ଗଡ଼ି ଯାଉଥିଲା ମହିଳା ଜଣଙ୍କ ଆଖିରୁ । ଆନନ୍ଦ ଆଉ ଦୁଃଖର ବିଚିତ୍ର ସମାହାର । ଚରମ ତୃପ୍ତିର ଗଙ୍ଗୋତ୍ରୀ ବହିଯାଉଥିଲା ଲୁହ ହୋଇ । କିଞ୍ଚିତ ଉତ୍ତୀର୍ଣ୍ଣ ବୟସ । ମଥାରେ ସିନ୍ଦୁରର ଗୋଲ ବିନ୍ଦୁ । ସତେ ଯେମିତି ଦାଉଦାଉ ହେଇ ଜଳୁଚି । ପାଖରେ ଯିଏ ଠିଆ ହୋଇଥିଲେ ସେମାନେ ନିଶ୍ଚୟ ଥିଲେ ସ୍ୱାମୀ ଆଉ ଝିଅ ।

ଶିବଲିଙ୍ଗରେ ଜଳଦାନ କରିସାରି ପାଦୁକ ଦେଉ ଦେଉ କହୁଥିଲେ ଯୁବକ ସେବକ ଜଣକ, “ମା, ଘର କେଉଁଠି ?” “ରାଣୀପୁର ।” ସଂକ୍ଷିପ୍ତରେ ଉତ୍ତର ଦେଲେ ଭଦ୍ର ମହିଳା ।

ଜାଗାଟା ନାଁ ସେବକଙ୍କୁ ଅଜଣା ଲାଗିବା ଦେଖି ଭଦ୍ରବ୍ୟକ୍ତି ଜଣକ ବୁଝେଇଦେଲେ, ଜିଲ୍ଲା ବଲାଙ୍ଗିର, ଯୋଉଠି ଚଉଷଠି ଯୋଗିନୀ ଅଛନ୍ତି... । “ହଁ ମାଆ, ମୁଁ ଶୁଣିଛି, ଦେଖିନି । କୁଆଡ଼େ ବାଳକାଟି ଆଉ ରାଣୀପୁର ଝରିୟାଲର ଠାକୁରାଣୀମାନେ ଏକାପରି । କେତେଶହ ବରଷ ତଳର କେଜାଣି ?” କହି କହି ସେମାନଙ୍କ ସାଥୀରେ ନାଟ ମନ୍ଦିରର ଫାଙ୍କା ଜାଗାକୁ ବାହାରି ଆସିଲେ ପୂଜକ ଜଣକ । କଥାର ଖିଅ ଯୋଡ଼ିଚାଲିଲେ ।

ମଣିଷ ମନ ସବୁବେଳେ ପାପ ଆଡ଼କୁ ଯାଏ । ଏଇ ପରିବାରର ସଦ୍ୟ କୈଶୋର ଅତିକ୍ରାନ୍ତ କରିଥିବା ଝିଅଟି କ’ଣ ସେବକଙ୍କର ଆକର୍ଷଣ କାରଣ ? ଏମିତି ବି ହୁଏ । ସରଳ ମଣିଷମାନଙ୍କ ଉପରେ ଲୋଭିଲା ମଣିଷମାନଙ୍କର ଆଖିପଡ଼େ । କିନ୍ତୁ କ୍ରୋଧିତ ମନରେ କଣ ପାଇଁ କାହାର କୂଳ ଲୋପ ହେବାର କାମନା କରି ଶିବ ମସ୍ତକରେ ଜଳାଭିଷେକ କରିବାର ପ୍ରୟାସ କରୁଥିଲେ ପୂଜକ ? କ୍ରୋଧର କାରଣ କ’ଣ ? ସେଇ ବ୍ୟକ୍ତି ଜଣକ ସହ ଏ ପରିବାରର ସମ୍ପର୍କ କ’ଣ ? ଯଦି ସିଏ ଏମାନଙ୍କର ଦୁଃଖର କାରଣ, ତେବେ ତାଙ୍କର କୂଳ ବିଲୋପ ପାଇଁ ସେବକ ପ୍ରାର୍ଥନା କଲାବେଳେ ସେ ମହିଳା ଜଣକ ଏପରି କଥାକୁ ବିରୋଧ କରି ମଙ୍ଗଳ ପ୍ରାର୍ଥନା କରିବାକୁ କହିଲେ କାହିଁକି ? ଅବଶ୍ୟ କରୁଣାସାଗର ଯୀଶୁ ତାଙ୍କୁ କ୍ରୁଶବିଦ୍ଧ କରିଥିବା ମଣିଷମାନଙ୍କୁ କ୍ଷମା କରିଦେବା ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥିଲେ । ହେଲେ ଆଜି ବି କ’ଣ ଏ ପୃଥିବୀକୁ ଯୀଶୁମାନଙ୍କ ପରି ମଣିଷମାନେ ଆସିଛନ୍ତି ।

ଆଗକୁ ଯାହା ଘଟୁଥିଲା ତା’ ଥିଲା ନାଟକୀୟ । ସେବକ ଜଣଙ୍କ ବେଢ଼ା ଭିତରେ ମନ୍ଦିର ପରେ ମନ୍ଦିର ବୁଲାଉଥିଲେ । ହଠାତ୍ ସେ ଯେଉଁ ମନ୍ଦିର ସାମନାରେ ଏମାନଙ୍କୁ ବସିବା ପାଇଁ କହିଲେ, ତା’ ଥିଲା ଗୋପାଳୁଣୀଙ୍କ ମନ୍ଦିର । ଏକାମ୍ର ନଗରୀର ଅନ୍ୟତମ କାହାଣୀ ବିଜଡ଼ିତ ମନ୍ଦିର ।

‘ମା’ କହିଲ, କିଏ ଏଇ ଗୋପାଳୁଣୀ ?” ଟିକିଏ ଆଶ୍ଚର୍ଯ୍ୟରେ ଚାହିଁଲେ ମହିଳା ଜଣକ-। ସେମାନଙ୍କର ଲକ୍ଷ୍ୟ ଏଡ଼େଇ ମନ୍ଦିର ବୁଲିବା ଆଳରେ ଅନୁସରଣ କରି ଏପରି ଉତ୍କଣ୍ଠାମୟ ଘଟଣାରର ଶେଷ ପରିଣତି ଜାଣିବାର ଇଚ୍ଛା ମୋର ଏଇ ଲୁକ୍କାୟିତ ଅନୁଗମନର କାରଣ ଥିଲା-। ସେ ଯିଏ ହୁଅନ୍ତୁ, କିନ୍ତୁ ଏଇ ମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ସିଏ । ତେଣୁ ସମ୍ମାନନୀୟା । ଏଇ କଥା କହି ପ୍ରଶ୍ନ ପ୍ରତି ସଚେତନ ନ ହୋଇ ବେକରେ କାନି ଗୁଡ଼େଇ ଆଭୂମ ପ୍ରଣାମ କରୁଥିଲେ ଗୋପାଳୁଣୀ ଭୁବନେଶ୍ଵରୀଙ୍କ ପାଖରେ ।

–ପରେ ପୁଣି କ’ଣ ଭାବିଲେ କଥା ଯୋଡ଼ିବା ପାଇଁ କହିଲେ–“ମା’ ରାଧିକା ବୋଲି ।”

ଏଯାବତ୍ ନିରବ ଥିବା ଝିଅଟି ମୁଣ୍ଡ ହଲେଇଲା । “ବୋଉ, ଏ ତ ଶିବଙ୍କ ମନ୍ଦିର, ଏଠି ରାଧାରାଣୀ କେଉଁଠୁ ଆସିବେ ?” ଝିଅଟିର ପ୍ରଜ୍ଞା ଆମୋଦିତ କଲା ସେବକଙ୍କୁ । ହସିଦେଇ କହିଲେ, “ଭଉଣୀ ମୋର ଠିକ୍ କହିଚି” । ସ୍ମିତ ହସିଦେଲା ଝିଅଟି ।

 

ମା’ କାଶୀର କୋଳାହଳ ମଧ୍ୟରେ ନ ରହି ଦେବୀ ପାର୍ବତୀ ନିରୋଳାରେ ଧରିତ୍ରୀକୁ ଉପଭୋଗ କରିବାକୁ ଆସିଥିଲେ ଏଇ ଏକାମ୍ର ଭୂଇଁକୁ । ଏଠି ବିରାଜୁଥିଲା ସରଗର ଶାନ୍ତି । ସୁନ୍ଦର ବନଭୂଇଁ ଥିଲା ମା’ଙ୍କର ବିହାରସ୍ଥଳୀ । ଝରଣାର କୁଳୁକୁଳୁ ଧାର, ନିରବତା ମଧ୍ୟରେ ପକ୍ଷୀର ନିନାଦକୁ ନେଇଥିଲା ଏଇ ବନାନୀର ପରିସୀମା । କିନ୍ତୁ ଏଇ ବିଜନ ବନାନୀର ଶାନ୍ତି ଭଙ୍ଗ କରି ଏଠି ଅମାନବୀୟ କାର୍ଯ୍ୟ ଆରମ୍ଭ କରିଥିଲେ, କୀର୍ତ୍ତି ଆଉ ବାସ ନାମକ ଦୁଇ ରାକ୍ଷସ ! ଅସହ୍ୟ ହୋଇ ଉଠିଥିଲା ଏଇ ରାକ୍ଷସଙ୍କର ଅତ୍ୟାଚାର ସମସ୍ତଙ୍କ ପାଇଁ ।

 

ତାପରେ...” ଅନୁସନ୍ଧିତ୍ସୁ ହୋଇ ପଚାରିଲା ଝିଅଟି । ଅପଲକ ଆଖିରେ ମହିଳା ଜଣକ ଶୁଣୁଥିଲେ ଭୁବନେଶ୍ଵର ପଛରେ ଥିବା ଏଇ କାହାଣୀ ।

 

ଉପରେ ଏଇ ବନଭୂଇଁରେ ଦେଖାଦେଲେ ଏକ ଅପରୂପା ଗୋପାଳୁଣୀ । ଚରମ ଅତ୍ୟାଚାରୀ କୀର୍ତ୍ତି ଆଉ ବାସ ତାଙ୍କର ସୌନ୍ଦର୍ଯ୍ୟରେ ବିମୋହିତ ହେଲେ । ବନଭୂଇଁକୁ ପ୍ରକମ୍ପିତ କରି ବାଜି ଉଠିଲା ଶିବ ଡମ୍ବରୁ । କୀର୍ତ୍ତି ଆଉ ବାସଙ୍କର ଲାଲ୍ ରକ୍ତରେ ରକ୍ତବର୍ଣ୍ଣ ହୋଇଗଲା ବିନ୍ଦୁସାଗରର ସ୍ୱଚ୍ଛ ନୀର । ସେଇ ଅନ୍ୟାୟ ବିଧ୍ଵଂସୀ ଭୁବନମୋହିନୀ ମାତୃଶକ୍ତି ରୂପାନ୍ତରିତ ହେଲେ ସଂହାରକର୍ତ୍ତା ବେଶରେ ।

 

ଝିଅଟି ନିଶ୍ଵୟ ଥିଲା ଅଧିକ ଧୀ-ସମ୍ପନ୍ନା । ପ୍ରଶ୍ନ କଲା–“ଆଜି ବି ତ ସେ କୀର୍ତ୍ତି ଆଉ ବାସ ମରି ନାହାନ୍ତି । “ଆଉ କିଛି କହିବା ଆଗରୁ ଭଦ୍ରବ୍ୟକ୍ତି ଜଣକ କହିଲେ, ଆମର ଗାଡ଼ି ବେଳ ଡେରି ହେଇଗଲାଣି । ତରବରରେ ବିଦାୟ ନେଲେ ସେମାନେ ।

 

ଏକା ଜିଗର କରି ପାଉଣା ନେବାକୁ ମନାକଲା ଯୁବକଟି । ନିରବରେ ସେମାନେ ଚାଲିଯାଉଥିବାର ବାଟକୁ ଚାହିଁ ଠିଆହୋଇ ରହିଥିଲେ ସେ । ସିଂହଦ୍ୱାର ପାଖରେ ଅଦୃଶ୍ୟ ହୋଇଯିବା ଆଗରୁ ପଛକୁ ମୁହଁ ବୁଲାଇ ଚାହିଁ, ଥରେ ହସିଦେଇ ଚାଲିଯାଇଥିଲେ ସେମାନେ ।

 

ନାଟକର ଯବନିକା ଏଇଠି ପଡ଼ିଲା ଭାବି ମୁଁ ଚାଲିଯାଉଥିବାବେଳେ ପଛରୁ ଡାକିଲେ ସେଇ ପୂଜକ ଜଣକ । ମୁଁ ପ୍ରାୟ ସେମାନଙ୍କୁ ଅନୁସରଣ କରୁଛି ବୋଲି ଜାଣିପାରିଥିଲେ ସେ । ମୁଁ ଟିକିଏ ଶଙ୍କିଗଲି । ମୋର ଏଇ ଅଭଦ୍ରାମିଟା ଧରାପଡ଼ିଯାଇଛି ପ୍ରାୟ । ଯୁବକଟିର ପ୍ରଶ୍ନ କିନ୍ତୁ ମୋ ପାଇଁ ଥିଲା ଆକସ୍ମିକ ଏବଂ ଆଶ୍ଚର୍ଯ୍ୟଜନକ । “ବାବୁ, ଏ ରାଜଧାନୀ ଏଠି ନ ହୋଇଥିଲେ କ’ଣ ଅସୁବିଧା ହୋଇଥାଆନ୍ତା କହିଲ ?” ମତେ ପ୍ରଶ୍ନଟା ଅବାଞ୍ଛିତ ଲାଗିଲା ।

 

ହାଲକା ଭାବରେ ମତ ଦେଲି, ଏ ରାସ୍ତାଘାଟ, ଆଲୁଅ, ଗାଡ଼ି ମଟର, ବଜାର ସହର କୁଆଡ଼ୁ ଆସିଥାଆନ୍ତା କୁହ ? ହେଲେ ପୂଜକ ଜଣକଙ୍କର ମୁହଁରୁ ଏଯାବତ୍ ଗମ୍ଭୀରତା ହଟି ନଥିଲା-। ମତେ ଲାଗିଲା ସବୁ ଆଲୋଚନା ସେଇ ପରିବାରକୁ ନେଇ । କଥାକୁ ଏକ ଧାରାକୁ ଫେରେଇ ଆଣିବାକୁ ଯାଇ ମୁଁ ପଚାରିଲି–ଏମାନେ ?

 

କଥା ଛଡ଼େଇ ନେଇ ଆରମ୍ଭ କଲା ପୂଜକଟି । “ଆସିଛନ୍ତି ବଲାଙ୍ଗୀର ଜିଲ୍ଲାର ରାଣୀପୁରରୁ । ଆସିଲେଣି ସପ୍ତାହେ ହେଲା...” “ହେଲେ ଆପଣଙ୍କର ?” “କେହି ନୁହଁନ୍ତି, ଏଇଠି ପରିଚୟ ଏଇଠି ବି ଶେଷ ପ୍ରାୟ । ଆପଣଙ୍କୁ ମୁଁ ଜାଣେ । ଆପଣ ଖବରକାଗଜରେ କାମ କରନ୍ତି-।” ମୁଁ ହସିଲି, କହିଲି, “ହଁ, ମୁଁ ଏଇ ପୁରୁଣା ଭୁବନେଶ୍ଵରରେ ରହେ ।’’

 

“ଏ ପୁରୁଣା ନୂଆ ଭିତରେ ଅନେକ ଫରକ୍ ଅଛି ବାବୁ । ଗୋଟାଏ ପଟରେ ଜୀବନ, ଆଉ ଗୋଟାଏ ପଟରେ ଅଭିନୟ । ଗୋଟାଏ ପଟରେ ଅନନ୍ତ ବାସୁଦେବଙ୍କର ଆନନ୍ଦବଜାର, ଆଉ ଆରପଟରେ ଆଭିଜାତ୍ୟର କ୍ଲବ, ହୋଟେଲ, ପାନ୍ଥଶାଳା । ହଉ, ପଚାରିଥିଲ ଯଦି ଶୁଣ ସେମାନଙ୍କର କାହାଣୀ ।”

 

ପୂଜକଙ୍କର ହାତଧରି ପାଖ ଚଉତରା ପାଖକୁ ନେଇଗଲି । ଚଉତରା ଉପରେ ବସି ସେ ଯାହା କହିଲେ, ତା’ ଥିଲା ମର୍ମସ୍ପର୍ଶୀ ।

 

ବାବୁ ଜଣକ ଚାକିରି କରୁଥିଲେ ଏକ ସରକାରୀ ବିଭାଗରେ । ବ୍ଲକ ସ୍ତରର ଅଫିସରୁ ଅବସର ନେଲେଣି ଅନେକ ଦିନ ହେଲା । ପେନସନ୍ କାଗଜ ବୁଲୁଚି ଏ ଅଫିସ୍‌ରୁ ସେ ଅଫିସ୍ । ବଲାଙ୍ଗୀରରୁ ଭୁବନେଶ୍ଵର ପୁଣି ଭୁବନେଶ୍ଵରରୁ ବଲାଙ୍ଗୀର । ବାବୁ ଟିକିଏ ଅଲଗା ଢଙ୍ଗର । ଟିକେ ପାଟି ହେଇଯାଇଥିଲା ଅଫିସର୍ ଜଣଙ୍କ ସାଙ୍ଗରେ । ଭୁବନେଶ୍ଵର ଦପ୍ତରରେ ସେ ଅଫିସରଙ୍କର ଭାରି ନାଁ । କେତେକଙ୍କ ପାଖରେ ସେ ଦୁହାଳିଆ ଗାଈ । ଡିଲିଂ ଅଫିସରଙ୍କୁ କ’ଣ ଫାଡ଼ିଦେଲେ ଯେ ଫାଇଲ୍ ହଜିଗଲା । ଅଫିସର ଜଣଙ୍କୁ କାହାକୁ ମିଠା ତ, କାହାକୁ ଶାଢ଼ି ପୁଣି କାହାକୁ ଟଙ୍କା ଆଟାଚି ଦବାରେ ହେଳା କରନ୍ତି ନାଇଁ । ବିଦେଶୀ ବୋତଲ ଗୋଟିଏ ସାଧାରଣ କଥା ।

 

ଆସିଥିଲେ ସେକ୍ରଟାରିଏଟରେ ବଡ଼ ହାକିମଙ୍କୁ ଦେଖା କରିବାକୁ । ରିସେପସନରେ ଅନେଇ ଆଖିରୁ ପାଣି ମଲା । ସେଠିକା ଅଫିସର କହିଲେ ଭିତରୁ ଫୋନ ଆସିଲେ କମ୍ପ୍ୟୁଟରରେ ନାଁ ବାହାରିବ । କାହାକୁ ବା ଚିହ୍ନନ୍ତି, ସେକ୍ରେଟାରୀଏଟ୍ ଭିତରେ ଯେ ସେ ସୁପାରିସ୍ କରିବେ ।

 

ମାଇପି ଅଫିସର ଦେଖି ଟିକେ ମାଉସୀ ଭିତରକୁ ଛାଡ଼ିବାକୁ କହିଲେ, ହେଲେ ସେ ଠସଲି କରି କହିଲେ, କିଏ ଜାଣେ ତମେ କୋଉ ଉଗ୍ରପନ୍ଥୀ ହେଇଥିବ ? ହେଡ୍ ରିସେପସନିଷ୍ଟଙ୍କ ସହ ହେଁ ହେଁ ହେଇ ହସି ଉଠିଲେ ଅନ୍ୟ ମାଇପି ଅଫିସରମାନେ । ସବୁ ଆଶା ଛାଡ଼ି ଫେରିଲାବେଳେ କେହି କହିଲା ସାହେବଙ୍କ ବଙ୍ଗଳାକୁ ଯିବା ପାଇଁ । କଥା ମନକୁ ବାବୁଙ୍କର ଠିକ୍ ଲାଗିଲା । ହାକିମ ବଲାଙ୍ଗୀର ଯାଇଥିଲାବେଳେ ସେ ତାଙ୍କୁ ଦେଖିଛନ୍ତି । ସଭାରେ କହୁଥିଲେ ଯେ, ସେ ଚାଷୀଘର ପୁଅ । ଏବେ ବି ଗାଁକୁ ଗଲେ କ୍ଷେତରେ କାମ କରନ୍ତି ।

 

ଖୁବ୍‍ ମନଦେଇ ଶୁଣୁଥିଲି ପୂଜକଙ୍କ କଥାକୁ ! ଆବିଷ୍କାର କରୁଥିଲି ତାଙ୍କ ମନ ଭିତରେ ଥିବା ଚିହ୍ନରା ମଣିଷକୁ ।

 

ନନା ପୁଣି ଆରମ୍ଭ କଲେ । ଖୋଜି ଖୋଜି ଘର ପାଖରେ ପହଞ୍ଚିଲା ବେଳକୁ ସାହେବ କିଛି କମ୍ପାନୀ ଲୋକଙ୍କ ସାଙ୍ଗରେ ବଗିଚାରେ ବସି ଖୁସି ଗପରେ ବ୍ୟସ୍ତ ଥିଲେ । ଭାରି ଖୁସିରେ କହୁଥିଲେ, କର୍ପୋରେଟ୍ ବକ୍ସରେ ବସି ଷ୍ଟାଡ଼ିୟମରେ କ୍ରିକେଟ ଖେଳ ଦେଖିବାର ମଜା ବିଷୟରେ । ପୋଡ଼ା ମାଂସ ସାଥିରେ ଦାମୀ ବୋତଲ । ଦେଖି ନ ଦେଖିଲା ପରି ହାତରୁ ଦରଖାସ୍ତଟା ନେଇ କହିଲେ “ହଉ ଯାଆ’ ପିଅନଟି ଠାରିଦେଲା ଚାଲିଆସିବା ପାଇଁ । କାରଣ ଯାଅ କହିଲା ପରେ ଆଉ ଠିଆ ହେଲେ ରାଗିବେ.... ।

 

କଥା ଛଡ଼େଇ କହିଲି, “ନନା, ବାବା ଲିଙ୍ଗରାଜ ରାଗିଲେ ମଥାରେ ମିଶ୍ରି ଘଷି, ପାଣି କି କ୍ଷୀର ଢାଳି ତମେ ତାଙ୍କୁ ସିନା ଶୀତଳ କରିଦେବ, ହେଲେ ଅମଲା କି ହାକିମ ରାଗିଲେ ଗରମ ତେଲ କଡ଼େଇରେ ଭାଜି ଦେବେ ।’’

 

ଟିକିଏ ପାଖକୁ ଲାଗିଆସି ସେ ଯାହା କହିଲେ ତା’ ମୋତେ ଅବାକ୍ କରିଦେଲା । “ବୁଝିଲ ବାବୁ ଆମେ ଧଣ୍ଡା, ପାଦୁକ ଦେଇ କୁହାବୋଲା କରି କିଛି ରୋଜଗାର କଲେ ଆପଣମାନେ ଖବରକାଗଜରେ ଲେଖିଦେଉଛନ୍ତି । ବଡ଼ ବଡ଼ ହେଡ଼ିଙ୍ଗରେ ଲେଖୁଛନ୍ତି ଯାତ୍ରୀମାନେ ମନ୍ଦିରରେ ଶୋଷଣର ଶିକାର” | ହେଲେ ଏଇ ଭୁବନେଶ୍ଵରରେ ସବୁ ବଡ଼ଲୋକ ଦଲାଲ ରଖିଛନ୍ତି-। ଗୁଣ୍ଡା ପୋଷିଛନ୍ତି । ଧଳା ପଞ୍ଜାବି, ଚପକନ ପିନ୍ଧି, ବେକରେ ଦଉଡ଼ି ମୋଟର ସୁନା ଚେନ୍ ପକେଇ ମୋଟା ଚକଥିବା ଚାରିଚକିଆରେ ଏମାନେ ବୁଲୁଛନ୍ତି । ହାତରେ ମାଳେ ମୁଦି ।

 

“ହଁ ବାବୁ, ଆମ ମନ୍ଦିର, ଆମ ଗୌରୀକୁଣ୍ଡ, ଆମ ବିନ୍ଦୁସାଗର, ଆମ ମୁକ୍ତେଶ୍ୱର, ଆମ ଝରଣାକୁ ନେଇ ଆମେ ଶାନ୍ତିରେ ଥାଆନ୍ତୁ । କୁହ ବାବୁ, ମୁଁ କ’ଣ ଏଇ ଅମଣିଷମାନଙ୍କର କୁଳ ବୁଡ଼ିବାକୁ କହି ଭୁଲ୍ କରୁଥିଲି । ମା’ ଖାଲି ମୋ ପାଟି ବନ୍ଦ କରିଦେଲେ ।”

 

କଥା ଶେଷ କରିବାକୁ ଯାଇ ମୁଁ କହିଥିଲି, 'ନନା, ଏ ପୃଥିବୀ, ମହାକାଶରେ ଲୀନ ହୋଇଯାଇନି କେବଳ ଏଇପରି ମଣିଷମାନଙ୍କ ପାଇଁ । ଯିଏ ନିଜେ ଜଳି ମଧ୍ୟ ଅନ୍ୟ ପାଇଁ ଆଲୋକ ସୃଷ୍ଟି କରନ୍ତି । ଏଇପରି ମଣିଷମାନଙ୍କ ଭିତରେ ମା’ ଧରିତ୍ରୀ ଓହ୍ଲେଇ ଆସନ୍ତି ନରଦେହ ଧରି । ସବୁ ସହି ମଧ୍ୟ ଅଭିଶାପ ଦିଅନ୍ତି ନାହିଁ । ମଙ୍ଗଳର ଚିରନ୍ତନ ଗୀତିକା ଗାଆନ୍ତି ।” ଅଜାଣତରେ ଆମର ହାତ ଯୋଡ଼ି ହୋଇଗଲା, ସେଇ କରୁଣାବତୀଙ୍କ ଉଦ୍ଦେଶ୍ୟରେ ।

Image

 

ଆମ ପୃଥ୍ଵୀ ଆମକୁ ସୁନ୍ଦର

 

ସେ କେବେ ବିଶ୍ଵାସ କରିବାକୁ ପ୍ରସ୍ତୁତ ନୁହେଁ ଯେ ମୋ ଗାଁ ଆଉ ତା ଗାଁ ଭିତରେ ସାତ ଦରିଆ ତେର ନଈ ନାହିଁ, ଅବା ସିଏ ଯେମିତି ଏ ପୃଥିବୀର ରକ୍ତ ମାଂସର ମଣିଷଟିଏ ଆମେ ଠିକ୍ ସେମିତି । ସେ କହେ ତା ଗାଁ ଶେଷମୁଣ୍ଡ ମୁଣ୍ଡିଆ ଉପରେ ଠିଆ ହେଲେ ଧାଡ଼ି ଧାଡ଼ି ପାହାଡ଼ର ମଥାନ ଆଉ ସରଗ ଯେଉଠି ଏକାଠି ମିଶିଛି ପୃଥିବୀଟା ସେଇଠି ସରିଯାଉଛି । ଆଉ ଆମେ ସବୁ ଦେବତା କି ଆଉ କୋଉ ଗ୍ରହରୁ ଓହ୍ଲେଇ ଆସିଛୁ । ସତେ ଅବା ପୁରାଣର ମଣିଷ କି ଆଉ କିଛି ।

 

ବସନ୍ତକୁ ସେ ଠାକୁରାଣୀ ବୋଲି କହେ, ହଇଜାକୁ ମା’ ବୋଲି ଡାକେ । ଛକ ମୁଣ୍ଡ ପାଖରେ ପଣାଟିକେ ଦେଇ ଆସିଲେ ଠାକୁରାଣୀ କେବେ କେଉଁ ରୂପରେ ଆସି ପାଇ ଦେଇ ଚାଲିଯାଏ ପାପ ବେଶି ହେଲେ ବରଷା ହୁଏ ନାହିଁ, ଭୂଇଁ ଫାଟିଯାଏ, ଅଭିଆଡ଼ୀ ଝିଅ ବାପ ଘରେ ରହିଲେ ବାପକୁ ବିପତ୍ତି ମାଡ଼ିଆସେ, ଏମିତି ଏମିତି ତାର କେତେ ବିଶ୍ଵାସ ।

 

ସିଏ ସେଇ ଜାତିର ମଣିଷ ଯିଏ କିଛି ଲୁଚେଇ ଛପେଇ ରଖନ୍ତିନି । ଯାହା ଭାବନ୍ତି ତାହା କହନ୍ତି । ହସନ୍ତି ତ ମନଖୋଲା, ମାପି ଚୁପି ନୁହେଁ । ଆମପରି ଦକ୍କା ତାଙ୍କ ମନରେ ନ ଥାଏ-। କୋଉ କଥାରେ ସିଏ କେବେ ଆଶଙ୍କା କରନ୍ତିନି ।

 

ଦେହ ତାର କଳା । ହେଲେ ମୁଗୁନିପଥର ପରି ଚିକ୍କଣ । କୁନ୍ଦିଲା କୁନ୍ଦିଲା ଚେହେରା । ହଂସକୁ ଯେମିତି ଢଳିଢ଼ଳି ଚାଲିବା କେହି ଶିଖେଇ ନାଇଁ କି ଝରଣାକୁ ଯେମିତି କୁଳୁକୁଳୁ ହେଇ ହସିବା କେହି ଶିଖେଇ ନାଇଁ, ସେମିତି ଚାଲିଠାରୁ ହସଯାଏ ସବୁତାର ନିଜର । ଖାସ୍ ନିଜର ।

 

ମୋ ନିଦ ପ୍ରାୟ ସବୁଦିନେ ଟିକିଏ ଡେରିରେ ଭାଙ୍ଗେ । ରାତିରେ ଶୋଉ ଶୋଉ ଅନେକ ଡେରି ହେଇଯାଏ । ଇଛା କରି ବି ଡେରିରେ ଶୁଏ । କାରଣ ରାତିରେ ନିଦ ଭାଙ୍ଗିଲେ ଆହୁରି ଏକୁଟିଆ ଏକୁଟିଆ ଲାଗିବ । ଶୋଇଲା ବେଳକୁ କୁଆଡ଼େ କେତେ ମନେ ପଡ଼ନ୍ତି । ବାପା, ବୋଉ, ଘରର କୁନି କୁନି ପିଲାମାନେ ଅବା ପିଲାବେଳେ କୋଉଠି ସ୍କୁଲରେ କଲମ ହଜେଇ ଗାଳିଖାଇଥିଲୁ ତ ଗଣେଶ ସରସ୍ଵତୀ ପୂଜାରେ ଫୁଲ ତୋଳିବାକୁ ଚାଲିଯାଇ ଓଦାମୋଦା ହୋଇ ଫେରିଥିଲୁ । ପୁଣି ଭାବେ କେହି କୁଆଡ଼େ ଯାଆନ୍ତୁନି । ସେଇ ଗୋଟିଏ ଶ୍ରେଣୀ ତଳେ ସମସ୍ତେ ରହନ୍ତୁ । ଡାକବାଲାକୁ କାହାପାଇଁ କିଏ ଚାତକ ପରି ଅନେଇ ରହନ୍ତା ନାଇଁ । ସହରକୁ ଏକୁଟିଆ ମଟର ସାଇକେଲ ନେଇ ଯାଇଥିବା ଭାଇର ଟିକେ ଡେରିହେଲେ ମା’ ମୁଣ୍ଡ ବୁଲେଇ ଖଟ ଉପରେ ପଡ଼ିରହନ୍ତା ନାଇଁ । ସତରେ ଏଇ ନାଟକରେ ଆମକୁ କିଏ ସୂତା ଧରି ନଚଉଥାଉ ଅବା ସ୍ମାରକ ହେଇ ଆମର ଭାଷା ନିୟନ୍ତ୍ରଣ କରୁଥାଉ ଏଠି ଆମର ଜୀବନର ଧାରା ବଡ଼ ବିଚିତ୍ର ।

 

ଭାବିଲେ ଆଶ୍ଚର୍ଯ୍ୟ ଲାଗେ । କୋଠା ଛାତରୁ ପଥର ଖଣ୍ଡେ ଖସି ପଡ଼ିଲା । ଘର ଓଳଉଥିବା ଭାଉଜଙ୍କ ଦେହରେ ଘସିହେଇ ଚାଲିଗଲା । ଉପରେ ପଡ଼ିଲାନି । ସାନ ଭଉଣୀ ହିଟରରେ ଚା’ କରୁ କରୁ ତାକୁ ସକ୍ ମାରିଲା । ଠିକ୍ ଯେତିକିବେଳେ ଗ୍ରିଡ଼ରୁ ପାୱାର ଫେଲ୍ କଲା । ସ୍ଵାମୀ ସ୍ତ୍ରୀ ଦୁଇଟି ସ୍କୁଟରରୁ ପଡ଼ିଗଲେ ସାଧାରଣ ଭାବେ । କିନ୍ତୁ ଠିକ୍ ସେତିକିବେଳେ ପଛରୁ ଆସୁଥଲା ଏକ ଗତିଶୀଳ ଟ୍ରକରେ କଳା ମଚମଚ ରାସ୍ତାଟା ଲାଲ ହେଇଗଲା ।

 

ମୁଁ କଳ୍ପନା କରୁଥିଲି । ସେ ଦିନର ଡର ମାଡ଼ିବ ବୋଲି ଭାଇ ଭଉଣୀଙ୍କ ମଝିରେ ଶୋଇପଡ଼ୁଥିବା ଛୋଟ ପିଲାଟି ଆଜି ବଡ଼ ହୋଇଯାଇଛି । ସମାଜ ବିଜ୍ଞାନରେ ସ୍ନାତକୋତ୍ତର ସମ୍ମାନ ହାସଲ କରିଛି । କୁଆଡ଼େ କେତେ ଦୂରରେ ଆସି ଫୁଲବାଣୀର ଏଇ ଆଦିବାସୀ ପଲ୍ଲୀରେ ରହିଛି । ସେମାନଙ୍କୁ ବୁଝାଉଚି ଲୁଗାଛାଡ଼ି ପେଣ୍ଟ ପିନ୍ଧିବା, ଚକଡ଼ା କିମ୍ବା ଆସନ ଛାଡ଼ି ଚଉକିରେ ବସିବା ହଉଚି ସଭ୍ୟତା ।

 

ସବୁଦିନେ ସକାଳୁ ମୋ ଘର ସାମନା ପୋଖରୀରେ ଘସି ମାଜି ହେଇ ସେ ଯେତିକିବେଳେ ଗାଧୋଇ ଥାଏ, ପ୍ରାୟ ମୁଁ ଠିକ୍ ସେତିକିବେଳେ ନିଦରୁ ଉଠି କବାଟ ଖୋଲି ଦେଇ ସଂଭ୍ରମରେ ବନ୍ଦ କରି ଦେଲାବେଳେ ପୋଖରୀ ଘାଟରୁ ସେ “ଏ ବାବୁ” ବୋଲି ପାଟିକରି ଡାକେ । ଆଦିବାସୀ ପଲ୍ଲୀର ବଢ଼ିଲା ଝିଅଟିଏ । ଶାନ୍ତା ତାର ନାଁ । କେତେବେଳେ ପାଣିରେ ବୁଡ଼ି, ଝୁଲି ଝୁଲି ପହଁରି ପହଁରି କେତେ କ’ଣ ପଚାରିଯାଏ । କେମିତି ବା ତାକୁ ବୁଝେଇବେ ମୋ ଦେଶରେ ୟାକୁ କହନ୍ତି ଅଭଦ୍ରାମି । ଅଭୁତ ଏକ ଆଦିବାସୀମାନଙ୍କର ଜୀବନ । ଆମଭଳି ସେମାନେ ମିଛ କହନ୍ତନି-। ପେଟରେ ଗୋଟାଏ କଥା ରଖି ଆଉ ଗୋଟାଏ କଥା କହନ୍ତିନି । ଅଭଦ୍ରାମିଟା ବୋଧେ ଆଖିରେ ଅଛି କି ତା’ ଦେହରେ ଅଛି ବୋଲି ମୁଁ ବେଳେବେଳେ ଚିନ୍ତା କରେ ।

 

ତଥାପି ସେମାନଙ୍କୁ ସିଲଟ ଧରି ଲେଖି ଶିଖେଇଲାବେଳେ ଅବା ଦେବତା ଲାଗିଲେ ରୋଗ ହୁଏ ନାହିଁ, ଜୀବାଣୁ ମାନେ ହିଁ ରୋଗ ସୃଷ୍ଟି କରନ୍ତି ବୋଲି ବୁଝେଇଲାବେଳେ କିମ୍ବା ଔଷଧ ପାନେ ଦେଇ ସେମାନଙ୍କ ମୁହଁରେ ହସ ଟିକେ ଦେଖିଲାବେଳେ ମତେ ଭାରି ଆନନ୍ଦ ଲାଗେ ।

 

ଅନେକ ସମୟରେ ସେ ମୋ ଘରକୁ ଆସେ । ମୁଁ କେମିତି ପବନରୁ ନିଆଁ ଆଣି ରୋଷେଇ କରେ, ସେ ଦେଖେ । ସେ ଭାବେ ମୁଁ କୋଉ ଦେବତାକୁ ସାଧନା କରିଛି, ନ ହେଲେ ଜାଳ ନଥାଇ କେମିତି ରୋଷେଇ କରନ୍ତି । ବାକ୍ସଟାଏ ରଖିଥାଆନ୍ତି ସିଏ କେମିତି କଥା କହନ୍ତା, ଗୀତ ବୋଲନ୍ତା, ସବୁକଥା ମୁଁ ତାକୁ ପଢ଼ିଲେ ଜାଣିବୁ ବୋଲି କହେ । ପ୍ରତିଦିନ ମୋ ଘର ସାମନାରେ ପାଠପଢ଼ା ଚାଲେ । ପଲ୍ଲୀର ଏଇ ପିଲାଗୁଡ଼ିକୁ ବହି ଆଡ଼କୁ ଆକର୍ଷିତ କରିବାକୁ ଚେଷ୍ଟା କରେ ।

 

ଥରେ ମତେ କିନ୍ତୁ ଅବାକ କରି ଏଇ ଝିଅଟି ପଚାରିଥିଲା ତୁ କ’ଣ ସବୁଦିନେ ଏଇଠି ରହିବୁ ବାବୁ । ‘ତୁ କେତେ ଭଲ ଲାଗୁଛୁ । ତା ଆଖିକୁ ଚାହିଁ ମୁଁ ଦେଖୁଥିଲି ପ୍ରତିଦିନ କ୍ଷୀର ଗ୍ଲାସଟାଏ ଧରି ସେ ମୋ ପାଖକୁ ଦଉଡ଼ି ଦଉଡ଼ି ଆସେ କାନି ଭିତରେ ନୁହେଁ ଖୋଲାରେ ଯେମିତି ଧରି ଧରି । ପୁଣି କେତେବେଳେ ଅଣ୍ଟିରେ ଅଣ୍ଟିଏ କୋଳି ଧରି ଆସେ । ଆସୁଥାଏ ପାଟିରେ ଗୋଟାଏ ଗୋଟାଏ ପକେଇ ପକେଇ । ହସ ଲାଗୁଥାଏ ମତେ ମୋ ବଡ଼ ଭାଉଜ ରାତିରେ ଆମକୁ କ୍ଷୀର ପିଇବାକୁ ଦେଲାବେଳେ, ମୋ ଗ୍ଲାସରେ ଆଗରୁ ଅଧଗ୍ଲାସ ପାଣି ରଖି କ୍ଷୀର ଢାଳନ୍ତି । ଏକଥା ଯେଉଁଦିନ ତାଙ୍କର ଚାରିବର୍ଷର ଝିଅ ମାମୁନି ମତେ କହିଲା ମୋ ପେଟ ଖରାପ ଯୋଗୁ ଏ ପାଣି ମିଶୁଛି ବୋଲି କହି ଭୁଲେଇ ଦେଲାବେଳେ ସେ ହସି ହସି ଗଡ଼ି ଯାଇଥିଲା ଆମେ ସବୁଦିନେ ଏମିତି ଛକା ପଞ୍ଝାର ଜୀବନ ଭିତରେ ଚଳୁ ।

 

ଯୋଉଦିନ ସେଇ ପଡ଼ାରେ ଟେଲିଭିଜନ ସେଟଟିଏ ଖଞ୍ଜି ଦେଲି ସେଦିନ କି ଆନନ୍ଦ । ମେଳା ମଉଛବ ଦେଖିଲା ପରି ଶହ ଶହ ଲୋକରେ ଭରପୁର । ଟିଭିର ଅଫ୍ ଅନ୍ ଯେତେବେଳେ ମୁଁ ଶାନ୍ତାକୁ ବୁଝେଇ ଦେଲି ଆଉ ଥରେ ଦି ଥର ପରେ ଯେତେବେଳେ ସେତିକି ସେ ହାସଲ କରିନେଲା ସେତେବେଳେ ତା’ର ଖୁସି ଦେଖିଲେ ଯିଏ ବୁଝିବ ସତେ ଯେମିତି ସିଏ ଗୋଟାଏ ଇଂଜିନିୟର ହେଇଗଲା । ତା’ ଦି ଦିନ ପରେ ମୁଁ ଚାଲିଗଲି ଗାଁ କୁ । ଫେରିଲା ଦିନ ଯେତେବେଳେ ମୁଣ୍ଡିଆ ତଳ ସେଇ ବସ ଷ୍ଟପରେ ଓହ୍ନେଇଲି, ସେତେବେଳେ ଦେଖିଲି ତ ମତେ ଦେଖି ସମସ୍ତେ ଚୁପ ହେଇ ବସିଛନ୍ତି । ଶାନ୍ତାର ବୁଢ଼ା ବାପାଟା ବଙ୍କୁଲି ବାଡ଼ିଟାକୁ ମୁଣ୍ଡରେ ମାଡ଼ି ଆଖି ବୁଜି ବସି ରହିଚି । କୋଳାହଳ ନାହିଁ । ପଚାରୁ ପଚାରୁ ପିଲାଟିଏ କହିଲା ‘ମୁଁ ଗଲା ବାସିଠାରୁ ଶାନ୍ତାକୁ ଜର । ଚୁପ୍ ହେଇ ବସିଚି କଥା କହୁନି । ସେଇ ଫଟ ଯନ୍ତ୍ରଟାକୁ ମୋଟେ ଖୋଲୁନି । ଥରେ ସେଇ ଯନ୍ତ୍ରକୁ ଆଉ ଥରେ ଖୋଲା ଆକାଶକୁ କଟମଟ ହେଇ ଚାହୁଁଚି । ପୁଣି ଗୁଣୁ ଗୁଣୁ ହେଇ କ’ଣ କହି ଆଖି ବୁଜି ଶୋଇ ପଡ଼ୁଚି । ନିଦରୁ ଉଠି ପଚାରୁଚି ବାବୁ ଆସିନି ବୋଲି’ ।

 

ଶୁଣିଥିଲି ଆଦିବାସୀମାନେ ସରଳ ବିଶ୍ୱାସୀ, ହେଲେ ଥରେ ଅବିଶ୍ୱାସ କଲେ ତୀର ମାରି, ମାରିଦେବେ । ସମସ୍ତଙ୍କୁ ଚାହିଁଲି । ହେଲେ କାହାରି ଆଖିରେ ମୋ ପ୍ରତି ଅବିଶ୍ଵାସର ଚିହ୍ନ ଦେଖିଲି ନାହିଁ ।

 

ମୁଁ ଯେତେ ପଚାରିଲେ ବି ସେ କିଛି କହିଲାନି । ଅନେକ ସମୟ ଧରି ସୁଲୁସୁଲୁ ପବନରେ ଖେଳୁଥିବା ଗଛର ପତର ଆଡ଼େ ଚାହିଁଲା । ପବନକୁ ଆମେ ବହୁତ ଭଲ ପାଉ, ଅନେକ ଥର ତା’ର ରିମ୍ ଝିମ୍ ଆୱାଜ ଆମେ ଶୁଣିଛୁ । ହେଲେ ପବନକୁ ସେ ଏମିତି ଅବିଶ୍ୱାସ ଆଖିରେ ଚାହୁଁଚି କାହିଁକି ? ଗାଁଟା ଯାକର ପିଲା ମାଇପେ ସମସ୍ତେ ମତେ ଚାହୁଁଛନ୍ତି । ସତେ ଯେମିତି ମୁଁ କିଛି କିମିଆଁ ଜାଣିଛି ଶାନ୍ତାକୁ ହସେଇ ଦେବି, ସେ ପୁଣି ଦଉଡ଼ି ଯାଇ ଦେଇ ଫଟ ଯନ୍ତ୍ରଟାର ସୁଇଚ୍ ମୋଡ଼ି ତାଙ୍କୁ କଳଗାଉଣା ଶୁଣେଇବ । ଛବି ଦେଖେଇବ ।

 

‘ତମ ରାଇଜର କଥା ସବୁ ପବନରେ ଏ ଯନ୍ତ୍ର ପାଖକୁ ଆସୁଚି ବାବୁ ?” ଅନେକ ଡେରିରେ ଥରିଲା ଓଠରେ କହିଲା ସିଏ ! ଖୁବ ଗମ୍ଭୀର ଆଉ ଶଙ୍କାକୂଳ ଥିଲା କଥା ତାର ।

 

ହସ ଲାଗିଲା । ଥରେ ତାକୁ ବୁଝେଇଥିଲି ‘ଚିତ୍ର ସବୁ ଖୋଲା ଆକାଶକୁ ଛାଡ଼ି ଦିଆଯାଏ ଆଉ ଏ ଯନ୍ତ୍ର ତାକୁ ଗ୍ରହଣ କରି ତାକୁ ସବୁ ଦେଖାଏ ।’ ପୁଣିଥରେ ତା’କୁ ବୁଝେଇ ଦେଲି-। ହେଲେ ବାବୁ ଏ ଯନ୍ତ୍ରଟାକୁ ଫେରେଇ ନବୁ କି ? ଆଜି ଯାଇ-ଯେଉଠୁ ଆଣିଚ ସେଇଠି ଦେଇ ଆସିବ କି... ?

 

ମତେ ଯେମିତି ଲାଗିଲା ସେ କହିବାକୁ ଚାହୁଁଚି ତମେ ବି ସେଆଡ଼େ ରହିବ ଏଠିକି ଆଉ ଆସିବନି । ହେଲେ ମୋ ହାତର ପାପୁଲିକି ସେ ଏମିତି ଭାବରେ ଚାପି ଧରୁଥିଲା, ମତେ ଯେମିତି ଲାଗିଲା ସେ କହୁଚି, ସବୁଦିନେ ଆସିବ ଏ ମାଟିର ପୁଅ ହେଇ, ଏ ପବନକୁ ଏ ଜହ୍ନର ଜୋଛନାକୁ ପ୍ରାଣଭରି ପିଇବାପାଇଁ ।

 

ହେଲେ ମୁଁ ବୁଝି ପାରି ନ ଥିଲି କଣ ହେଇଚି ତା’ର । ପୁଣି ଜୋରରେ ଚିତ୍କାର କରି ଉଠିଲା ‘ସେ ଯନ୍ତ୍ରଟାକୁ ନେଇଯା ବାବୁ' । ଅନେକ ଆପଣର କରି ପଚାରିଲା ପରେ କହିଲା, “ତୁ ଯୋଉଦିନ ଚାଲିଗଲୁ ବାବୁ ସେ ଦିନ ରାତିରେ ତୋ ରାଇଜର ଗୋଟେ ରଜାର କଥା ସିଏ ଯନ୍ତ୍ର କହିଲା । ବହୁତ ବଡ଼ ମହଲରେ ସିଏ ରହୁଥିଲା । କେତେ କେତେ ମଣି ମୁକୁତାର ହାର ଝୁଲୁଥିଲା-। ଆଉ ସିଏ ରଜାର ରାଣୀର ବା କେତେ ଶାଢ଼ି, କେତେ ଗହଣା । ହେଲେ ବାବୁ ସିଏ ରଜା କୁଆଡ଼େ ଲୋକଗୁଡ଼ାଙ୍କୁ ମାରି ଲୁଟ କରି ସେ ସବୁ ସମ୍ପତ୍ତି କରିଥିଲା । କେତେ ପିଲାଛୁଆ ମରିଚନ୍ତି ତା’ ଗୁଳିରେ । ଦିନେ ରଜାକୁ ହଟେଇବାକୁ ଲୋକ ସବୁ ମାଡ଼ି ଆସିଲେ ପଲକୁ ପଲ । ଲୋକଙ୍କୁ ପୁଲିସଗୁଡ଼ାକ ଦଳି ଚକଟି ପକେଇଲେ । ବନ୍ଧୁକରେ ମାରି ଭୁଷି ପକେଇଲେ । ଗାଁ ମୁଣ୍ଡ ତୋଟାରେ ଚଢ଼େୟା ଯେ ଚଢ଼େଇ ମାରିଲେ ଆମେ କେତେ କାନ୍ଦୁ । ଶେଷକୁ ସିଏ ରଜା ଆଉ ରାଣୀ ଗୋଟାଏ ମଟର ପଛରେ ପଶି ଆସିଲେ । ଗୁଳିକରି ଲୋକେ ତାଙ୍କୁ କିତା କିତା କରି ଉଡ଼େଇ ଦେଲେ । ମହଲ ଛାଡ଼ି କୋଉ ନର୍ଦ୍ଦମା ପାଖରେ ଦି’ ଜଣଯାକ ପଡ଼ିଥାଆନ୍ତି । ଏଇ ବାବୁ ତୋ ରାଇଜର କାହାଣୀ । ସମସ୍ତେ ଏମିତି ମହଲ ବନେଇବାକୁ ଦଉଡ଼ିବେ, ପୁଣି ଦଳା ଚକଟା ହେଇ ମରିବେ । ହେଲେ ମୋ ରାଇଜରେ ପଶୁମାନେ ଏମିତି ଲଢ଼ିବା ମୁଁ ଦେଖିନି ବାବୁ । ମତେ ତୁ କହିଥିଲୁ ନା ତୋ ରାଇଜକୁ ନବୁ, ରାଣୀ କରିବୁ ? ତୁ କହୁଥିଲୁ ନା ଗାନ୍ଧୀ ବୋଲି କିଏ କହୁଥିଲା, ଦେଶ ସ୍ଵାଧୀନ ହବ ସେଇଦିନ ଯୋଉଦିନ ରାତି ଅଧରେ ଝିଅଟିଏ ଏକୁଟିଆ ରାସ୍ତାରେ ଯାଇ ପାରିବ । ହେଲେ ସବୁଦିନେ ତୋର ଏଇ ଯନ୍ତ୍ରଟା ଦେଖଉଛି ମଝି ଦିନରେ ବି ଝିଅଟାଏ ରାସ୍ତାରେ ଯାଇପାରୁନି । ହେଲେ ଆମ ଜଙ୍ଗଲରେ ତ ମୁଁ ଏକୁଟିଆ ଏକୁଟିଆ ବୁଲୁଚି । ହଠାତ୍ ପୁଣି ଚିତ୍କାର କରି ଉଠିଲା । “ତୋ ଯନ୍ତ୍ରଟାକୁ ନେଇଯା ବାବୁ ! ଏ ଯନ୍ତ୍ର ଅଛି ବୋଲି ତୋ ରାଇଜ କଥା ଏ ପବନ, ଆକାଶ, କିରଣ, ଜୋଛନା ସାଥିରେ ଖେଳି ବୁଲୁଚି । ଏ ଯନ୍ତ୍ରଟା ଅଛି ବୋଲି ତୋ ରାଇଜର ପାପଗୁଡ଼ାକ ଏଠିକି ମାଡ଼ି ଆସୁଚି ! ଆମକୁ ସିଏ ପାଗଳ କରିଦବ । ଆମେ ତମ ପାଠ ପଢ଼ିବୁ ନାଇଁ । ଆମେ ତଳେ ବସି ଖାଇବୁ, ଗଛର ପତର ପିନ୍ଧବୁ, ଗାଡ଼ି ମଟର ଚଢ଼ିବୁ ନାଇଁ । ହେଲେ ମଣିଷ ହବୁ, ମଣିଷ ହବୁ । ।

 

ଚିନ୍ତା କରୁଥିଲି ମୁଁ । ଘଟଣାଟି ଥିଲା ସେ ସମୟର କାହାଣୀ ! ନା ଠିକ୍ ତା ବି କହି ହବନି ବରଂ ଆମ ପରି ମୁଖା ପିନ୍ଧିଥିବା ସମସ୍ତଙ୍କର କାହାଣୀ । ମୋ ସଭ୍ୟତାର କାହାଣୀ । ଅମଣିଷ ପଣିଆର କାହାଣୀ ।

 

ସେଦିନ ରାତିରେ ମୁଁ ଏକ ଅଭୁତ ସ୍ଵପ୍ନ ଦେଖିଲି । ମେରୁ ପ୍ରଦେଶରୁ ଏକ ବନ୍ୟାର ସ୍ରୋତ ବାହାରି ପୃଥିବୀର ସମସ୍ତ ପ୍ରଗତିର ପ୍ରତୀକକୁ ଧୋଇଦେଇ ଯାଉଛି ଆଉ ଆମେ ପୁଣି ଆଦାମ ଆଉ ଇଭର ସକାଳରୁ ଯାତ୍ରା ଆରମ୍ଭ କରିଛୁ ।

Image

 

Unknown

ଜ୍ୟୋତିର୍ମୟୀ

 

ଚିତ୍ରୋତ୍ପଳାର ଚହଲା ପାଣିରେ ପାହାନ୍ତି ରାତିର ଜହ୍ନଟା ଖେଳୁଥିଲା । ଚାରିଆଡ଼େ ନିରବତାର ମଧୁର ସ୍ୱର । ଅଧାରାତି ପର୍ଯ୍ୟନ୍ତ ବେଳେବେଳେ ଭୁକୁଥିବା କୁକୁରମାନେ ବି ଶୋଇଗଲେଣି । ଶୋଇବି ଯାଇଛି ରାମଚନ୍ଦ୍ରପୁର ଗାଁ । ଓଡ଼ିଶାର ଅନେକ ଗାଁ ଭିତରୁ ଗୋଟିଏ ହେଲେ ବି ନିଜର କିଛି ସନ୍ତାନମାନଙ୍କ ପାଇଁ ନିଆରା ହୋଇଯାଇଛି । ନଈଘାଟ ପାଖରେ ପାଖାପାଖି ହୋଇ ବସିଥିଲେ ସୁଲତା ଆଉ ଶୁଭମ୍ । କଥା ହେଉ ହେଉ ରାତି ସରି ଆସିଲାଣି । ବେଳେବେଳେ ଏମିତି ହୁଏ । ସମୟଟାର ପରିସୀମା ଛୋଟ ହୋଇଯାଏ । ଅନେକ ବର୍ଷ ପରେ ଆଜି ସୁଲତା ଦେଖୁଚି ଶୁଭମକୁ । ମଝିରେ ମଝିରେ ଚାହୁଁଚି ତା’ ମୁହଁକୁ । ବୟସ ତା’ ମୁହଁରେ କିଛି ଚିହ୍ନ ଆଣିଲାଣି ।

 

ସୁଲତା ଆଜି ଭାରତୀୟ ପ୍ରାମାଣିକ ଆଉ କଳାତ୍ମକ ଚଳଚ୍ଚିତ୍ର ଜଗତରେ ଏକ ନାମକରା ମଣିଷ । ନିକଟରେ ତା’ର ଚଳଚ୍ଚିତ୍ର ଆନ୍ତର୍ଜାତିକ ପୁରସ୍କାର ପାଇଛି । ବିଦେଶରେ ତା’ର ଚଳଚ୍ଚିତ୍ରର ଖୁବ୍‍ ଆଦର । ନିଖୁଣ ଭାବରେ ସୁଲତା ଚିତ୍ରଣ କରିଥିଲା ମୁମ୍ବାଇ ନଗରୀର ବସ୍ତିଜୀବନକୁ । ଦେଖେଇଥିଲା ଏବେ ବି ହାତରେ ଲୋଟା ଧରି ଖୋଲାପଡ଼ିଆକୁ ଶୌଚ ହେବାକୁ ଯାଉଥିବା ମଣିଷମାନଙ୍କୁ । ପୁଣି ଭୁବନେଶ୍ଵରର ମାଳିସାହିରେ ବଞ୍ଚିବା ପାଇଁ ଦେହ ବ୍ୟବସାୟ ପରି ଜୀବନକୁ ଆଦରି ନେଇଥିବା ମଣିଷମାନଙ୍କୁ । ବିଦେଶରେ ଲୋକେ ତାକୁ ସାହସୀ, ନିର୍ଭୀକ ବୋଲି କହିଲେ, ପୁରସ୍କାରର ରାଶି ଅଜାଡ଼ିଲେ । ଖବରକାଗଜମାନ ତା’ର ସାକ୍ଷାତକାର ଛାପିଲେ ।

 

ସୁଲତା ନ୍ୟାସନାଲ୍ ସ୍କୁଲ ଅଫ ଡ୍ରାମାର ଏକଦା ଥିଲା କୃତି ଛାତ୍ରୀ । ଶୁଭମ୍ ଥିଲା । ତା’ର ସହପାଠୀ । ଶୁଭମ୍ କୃତି ବି ଥିଲା ଅନନ୍ୟ । ଜୀବନରେ ସାଲିସ୍‌କରି ପାରୁନଥିବା ମଣିଷମାନେ ସମକାଳରେ ଅନେକ ସମୟରେ ଆଗକୁ ଯାଇ ପାରନ୍ତିନି । ସୁଲତା ଆଉ ଶୁଭମ୍ ଦିଲ୍ଲୀରେ ଯମୁନା କୂଳରେ ବସି ଅନେକ ସ୍ଵପ୍ନ ଦେଖନ୍ତି !

 

ସୁଲତା ଦେଖେ ମସୁନାରେ ଚହଲି ଚହଲି ଯାଉଥିବା ନାଆକୁ । ଦେଖୁ ଦେଖୁ ଭାବେ ସେ ଲାଲକିଲ୍ଲାର ବେଗମ୍ ହୋଇଯାଇଛି । ଭୂମିକୁ ସେ ପ୍ରାୟ ଦେଖି ପାରେନା । ଶୁଭମ୍ କୁ କୁହେ ଏପରି ଏକ ଚଳଚ୍ଚିତ୍ର କରିବି ତା’ ନିଶ୍ଚୟ ଦେଶବିଦେଶରେ ନାଁ କରିବ । ସେ ପୁରସ୍କାର ପାଇବ । କହିଲା ଭିତରେ ଆନମନା ଶୁଭମକୁ ହଲେଇ ଦେଇ କହେ “ମୁଁ ପୁରସ୍କାର ପାଇଲେ ତୁମେ ଖୁସି ହେବ ନାହିଁ ? ଶୁଭମ୍ ସେକ୍‍ସପିୟରଆନ୍ ନାଟକରେ ଏକ ସଂଳାପକୁ ଉଚ୍ଚାରଣ କରି କୁହେ “ମୁଁ ହୃଦୟର ଅନୁଭବକୁ କଥାରେ ପ୍ରକାଶ କରିପାରିବନି ।” ଖୁସିରେ କୁରୁଳି ଉଠେ ସୁଲତା । ବାରବାର ଶୁଭମକୁ କୁହେ, “ଆମେ ମୁମ୍ବାଇ ଚାଲିଯିବା । ତା’ ପରେ ତା’ ପରେ...” ହେଲେ ଶୁଭମ୍ କିନ୍ତୁ ସବୁବେଳେ ମାଟିକି ଫେରିଚାହେଁ । ଚିତ୍ରୋତ୍ପଳା କୂଳର ଧାନବିଲର କି ବାସ୍ନା, ପବନରେ କି ମାଦକତା ଆକାଶରେ କି ଆବେଗ; ପାଣିରେ କି ଆହ୍ୱାନ ସେ ପାଏ, ବୁଝି ପାରେନି ସୁଲତା ।

 

ଦିଲ୍ଲୀରେ କଟିଯାଏ ପାଞ୍ଚଟି ବର୍ଷ । ଏ ନଗରରୀରେ ହଜିଯାଇଛି କେତେ ପ୍ରେମ କାହାଣୀ । ଶୁଭମ୍ ହସି ହସି ତାର ସିଦ୍ଧାନ୍ତ ଜଣେଇଲା ସୁଲତାକୁ । ସେ ତା' ଗାଁକୁ ଫେରିଯିବ । ସେଇ ତା' ପାଇଁ ମୁମ୍ବାଇ, ସେଇ ତା’ ପାଇଁ ବିଶ୍ଵ । ଆଶ୍ଚର୍ଯ୍ୟ ହେଲାନି ସୁଲତା । ମନଦେଇ ଭଲ ପାଉଥିବା ମଣିଷର ଅନ୍ତରକୁ ସେ ଭଲ ଭାବେ ବୁଝିଥିଲା । ସବୁ ପ୍ରେମିକପ୍ରେମିକା ସେ ସାଥୀ ହୋଇ ଘରକରି ଏ ତେଲଲୁଣ ସଂସାରର ବନ୍ଧନକୁ ମୁଣ୍ଡେଇବେ । ତାହା ନିଶ୍ଚିତ ନୁହେଁ । ଜୀବନଟା କେତେଗୁଡ଼ିଏ ମୁହୂର୍ତ୍ତର ସମାହାର ମାତ୍ର, ମନକୁ ବୁଝେଇଲା ।

 

ନିଜ ଭିତରରେ ଥିବା ଆଦର୍ଶଗତ ଦୂରତ୍ଵକୁ ଭଲ କରି ବୁଝିଥିଲେ ସୁଲତା ଆଉ ଶୁଭମ୍-। ନ୍ୟାସନାଲ୍ ଡ୍ରାମା ସ୍କୁଲ ଛାଡ଼ିବାର ରାତିରେ ଇଚ୍ଛା କରି ଉଭୟେ ହଜାଇ ଦେଇଥିଲେ ପରସ୍ପରକୁ ଦେଇଥିବା ଠିକଣା । ଆବେଗରେ ଶୁଭମ୍ କହିଥିଲା ‘ତୁମର ଠିକଣା ମୁଁ ହଜାଇ ଦେଉନି ବରଂ ଅପେକ୍ଷା କରୁଚି ତମର ନୂଆ ଠିକଣାକୁ” ।

 

ଆଶ୍ଚର୍ଯ୍ୟରେ ଚାହିଁଲା ସୁଲତା । ଶୁଭମକୁ ସେ ଚାହୁଁ ନଥିଲା ହଜେଇ ଦେବା ପାଇଁ । ସୁଲତାର ଆଶ୍ଚର୍ଯ୍ୟ ଭାବ ଦେଖି କହିଲା, “ମୋର ଆଶା ଆଗାମୀରେ ତୁମ ନାଁ କହିଲେ ଦେଶରେ ଲୋକେ ନିଶ୍ଚୟ ଜାଣିବେ । ଏତିକି ମୋର କାମନା । ପୁଣି ଥରେ ଦେଖା ହେବ ତମର ନୂଆ ଠିକଣାରେ ।”

 

ଶୁଭମର କଥା ଦିନେ ସତ ହେଲା ସୁଲତା ସ୍ଥିତପ୍ରଜ୍ଞା ନିଜ ନାଁର ନିଜେ ଠିକଣା ହୋଇଗଲା । ତା’ର ଚଳଚ୍ଚିତ୍ର ଆନ୍ତର୍ଜାତିକ ପୁରସ୍କାର ପାଇଲା ପରେ ବିଜ୍ଞାନ ଭବନରେ ରାଷ୍ଟ୍ରପତି ତାକୁ ସମ୍ବର୍ଦ୍ଧିତ କଲେ । ଆପେ ଆପେ ସରକାର ପଦ୍ମ ପୁରସ୍କାର ପାଇଁ ତା’ର ନାମ ବିଚାର କଲେ-

 

ଶୁଭମ୍ କିନ୍ତୁ ସୁଲତାର ନୂଆ ଠିକଣାରେ ଦେଖିଲା ଭାରତର ସେଇ ବସ୍ତି ଜୀବନ, କନ୍ଧମାଳର କୌପୁନୀ ପିନ୍ଧା ବିପର୍ଯ୍ୟସ୍ତ ମଣିଷ, ଦାରିଦ୍ର୍ୟର କରୁଣ ଚିତ୍ର । ସୁଲତାକୁ ଏ ଚିତ୍ର ପୁରସ୍କାର ଦେଇଛି । କିନ୍ତୁ ଶୁଭମକୁ ଲାଗିଲା ଏ ଚିତ୍ର ଆମ ମାଟିକି ଅପମାନ ଦେଇଛି । ଜୀବନରେ ସେ ସବୁବେଳେ ଭାବି ଆସିଛି କ୍ଷୁଧାମୁକ୍ତ ଦାରିଦ୍ର୍ୟମୁକ୍ତ, ଶାନ୍ତିମୟ ଭାରତର କଥା । ବହୁ ଚିନ୍ତା କରି ସୁଲତାର ଏଇ ନୂଆ ଠିକଣାରେ ଚିଠି ଖଣ୍ଡେ ଲେଖିଥିଲା । ସମସ୍ତ ସମ୍ଭାବନାକୁ ଭୁଲ ପ୍ରମାଣିତ କରି ସୁଲତା ପହଞ୍ଚିଲା ତା ଗଆଁରେ ।

 

ଶୁଭମ୍ ଚିଠି ଲେଖିଥଲା ସୁଲତାକୁ ! ତା’ ଗାଁର ସ୍ଵାଧୀନତା ସଂଗ୍ରାମୀମାନେ ପରିବାର ସହ ଦେଶ ସେବା କରିବାକୁ ବାହାରିଥିଲେ ! ନାରୀ ଶିଶୁ ସମସ୍ତେ ପାଗଳ ହୋଇଥିଲେ ଦେଶପ୍ରେମରେ । ସ୍ୱାଧୀନତା ପ୍ରାପ୍ତି ପରେ ବିନା ଡିଗ୍ରୀଧାରୀ ଏଇ ମାଟି ମଣିଷ କିପରି ଜ୍ଞାନର ମହାସାଗର ଜ୍ଞାନମଣ୍ଡଳ ରଚନା କଲେ । ଅନୁରୋଧ କରିଥିଲା ତା’ ଅଞ୍ଚଳରେ ଏଇ ତ୍ୟାଗୀ ଦେଶପ୍ରେମୀମାନଙ୍କୁ ନେଇ ସିନେମାଟିଏ କରିବା ପାଇଁ । ଦୁଃଖ ଆସିଥିଲା ଶୁଭମର ମନରେ ସୁଲତାର ସିନେମା ତା’ପାଇଁ ସମ୍ମାନ ଆଣିଥିଲେ ବି ଦେଶ ପାଇଁ ଗୋଟାଏ ଖରାପ ଛବି ଆଣିବ ନିଶ୍ଚୟ । ବିଦେଶରେ ଲୋକେ ଭାବିଥିବେ ଭାରତ ଗୋଟାଏ ଅଭାବୀ ମଣିଷ, ଭୂତପ୍ରେତ କାହାଣୀ ଚିରିଗୁଣୀର ରାଜ୍ୟ ! ଇଚ୍ଛାହେଲା ଦେଶ ବିଦେଶକୁ ଜଣେଇବା ପାଇଁ କି ଭାରତ ଏଇମିତି ଦେବଦେବୀଙ୍କର ରାଜ୍ୟ ଯାହାଙ୍କ ପାଇଁ ଆଜିର ଏ ଦାରିଦ୍ର୍ୟ, ଏ ଆତଙ୍କ, ଏ ଅମଣିଷ ପଣିଆ ଘୁଞ୍ଚିଯିବ । ଏହା ରହିବ ନାହିଁ, ରହିବ ନାହିଁ ।

 

ଖୁସି ହୋଇଥିଲା ସୁଲତା । ବ୍ୟବସାୟିକ ଦୃଷ୍ଟିରୁ ବି ଏପରି ଚଳଚ୍ଚିତ୍ର ଗ୍ରହଣୀୟ ହେବ । ଏ ବି ନିଶ୍ଚୟ ପୁରସ୍କାର ପାଇବ । ଶୁଭମକୁ ଦେଖିବାର ଇଚ୍ଛା, ତା’ର ଅତୀତ । ଆଉ ପୁରସ୍କାର ପାଇଲା ଭଳି ଆଉ ଗୋଟିଏ ନିଆରା ସିନେମାର ପ୍ଲଟ୍ ବ୍ୟଗ୍ର କଲା ସୁଲତାକୁ ରାମଚନ୍ଦ୍ରପୁର ଆସିବାକୁ ।

 

ଶୁଭମ୍ କହୁଥିଲା ଗୋଟିକ ପରେ ଗୋଟିଏ ଚରିତ୍ରର କାହାଣୀ । ଚିହ୍ନେଇ ଦେଇଥିଲା ଏ ହେଲେ ରାଜକୃଷ୍ଣ । ରାଜକୃଷ୍ଣ ବୋଷ । ଓଡ଼ିଶାର ପ୍ରଥମ ରାଜବନ୍ଦୀ ସୌମଦର୍ଶନ ବ୍ୟକ୍ତିତ୍ଵ । ତତ୍କାଳର ଭାରତ ସରକାରରେ ସେ ଉଚ୍ଚପଦବୀ ପାଇପାରି ଥାଆନ୍ତେ । ତାଙ୍କ ହାତରେ ବେଡ଼ି ନଥିଲା କିନ୍ତୁ ଦେଶ ହାତରେ ପଡ଼ିଥିବା ବେଡ଼ି ତାଙ୍କୁ ବ୍ୟଥିତ କଲା, ଶୁଭମ୍ କହୁଥିଲା ହାତରେ ଲୁଗାବୁଣି ସେ ଖଦଡ଼ ପିନ୍ଧିଲେ । ଚାଲିଚାଲି ଗାଁ ଗାଁ ବୁଲିଲେ । ଗାନ୍ଧିଜୀଙ୍କର ମୋହନବଂଶୀ ତାଙ୍କୁ ପାଗଳ କଲା ।

 

ନିବିଷ୍ଟ ହୋଇ ଶୁଣୁଥିଲା ସୁଲତା । ତା'ଠାରୁ ପ୍ରତିକ୍ରିୟା ନ ପାଇ ଶୁଭମ୍ କହିଲା କାହାଣୀ କ’ଣ ପସନ୍ଦ ହେଉନାହିଁ । ନିରୁତ୍ତର ରହିବାର ଢଙ୍ଗରେ କହିଲା “ନାଁ କୁହ ।” ଶୁଭମ୍ କଥା ଯୋଡ଼ିଲା ? ବାଳକ ରାଜକୃଷ୍ଣଙ୍କୁ ବ୍ୟଥିତ କରୁଥିଲା ସାଥୀ ଗାଁ ଲୋକଙ୍କର ଦାରିଦ୍ର୍ୟ ! ପୋଖରୀ ହୁଡ଼ାରୁ ଆପେ ଆପେ ବଢ଼ିଥିବା କଳମ କନିଶିରି ଶାଗକୁ ମସିଆ ଲୁଗା ଅଣ୍ଟିରେ ନେଇ ଯାଉଥିବା ଧାନକୁଟୁଣୀ ସ୍ତ୍ରୀଲୋକଙ୍କ ପଛେ ପଛେ ସେ ଯାଆନ୍ତି, ଦେଖିବାକୁ କ'ଣ କରିବେ ସେମାନେ ନେଇ ୟାକୁ ?” ମୁହଁ ଟେକି ଚାହିଁଲା ସୁଲତା । ଜହ୍ନର ଶୁଭ୍ର ଜ୍ୟୋତ୍ସ୍ନା ଭିତରେ ଆଉଟି ହୋଇଯାଉଥିବା ସୁଲତାର ଲାଲ୍ ଗାଲଟା ।

 

“ତା’ ପରେ, ଉତ୍ସୁକତା ଦେଖେଇ ପଚାରିଲା ସୁଲତା ।

 

ସାଥୀରେ ଯାଇ ସେ ଯାହା ଦେଖିଥିଲେ ତା’ ଥିଲା ଏ, ଦେଶର କୋଟି ମଣିଷର ଚିତ୍ର । ଶାଗକୁ ସିଝେଇ ପରିବାର ସହ ଖାଇଦେଇ ରହୁଥିଲେ । “ଭାତ କି ରୁଟି ଆଉ କିଛି ପୁଷ୍ଟିକର...” ହସିଦେଲା ଶୁଭମ୍ । “ନା ଆଉ କିଛି ନଥିଲା । “ଏଇଥିପାଇଁ ତ ଏମାନେ ହାତରେ ବେଡ଼ି ପିନ୍ଧିଲେ-। ବିଦେଶୀ ଚାଲିଗଲେ ଦେଶ ସ୍ଵାଧୀନ ହେବ । ଏ ଦେଶର ଦରିଦ୍ର ଭୋକରେ ରହିବ ନାହିଁ-। ଏଇ ସଂଗ୍ରାମୀଙ୍କର ଖାଇପିଇ ଆରାମରେ ରହିଲା ଭଳି ଅର୍ଥ ଥିଲା । ହେଲେ ଏମାନେ ଲୁଚିଛପି ଆନ୍ଦୋଳନ କରି ଜୀବନ ବିତେଇଲେ । ପାଗଳ ହୋଇ ସ୍ଵପ୍ନ ଦେଖିଲେ ଏକ ସମୃଦ୍ଧ ଭାରତ ବର୍ଷର-। ଗୀତ ଗାଇଲେ ଧନଧାନ୍ୟ ପରିପୂର୍ଣ୍ଣା ବସୁନ୍ଧରାର । ଏଇ ପରି ସଂଗ୍ରାମୀମାନଙ୍କୁ ନେଇ ଚଳଚ୍ଚିତ୍ରଟିଏ କରିବାକୁ ତମକୁ ମୁଁ ଡାକିଛି !”

 

ସିଏ କ’ଣ ଅବିବାହିତ ଥିଲେ ?” ପ୍ରଶ୍ନ କଲା ସୁଲତା । ହସି ହସି ଉତ୍ତର ଦେଲା ଶୁଭମ୍-

 

ଏଭଳି ମଣିଷକୁ ଝିଅ ଦବ କିଏ ବା କୋଉଝିଅ ତାକୁ ବାହା ହବ ? ସୁଲତା ଫେରିଯାଉଥିଲା ପଚିଶି ବର୍ଷ ତଳର ଦିଲ୍ଲୀ ନଗରୀକୁ । ଶୁଭମ୍ ଯଦି ନିଜ ଗାଁ ଭୂଇଁକୁ ଫେରିବାର ଚିନ୍ତା ନ କରି ରହିଥାଆନ୍ତା ସେଇ ମାୟା ନଗରୀରେ ତା’ ହେଲେ ତା’ ସହିତ ସେ ଥାଆନ୍ତା ଗୋଟାଏ ସ୍ଵପ୍ନ ମହଲରେ । ଗାଁର ଏପରି ଛୋଟ ଘରଟିରେ ନୁହେଁ । ଓଡ଼ିଶାର ଗାଁକୁ ଗାଁ ବୁଲି ଶୁଭମ ଷ୍ଟ୍ରିଟ୍ ଥିଏଟର କରି କେତେବେଳେ ତ୍ୟାଗୀ ହରିଶ୍ଚନ୍ଦ୍ର, ଶିବମାନଙ୍କୁ ନେଇ କେତେବେଳେ ନଳ ଦମୟନ୍ତୀର ପ୍ରେମ କାହାଣୀକୁ ନେଇ ପୁଣି କେତେବେଳେ ଏ ଦେଶର ସ୍ୱାଧୀନତା ସଂଗ୍ରାମରେ ଆତ୍ମବଳି ଦେଇଥିବା ମନିଷୀମାନଙ୍କୁ ନେଇ ଦଙ୍ଗା, ଦାରିଦ୍ର୍ୟ ମୁକ୍ତ ସମାଜ ଗଢ଼ିବାର ଶପଥ ନେଇ କାମ କରୁଛି ସେ । ଲୋକଙ୍କ ପାଖରେ ନୂଆ ନୂଆ ଜ୍ଞାନ କୌଶଳ ପହଞ୍ଚାଉଛି । ସ୍ଵାସ୍ଥ୍ୟ ରକ୍ଷାର ମାର୍ଗ ଦେଖଉଛି । ସ୍ୱପ୍ନ ଦେଖୁଛି ଦିନେ ଏ ଦେଶ ବଦଳିଯିବ । ସୁଲତାକୁ ବୁଝି ପାରିଲା ଶୁଭମ୍ ପ୍ରାୟ ଟିକେ ହାଲକା ଭାବରେ କହୁଚି । କୁହନା ସେ କ’ଣ ସତରେ ଅବିବାହିତ ଥିଲେ ? ହସି ହସି କହିଲା ଶୁଭମ୍ ! କେମିତି ଅବିବାହିତ ରହିବେ ? ଭଗବାନ ପରା ଯୁଗେ ଯୁଗେ ରାମଙ୍କ ପାଇଁ ସୀତା, ନଳଙ୍କ ପାଇଁ ଦମୟନ୍ତୀ, ବାପୁଙ୍କ ପାଇଁ କସ୍ତୁରବା ଶାସ୍ତ୍ରୀଙ୍କ ପାଇଁ ଲଳିତା, ଗୋପବନ୍ଧୁ ଚୌଧୁରୀଙ୍କ ପାଇଁ ରମାଦେବୀମାନଙ୍କୁ ସୃଷ୍ଟି କରିଛନ୍ତି ।” ଆଗକୁ ଶୁଣିବାପାଇଁ ଅନେଇ ରହିଲା ସୁଲତା ! ରାଜକୃଷ୍ଣଙ୍କୁ ସାଥିରେ ସେମିତି ଛନ୍ଦି ହେଲେ ମୃଣାଳିନୀ । ଡାକ୍ତରଙ୍କ ଝିଅ । ପୂର୍ଣ୍ଣଗ୍ରାମର ପୂର୍ଣ୍ଣକୁମାରୀ ପ୍ରାଚୁର୍ଯ୍ୟକୁ ଛାଡ଼ି ଜୀବନର କଣ୍ଟକିତ ବାଟକୁ ଫୁଲର ସରଣୀ ଭାବେ ବରଣ କରି ହାତ ଧରିଲେ ରାଜକୃଷ୍ଣଙ୍କର ! ମର୍ମେମର୍ମେ ବୁଝିଥିଲେ ମଣିଷର ଦୁଃଖକୁ । ଯେଉଁ ଚଳଚ୍ଚିତ୍ରଟିର ରୂପରେଖ ମନରେ ଧରି ତାକୁ ଡାକିଛି ସେଇ ନାଟକର ନାୟିକା ସିଏ । ତମର ନାମକରା ହାତରେ ଗଢ଼ିବାକୁ ଚାହୁଁଚି ରାଜକୃଷ୍ଣ ଆଉ ମୃଣାଳିନୀଙ୍କର ଦେଶ ପ୍ରେମ, ମାନବ ପ୍ରେମ ଆଉ ପାରସ୍ପରିକ ପ୍ରେମର କାହାଣୀକୁ ନେଇ ଆଗାମୀ ପିଢ଼ି ପାଇଁ ଚଳଚ୍ଚିତ୍ରଟିଏ ନିଜେ ଲେଖିଥିବା ସ୍କ୍ରିପ୍ଟର ପ୍ରସ୍ତାବିତ ଦୃଶ୍ୟାବଳୀର କ୍ଲାଇମ୍ୟାକ୍ସ ସିକୁଏନସକୁ ପଢ଼ୁଥିଲା ଶୁଭମ୍ । ରାଜକୃଷ୍ଣ ବୋଷ ବନ୍ଦୀ ହୋଇ ଜେଲରେ । ପୁଲିସର ଅତ୍ୟାଚାରର ତନ୍ତ୍ରଥରା କାହାଣୀ ସବୁରି ମୁହଁରେ । ଶୁଣିଲେ ଆଖିରେ ଲୁହ ଆସିଯିବ । ବ୍ରିଟିଶ୍ ସରକାରଙ୍କଠାରୁ ମଧ୍ୟସ୍ଥିମାନଙ୍କ ମଧ୍ୟରେ ପତ୍ନୀ ମୃଣାଳିନୀଙ୍କ ପାଖକୁ ଖବର ଆସିଲା ଯେ ରାଜକୃଷ୍ଣବାବୁଙ୍କୁ ମନ୍ତ୍ରୀ ହେବାକୁ ରାଜି କରେଇ ଦେବାକୁ । ପ୍ରତି ବଦଳରେ ଜେଲ୍‌ରୁ ମୁକ୍ତି ମିଳିବ ଆଉ ସରକାରରେ ମନ୍ତ୍ରୀ ପଦ ମିଳିବ । ତା’ ସାଥୀରେ କଟକରେ ବଙ୍ଗଳା ଗାଡ଼ି ଘୋଡ଼ା ।

 

“ମୃଣାଳିନୀ କ’ଣ ରାଜି ହୋଇଗଲେ ?” ପଚାରିଲା ସୁଲତା ।

 

ମୃଣାଳିନୀ ସେଦିନ ଦେଇଥିବା ଉତ୍ତରକୁ ଶୁଭମ୍ ପଢ଼ିଲା । “ଜେଲ୍‌ରେ ଯଦି ରାଜକୃଷ୍ଣ ବାବୁଙ୍କର ମୃତ୍ୟୁ ହୋଇଯାଏ ତେବେ ହସି ହସି ମଥାରୁ ସିନ୍ଦୂର ପୋଛି ମୁଁ ସହିଦର ବିଧବା ହେବାକୁ ପସନ୍ଦ କରିବି କିନ୍ତୁ ନିର୍ଲ୍ଲଜ ମନ୍ତ୍ରୀର ସ୍ତ୍ରୀ ହେବି ନାହିଁ ।”

 

ସ୍କ୍ରିନପ୍ଲେର ଶେଷ ସଂଳାପଟି ପଢ଼ିସାରି ଶୁଭମ୍ କହିଲା ରାତି ସରି ଆସିଲାଣି, ଚାଲ ଘରକୁ ଫେରିଯିବା ସୁଲତା ।” ନିରବରେ ଚିତ୍ରୋତ୍ପଳାର ଆକାଶକୁ ଚାହିଁଥିଲା ସୁଲତା ! ଦେଖିଥିଲା ସେଇ ଶୁଦ୍ଧ–ଶୁଭ୍ରବେଶା ଜ୍ୟୋତିର୍ମୟୀ ମୂର୍ତ୍ତିକୁ । ତା'ର ନିରବ ରହିବା ଦେଖି ଶୁଭମ୍ କହିଲା କ'ଣ ସ୍କ୍ରିପ୍ଟ ପସନ୍ଦ ହେଲା ନାହିଁ ? ଆବେଗରେ ଶୁଭମର ହାତକୁ ଧରି ପକେଇ କହିଲା ଏ ଚରିତ୍ରକୁ ରୂପ ଦେବାକୁ ମତେ ଆଉ ଗୋଟିଏ ଯୁଗର ସାଧନା ଦରକାର । ନିଜ ଭିତରେ ସେତିକି ଶୁଦ୍ଧତା ନ ଆସିଲେ ଏ ଚରିତ୍ରକୁ ମୁଁ ରୂପ ଦେଇ ପାରିବି ନାହିଁ । ଏ ସାଧନାରେ ତୁମେ ମୋର ସାଥୀ ହୋଇ ପାରିବ କି ? ଏ ଦେଶର ଭୂଗୋଳରୁ ଦାରିଦ୍ର୍ୟକୁ ଲିଭେଇ ଦେବାର ଯାତ୍ରାରେ ମୁଁ ତୁମର ସାଥୀ ହେବାକୁ ଚାହେଁ । ଏ ଦେଶର ଦଙ୍ଗା ଦାରିଦ୍ର୍ୟକୁ ନେଇ ବେପାର କରିବାକୁ ଚାହେଁ ନାହିଁ । ଅର୍ଥ କି ରାଜଗାଦି ନୁହେଁ । ସେଇଥିପାଇଁ ପ୍ରାୟେ ଆଜିଯାଏ ଆମ ଦି’ଜଣଙ୍କୁ ଅବିବାହିତ ରଖିଛନ୍ତି । ସଂଳାପଟିକୁ ନିଜ କଣ୍ଠରେ ଦୋହରାଇଲା ସୁଲତା ! “ଜେଲରେ ଯଦି ରାଜକୃଷ୍ଣ ବାବୁଙ୍କର ମୃତ୍ୟୁ ହୋଇଯାଏ ତେବେ ହସି ହସି ମଥାରୁ ସିନ୍ଦୁର ପୋଛି ମୁଁ ସହିଦର ବିଧବା" । ଆବେଗିକ ପ୍ରେରଣାରେ ଶୁଭମର ଛାତିରେ ମୁଣ୍ଡ ଗୁଞ୍ଜି ଦେଲା ସୁଲତା । ସିନ୍ଦୂରା ଫାଟି ଆସୁଥିଲା । ମହାକାଳରେ ପୁଣି ଯୋଡ଼ି ହୋଇଯାଇଥିଲା ଆଉ ଯୋଡ଼ିଏ ନାମ, ସୁଲତା ଆଉ ଶୁଭମ୍ । ସାଥୀ ହୋଇପାଇଥିଲେ ନିଜର ନୂଆ ଠିକଣାକୁ । ପ୍ରୀତି ଆଉ ମଧୁର ପ୍ରଣୟର ତୂଳିରେ ଚିତ୍ର ଆଙ୍କୁଥିଲେ ନୂଆ ଏକ ଭାରତବର୍ଷର । ସ୍ଵପ୍ନର, ସାଧନାର ।

Image

 

ବସୁଧା

 

“ଭାଇ”

 

ପଛରୁ କାହାର ଅସ୍ପଷ୍ଟ ଡାକରେ ଅଟକିଲା ସୁମନ୍ତ । କଙ୍କାଳସାର ଦେହ ! ଆଖିରେ ଅନେକ ଆଶଙ୍କାର ଚିହ୍ନ । ମଳିନ ବେଶଭୂଷା । ବେକରେ ପଡ଼ିଥିବା ଇମିଟେସନ ଚେନଟା ବାରି ହେଇ ପଡ଼ୁଚି ।

 

“ତୁ ଅଟୋ ଚଲୋଉଛୁ !” ସୁମନ୍ତ କିଛି କହିବା ଆଗରୁ କି କିଛି ବୁଝିବା ଆଗରୁ ପଚାରିଲା ଝିଅଟି ! ଅଟୋ ଡ୍ରାଇଭର୍ ସିଟରୁ ବାହାରକୁ ଉଠିଆସି ଆଗନ୍ତୁକାଟିକୁ ନିରିଖେଇ ଚାହିଁଲା ସୁମନ୍ତ । ଚେହେରାରୁ ନିଜର ପରିଚୟ ହଜି ଯାଇଥିଲେ ବି ସ୍ଵରଟା ଠିକ୍‍ ସେମିତି ଅଛି ।

 

“ଆବେ ଯା, ଯାହା ପଇସା ମିଳିବ ଭଡ଼ା କରିଦେ । ସକାଳୁ ସକାଳୁ କାଇଁ ଏତେ ମୂଲ ଚାଲ କରୁଚୁ । ଭଡ଼ା ପାଇଁ ମୂଲ ଚାଲ କରୁଥିବା ଭାବି ପାସେଞ୍ଜରଙ୍କ ଅପେକ୍ଷାରେ ଥିବା ପାଖ ଅଟୋରିକ୍ସାର ଡ୍ରାଇଭର ଟିକିଏ ତୀର୍ଯ୍ୟକ ଭାବରେ କହିଲା । ତା’ର କିଞ୍ଚିତ ଅଶାଳୀନ ଆଖି ନଚେଇ କହିବାର ଭଙ୍ଗୀଟା ସୁମନ୍ତକୁ ବାଧିଲା ନିଶ୍ଚୟ ।

 

ମୁଣ୍ଡ ଉପରେ ଆକାଶରେ ଦରିଆ ଆଡ଼କୁ ଉଡ଼ିଗଲା ଉଡ଼ାଜାହାଜଟା । “କେତେ ସପନ ଦେଖୁଥିଲୁ ନା ରେ ? ଆକାଶରେ ଧୂଆଁରେ ଗାରକାଟି ଉଡ଼ାଜାହାଜଟା ଉଡ଼ିଗଲେ ତୁ କହୁଥିଲୁ ନା ଦିନେ ପାଇଲଟ ହବୁ । ଏ ଦେଶରୁ ସେ ଦେଶକୁ ଉଡ଼ିଯିବୁ । ହରିପୁର ବିଜ୍ଞାନ ମେଳାରେ ତୁ କାଗଜ ଖୋଳରେ ଉଡ଼ାଜାହାଜଟାଏ କରି ସୂତା ବାନ୍ଧି ଉଡ଼େଇ ଯୋଉଦିନ ପ୍ରାଇଜ୍ ପାଇଲୁ କେତେ ଖୁସି ହେଇ ନଥିଲେ ଆମେ ।”

 

“ସୁମି ।” ବୁଝିବାକୁ ବାକି ନଥିଲା ସୁମନ୍ତର । ଦାଦାଙ୍କ ଝିଅ ସୁମି । ଗୋଟାଏ ଚାଳତଳେ ଏକଦା ଏକାଠି ରହୁଥିବା ତା ବାପାଙ୍କ ମା' ପେଟର ଭାଇ, ଲକ୍ଷ୍ମଣ ଦାଦାଙ୍କ ଝିଅ । “ପିଲାଦିନେ ସବୁଦିନେ ମୋ ସାଙ୍ଗରେ ଖାଉ, ଆଉ ସେଦିନ ମୋ ସାଙ୍ଗରେ ଖାଇବୁ ବୋଲି ଅପେକ୍ଷା କରିକରି ଡେରିହବାରୁ ଅଖିଆ ଶୋଇ ପଡ଼ିଥିଲୁନା ତୁ ।” ଆପେ ଫିଟିଗଲା ସୁମନ୍ତ ପାଟିରୁ । କଇଁ କଇଁ ହେଇ କାନ୍ଦି ଉଠିଲା ସୁମି । “ମନେବି ଅଛି ମୋର, ମେଳାରେ ତତେ ମିଳିଥିବା ଟିଫିନ ପ୍ୟାକେଟଟି ନ ଖାଇ ତୁ ହାତରେ ଧରି ଫେରିଥାଉ, ମୋ ସାଙ୍ଗରେ ଖାଇବୁ ବୋଲି ।”

 

ହଠାତ୍ କିନ୍ତୁ ଭାବାନ୍ତର ଘଟିଲା ସୁମନ୍ତର । ସ୍ଵାଭାବିକ ଆଉ, ଆଗର ସ୍ଵରଟା ଅସ୍ଵାଭାବିକ ଶୁଣାଗଲା ।” ଯା, ଯା, ତୋ ବାଟରେ ଯାଆ, ଆସି ଗେହ୍ଲେଇ ହେଲା । ତୋ ଛମନି ଶୁଣିବାକୁ ମୋର ବେଳ ନାହିଁ । ମୋର ତୋ ଭଳି କେହି ଭଉଣୀ ନାହାନ୍ତି । ତମଠାରୁ ଆମେ ମରିଯାଇଛୁ । କମ୍ପାନି ତମର ଭାଇ, ବଡ଼ବାପା ଆଉ ପରିବାର ।” ସୁମନ୍ତ ଆଗରେ ଅତୀତର କଷ୍ଟଦାୟକ ଅନୁଭୂତିଗୁଡ଼ାକ ଶାଗୁଣା ପରି ଉଡ଼ିଗଲେ ।

 

ସାଗରକୂଳିଆ ଗାଁ ଶ୍ରୀବନ୍ତପୁର । ଏଇ ଗାଁର ତାଳବଣ ସେପାଖୁ କଳିଙ୍ଗସାଗର ଭିତରୁ ଫି ଦିନ ସକାଳୁ ସୂରୁଜଟା କଅଁଳା ବାଛୁରି ପରି ଡେଇଁ ପଡ଼େ ! ପୁନେଇଁ ସଂଜରେ ଚହଲି ଚହଲି ଖେଳୁଥିବା ସମୁଦ୍ର ପାଣିରେ ଫେଣ୍ଟି ହେଇ ଜହ୍ନ ଉଏଁ । ଅମାସିଆ ରାତିରେ ଦକ୍ଷିଣ ଆକାଶକୁ ଫର୍ଚ୍ଚା କରି ଦେଖାଯାଏ ନୀଳାଚଳ ପୁରୀ ! ମନେ ପକଉଥିଲା ସୁମନ୍ତ । ବାପା ଆଉ ଦାଦାଙ୍କର ନାଁ ବାଛି ବାଛି ଜେଜେ ଦେଇଥିଲେ ରାମ ଆଉ ଲକ୍ଷ୍ମଣ । ହଳ, ଜୁଆଳି, ହୁଲିଡ଼ଙ୍ଗା ଆଉ ପାନ ବରଜର ମାଠିଆକୁ ନେଇଥିଲା ଏମାନଙ୍କର ଜୀବନର ଚୌହଦୀ । ନାଁ କୁ ନେଇ ମଣିଷର ଚରିତ୍ର ଆଉ ରୂପ ସାଧାରଣ ଭାବେ ନ ହେଲେ ବି ରାମ ଆଉ ଲକ୍ଷ୍ମଣଙ୍କର ନାଁକୁ ନେଇ ଥିଲା ଚରିତ୍ର । ଆଉ ରୂପ । ଜଣଙ୍କ ଗୋଡ଼ରେ କଣ୍ଟା ଫୁଟିଲେ ଆଉ ଜଣକୁ କାଟେ । କାନ୍ଧକୁ କାନ୍ଧ ମିଳେଇ, ଦାଣ୍ଡକୁ ବାହାରି ପଡ଼ିଲେ, ଶିବ ପ୍ରଧାନର ରଜାପୁଅ ଭଳି ଚେହେରାର ଦିଟା ପୁଅଙ୍କୁ ଲୋକେ ଆଖି ଦେଇଦିଅନ୍ତି ।

 

କଥାରେ ଅଛି “ଯେତେ ଭାଇ ସେତେ ଘର ।” ହେଲେ ରାମକୁ ବାହା ହେଇ ନଈ ଆରପଟ ଗାଁରୁ ଯୋଉ ଦିନ ଲକ୍ଷ୍ମୀ ବୋଲି ଝିଅଟିଏ ବୋହୂ ହୋଇ ଆସିଲା, ପ୍ରଧାନ ଘର ସେଦିନ ପୂରିଗଲା ପରି ଲାଗିଲା । ଶିବ ପ୍ରଧାନ ଗାଁର ଦାଣ୍ଡୁଆ ମଣିଷ । ନ୍ୟାୟ, ନିଶାପ ସବୁକୁ ଯାଆନ୍ତି । ଗାଁ କଳି ଗାଁରେ ମାରିଦିଅନ୍ତି । କେହି କେବେ ବୋହୂ ସାଥିରେ ମନ ମିଶୁ ନଥିବାର କଥା କହିଲେ କହନ୍ତି “ବୋହୂ ତ ଆମ ପାଖରେ ପିଲାବେଳେ ବଢ଼ିନି । ଆଦର ଭିତରେ ବାପ ଘରେ ଥିଲା । ବାପ ତା’ର ସବୁ ଅଳି ଅର୍ଦ୍ଦଳି, ଅଝଟ ସହୁଥିଲା । ଆମେ ସେମିତି ଚଳେଇ ନେଲେ ସେ ବି ଝିଅଠାରୁ ଅଧିକା ହୋଇଯିବ ।” ସତକୁ ସତ ସେୟା ହୋଇଯାଏ ! ଘର ଭାଙ୍ଗେନା । ଘର ଆହୁରି ମଜବୁତ ହୋଇଯାଏ ।

 

ଶିବ ପ୍ରଧାନର ସବୁ ସପନ ସତ ହୋଇ ଗଲା ଯୋଉଦିନ ସାନପୁଅ ଲକ୍ଷ୍ମଣକୁ ବିଭାହୋଇ ସରସ୍ଵତୀ ବୋହୂ ହେଇ ପ୍ରଧାନ ଘରକୁ ଆସିଲା । ସାକ୍ଷାତ ସରସ୍ଵତୀ ପରି ଶଙ୍ଖ ମଲମଲ ପଥରରେ ଗଢ଼ା ଚଳନ୍ତି ମୂର୍ତ୍ତିଟିଏ । ଗୁଣରେ ଜହ୍ନଠାରୁ ଶୀତଳ । ପ୍ରଧାନ ଘରେ ସୁଖର ଲହଡ଼ି ହାବୁକା ମାରିଲା ।

 

ହଠାତ୍‍ ଦିନେ ଶ୍ରୀବନ୍ତପୁରରେ ଗୁଞ୍ଜରଣ ଖେଳିଗଲା ଗାଁରେ ବନ୍ଦର ହେବ, କାରଖାନା ହେବ, ବଡ଼ ବଡ଼ କମ୍ପାନିମାନେ ଆସୁଛନ୍ତି । ମାପଚୁପ କରିବାକୁ ଗାଁକୁ ଗାଡ଼ି ପରେ ଗାଡ଼ି ଚାଲିଲା, ଚମକି ପଡ଼ିଲା ଶିବ ପ୍ରଧାନ । କମ୍ପାନୀ ନାଁଟା ତାକୁ ଯେମିତି ଗୋଟାଏ ଅସୁର ପରି ଲାଗିଲା । ବାପାଠାରୁ ଶୁଣିଥିଲା କେତେଶ ବରଷ ତଳେ ସାଗର ତଣ୍ଡାରେ ବିଦେଶୀ କମ୍ପାନୀର ଲୋକେ ଆସି ଓହ୍ଲେଇଥିଲେ । କଟକ ଯାଇ ବାରବାଟୀରେ ନବାବଙ୍କୁ ଭେଟିଦେଇ ବେପାର କରିବାର ସନନ୍ଦ ପାଇଥିଲେ । ଲୋକଙ୍କୁ ବୁଝେଇଥିଲେ ତମେ ଭଲ ଖାଇବ, ଭଲ ପିନ୍ଧିବ, ରୋଗ ବୈରାଗ ହେଲେ ଓଷଦ ପାଇବ । ତମ ବିଲର ଫସଲ ବିଦେଶକୁ ପଠେଇବ । ତା’ ପରେ ଦେଶ ଚାଲିଯାଇଥିଲା, କମ୍ପାନୀ ପାଖକୁ । ମୁଠାଏ ଲୁଣ ପାଇଁ ସାଗରକୂଳ ଗାଁର ଲୋକେ ବି ଅନେଇ ବସିଲେ ଲିଭରପୁଲକୁ । ହୀରାଖଣ୍ଡର କୁଶଳୀ ଆଙ୍ଗୁଳି କଟିଗଲା ମାଞ୍ଚେଷ୍ଟର ମେସିନ୍‌ର ଚକତଳେ । ପୁଣି ବିଦେଶୀ କମ୍ପାନୀମାନେ କଳା ଲୋକଙ୍କ ସାଙ୍ଗରେ ଭାଗୁଆଳି ହେଇ ସ୍ଵର୍ଗ, ମର୍ତ୍ତ୍ୟ ପାତାଳରେ ଥିବା ସମ୍ପତ୍ତିକୁ ଲୁଟିଲେ । ସରଗ ଭଳିଆ ଗାଁ ଘର ଛାଡ଼ି ଲୋକେ ଚାଲିଲେ ଚଟକଳର ବସ୍ତିକି । କମ୍ପାନୀର ଗୋରା ଆଉ କଳା ପିଆଦା ମାନେ ମିଶି ଶୋଷି ଚାଲିଲେ ଦେଶକୁ । ତଳକୁ ଖସି ପଡ଼ିଲା ମା’ର ପଣତ କାନି । ଅନ୍ଧ ସନ୍ତାନ କିନ୍ତୁ ଥିଲା ନିର୍ବିକାର ।

 

ଚମକି ପଡ଼ିଲା ଶିବ ପ୍ରଧାନ । ପୁଣି ଆସୁଛି କମ୍ପାନୀ । ଅସୁରୁଣୀଟା ଯେମିତି ପୂରାଣରେ ମା’ ରୂପରେ ଆସିଥିଲା ଛୁଆଙ୍କୁ କ୍ଷୀର ଦବାକୁ । ତା’ର ମନେ ହେଲା ଯେମିତି ସମୁଦ୍ର ମାଡ଼ିଆସୁଛି । ନିଜ ଘର ଚାଳକୁ ଚାହିଁଲା, ତାକୁ ଲାଗିଲା ଯେମିତି ଚାଳଟା ଦୋହଲି ଯାଉଛି । ଅଥାନ୍ତରୀ ହୋଇଯାଉଛନ୍ତି ତା’ ପିଲା ଛୁଆ ।

 

ସେଦିନ କିନ୍ତୁ ସିଏ ଆକାଶରୁ ଖସି ପଡ଼ିଲା ପରି ଅନୁଭବ କଲା, ଯୋଉଦିନ ଲକ୍ଷ୍ମଣ, ହାତରେ ଟଙ୍କା ଭଳିଆ କାଗଜଟାଏ ଧରି ଖୁସି ହୋଇ ଘରକୁ ଆସି କହିଲା, “ଆମକୁ କଲୋନୀରେ ଘର ମିଳିଯାଇଛି, ଏ ଜାଗା କାରଖାନା ପାଇଁ ଦେଇ ଦେଇ ଆମେ ସେଠିକି ଚାଲିଯିବା ।” ମୋଟା କାଗଜର ଟଙ୍କା ଭଳି ଦିଶୁଥିବା ଜିନିଷଟାକୁ ଦେଖେଇ କହିଲା “ ଆମକୁ ଚେକ୍ ମିଳିଯାଇଛି, ଲକ୍ଷେ ଟଙ୍କାର ଚେକ୍ । “ଶିବ ପ୍ରଧାନ ପାଟିରୁ କଥା ବାହାରିଲା ନାଇଁ । ଆଶ୍ଚର୍ଯ୍ୟରେ ରାମ କହିଲା । “ଲକ୍ଷ୍ମଣ ତୁ କ’ଣ ପାଗଳ ହୋଇଗଲୁ ।”

 

ପଥର ପରି ଠିଆ ହେଇ ଲକ୍ଷ୍ମୀ ଚାହିଁଲା, ଯେତେବେଳେ ସଦା ଶାନ୍ତ ଶୀତଳ ସରସ୍ଵତୀ ଘର ଭିତରୁ ବାହାରି ଆସି ଦେଢ଼ଶୁର ମୁହଁରେ ଜବାବ ଦେଇ କହିଲା, “ଆପଣମାନେ ବି ଯାଇ ଚେକ୍ ନେଇ ଆସନ୍ତୁ, ବାବୁମାନଙ୍କୁ ଧରି ଇଏ ସମସ୍ତଙ୍କୁ ଅଲଗା ଅଲଗା ପରିବାର ବୋଲି ଲେଖେଇ ଦେଇଛନ୍ତି ।” ବଉଳ ଧରିଥିବା ଆମ୍ବଗଛଟାକୁ ଶିବ ପ୍ରଧାନ କେବଳ କୁହୁଡ଼ିର ଧୂଆଁ ଭିତରୁ ଦେଖୁଥିଲା ।

 

ତା’ ପରଦିନଠାରୁ ଲକ୍ଷ୍ମଣ ଆଉ ସରସ୍ଵତୀ ବଦଳିବାରେ ଲାଗିଲେ । ମିଳିଥିବା ଚେକ୍ ପଇସାରେ ମଟର ସାଇକେଲଟିଏ କିଣି ଲକ୍ଷ୍ମଣ ଯୋଉଦିନ ଟିକେ ଡେରି ରାତିରେ ଗାଁକୁ ଫେରିଲା ସେଦିନ ସରସ୍ଵତୀର ଖୁସି କହିଲେ ନସରେ । ଆହୁରି ଖୁସିହେଲା ଯୋଉଦିନ କମ୍ପାନୀ ତରଫରୁ ତାକୁ ମିଳିଲା ମାଗଣାରେ ମୋବାଇଲ ଫୋନ୍ ଆଉ ବଡ଼ ସହରକୁ ବୁଲେଇ ନେଇ ଯିବାର ପ୍ରତିଶ୍ରୁତି । ଅନୁଭବ କଲା ରାତାରାତି ସେମାନେ ବଡ଼ଲୋକ ହୋଇଯାଇଛନ୍ତି । ଶଶୁରଙ୍କ ମୁହଁକୁ ନ ଅନେଇ ଯୋଉଦିନ ସ୍ଵାମୀ ସାଥିରେ ମଟର ସାଇକେଲ ପଛରେ ବସି ସାଇବାଣୀ ଢଙ୍ଗରେ କଟକ ଚାଲିଗଲା । ସେଦିନ ଶିବ ପ୍ରଧାନ ଛାତିରେ କଣ୍ଟା ଫୁଟିଗଲା ପରି ଲାଗିଲେ ବି ଭଗବାନ ଯୀଶୁଙ୍କ ଧାରାରେ ସେ ସେଦିନ କହିଥିଲା, “ଭଗବାନ ଲକ୍ଷ୍ମଣକୁ ଭଲବୁଦ୍ଧି ଦିଅ । ହେଲେ ଭଗବାନ ଶିବ ପ୍ରଧାନର ଡାକ ଶୁଣିଲେ କି ନାହିଁ । ରାମ ନାଁରେ କିନ୍ତୁ ପୁଲିସ ୱାରେଣ୍ଟ ଧରି ପହଞ୍ଚିଲା । କାରଣ ସେ ଲକ୍ଷ୍ମଣ ଆଉ ସରସ୍ଵତୀକୁ ଗାଳି କରିଛି ଆଉ ଆଶାଳୀନ ବ୍ୟବହାର କରିଛି ବୋଲି ।

 

ଗାଳିଦବା କଥାଟା ସତ ହେଲେ ରାମର ଗାଳିଟା ଥିଲା ଲକ୍ଷ୍ମଣର ସମ୍ଭାବ୍ୟ ପରିଣତି ପାଇଁ । ରାମକୁ ବହୁତ ବାଧିଥିଲା ଯୋଉଦିନ ଲକ୍ଷ୍ମଣ ଆଉ ଏକ କାଗଜ ଧରି ଘରକୁ ଆସି ଖୁସି ହେଉଥିଲା । ତା’କୁ ସ୍ଥାନୀୟ ବଜାରରେ ମଦ ଦୋକାନଟିଏ ଖୋଲିବା ପାଇଁ ଲାଇସେନସ ମିଳିଛି । ତାକୁ କିଛି କରିବାକୁ ପଡ଼ିବନି । ବାକିରେ ଜିନିଷ ଆସି ଦୋକାନ ଚାଲିବ । ଲାଭଟା ତା’ର । ଏପଟେ ପୁଣି ଲୋକଙ୍କ ପାଖରେ କଞ୍ଚା ପଇସା ଥାନା, ଫାଣ୍ଡି ଅବକାରୀ, ସମସ୍ତଙ୍କ ସାଙ୍ଗରେ ତା’ର ଭଲ ସମ୍ପର୍କ ବି ହେଲାଣି । ସରପଞ୍ଚ ପାଇଁ ସିଏ ଯୋଗ୍ୟ ପ୍ରାର୍ଥୀ ବୋଲି ସଭିଙ୍କ ମୁହଁରେ ଶୁଣାଗଲାଣି । ରାଗରେ ସେଇଦିନ ରାମ ଲକ୍ଷ୍ମଣକୁ ଗାଳି କରିଥିଲା, ସରସ୍ଵତୀକୁ ବି ! ସରସ୍ଵତୀ ଏକଥା ଯାଇ କହିଥିଲା କମ୍ପାନୀ ପାଇଁ ଜମି ଯୋଗାଡ଼ କରୁଥିବା ବାବୁମାନଙ୍କ ଆଗରେ । ତାଙ୍କ ପାଇଁ ୟେ ଥିଲା ଏକ ସୁବର୍ଣ୍ଣ ସୁଯୋଗ । ପୁଲିସ ପାଖକୁ ପଠେଇ ଦେଲେ ସରସ୍ଵତୀକୁ । କେସ୍ କରିବାକୁ ହେଲେ କିଛି ମିଛ ସତ କରି କହିବାକୁ ପଡ଼େ ବୋଲି ବୁଝେଇ ଦେଲେ । ନିଜ ଲୁଗାପଟା ଚିରିଦେଇ ମୁଣ୍ଡବାଳ ଅଲରା କରି ସରସ୍ଵତୀ ପହଞ୍ଚିଥିଲା ପୁଲିସ ପାଖରେ । ଶିବ ପ୍ରଧାନ ଖାଲି ଚାହିଁ ରହିଥିଲା । ଯୋଉଦିନ ରାମକୁ ଆସି ପୁଲିସ ଧରିନେଇଗଲା ତଣ୍ଟିଆ ମାରି ଭ୍ୟାନ୍‌ରେ ଭର୍ତ୍ତି କଲା ଆଉ ଦଫା ପରେ ଦଫା ଲଗେଇ ରାମକୁ ଠିଆ କଲା କାଠଗଡ଼ାରେ ।

 

ଗାଁରେ ସଭା ବସିଲା, କମ୍ପାନୀ କି ଜାଗା ଦିଆ ହେବକି ନା । ସଭାରେ ଲକ୍ଷ୍ମଣର ବହୁ ସମର୍ଥକ ବାହାରିଲେ । ସେତେବେଳକୁ ଗାଁ ଦିଇଫାଳ ହୋଇଯାଇଥିଲା । ଗାଁ ଠାକୁରାଣୀଙ୍କ ପାଖ ଜନ୍ତାଳରେ ଦି ଦିଇଟା ହଣ୍ଡା ବି ବସି ସାରିଥିଲା, କଥା କଥାକେ ସ୍ତ୍ରୀ ପିଲାମାନେ ପରସ୍ପରକୁ ଇଙ୍ଗିତ କରି କହୁଥିଲେ । ସ୍କୁଲ ଘରେ ତାଲା ପଡ଼ିଲା ପୁଲିସ ରହିବେ ବୋଲି ! ଶ୍ରୀବନ୍ତପୁର ଗାଁର ଶିରି ତୁଟିଗଲା ।

 

ଶିବ ପ୍ରଧାନର କଥାଟା ବେଗମତୀ ନଈକି ଛୋଟ ପଥର କେଇଖଣ୍ଡ ଫିଙ୍ଗି ଅଟକେଇବାର ପ୍ରୟାସ ଥିଲା ମାତ୍ର । ସେଦିନ ବଡ଼ପୁଅ ଆଉ ପିଲାମାନଙ୍କ ସହ ଶ୍ରୀବନ୍ତପୁର ଛାଡ଼ିଲା ଯୋଉଦିନ ଲକ୍ଷ୍ମଣର ଘରେ ବାବୁମାନେ ବସି ଭୋଜିଭାତ କଲେ । ଶିବ ପ୍ରଧାନ କାନରେ ବାଜୁଥାଏ ଲକ୍ଷ୍ମଣର ସରସ୍ଵତୀକୁ କହୁଥିବା କଥା । ବଡ଼ ବଡ଼ ବାବୁମାନେ ବୋତଲରେ ଥିବା ବିଦେଶୀ ମଦ ପିଅନ୍ତି । ୟାକୁ ରାଜା ମହାରାଜାମାନେ ପିଅନ୍ତି । ହେଲେ ଦେଶୀ ପଟ୍ଟାଦାର ମଦ ପିଉଥିବା ଖଟି ଖଟି କଳା ପଡ଼ି ଯାଇଥିବା ମଣିଷ ହେଉ ଅବା ଦାମିକା ବୋତଲ ମଦ ପିଉଥିବା ବାବୁମାନେ ହୁଅନ୍ତୁ ସବୁ ମଣିଷଙ୍କର ଗୋଟିଏ ପସନ୍ଦ, ଲୁଣି ବୁଟ ଭଜା ଆଉ ଚୁଙ୍ଗୁଡ଼ି ଶୁଖୁଆ । ସେ ମନଉଥିଲା ସରସ୍ଵତୀକୁ ବାବୁମାନଙ୍କୁ ଲୁଣି ବୁଟଭଜା ଆଉ ଚୁଙ୍ଗୁଡ଼ି ଶୁଖୁଆ ପରଷିବା ପାଇଁ । ପୂର୍ବ ପୁରୁଷଙ୍କୁ ମନେ ପକେଇ ଶିବ ପ୍ରଧାନ ସେଦିନ ଢେର କାନ୍ଦିଲା ।

 

ଶ୍ରୀବନ୍ତପୁର ଗାଁକୁ ଭୋରୁ ଭୋରୁ ଛାଡ଼ି ଶେଷଥର ପାଇଁ ଦେଇପିଣ୍ଡିରେ ମୁଣ୍ଡିଆ ମାରି ଶିବ ପ୍ରଧାନର ପରିବାର କେଉଁ ଏକ ଠିକଣା ବିହୀନ ବାଟରେ ଚାଲିଥିଲେ । ସେଇଦିନୁ ସୁମନ୍ତର ପାଠରେ ଡୋରି ବନ୍ଧା ହେଲା । କେବଳ ହଜି ଗଲାନି ଶିବ ପ୍ରଧାନର ଠିକଣା, ଠିକଣା ହଜିଗଲା ସାରା ଶ୍ରୀବନ୍ତପୁର ଗାଁର । ବୁଲଡୋଜର୍ ଆସି ସାରା ଗାଁକୁ ସମାନ କରିଦେଲା ! ହଜିଗଲା ଗାଁ କୋଠ ମେଲା ଭାଗବତ ଘର, ଗ୍ରାମ ଦେବତୀଙ୍କ ପୀଠ । ପୁଣି ହଜିଗଲା ମଣିଷ ଭିତରେ ଥିବା ମଣିଷଟି ।

 

କିନ୍ତୁ ଶିବ ପ୍ରଧାନ ସାଥୀରେ ତା’ ପରିବାରର ଯେଉଁମାନେ ଘର ଛାଡ଼ିଥିଲେ, ତାଙ୍କ ଭିତରୁ ପ୍ରାୟ ମଣିଷଟି ମରି ନଥିଲା । ସୁମିର ମୁହଁକୁ ଚାହିଁଲା ସୁମନ୍ତ । ଆଖି ଆଗରେ ଠିଆ ହୋଇଥିଲା । ମସିଆ ପ୍ରଭାହୀନ ଝିଅଟି ଜାଗାରେ ଉଙ୍କି ମାରିଲା ଅତୀତ । ତାକୁ ଲାଗିଲା ଯେମିତି ସେ ଶ୍ରୀବନ୍ତପୁର ଗାଁର ହନୁମାନ ମନ୍ଦିର ବେଢ଼ା ପାଖରେ ଗୁଡ଼ିଆଣୀ ମାଉସୀର ବୁଟ ନଡ଼ିଆ ଲଡ଼ୁଭରା ପସରାକୁ ଚାହିଁ ଠିଆ ହୋଇଛି, ଆଉ ତା ପାଖରେ ସର୍ଫ ରଙ୍ଗର ସ୍କୁଲ ୟୁନିଫର୍ମ ପିନ୍ଧି ଛୋଟିଆ ଝିଅଟିଏ । ଯାହା ପାଇଁ ଦିନେ ସୁମନ୍ତର ସ୍ଵପ୍ନଥିଲା ସିଏ ପାଠ ପଢ଼ିବ । ବେକରେ ହାର ପରି ଷ୍ଟେଥୋ ପକେଇ, ଧଳା ଆପ୍ରୋନ ପିନ୍ଧି ଡାକ୍ତରାଣୀ ହବ । କି ସିଏ ହବ ଜବାହରଲାଲ ଆଉ ସୁମି ହବ ବିଜୟଲକ୍ଷ୍ମୀ । “ତମେ ସବୁ ଏଠି କେମିତି ? ଅଛ କୋଉଠି ? ଆପେ ଓଦା ହୋଇଯାଇଥିବା ସ୍ଵରରେ ପଚାରିଲା ସୁମନ୍ତ ।

 

“କାଲି ରାତିରେ ଥିଲୁ ପ୍ଲାଟଫର୍ମରେ” ସୁମିର ମୁହଁକୁ ଆଶ୍ଚର୍ଯ୍ୟରେ ଚାହିଁଲା ସୁମନ୍ତ ।

 

“ଦିନକୁ ଦିନ ବାପାର ମଦ ପିଇବା ବଢ଼ିଲା, ଖାଲି ବାପା ନୁହେଁ ଗାଁର ଆଉରି କେତେଲୋକ ସେଇ ନିଶା ପଛରେ ମାତିଲେ । ଶେଷରେ ନିଶା ଖାଇ ଖାଇ ବାପା କଙ୍କାଳ ହେଇଯାଇଛି । କଲୋନି ପଦା ହେଇ ଆସିଲାଣି । କାମଧନ୍ଧା ପାଇଁ କେତେ କୁଆଡ଼େ ଗଲେଣି । ଆଉ ଯିଏ ନେଇ ଆଣି ଥୋଇ ପାରିଲେ ୟୁନିଅନ୍ ଗଢ଼ି ବଡ଼ ଲୋକ ହେଇଗଲେଣି ବଡ଼ ବଡ଼ ଗାଡ଼ିମାନ ଚଢ଼ୁଛନ୍ତି ।

 

ସୁମିଠାରୁ ଶ୍ରୀବନ୍ତପୁର ଗାଁର କରୁଣ ପରିଣତି କଥା ଆଉ ଶୁଣିବାକୁ ଇଛା ହଉ ନଥିଲା ସୁମନ୍ତର ! କୁଆଡ଼େ କିଏ ହଜି ଯାଇଛନ୍ତି । ରାମ ନନା, ଗୋପନି ସାହୁ, କଳିଆ ବୋଉ, ଜଗମୋହନ ମାଷ୍ଟ୍ରେ, ରଙ୍ଗ ନାନୀ ପୁଣି ରାଧାମୋହନ ଠାକୁର ଆଉ ଆଖଡ଼ା ପୋଖରୀ । ସାଙ୍ଗ ସୁଖରେ କଥା ହଉହଉ ତାଙ୍କ ଅଞ୍ଚଳରେ କୋଉ ଝିଅର ଅଧା ନଙ୍ଗଳା ଫଟୋକୁ ନେଇ ସହରରେ ବେପାର ଚାଲିଛି ବୋଲି କେହି କହେ, ସେ ସେମାନଙ୍କ ଉପରେ ରାଗେନି ବରଂ ଭାବେ ଆମରି ହାତରୁ ଭୋଟ ନେଇ ଆମ ପାଇଁ ରଜା ହୋଇଥିବା ଲୋକଙ୍କ କଥା । ପୁଣି ତାଙ୍କ କଥାରେ ଭୁଲି ମା’କୁ ବେପାରୀ ହାତରେ ଟେକି ଦେଇଥିବା, ତା’ ଦାଦା ପରି ଲୋକଙ୍କ କଥା । ଗାଁକୁ ଭାଙ୍ଗି ଲୋକଙ୍କୁ କଲୋନିକୁ ନବାକୁ କେତେ ଫୁସୁଲଉ ନଥିଲେ ସେ ।

 

ଶିବ ପ୍ରଧାନର ପରିବାର ଅବାକ ହୋଇଗଲେ, ଯେଉଁଦିନ କଥା ଛଳରେ ନେତା ଆସି ଧମକ ଦେଲେ ଆଉ ସମସ୍ତେ ତାଙ୍କ କଥାରେ ହଁ ମାରିଲେ । ଏବେ ଦିଅଁକୁ ମୁଣ୍ଡିଆ ମାରୁନଥିବା ସରସ୍ଵତୀ ନେତାଙ୍କ ହାତକୁ ସରବତ ଗିଲାସେ ବଢ଼େଇ ଦେଇ ତାଙ୍କୁ ଯେତେବେଳେ ମୁଣ୍ଡିଆ ମାରିଲା ସେଦିନ ଶିବ ପ୍ରଧାନର ଗାଁ ଛାଡ଼ିବା ବ୍ୟତୀତ ଅନ୍ୟ ରାସ୍ତା ନଥିଲା ।

 

“ଦାଦା, ଖୁଡ଼ୀ ?" ପଚାରିଲା ସୁମନ୍ତ ।

 

ଅଦୂରରେ ସୁମନ୍ତ ଯାହାକୁ ଦେଖିଲା ସେ ଥିଲା ଝଡ଼ ବରଷାରେ ଉଜୁଡ଼ି ଯାଇଥିବା ଗଛପରି ଦେଖାଯାଉଥିବା ସରସ୍ଵତୀ ପାଲଟିଯାଇଛି ପୋଡ଼ା ଗୋଜଣା ଖଣ୍ଡେ ! ଶିବ ପ୍ରଧାନର ଚଉହାତିଆ ଭେଣ୍ଡା ପୁଅଟା ବି ପାଲଟିଯାଇଚି ଛାତି ହାଡ଼ ଗଣି ହେଇ ଯାଉଥିବା କଙ୍କାଳଟାଏ । ଝଡ଼ା ପତରଟାଏ ପରି ଆଗରେ ଠିଆ ହେଇଚି ସୁମି ।

 

ବୁଲଡୋଜରଟା ସତେ ଯେମିତି ଖାଲି ମାଡ଼ିଯାଇନି ଶ୍ରୀବନ୍ତପୁର ଗାଁର ସୁନ୍ଦର ଗଛଲତା ଆଉ ଆଦରରେ ଗଢ଼ି ଉଠିଥିବା ଘରଗୁଡ଼ାକ ଉପରେ ବରଂ ମାଡ଼ିଯାଇଛି ମଣିଷଗୁଡ଼ାଙ୍କ ଉପରେ । ସୁମନ୍ତ ପହଁରିଯାଉଥିଲା । ଭୁଲି ପାରୁ ନଥିବା ଅତୀତକୁ । ବାପା ଥରେ ହରିପୁର ହାଟରୁ ଫେରି ମଝି ଦୂଆରେ ପଡ଼ିଥିବା ପାଚେରୀ ଉପରକୁ ଉହୁଁକି ଡାକିଥିଲେ ଦାଦାଙ୍କୁ । ତାପରେ ଅଶ୍ରାବ୍ୟ ଭାଷାରେ ଦାଦାଙ୍କର ଗାଳି ବର୍ଷିଯାଇଥିଲା ବାପାଙ୍କ ଉପରେ । "ମୋ ସ୍ତ୍ରୀ ଝିଅ ଭଲରେ ରହିଲେ ବୋଲି ତମ ଦିହରେ ଯାଉନି, ସହି ପାରୁନ, ବଦନାମ କରୁଚ... ।” କେତେ କ’ଣ କହି ଯାଇଥିଲେ ଏମିତି । ବାପା ଚୁପ ଚୁପ କହୁଥିଲେ “ହାଟ ବଜାରରେ ସୁମି ଆଉ ତା’ ବୋଉକୁ କିଛି ବାବୁମାନଙ୍କ ସାଙ୍ଗରେ ଗାଡ଼ିରେ ଯାଉଥିବାର ଦେଖିଲି ମତେ ଭଲ ଲାଗିଲା ନାହିଁ କହିଦେଲି, ଦାଦାଙ୍କ କଥାରୁ ଜଣା ପଡ଼ିଲା ରାଜ୍ୟ ସ୍ତରରେ ଏକ ନୃତ୍ୟ ପ୍ରତିଯୋଗିତାରେ ଭାଗ ନେବାକୁ କମ୍ପାନୀ ଗାଡ଼ି ଆଉ ଅନ୍ୟାନ୍ୟ ଖର୍ଚ୍ଚ ଦେଇ ପଠେଇଚି । ସେଠି ମନ୍ତ୍ରୀ ପୁରସ୍କାର ବାଣ୍ଟିବେ । ବୋଉ ବାପାଙ୍କୁ ପଛକୁ ଟାଣି ନେଇ ଦୁଃଖରେ କହିଲା “ତମେ ଗଲନାଇଁ ସାଙ୍ଗରେ ଛୁଆଟା ନାଁରେ କାଇଁ କହୁଚ ।

 

ସୁମନ୍ତ ମନେ ପକଉଥିଲା । ତା’ ସବୁ ସାଙ୍ଗମାନଙ୍କ ଆଖିରେ କଞ୍ଚା ପଇସା । ସପନ ଦେଖେଇଲା । ଗାଁରେ ଘରେ ଘରେ ମଟର ସାଇକେଲ କିଣା ହେଲା । ଗାଁ ମୁଣ୍ଡରେ ଚିକେନ ବିରିୟାନିର ଦୋକାନ ଖୋଲିଲା । କ୍ଷତିପୂରଣ ପଇସାରେ ପର ଲାଗି ଉଡ଼ିଲା ପରି ବ୍ୟାଙ୍କରୁ ବାହାରି ବଦଖର୍ଚ୍ଚରେ ଉଡ଼ିବାକୁ ଲାଗିଲା । ଲକ୍ଷ୍ମଣ ଦାଦା ବି ତାଙ୍କ ମଦ ଦୋକାନର ଲାଇସେନସ ଭୁବନେଶ୍ୱର ମଦ ଡିଲରଙ୍କୁ ମୋଟା ପଇସାରେ ବିକିଦେଲା । ବେପାର ଜୋର ଚାଲିଲା । ଗାଁ ଗାଁରେ ବି ଛୋଟ ଛୋଟ ମଦ ଦୋକାନ ମାନ ଖୋଲିଗଲା । ସ୍କୁଲ, ଦେବାଳୟର ବି ବାଛ ବିଚାର ରହିଲାନି । ହଜିଗଲା ମା', ଭଉଣୀର ସମ୍ପର୍କ । ବିଶ୍ଵାସ, ବୁଝାମଣା, ପ୍ରେମ ଆନନ୍ଦ ଭିତରେ ଗଢ଼ି ଉଠିଥିବା ସ୍ଵାମୀ ସ୍ତ୍ରୀର ପବିତ୍ର ବନ୍ଧନ ଦୋହଲି ଗଲା । ଝଡ଼ା ପତର ପରି ଉଠିଗଲେ ସୁମି ଆଉ ସରସ୍ଵତୀମାନେ ।

 

ଧୀରେ ଧୀରେ ନେତା ଲୋକଙ୍କୁ ଛାଡ଼ି ତାଙ୍କ ପଛରେ ବାହିନୀମାନ ଗଢ଼ିଲେ । ରାଜପଥ ଅସୁରକ୍ଷିତ ହେଲା । ସପନ ଦେଖୁଥିବା ରାଜକୁମାରମାନେ ନିଜ ବଢ଼ିଯାଉଥିବା ଗାଡ଼ି ଖର୍ଚ୍ଚ, ପିନ୍ଧା ଖର୍ଚ୍ଚ, ମଉଜ ମଜଲିସ୍ ଖର୍ଚ୍ଚ ତୁଲେଇବା ପାଇଁ ହାତରେ ଗୁଳିବନ୍ଧୁକ ଧରିଲେ । କାହା ବେକରୁ ହାର ଛିଡ଼େଇଲେ ତ କାହାକୁ ଲୁଟିଲେ । ନେତାମାନେ ବି ତାଙ୍କୁ ଗଣତନ୍ତ୍ରର ଭିନ୍ନ ଭିନ୍ନ ପଦବୀରେ ବସେଇଲେ । ଶ୍ରମିକ ସଂଗଠନ ମାନ ଗଢ଼ାହୋଇ ନେତୃତ୍ଵ ବଣ୍ଟା ହେଲା ।

 

“ବାପା ? ଭାଇ ?” ପାଖକୁ ଆସିବାର ଅନେକ ସମୟ ପରେ ପଚାରିଲେ ଦାଦା ।

 

“ଶ୍ରୀବନ୍ତପୁର ଗାଁକୁ ମୁଁ ପୋଡ଼ି ଦେଇଛିରେ । କେଇ ଜଣଙ୍କୁ ଛାଡ଼ି ଆଜି ସମସ୍ତେ ଛତରରେ । ମୋ ମା’କୁ ମୁଁ ବିକି ଦେଇଛିରେ... । ଯଦି ମୋ ଭଳି କେଇଜଣ କମ୍ପାନୀ ଆଉ ବାବୁମାନଙ୍କ କଥାରେ ପଡ଼ି ନଥାନ୍ତେ ତେବେ ଶ୍ରୀବନ୍ତପୁରର ଶିରି ତୁଟି ଯାଇନଥାନ୍ତା । ଆମ ଇଜ୍ଜତ ଦାଣ୍ଡରେ ଗଡ଼ୁ ନଥାନ୍ତା ।

 

ଶ୍ରୀବନ୍ତପୁର ଗାଁର ଭାଙ୍ଗିଯାଇଥିବା ପ୍ରଧାନ ପରିବାର ଯୋଉଦିନ ସହର ତଳି ବସ୍ତିରେ ପୁଣି ଏକାଠି ହେଲା ଲକ୍ଷ୍ମୀ ଆଉ ସରସ୍ଵତୀ ପରସ୍ପରକୁ ଆଲିଙ୍ଗନ କରି ଢେର କାନ୍ଦିଥିଲେ । ହେଲେ ସେମାନଙ୍କର ଲୁହ ବାଷ୍ପ ହୋଇ ଶ୍ରୀବନ୍ତପୁର ଗାଁର କମ୍ପାନୀ କାରଖାନାର ଚିମିନିରୁ ବାହାରି ଯାଇଥିଲା ।

 

ଚିରକ୍ଷମାଶୀଳା ଲକ୍ଷ୍ମୀ ଭୁଲି ଯାଇଥିଲା ସବୁ । ଦେଢ଼ଶୁର ପାଦ ତଳେ ମୁଣ୍ଡିଆ ମାରି ସରସ୍ଵତୀ କହୁଥିଲା ମୋ ଭୁଲର ସାତଜନମ ଯାଏ କ୍ଷମା ନାହିଁ ! ସିଲଟର ଲେଖାପରି ସବୁ ପୋଛି ଦେଇ ହସିଥିଲା ଶିବ ପ୍ରଧାନ । କିଛି ନ ଘଟିଥିଲା ପରି ପଧାନଘର ବୁଢ଼ୀ “କଣ ହେଲୁଣିରେ ପୁଅ” ବୋଲି କହି ମନବୋଧ କରି ଖୁଆଇଲା ସାନପୁଅକୁ ।

 

ଜଗନ୍ନାଥ ମନ୍ଦିରର ଅରୁଣ ସ୍ତମ୍ଭ ପାଖରୁ ପତିତପାବନଙ୍କୁ ଚାହିଁ ସରସ୍ଵତୀ କହୁଥିଲା, ଆଗକୁ ଆଉ ମଣିଷ କେବେ ଏମିତି ନଘଟଉ । କାହାମୁଣ୍ଡରେ ଏ ଘର ଭଙ୍ଗା ବୁଦ୍ଧି ନ ଦିଅ ପ୍ରଭୁ । ବିକଳରେ ତଳେ ଠୋଠୋ କରି ମୁଣ୍ଡ ପିଟୁଥିଲା ସେ । ବସ୍ତି ଦୁଆରେ ପୂରା କଳସୀଟିଏ ଥୋଇ ସୁମି ଆଉ ସୁମନ୍ତ ବସୁଧାକୁ ବନ୍ଦନା କରି ଗାଉଥିଲେ ମହାନ ବେଦମନ୍ତ୍ର “ଇୟଂ ବସୁଧା ମାନବାନଂ” ।

Image

 

ମେଲଘରାର ମା’

 

ସେଦିନ ନାକରୁଣ୍ଡି ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଆସିଥିବା ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡ. ସାମନ୍ତ, ଖାଇବା ଟେବୁଲ ପାଖରେ ଦୁଃଖରେ ଭାଙ୍ଗି ପଡ଼ିଲେ । ମାସ ଶେଷରେ ତାଙ୍କର ଚାକିରିରୁ ଅବସର । କାହିଁକି ସେ ଏଭଳି ଗୋଟାଏ ପ୍ରଶ୍ନ ପଚାରିଲେ, ଯେଉଁଥିରେ ଅବାରିତ ଗତିରେ କାନ୍ଦି ଉଠିଲେ ସହକର୍ମୀ ମହିଳା ଡାକ୍ତର ସୁପର୍ଣ୍ଣା ସମାପିକା । ସବୁ ଫେରିଆସେ ହେଲେ ପାଟିରୁ ଖସି ଯାଇଥିବା ଶବ୍ଦ କେବେ ଫେରିଆସେନା । ଖାଇବା ଥାଳିରେ ହାତ ଅଟକି ରହିଗଲା ।

 

କାନ୍ଦ ଆଉ କୋହ ଭିତରେ ବି ଡାକ୍ତର ସୁପର୍ଣ୍ଣା ଅନୁରୋଧ କଲେ, “ସାର ଖାଆନ୍ତୁ” ବୋଲି । ପରଷୁଥିବା ଲୋକଟି କିଛି ଖାଦ୍ୟ ଆଣି ପଛରେ ଦେବେ ବୋଲି ଆସି ସଙ୍କୋଚରେ ଫେରିଯାଉ ଥିବାବେଳେ ସାମାନ୍ୟ ପ୍ରକୃତିସ୍ଥ ହୋଇ ତାଙ୍କୁ ଡାକି ପଛରେ ଜୋର୍ କରି କିଛି ବାଢ଼ିଦେଲେ ଡାକ୍ତର ସୁପର୍ଣ୍ଣା ।

 

ଡ. ସାମନ୍ତଙ୍କର ପ୍ରଶ୍ନଟା ସେପରି କିଛି ବ୍ୟକ୍ତିଗତ କିମ୍ବା ଅଶାଳୀନ ନଥିଲେବି କାହିଁକି ଆଘାତ ପାଇଲେ ସୁପର୍ଣ୍ଣା । କାରଣ ଖୋଜି ପାଉନଥିଲେ ସେ । ତଥାପି ଚିନ୍ତା କରୁଥିଲେ କ’ଣ ଦରକାର ଥିଲା ଏପରି ପ୍ରଶ୍ନର ? କାଗଜରୁ ଯେତିକି ଜଣାଯାଏ ଭାରତବର୍ଷର ନାମୀଦାମୀ ଶିକ୍ଷାନୁଷ୍ଠାନ ଭାରତୀୟ ଭେଷଜ ବିଜ୍ଞାନ ପ୍ରତିଷ୍ଠାନ ବା ଜନମୁଖରେ ଏମ୍‍ସରୁ ସ୍ଵର୍ଣ୍ଣପଦକ ପାଇଥିବା ଛାତ୍ରୀ ସେ । ଛାତ୍ରୀ ଅବସ୍ଥାରୁ ବି ସେ ବହୁ ଗବେଷଣାତ୍ମକ ନିବନ୍ଧ ଲେଖି ଆସୁଛନ୍ତି । ତା ଭିତରୁ ଅନେକ ବି ପ୍ରତିଷ୍ଠିତ ଜର୍ଣ୍ଣାଲରେ ପ୍ରକାଶିତ ।

 

ବାପା ତାଙ୍କର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ! ଅମାପ ଟଙ୍କାର ମାଲିକ । ପ୍ରାଚୁର୍ଯ୍ୟ ଭିତରେ ବଢ଼ି ଆସିଛନ୍ତି ସୁପର୍ଣ୍ଣା ନିଶ୍ଚୟ । ରୂପରେ ଅପରୂପା । ସାକ୍ଷାତ ଶ୍ରୀମୟୀ । ଅବଶ୍ୟ ସେ ଏପରି ଏକ ବ୍ୟକ୍ତିଗତ ପ୍ରଶ୍ନ ପଚାରିନଥାନ୍ତେ ଯଦି ଦିଲ୍ଲୀ ଏମ୍‌ସରେ ଥିବା ତାଙ୍କର ଡାକ୍ତର ବନ୍ଧୁ ସୁପର୍ଣ୍ଣାକୁ ଫେରିଯିବାକୁ ପ୍ରବର୍ତ୍ତାଇବାକୁ ତାଙ୍କୁ ଟେଲିଫୋନରେ ବାରବାର ଅନୁରୋଧ କରୁନଥାନ୍ତେ । ତାଙ୍କ ଅନୁରୋଧର କାରଣ ହେଲା ସୁପର୍ଣ୍ଣାର ଉପର କ୍ଲାସରେ ପଢ଼ୁଥିଲା ତାଙ୍କର ପୁଅ । ସେ ବି ମେଡିକାଲ ସାଇନ୍ସରେ ପାଇଛି ସ୍ଵର୍ଣ୍ଣପଦକ । ଆମେରିକାରେ ପାଠପଢ଼ିବା ସହ ବଡ଼ ଚାକିରିର ନିଯୁକ୍ତି ପତ୍ର ମିଳିସାରିଛି ତାକୁ, ଆବେଗରେ କହୁଥିଲେ ଏମ୍‌ସରେ ଥିବା ଡାକ୍ତର ବନ୍ଧୁ । ପୁଅ ତାଙ୍କର ଦେଖିବାକୁ ସୁନ୍ଦର । ତା’ର ଗୁଣ ବିଷୟରେ ବି ସମସ୍ତେ ଜାଣନ୍ତି । ଏପରିକି ସୁପର୍ଣ୍ଣା ମଧ୍ୟ । ଅବଶ୍ୟ ପ୍ରେମ ସମ୍ପର୍କ ନାହିଁ । ତା’ର ବିବାହ ପାଇଁ କନ୍ୟାର ଅଭାବ ନାହିଁ, ହେଲେ ଅଭାବ ଅଛି ସୁପର୍ଣ୍ଣା ପରି ସର୍ବଗୁଣସମ୍ପନ୍ନା ଝିଅଟିର ।

 

ସିଡ଼ିଏମ୍‌ଓ ଡ. ସାମନ୍ତ ବି ଆଶ୍ଚର୍ଯ୍ୟ ହେଉଥିଲେ, କ’ଣ ପାଇଁ ଏପରି ଝିଅ ଓଡ଼ିଶା ପୁଣି ଓଡ଼ିଶା ଭିତରେ କଳାହାଣ୍ଡି, ପୁଣି କଳାହାଣ୍ଡି ଭିତରେ ଏଇ ଅପନ୍ତରା ନାକରୁଣ୍ଡି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯେତେବେଳେ ପୋଷ୍ଟିଙ୍ଗ ପାଇଲା ଆଦରରେ ଗ୍ରହଣ କରିନେଲା । ସତେ ଯେମିତି ଏଇ ପୋଷ୍ଟିଂକି ସିଏ ଅନେଇ ବସିଥିଲା । ଏ ପର୍ଯ୍ୟନ୍ତ ପାଣି ଗଳୁଥିବା କ୍ଵାର୍ଟର୍ସ, ଧୂସର ବଗିଚା ଆଉ ଅସନ୍ତୁଷ୍ଟ କର୍ମଚାରୀ କେତେଜଣଙ୍କୁ ନେଇ ଚାଲୁଥିବା ସ୍ଵାସ୍ଥ୍ୟକେନ୍ଦ୍ରକୁ ସାଧାରଣ ଭାବେ ଡାକ୍ତରମାନେ ଆସନ୍ତି ନାହିଁ ! ଆସିଲେ ବି ରହନ୍ତି ନାହିଁ ।

 

କ୍ଵାର୍ଟର୍ସ ଝରକା ଦେଇ ଦେଖାଯାଉଥିବା ସୂର୍ଯ୍ୟମୁଖୀ ଫୁଲକୁ ଚାହିଁଥିଲେ ଡାକ୍ତର ସାମନ୍ତ-। ସୂର୍ଯ୍ୟଙ୍କ ଆଡ଼କୁ ଚାହିଁ ପବନରେ ଦୋଳି ଖେଳୁଛି ଫୁଲ । ଡାକ୍ତରଖାନା ବଗିଚାରେ ଅନେକ ପଟାଳି । ଗଜୁରିଆସୁଛି ଅନେକ ଗଛ । ମଝିରେ ମହୁବାକ୍ସ । ମହୁମାଛିଙ୍କର ଧାଡ଼ି ଲମ୍ବିଛି ଏ ଫୁଲରୁ ସେ ଫୁଲକୁ ।

 

ନିଜକୁ ଅପରାଧୀ ଭଳି ମନେ କରୁଥିବା ଡାକ୍ତର ସାମନ୍ତ ସୁପର୍ଣ୍ଣାକୁ “ଆପଣ ଆଗ ଖାଆନ୍ତୁ" ବୋଲି ପ୍ରତି ଅନୁରୋଧ କଲାବେଳେ ଯେତେବେଳେ ଡାକ୍ତର ସୁପର୍ଣ୍ଣା “ଆପଣ କ’ଣ ଘରେ ଝିଅକୁ ଆପଣ ବୋଲି କହନ୍ତି" ବୋଲି କହିଲେ ପରିସ୍ଥିତି ସୁଧୁରି ଆସିଛି ବୋଲି ଭାବି ସିଡ଼ିଏମ୍‍ଓ ଜଣଙ୍କ ଟିକିଏ ଖୁସି ଅନୁଭବ କଲେ ।

 

ହେଲେ ମଣିଷର ମନ ବଡ଼ ବିଚିତ୍ର । ସନ୍ଦେହୀ ଆଉ ଅବିଶ୍ଵାସୀ ମଧ୍ୟ । ଆପେ ଆପେ କେତେ ଥର ପ୍ରଶ୍ନ ତାଙ୍କର ମନକୁ ଆସିଛି ସୁପର୍ଣ୍ଣା କ’ଣ ପ୍ରେମରେ ଠକିଯାଇ ଏଠିକି ଚାଲିଆସିଛି-? ଜାଣିବାକୁ ଇଛା ହୋଇଛି ତା’ର ରହସ୍ୟମୟ ଇତିହାସକୁ । ସତରେ ପାଠୁଆ ମଣିଷମାନଙ୍କ ମନରେ ବେଶି ପାପ ଚିନ୍ତା । ଡାକ୍ତରଖାନାର ଡ୍ରାଇଭର କହୁଥିଲା ନାକରୁଣ୍ଡି ବଜାରର ଚା ଦୋକାନ ଠାରୁ ଆରମ୍ଭ କରି ସ୍କୁଲ ଯାଏ ସବୁଠି ସୁପର୍ଣ୍ଣାର ଚର୍ଚ୍ଚା ! କେହି କେହି କୁହନ୍ତି ଅଭିମାନିନୀ ବିଷ୍ଣୁପ୍ରିୟା ଶ୍ରୀୟାର ଦୁଆରକୁ ଓହ୍ଲେଇ ଆସିଛନ୍ତି । ସବୁଠି ତାଙ୍କରି ହାତର, ମନର ବାସ୍ନା । ବେଳେବେଳେ ପାଖ ସ୍କୁଲକୁ ଯାଇ ସ୍ଵାସ୍ଥ୍ୟରକ୍ଷା ବିଷୟ ପଢ଼ାନ୍ତି । ଝିଅମାନଙ୍କୁ କଳ୍ପନା ଚାୱଲାର କଥା କହି ଆକାଶକୁ ଉଡ଼େଇ ଦିଅନ୍ତି । ହେଲେ ଏଇ କସ୍ତୁରୀ ମୃଗଟି କସ୍ତୁରୀର ବାସ୍ନା ଜାଣି ନପାରିଲେ ବି ବାସ୍ନା ଚହଟିଯାଏ ମଣିଷରୁ ମଣିଷ ପାଖକୁ । ନାକରୁଣ୍ଡିରେ ଅଳ୍ପ କେତେଦିନ ରହିଲା ଭିତରେ ସେ ଚିହ୍ନଟ କରି ସାରିଲେଣି ଅନେକ ଔଷଧୀୟ ବୃକ୍ଷଲତାକୁ, ପରୀକ୍ଷା କରିଛନ୍ତି ତା’ର ଔଷଧୀୟ ଗୁଣକୁ-। ଅନୁଭବ କରିଛନ୍ତି ମହାନ ଆୟୁର୍ବେଦ ପରମ୍ପରାକୁ ।

 

ଡାକ୍ତର ସାମନ୍ତ ପଚାରିଥିବା ପ୍ରଶ୍ନଟି ଥିଲା ! ଅତି ସାଧାରଣ । “କ’ଣ ପାଇଁ ଏ ଜଙ୍ଗଲ ଅଞ୍ଚଳରେ ଏପରି ଏକ ସାଧାରଣ ଚାକିରିକୁ ଆସିଲେ ଆପଣ ? ଅନ୍ୟ କିଛି ସମସ୍ୟା ଥିଲା କି ? ଏପରି ପ୍ରଶ୍ନ କାହାରି ଆଖିରେ ଲୁହ ଆଣିବା କଥା ନୁହେଁ । ଯାହାହେଉ ସୁପର୍ଣ୍ଣା ସ୍ଵାଭାବିକ ହୋଇ ଆସିଥିବାରୁ ଟିକିଏ ସହଜ ହୋଇ ଉଠିଲେ ଡାକ୍ତର ସାମନ୍ତ । କାରଣ ସେ ଭାବିଲେ ସୁପର୍ଣ୍ଣାର ସାମାନ୍ୟ ଅଭିଯୋଗ ତାଙ୍କ ପାଇଁ ବିରାଟ ବିପଦ ଆଣିପାରେ । ଖୁସି ଲାଗିଲା, ଡାକ୍ତର ସୁପର୍ଣ୍ଣା ତାଙ୍କୁ ପିତାର ସମ୍ମାନ ଦେଇଛନ୍ତି । ଚାକିରି କ୍ଷେତ୍ରରେ ଏପରି ବ୍ୟକ୍ତିଗତ ଜିଜ୍ଞାସା ଅନୁଚିତ । ସବୁକଥା ମନରୁ ପାଶୋରିଦେଇ ସେତେବେଳେ ଭବାନୀପାଟଣା ବାହାରିବା ପାଇଁ ସିଡ଼ିଏମ୍ଓ ଉଠିଲେ ଅଟକେଇ ଦେଲେ ଡାକ୍ତର ସୁପର୍ଣ୍ଣା ! “ପଚାରିଥିବା ପ୍ରଶ୍ନର ଉତ୍ତର ନ ପାଇ ଆପଣ ଚାଲିଯିବେ କେମିତି ? ଏ ପ୍ରଶ୍ନ ଏପର୍ଯ୍ୟନ୍ତ କେହି ପଚାରିନଥିଲେ । ଏହାର ଉତ୍ତର ଅନେକ ଦିନରୁ ମୋ ମନରେ ଆନ୍ଦୋଳିତ ହୋଇ କେତେବେଳେ ଝଡ଼ ତ କେତେବେଳେ ତରଙ୍ଗ ସୃଷ୍ଟି କରୁଛି । ଅବଶ୍ୟ କଥାଟା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଆଉ ଗୋପନୀୟ ମଧ୍ୟ । କିନ୍ତୁ ଅନେକ ସମୟରେ ଏପରି ଗୋପନୀୟ କଥାକୁ କେଉଁ ଚିହ୍ନର ମଣିଷ ଆଗରେ ମନଖୋଲି ନକହିଲେ ମଣିଷ ସମ୍ଭାଳି ହୋଇ ରହିପାରେନି ।” କହିଲେ ଡାକ୍ତର ସୁପର୍ଣ୍ଣା ।

 

ଲଞ୍ଚ ପରେ ସୁପର୍ଣ୍ଣା ପାଖରେ ଧାଡ଼ି ଲାଗିଗଲା ଲୋକଙ୍କର । କାରଖାନାମାନଙ୍କରେ ଖାଇଲା ପରେ ଯେମିତି ଚଳଚଞ୍ଚଳ ହୋଇ ଶ୍ରମିକମାନେ କାମରେ ଲାଗି ପଡ଼ନ୍ତି ସେମିତି ଲାଗି ପଡ଼ିଲେ ଡାକ୍ତରଖାନାର କର୍ମଚାରୀମାନେ ! ଡାକ୍ତରଖାନା ବେଞ୍ଚରେ ନିଘୋଡ଼ ନିଦରେ ଶୋଉଥିବା ଆମ୍ବୁଲାନସ ଡ୍ରାଇଭରଟା ଗାଡ଼ିଟାକୁ ସଫା କରି ଚାଲୁଥିଲା । ରୋଗୀମାନଙ୍କୁ ଆଶ୍ଵାସନା ବି ଦେଉଥିଲା । ମଝିଖେରା ପାହାଡ଼ ମଥାନ ତଳକୁ ଖସି ଯାଉଥିଲେ ସୂର୍ଯ୍ୟ ।

 

ନାକରୁଣ୍ଡି ଅଞ୍ଚଳ ଯକ୍ଷ୍ମା, ମେଲେରିଆ ପାଇଁ କୁଖ୍ୟାତ । ଅପପୃଷ୍ଟି ଏଠିକାର ଲୋକଙ୍କର ଚିର ସହଚର । ଦିନ ରତରତ ହେଲା ବେଳକୁ ଫେରିଲେ ଡାକ୍ତର ସୁପର୍ଣ୍ଣା । ତା’ପରେ ଖୋଲିଗଲା ଅନେକ ଦିନଧରି ବନ୍ଦ ଥିବା ଗୁମ୍ଫାର ଦ୍ଵାର ।

 

ଡାକ୍ତର ସୁପର୍ଣ୍ଣାଙ୍କର ବାପା ଜଣେ ନାମକରା ବ୍ୟକ୍ତିତ୍ଵ । ଅମାପ ଧନ ସମ୍ପତ୍ତି ମଧ୍ୟ ଅଛି-। ଡାକ୍ତରଖାନାରେ ତାଙ୍କ କ୍ଵାର୍ଟର୍ସ ବାହାରେ ଥୁଆ ହୋଇଥିବା ଅଡ଼ି ଗାଡ଼ି ପରିବାରର ସମ୍ପତ୍ତିର ଥିଲା ନିଦର୍ଶନ । ସୁପର୍ଣ୍ଣା ପାଠ ପଢ଼ୁଥିଲେ ଦିଲ୍ଲୀର ଖୁବ୍‍ ନାମୀ ସ୍କୁଲରେ । ସବୁବେଳେ ହାତରେ ମୁଠାମୁଠା ପଇସା ! ମନେ ପକାଉଥିଲେ ସୁପର୍ଣ୍ଣା, ମହାନଦୀ ଯେଉଁଠି ଚିତ୍ରୋତ୍ପଳା ଆଉ ମହାନଦୀ ହୋଇ ଦି' ଭାଗ ହୋଇଯାଇଛି ସେଇଠି ତାଙ୍କର ପୈତୃକ ଘର ! ଜେଜେବାପା ଆଉ ଜେଜେମା ଅନେକ ଦିନଯାଏ ସେଠାରେ ରହୁଥିଲେ । ବୋଉର ଘର ଥିଲା ସେଇଠୁ ଅଳ୍ପ ବାଟ ଗଲେ ପଦ୍ମବନ ନେମାଳଠାରେ । ଏଇ ପବିତ୍ର ଦେବଭୂମି ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ସାଧନାର ପୀଠ-। ମହାନଦୀ, ଚିତ୍ରୋତ୍ପଳାର ଦ୍ଵୀପାଞ୍ଚଳ ତାଙ୍କ ବୋଉଙ୍କ ଆଖିରେ ଥିଲା ମୁଠାଏ ଅବିର ପରି-। ହାଲକେଇ ହାଲକେଇ ପବନ ପରି ଥିଲା ତା’ର ସ୍ମୃତିର ପରଶ । ବୋଉଥିଲା ତାର ସାଙ୍ଗ ପରି-। ଖୁସିରେ କହେ “ଜୀବନରେ ଯାହା ଖୋଜିଥିଲା ତାଠୁଁ ଅଧିକ ପାଇଛି ।”

 

ହଠାତ୍ ଲୁହରେ ଫାଟି ପଡ଼ିଲେ ଡାକ୍ତର ସୁପର୍ଣ୍ଣା ଉତ୍ତରାଖଣ୍ଡର ବାଦଲ ଫଟା ବର୍ଷାପରି ମାଡ଼ି ଆସିଲା ଲୁହର ସୁଅ । କଣ୍ଠରୋଧ ହୋଇଗଲା ତାଙ୍କର । “ଗୋଟିଏ କଥା ମୁଁ ବୁଝିପାରେନା, ବୋଉ କ’ଣ ସତରେ ଯାହା ଖୋଜିଥିଲା ତା ପାଇଛି ? ନା ପାଇବାର ଅଭିନୟ କରୁଛି । ସବୁକଥା ସତ କହିଲେ ବି କିଛି ଲୁଚଉଛି ।” କିଛି ବୁଝି ପାରୁନଥିଲେ ଡଃ ସାମନ୍ତ !

 

ବୋଉ ଥିଲା ଖୁବ୍ ଦରଦୀ ! ରାସ୍ତାରେ ଚାଲିଯାଉଥିବା ଭିକାରୀ ଘରକୁ କାମ କରିବାକୁ ଆସୁଥିବା କାମତୁଣୀ କି ନିଜ ଗାଁରେ ଛାଡ଼ି ଆସିଥିବା କିଛି ପରିଜନ ସମସ୍ତେ ଥିଲେ ତା’ ଆଖିରେ ନିଜର । ଘରକୁ ବୁଲି ଆସୁଥିବା କେତେ ଆଣ୍ଟି, କିଟିପାର୍ଟି, ନିଜକୁ ବଡ଼ କରି ହେଉଥିବା ପଡ଼ୋଶୀଙ୍କ ଠାରୁ ସେ ସବୁବେଳେ ଥାଏ ଦୂରରେ ! ମୋ ସାଙ୍ଗମାନେ ବେଳେବେଳେ କୁହନ୍ତି କି ବୋଉ ପୁରୁଣା କାଳିଆ ଡାକ । ଏ ବାପା ବୋଉ ଶବ୍ଦ ତୁ ଛାଡ଼ି ମାମା ଡାଡ଼ି ବୋଲି ଡାକୁନୁ କାହିଁକି-? ଡାକ୍ତର ସୁପର୍ଣ୍ଣା କହୁଥିଲେ, ଏ ଡାକ ଗୁଡ଼ାକ ନିଜର ନିଜର ଆଉ ଅଧିକ ଆପଣାର ଲାଗନ୍ତି । ବାପାଙ୍କର କଥା ଅଲଗା-। ସେ କହନ୍ତି ମହାନଦୀ ଚିତ୍ରୋତ୍ପଳା କୂଳର ଗାଁଉଲି ଅତୀତକୁ ଭୁଲି ଯିବାକୁ । ନିଜର ନୂଆ ପରିଚୟ ପାଇଁ ଗୋଟାଏ ନୂଆ ଅତୀତ ସୃଷ୍ଟି କରି ବଖାଣନ୍ତି ଲୋକଙ୍କ ଆଗରେ । ଥଟ୍ଟାରେ ବୋଉକୁ ମଫସଲି ବୋଲି କହିଲେ ବି ସତରେ ସେ ପ୍ରାୟ ସହି ପାରୁ ନଥିଲେ ବୋଉର ଚିନ୍ତା ଆଉ ଆଚରଣକୁ ।

 

ବିଶ୍ଵାସ ହିଁ ପାରିବାରିକ ସମ୍ପର୍କର ଆଧାର । ବୋଉ ପାଇଁ ବାପା ଅନେକ ନୂଆ ନୂଆ ଦାମୀ ଗହଣା ଶାଢ଼ି ସବୁବେଳେ ଆଣନ୍ତି । ବୋଉ କିନ୍ତୁ ସବୁବେଳେ ମନେ ପକାଏ ତା' ଜେଜେମା ତା’ ବାହାପରେ ତାଙ୍କ ପେଡ଼ିରୁ କାଢ଼ି ଦେଇଥିବା ଲୁଗାର କଥା । କହେ ଅଭାବୀ ସଂସାରର କଥା ପୁଣି କେବେକେବେ କହେ ବହି ଆସୁଥିବା ଝଡ଼ ବତାସର କଥା ।

 

ସନ୍ଧ୍ୟା ଆସିଗଲା । କଥା ଅଧା ରଖି ଉଠିଗଲା ସୁପର୍ଣ୍ଣା ! ଧୂପର ଧୂଆଁ ଭିତରେ ସମବେତ କଣ୍ଠରେ ଏକ ମଧୁର ମୂର୍ଛନା ଭାସି ଆସିଲା ! ଘଣ୍ଟଘଣ୍ଟା ମର୍ଦ୍ଦଳର ଆରତି ଭିତରୁ ଶୁଭୁଛି ଏକ ମଙ୍ଗଳମୟ ପ୍ରାର୍ଥନା ତା’ ସାଥିରେ ଗୁଣୁ ଗୁଣଉଥିଲା ସୁପର୍ଣ୍ଣା ! ଡାକ୍ତର ସାମନ୍ତଙ୍କର ଜାଣିବା ଭଳି ଆଖି ଦେଖି ସୁପର୍ଣ୍ଣା କହିଲା ଏ ହେଲା ବ୍ରହ୍ମପୁରୁଷ ଅଚ୍ୟୁତାନନ୍ଦଙ୍କର ପ୍ରିୟ ପ୍ରାର୍ଥନା ‘ଶରଣ ପଞ୍ଜର’ । ପ୍ରତ୍ୟେକ ସନ୍ଧ୍ୟାରେ ଉପସ୍ଥିତ ଭକ୍ତମାନେ ସମବେତ କଣ୍ଠରେ ଗାଆନ୍ତି । ଏଥିଲା ମୋ ବୋଉର ପ୍ରିୟ ପ୍ରାର୍ଥନା । ବୋଉ କହୁଥିଲା ମହାପୁରୁଷ ଧ୍ୟାନରେ କେଉଁଠିକି ନା କେଉଁଠିକି ଚାଲିଯାଆନ୍ତି । ମୋର ମନେହୁଏ ବୋଉ ମୋର ପ୍ରତି ସନ୍ଧ୍ୟାରେ ଯେଉଁଠି ଥିଲେବି ଧ୍ୟାନରେ ପଦ୍ମବନକୁ ଚାଲିଯାଏ ।

 

ବାପା ମୋ ନେଇ ବହୁତ ଗର୍ବ କରନ୍ତି । ପରୀକ୍ଷା ଫଳ ବାହାରିଲା ପରେ ଫଟୋ ସହ ବାର୍ତ୍ତାବି ଖବରକାଗଜରେ ଛପାନ୍ତି । ସମସ୍ତଙ୍କ ଆଗରେ ବଡ଼ପଣ ଦେଖେଇ ମୋର ସଫଳତା କଥା କୁହନ୍ତି ! ହେଲେ ବୋଉ ଆନନ୍ଦିତ ହେଲେ ବି କାହା ଆଗରେ ଗପେନି । କହେ ଆଉରି ଅଧିକ ବାଟ ଯିବାକୁ ବାକି ଅଛି । ମତେ ଲାଗେ ବାପା ନିଜେ ଯେତିକି ଖୁସି ନହୁଅନ୍ତି ତା’ ଅପେକ୍ଷା ଅନ୍ୟମାନଙ୍କ ଆଗରେ ଆମେ ଅଛୁ ବୋଲି ଦେଖେଇ ହେବାକୁ ଭଲ ପାଆନ୍ତି । ଲୋକଙ୍କୁ ପଇସା ଦେଇ ସମ୍ବର୍ଦ୍ଧନା ସଭାର ଯୋଗାଡ଼ କରନ୍ତି ।

 

ହେଲେ ବୋଉ ଜାଣି ପାରେ କି ନାହିଁ ମୋତେ ଲାଗେ, ବୋଉର ବିଶ୍ଵାସର ପ୍ରତିଦାନ ବାପା ଅବିଶ୍ଵାସରେ ଦିଅନ୍ତି । ବାପା ଆମକୁ ସବୁ ଦିଅନ୍ତି । ରାଜଧାନୀରେ ବଙ୍ଗଳା ପରି କେତେଟା ଘର, ଉପକଣ୍ଠରେ ଫାର୍ମ ହାଉସ୍, ଗାଡ଼ି, ସେବକ ସେବିକା ଆଦିଙ୍କୁ ନେଇ ଆମ ଉପଭୋଗର ପରିସୀମା ।

 

ଜାଣିବାର ବୟସ ହେଲାରୁ ଧୀରେ ଧୀରେ ଜାଣିଲି ବାପାଙ୍କ ଫାର୍ମ ହାଉସ୍‌ରେ ବିତାଇଥିବା ରଙ୍ଗୀନ ଜୀବନ କମ୍ପାନୀ କାମରେ ଉଡ଼ାଜାହାଜରେ ଦିଲ୍ଲୀ ଯିବା ଏସବୁ ପଛରେ ଅଛି ବିଶ୍ଵାସଘାତକତା । ଆମ ପାଖରେ ବାପା ବହୁତ ସହଜ ହେଲେ ବି ଅନ୍ତରାଳରେ ଥାଏ ଅନେକ କିଛି ।

 

ଥରେ ତାଙ୍କ ସାଙ୍ଗରେ ମୁଁ ଯାଇଥିଲି ଦିଲ୍ଲୀ । ବାପା ଭାବିଥିଲେ ମୋର ଜାଣିବାର ବୟସ ହୋଇନାହିଁ । ହେଲେ ବୋଉର ସ୍ଥାନ ସେଠି ଆଉ କେହିକେହି ନେଉଥିଲେ । ହେଲେ ଫେରିବା ଆଗରୁ କନଟ ପ୍ଲେସର ଗହଣା ଦୋକାନରୁ ବୋଉ ପାଇଁ ବାପା ଯେତେବେଳେ ଡାଇମଣ୍ଡ କିଣିଲେ ଆଉ ମୋତେ ବାଛିବା ପାଇଁ କହିଲେ ମୁଁ ଭାବୁଥିଲି ଏଇଟା ପ୍ରାୟ ଦିଲ୍ଲୀ ଇତିହାସରେ ସବୁଠୁ ଚରମ ବିଶ୍ଵାସଘାତକତା ! ପ୍ରଶ୍ନ ଆସିଥିଲା ପରିବାର ସମ୍ପର୍କର ପରିଭାଷା କଣ ଏଇ ?

 

ମୋର ପ୍ରାୟ ଦୁନିଆଁକୁ ବୁଝିବାରେ କୋଉଠି ଭୁଲ ରହିଗଲା । ସମୟ ସାଥୀରେ ପ୍ରାୟ ବଦଳିଯାଇଛି ସମ୍ପର୍କ, ଆଭିଜାତ୍ୟ ଆଉ ବୁନିଆଦିର ସଂଜ୍ଞା । ମୋର ସାଙ୍ଗମାନେ ଏବେ ପରିବାରରେ ବସି ସ୍କଚ୍ ପିଉଛନ୍ତି । ନିଜର ଶରୀରକୁ ପାରୁପର୍ଯ୍ୟନ୍ତ ଅନାବୃତ କରିବା ଆଭିଜାତ୍ୟର ସଙ୍କେତ ବୋଲି ଭାବୁଛନ୍ତି ସିଧାସଳଖ କହି ନପାରିଲେବି ଆମକୁ ପଛୁଆ ବୋଲି ଭାବୁଛନ୍ତି । ନିଜେ ଗୋଟାଏ ଦୋଛକିରେ ଠିଆ ହୋଇଥିଲେ ବି ବୋଉ ମୋତେ କହେ ବଦଳିଯିବାକୁ । ଦୁନିଆ ଯୁଆଡ଼େ ଯାଉଛି ସିଆଡ଼େ ଯିବାକୁ । ଦୁନିଆଁ ସାଥୀରେ ଯାଇପାରୁ ନଥିବା ଏଇ ଲୋକଟାକୁ ଭଗବାନ ପ୍ରାୟ ଦୁନିଆଁରୁ ନେଇଗଲେ ।

 

ଏଥର ଆଉ କାନ୍ଦୁ ନଥିଲେ ଡାକ୍ତର ସୁପର୍ଣ୍ଣା, ଲୁହସବୁ ପ୍ରାୟ ବରଫ ପାଲଟି ଯାଇଥିଲା-। ପୁଣି ସେ ଆରମ୍ଭ କଲେ । କ’ଣ ହେଲା କେଜାଣି ବୋଉ ସେଦିନ ଖୁବ୍‍ ଅସୁସ୍ଥ ହୋଇପଡ଼ିଲା-। ତାକୁ ନିଆହେଲା ଆପୋଲୋ ହସପିଟାଲ୍‍ । ପଇସା ବିଞ୍ଚିଚାଲିଲେ ବାପା ! ଫ୍ଲାଇଟରେ ନାମୀ ଡାକ୍ତର ଡକାହେଲା । ସମୟ ରାତି ପାଖାପାଖି ଦୁଇଟା । ମୋ ମୁହଁକୁ ବୋଉ ବିକଳରେ ଚାହିଁଲା, ହାଇଦ୍ରାବାଦରେ ପାଠ ପଢ଼ୁଥିବା ସାନ ଭଉଣୀକୁ ମନେ ପକେଇଲା ଆଉ ବାପାଙ୍କର ହାତକୁ ଜୋରରେ ଜାବୁଡ଼ି ଧରି କହିଲା “ମୁଁ ମରିଗଲା ପରେ ମୋର ଶବକୁ ଗାଁକୁ ନେଇଯିବ”-। ସେଇ ପ୍ରାୟ ତା’ର ଶେଷକଥା । ସରସ୍ୱତୀଙ୍କର ବୀଣାର ତାର ଛିଣ୍ଡିଗଲା । ବ୍ରହ୍ମାପୁତ୍ରୀଙ୍କର ବୀଣାର ଶେଷ ସ୍ଵର ଅନନ୍ତ ସାଥୀରେ ମିଶିଗଲା । ବୋଉର ଜୀବନ୍ତ ଦେହଟା ମାଟି ହୋଇଗଲା । ହସପିଟାଲ୍ ବେଡ଼ରେ ସେ ଆମକୁ ଏକା କରି ଚାଲିଗଲା ।

 

ତା’ ପରେ ବାପାଙ୍କ ପ୍ରତିପତ୍ତିର ସନ୍ତକ ସ୍ୱରୂପ ହସପିଟାଲ୍ ପାଖରେ ପହଁଞ୍ଚୁଥିଲା ମାଳ ମାଳ ଗାଡ଼ି, କେତେ କେତେ ଲୋକ, ବାପାଙ୍କ କଥାରେ ଆସି ପହଁଞ୍ଚୁଥିଲା ଫୁଲରେ ସଜା ହୋଇଥିବା ଟ୍ରକ । ଦେଖଣାହାରିଏ ନିଶ୍ଚୟ କହିଥିବେ “ଏପରି ଦାମିକା ମହାଯାତ୍ରା ପ୍ରାୟ ଆଗରୁ କାହାର ହୋଇନଥାନ୍ତା’’ ।

 

ମୋର ସକଳ ଅନୁରୋଧ ସତ୍ତ୍ୱେ ବୋଉର ଶେଷଇଚ୍ଛା ପୂରଣ ହୋଇ ପାରିଲାନି । ଆମର ଗାଉଁଲି ଅତୀତକୁ ସର୍ବଦା ଘୃଣା କରୁଥିବା ବାପା, ବୋଉ ପ୍ରତି ସ୍ନେହର ଛଳନା କରୁଥିବା ବାପା କିନ୍ତୁ କହିଲେ “ଏଠି ବହୁଲୋକ ଆମସହ ଏଇ ଶବ ଶୋଭାଯାତ୍ରାରେ ଯୋଗଦେବେ । ଖବରକାଗଜ, ଟିଭି ସବୁ ଏଇଠି ଅଛି ।” ଗାଁକୁ ଶବ ନେଇଯିବା କଥା ଶୁଣି ହସିଲେ । ଏଠି ଅଛନ୍ତି ଆମ ସହ କାନ୍ଧ ମିଳେଇଥିବା ଲୋକେ । ଏପରିକି ସାନ ଭଉଣୀ ଫୋନ୍‌କରି ବୋଉର ଶେଷ ‘ଅନୁରୋଧ ପୂରଣ କରିବା କଥା କହିଲାବେଳେ ବାପା ସାମାନ୍ୟ ବିରକ୍ତ ହୋଇ “ହଉ ରହୁଛି” ବୋଲି କହିଲେ ।

 

ଚା’ ଆଣି ଆମକୁ ଦେଉଦେଉ ରୋଷେଇ କରୁଥିବା ଲୋକଟି ଆସି ରାତି ଖାଇବା ବିଷୟରେ ପଚାରିଲା । ଡାକ୍ତର ସାମନ୍ତ ଛିଡ଼ା ହୋଇ ପଡ଼ିଲେ । ଠିଆ ଠିଆ ଶେଷକଥା ଶୁଣି ଚାଲିଯିବେ ପ୍ରାୟ । ଆଶ୍ଚର୍ଯ୍ୟର କଥା ସବୁଥର ଶୀଘ୍ର ଫେରିବା ପାଇଁ ଡ୍ରାଇଭର୍ ଏଥର ଜମା ବ୍ୟସ୍ତ ହେଉନି ।

 

କାନ୍ଥରେ ଥିବା ଫଟୋଟିକୁ ଦେଖି ଚମକି ପଡ଼ିଲେ ଡାକ୍ତର ସାମନ୍ତ । କାନ୍ଧରେ ହେଁସ ପରି ଗୁଡ଼ା ହୋଇଥିବା କ’ଣ ଗୋଟାଏ ନେଇଚାଲିଛି ଲୋକଟିଏ । ପଛରେ କରୁଣ ଆଖିରେ ଚାହିଁ ଚାହିଁ ଚାଲିଛି ଝିଅଟିଏ । ଫଟୋତଳେ କାଳିରେ କ’ଣ ଲେଖା ହୋଇଛି । ପାଖକୁ ଯାଇ ଦେଖିଲେ ଲେଖା ହୋଇଛି ‘ସୌଭାଗ୍ୟବତୀ’ ।

 

ଏ ତ ଦାନ ମାଝୀର ବହୁଚର୍ଚ୍ଚିତ ଫଟୋ ପଛରେ କିଶୋରୀ ସାନ୍ଦିନୀ । ମନକୁ ମନ କହିଲେ ଡାକ୍ତର ସାମନ୍ତ । ଦାନ ମାଝୀ, ଘର ମେଘ ଘେରା ପଞ୍ଚାୟତ ନାକରୁଣ୍ଡି, ସ୍ତ୍ରୀ ଅମାଙ୍ଗ ମାଝୀ । ଭବାନିପାଟଣା ଡାକ୍ତରଖାନାରେ ସେଦିନ ମରିଯାଇଥିଲା । ମରିବା ଆଗରୁ ତାର କଥା ଥିଲା “ମୋ ମଲା ଦେହକୁ ବାଟେଘାଟେ ଫିଙ୍ଗି ଦେବନି, ଗାଁକୁ ନେବ ।” ଡାକ୍ତର ସୁପର୍ଣ୍ଣା ସମାପିକାଙ୍କ ମୁହଁକୁ ଚାହିଲେ ଡାକ୍ତର ସାମନ୍ତ । ନକହିଲେ ବି ପ୍ରାୟ ପ୍ରଶ୍ନଥଲା ଏ ଫଟୋ ସହ ତାଙ୍କର ସମ୍ପର୍କ କଣ । ଏ ଫଟୋଦିନେ ଭବାନିପାଟଣାର ଡାକ୍ତର ଡାକ୍ତରାଣୀ ସରକାର ସମସ୍ତଙ୍କ ପାଇଁ ତୀବ୍ର ସମାଲୋଚନା ଆଣିଥିଲା । ରାଜରାସ୍ତାକୁ କେତେ ଲୋକ ଓହ୍ଲେଇଥିଲେ । ସବୁରି ମୁହଁରେ ଗୋଟିଏ କଥା ଅସହାୟତା, ସରକାରୀ ଅବହେଳାର ଶିକାର ହୋଇଥିଲା ଦାନ ମାଝୀ । ଅର୍ଥାଭାବରୁ ସ୍ତ୍ରୀର ଶେଷ ଇଚ୍ଛା ପୂରଣ କରିବାକୁ ଗାଡ଼ିଟିଏ କରିପାରିଲା ନାହିଁ ମେଲାଘରକୁ ଦାନମାଝୀ । ଫଟୋଟି ଡାକ୍ତର ସାମନ୍ତ ଦେଖି ସାରିଥିବା ଜାଣି ପୁଣି ଆରମ୍ଭ କଲା ସୁପର୍ଣ୍ଣା । ଦାନ ମାଝୀ ପାଖରେ ଗାଡ଼ିଟିଏ ନଥିଲା, ସାନ୍ଦିନୀ ପରି ଝିଅଟିଏ ପାଖରେ ଅସହାୟ ଆଖିର ଲୁହ ବ୍ୟତୀତ ଆଉ କିଛି ନଥିଲା । ହେଲେ ମନଟିଏ ଥିଲା ଆମେ ଦେଖୁଛୁ ବୋଉ ମରିଗଲା ପରେ ତା’ର ଦେହକୁ ଚାରିଜଣ ଲୋକ ଉଠେଇ ପାରିନଥିଲେ । ମୁଁ ଚେଷ୍ଟା କରି ତାକୁ ଟିକେ କୋଳକୁ ଟେକିଆଣି ପାରିନଥିଲି ! ମାଟିର ଦେହରୁ ପବନ ଚାଲିଗଲା ପରେ ଦେହଟା ଗୋଟେ ମାଟିଗଦା ସାଙ୍ଗରେ ସମାନ ହୋଇଯାଏ । ହେଲେ ଇଛାର ଗତି ତୀବ୍ର ହେଲେ ଆନ୍ତରିକତା ଉତ୍ତୁଙ୍ଗ ଶିଖରରେ ପହଁଞ୍ଚିଲେ ଏ ମଣିଷ ଭିତରେ ଥିବା ନାରାୟଣ ଗୋବର୍ଦ୍ଧନ ଗିରିକୁ ଟେକି ଧରିପାରେ । ଦାନ ମାଝୀର ତା’ ସ୍ତ୍ରୀ ଅମାଙ୍ଗ ପ୍ରତି ଥିବା ସ୍ନେହ ତାକୁ ଶକ୍ତିଦେଲା, ଦଶ କିଲୋମିଟର ବାଟ ଶବକୁ କାନ୍ଧରେ ଧରି ଚାଲିଯିବାକୁ ! ସେ ଫୁଲର ଗାଡ଼ି ଅଣାଇ ପାରିଲାନି, ସାଥିରେ ଚାଲିବାକୁ କେହି ନଥିଲେ । ହେଲେ ବିଶ୍ଵାସୀ ମନଟିଏ ଥିଲା । ମୋ ବାପାଙ୍କର ଗାଡ଼ି ଘୋଡ଼ା ଅହଙ୍କାର ସବୁ ଦାନ ମାଝୀ ପାଖରେ ହାରିଗଲା । ଖାଲି ମୋ ବାପା ନୁହଁନ୍ତି ଛଳନା, ପ୍ରତାରଣା, ଅବିଶ୍ୱାସ ଆଉ ମିଛ ଆଭିଜାତ୍ୟରେ ଗଢ଼ା ଇମାରତରେ ରହୁଥିବା ଆମ ପରି ସବୁ ମଣିଷମାନେ ହାରିଗଲେ ଦାରିଦ୍ର୍ୟ, ଅପପୁଷ୍ଟି ଭିତରେ ରହୁଥିବା ମଣିଷମାନଙ୍କ ପାଖରେ ପରମାର୍ଥକୁ ମର୍ମେ ମର୍ମେ ଅନୁଭବ କରିଛନ୍ତି, ଦାନ ମାଝୀ ସେ ଗୋଟାଏ ମଣିଷ ନୁହେଁ ସେ ସତ୍ ସରଳ ମଣିଷମାନଙ୍କର ପ୍ରତୀକ ! ମେଲଘରା ଗୋଟାଏ ଗାଁ ନୁହେଁ ଏକ ମହାମାନବୀୟ ସଂସ୍କୃତି ।

 

ସୁପର୍ଣ୍ଣା କହି ଚାଲିଥିଲେ । କଥା ନୁହେଁ ଆପେ ଆପେ ଅନ୍ତରରୁ ବହି ଯାଉଥିବା କବିତାର ନଦୀ । ନିଜଗାଁ ମଶାଣିରେ ଜୁଇ ଜଳିବାର କାମନା ପୂରଣ ହୋଇପାରିଲାନି ମୋ ବୋଉର । ଆମର ସବୁଥାଇବି ତା’ର ଆବେଗକୁ ଆମେ ସମ୍ମାନ ଦେଇପାରିଲୁନି । ହେଲେ ଦାନ ମାଝାର କିଛି ନଥିଲେ ବି ସେ ପତ୍ନୀ ଅମାଙ୍ଗ ମାଝୀର ଆଶା ପୂରଣ କଲା ।

 

ସମ୍ପୂର୍ଣ୍ଣ ଭାବେ କଥା ବଦଳେଇ ଆରମ୍ଭ କଲେ ଡାକ୍ତର ସାମନ୍ତ । ତୁମକୁ ତ ଆମେରିକାରେ ନିଯୁକ୍ତିପତ୍ର ମିଳିସାରିଛି ! ସିଏ ଆଲୁଅର ଦେଶ । ତୁମେ ଏ ଅନ୍ଧାର ରାଇଜରେ କାହିଁକି ରହିବ । ସେଠି ଖାଲି ସୁଖ ଆଉ ସୁଖ । ବାପାଙ୍କର ବି ଅମାପ ସମ୍ପତ୍ତି ଅଛି ।

 

“ସାର୍, ମୁଁ ମଣିଷମାନଙ୍କ ଭିତରେ ବଞ୍ଚିବାକୁ ଚାହେଁ । ଏ ଅନ୍ଧାର ରାଇଜ ଦିନେ ଆଲୋକର ରାଜ୍ୟ ହେବ । ସୁପର୍ଣ୍ଣାଙ୍କ କଥାର ଉତ୍ତର ନଥିଲା ଡାକ୍ତର ସାମନ୍ତଙ୍କ ପାଖରେ । ହେଲେ ଅନୁଭବ କଲେ ଚାରିଶହ ବର୍ଷ ତଳେ ଭାରତକୁ ଖୋଜି ଖୋଜି ଯେଉଁଦିନ କଲମ୍ବସ୍ ଏକ ଅଜଣା ଭୂଖଣ୍ଡରେ ପହଁଞ୍ଚି ଆମେରିକା ଆବିଷ୍କାର କରିଥିବେ, ସେଦିନ ସେଠି ବି ଅନ୍ଧାର ଥିବ । ତାଙ୍କୁ ଲାଗିଲା ଆଜି ଆଉ ଏକ କଲମ୍ବସ୍ ଭାରତ ଆବିଷ୍କାର କରିଛନ୍ତି । ତାଙ୍କର ଚାକିରି ଗଣି ଗଣି ଆଉ କେତେଟା ଦିନ । ଯଦି ସୁଯୋଗ ମିଳନ୍ତା ତେବେ ସୁପର୍ଣ୍ଣା ପାଖରେ କନିଷ୍ଠ ଡାକ୍ତରଟିଏ ହୋଇ ନୂଆ ଜୀବନ ଆରମ୍ଭ କରନ୍ତେ । ନାକରୁଣ୍ଡି ଛାଡ଼ିଲାବେଳେ କାନକୁ ତାଙ୍କର ବାରବାର ଶୁଭୁଥିଲା ମଣିଷମାନଙ୍କ ଭିତରେ ବଞ୍ଚିବାକୁ ଚାହେଁ, ମଣିଷମାନଙ୍କ ଭିତରେ ବଞ୍ଚିବାକୁ ଚାହେଁ ! ମାତୃମୟ ଦିଶୁଥିଲା ମେଲଘରା ।

Image

 

ଦୁଃଖିନୀ ସିନ୍ଧୁଜେମା

 

ଫାଟି ପଡ଼ୁଥିଲା ବଡ଼ଦାଣ୍ଡ, ଘଣ୍ଟ, ଘଣ୍ଟା କାହାଳିର ଶବ୍ଦରେ ଥିଲା ଶବ୍ଦାୟିତ । ପବନରେ ମୃଦୁମୃଦୁ ରେଣୁ ହୋଇ ଉଡ଼ୁଥିଲା ଚନ୍ଦନ, କର୍ପୂର । ବାସ୍ନାରେ ଆମୋଦିତ ଥିଲା ପରିବେଶ । ଅପୂର୍ବ ବର୍ଣ୍ଣବିଭାରେ ଝଟକୁଥିଲେ ବିଚିତ୍ର ବର୍ଣ୍ଣା କାଳିଆ ଠାକୁର । କୃଷ, ଧବଳ, ହରିଦ୍ରା ରଙ୍ଗର ତ୍ରିମୂର୍ତ୍ତିର ଅପରୂପ ଶୋଭାରେ ତନ୍ମୟ ଥିଲେ ଭକ୍ତ ମଣ୍ଡଳୀ । ଆଖିରେ ଆନନ୍ଦର ଲୁହ । ଉର୍ଦ୍ଧ୍ଵବାହୁ ହୋଇ ପ୍ରକାଶ କରୁଛନ୍ତି ସମର୍ପଣ ଭାବ । ହଜିଯାଉଛନ୍ତି ଅନନ୍ତ ସାଥୀରେ । ଭାଇ, ଭଉଣୀଙ୍କୁ ନେଇ ନବଦିନ ଯାତ୍ରାରୁ ଫେରିଛନ୍ତି କାଳିଆ ଠାକୁର ।

 

କିଛି ସମୟ ପରେ ନିଳାଦ୍ରୀ ବିଜେ କରିବେ ନିଳାଦ୍ରୀବିହାରୀ । ପଛରେ ରହିଯିବ ରାଜହସ୍ତରେ ସୁବର୍ଣ୍ଣ ସମାର୍ଜନୀରେ ଛେରା ପହଁରା, ଶଙ୍କରାଚାର୍ଯ୍ୟ ପୀଠର ପୀଠାଧିଶଙ୍କ ଅପୂର୍ବ ଆରତି, ଆଡ଼ପ ମଣ୍ଡପର ଅବଢ଼ା, ଆଉ ନନ୍ଦିଘୋଷ, ଦର୍ପଦଳନ, ତାଳଧ୍ଵଜ ଆଦି ତ୍ରିରଥ । ବଦଳିଯାଇଛି ସମୟ । ହ୍ରାସପାଇଛି ଦୂରତ୍ଵ । ବିଜ୍ଞାନ ବଳରେ ରଥଯାତ୍ରା । ଆଜି ସାରା ବିଶ୍ଵରେ ଟେଲିଭିଜନ୍ ପରଦାରେ ଉଦ୍ଭାସିତ ।

 

ରାତି ବଢ଼ିଯାଇଥିଲା । ଧୀରେ ଧୀରେ ବାଇଶି ପାହାଚରେ ପହଁଞ୍ଚିଲେ ରାଜଗୁରୁ । ମନରେ ତାଙ୍କର ଅଫୁରନ୍ତ ଆନନ୍ଦ ! ସିଂହଦ୍ଵାରରେ ପଶୁପଶୁ ଆଖି ବୁଜି ଠିଆ ହୋଇଗଲେ ସେ । ଆଖି ଆଗରେ ହରିଣୀର କାନ ପରି ଦୁଇପାଦ । ସେଥିରୁ ଝରି ଆସୁଥିବ ପାଉଁଜିର ରୁଣୁଝୁଣୁ ଶବ୍ଦ । ଝରଣାର କୁଳୁକୁଳୁ ଢେଉ ପରି ଆସୁଥିବେ ବିଶ୍ଵକଲ୍ୟାଣୀ, ଅମୃତମୟୀ, ଶ୍ରୀମୟୀ ମା' ଲକ୍ଷ୍ମୀ । ଅଭିମାନଭରା ମୁଖମଣ୍ଡଳରୁ ରକ୍ତିମ ବିଭା ଉକୁଟି ଆସୁଥିବ । ମନ୍ଦିର ପ୍ରବେଶ କାଳରେ ମହାପ୍ରଭୁଙ୍କର ପଥ ଓଗାଳିବେ । କଳିକରି ବସିବେ । ଲକ୍ଷ୍ମୀ ନାରାୟଣଙ୍କର ବଚନିକାରେ ଆମୋଦିତ ହେବେ ଭକ୍ତ ମଣ୍ଡଳୀ । ମାନ ଅଭିମାନର ଯବନିକା ପଡ଼ିବ । ଭକ୍ତି ଭାବରେ ଗଦ୍‍ଗଦ୍‍ ହୋଇ ଉଠୁଥିଲେ ରାଜଗୁରୁ ! ଅପେକ୍ଷା କରୁଥିଲେ ସେଇ ମୁହୂର୍ତ୍ତକୁ ଯେତେବେଳେ ମା' ଲକ୍ଷ୍ମୀ ଜଗନ୍ନାଥଙ୍କର ପଥ ଓଗାଳିବେ । ଯୁକ୍ତି, ପ୍ରତିଯୁକ୍ତି ଭିତରେ ପ୍ରକୃତି ପୁରୁଷଙ୍କର ମହାମିଳନ ଘଟିବ ।

 

ବାଇଶି ପାହାଚର ଧୂଳିରୁ ଟିକେ ଆଣି ମଥାରେ ମାରିଲେ । ପ୍ରଭୁ ରଥରୁ ଓହ୍ଲାଇଲେଣି-। ଭାଇଭଉଣୀଙ୍କ ସହ ଏବେ ମନ୍ଦିରରେ ପ୍ରବେଶ କରିବେ । ପାଦେ ପାଦେ ହୋଇ କେତେ ପାଦ ଆଗକୁ ଗଲେ ରାଜଗୁରୁ । ମୁକୁଳା ଦିଗନ୍ତା ଅବରୋଧର ଚିହ୍ନ ନାହିଁ । ବେଢ଼ା ଭିତରେ ବି କେଉଁଠି ଦେଖାଯାଉନାହାନ୍ତି ଲୋକମାତା କ୍ଷୀରାବ୍ଧିତନୟା ଇନ୍ଦିରା । କେତେକଣ ଚିନ୍ତାରେ ନିମଗ୍ନ ହୋଇଗଲେ ସେ ? ନିଜକୁ ନିଜେ ପ୍ରଶ୍ନ କଲେ ରାଜଗୁରୁ । ପହଣ୍ଡି କରି ଠାକୁର ଆସିଲେଣି-! ହେଲେ ପଥ ମୁକୁଳା । କାହାନ୍ତି ପଦ୍ମାଳୟା ?

 

ନୀଳଚକ୍ରକୁ ଚାହିଁ ହାତ ଟେକି ଦେଲେ ସେ । ଶହଶହ ବର୍ଷର ପରମ୍ପରାରେ ଆଜି ବ୍ୟତିକ୍ରମ । ମା’ ଲକ୍ଷ୍ମୀ ଆସୁନାହାନ୍ତି ବାଟ ଓଗାଳିବାକୁ । ବାଧ୍ୟ ହୋଇ ପହୁଣ୍ଡି ସ୍ଥିର ହୋଇଗଲା । ବାଇଶି ପାହାଚରେ ବସି ପଡ଼ିଲେ ମହାବାହୁ । ଠାକୁରଙ୍କ ମୁହଁକୁ ଚାହିଁଲେ ରାଜଗୁରୁ । ସେଇ ହସ, ଦିଗନ୍ତ ବିସ୍ତାରୀ ଦୃଷ୍ଟି ! କିଛି ବି ବଦଳିନି । ।

 

ରଥଯାତ୍ରାର ଶେଷ ପର୍ବରେ ଏପରି ବ୍ୟତିକ୍ରମ ହେବ ବୋଲି ଭାବିନଥିଲେ ଗଜପତି । ଶ୍ରୀନଅରରୁ ଆସି ମତ ଦେଲେ “ଘୋର ଅଘଟଣ ! ପାପ କିଛି ହୋଇଛି ନିଶ୍ଚୟ । ମହାପର୍ବର ଶେଷ ପୂର୍ବରୁ ଏପରି ବ୍ୟତିକ୍ରମରେ ବ୍ୟସ୍ତ ହୋଇ ପ୍ରଶାସନ ମନେ ପକେଇଲେ ଶଙ୍କରାଚାର୍ଯ୍ୟ ପୀଠର ପୀଠାଧୀଶଙ୍କୁ ।

 

ଆଶ୍ଚର୍ଯ୍ୟ ହେଲେ ରାଜଗୁରୁ । ଲକ୍ଷ୍ମୀ ମନ୍ଦିରରେ ପହଁଞ୍ଚି ଯାହା ଦେଖିଲେ ଚକିତ କଲା ତାଙ୍କୁ । ସେଇ ସଦା ଉଲ୍ଲସିତ ହର୍ଷ ଉଦ୍ଭାସିତ ଭୁବନମୋହିନୀ ଅୟୁତ କଲ୍ୟାଣୀ ମୂର୍ତ୍ତିର ମୁଖ ମଳିନ । ଲାଗିଲା ଜୀବନ୍ତ ନୁହେଁ ପାଷାଣ । ପାଟବସ୍ତ୍ରରୁ କିଏ ଯେମିତି ରଙ୍ଗ ହରଣ କରି ନେଇଯାଇଛି । ହଜିଯାଇଛି ପଦ୍ମ ଫୁଲର ରଙ୍ଗ ।

 

ଠାକୁରଙ୍କ ପାଖକୁ ଫେରି କିଛି କହିପାରିଲେନି ରାଜଗୁରୁ । ଶଙ୍କରାଚାର୍ଯ୍ୟ ମନେ ପକେଇଦେଲେ ରଥଯାତ୍ରାର ବିଶୃଙ୍ଖଳାକୁ । ସ୍ତବ୍‍ଧ ନିରବ ଜନତା ଶୁଣୁଥିଲେ ! ଅଘଟଣର ଫଳ ଇଏ । ରଥରେ ବାହାର ଲୋକ ଚଢ଼ିବା ମନା । କିଛି ନମାନି ଦଇତାପତିଏ ସ୍ତ୍ରୀଲୋକ ଚଢ଼େଇଲେ-। ରଥ ଅପବିତ୍ର ହେଲା, ଦେଶକୁ ବିପତ୍ତି ମାଡ଼ି ଆସିଲା । ଲକ୍ଷ୍ମୀଛଡ଼ା ହେଲା ଏ ରାଜ୍ୟ-। ପାଳି ଧରିଲେ ଗଜପତି । ବୋଳଝାଞ୍ଜିପରି କିଛି ଲୋକ ଆଉଜିଗଲେ ସ୍ରୋତ ସାଥୀରେ-। ପୁରାଣ ପଢ଼ାହେଲା, ମାଦଳା ପାଞ୍ଜି ଓଲଟା ହେଲା, କିଏ କହିଲେ “ଖାଲି ରଥ ଦଉଡ଼ିକୁ ଛୁଇଁବା କଥା ଶାସ୍ତ୍ରରେ ଅଛି ।”

 

ବାଇଶି ପାହାଚରେ ସ୍ଥବିର ହୋଇଯାଇଥାଆନ୍ତି ଜଗତର ନାଥ ଜଗନ୍ନାଥ । ରାଜଗୁରୁ କିନ୍ତୁ ଲକ୍ଷ୍ୟ କଲେ ନୀଳଚକ୍ର ଆଡ଼େ ବାଦଲକୁ ଚାହିଁଛନ୍ତି ଜଗନ୍ନାଥ । ରାଜଗୁରୁ ଭାବୁଥିଲେ ଜଗନ୍ନାଥ ନ ଚାହିଁଲେ ପତ୍ରଟିଏ ହଲିବନି । ଛାତିରେ ହାତ ମାରି ଶୁଣିଲେ ଦୁକୁଦୁକିର ଶବ୍ଦକୁ । ସେଇ ପବନ ଟିକକ ତ ଜଗନ୍ନାଥ । ସେଇ ତ ଏ ଜଡ଼ ମାଟି ପିଣ୍ଡକୁ କରିଛି ଜୀବନ୍ତ । ସେ କ୍ଷିତ, ସେ ଅପ, ସେ ତେଜ, ସେ ମରୁତ, ସେ ବ୍ୟୋମ, ସେ ଅନ୍ତର୍ଯ୍ୟାମୀ । ସେ କଣ ଜାଣିନାହାନ୍ତି କାହିଁକି ମା’ ଆସିନାହାନ୍ତି, କ’ଣ ହେଇଛି ତାଙ୍କର ? ଚିର ଉଲ୍ଲାସମୟୀ ଚଞ୍ଚଳା ସ୍ଵର୍ଣ୍ଣିମ ବିଭାମୟୀ ପ୍ରତିମାଙ୍କର ଆଜି ଏ ନିରାଭରଣା ବେଶ କାହିଁକି ?

 

ଜଗନ୍ନାଥଙ୍କୁ ଛଳଛଳ ଆଖିରେ ଚାହିଁଥିଲେ ରାଜଗୁରୁ ! ଘନକୃଷ୍ଣ କଳାବାଦଲର ଚାରିପଟେ ହସର ରୂପେଲି ରେଖା । ରାଜା, ପ୍ରଶାସନ, ଶଙ୍କରାଚାର୍ଯ୍ୟ ତତ୍ପର ହୋଇ ଉଠିଲେ । ଶଙ୍କରାଚାର୍ଯ୍ୟ ରାଗିକରି କହିଲେ “ସରକାର ନପାରିଲେ ଶ୍ରୀମନ୍ଦିର ପରିଚାଳନା ଛାଡ଼ିଦିଅନ୍ତୁ ସନ୍ନ୍ୟାସୀମାନଙ୍କ ହାତରେ” । ଲୋକେ କହିଲେ “ଏ ବିଶୃଙ୍ଖଳା ଓଡ଼ିଆ ଜାତିକୁ ଅପମାନ । ବିଶ୍ଵର ଠାକୁରଙ୍କୁ ଅପମାନ ।” ଶାସ୍ତ୍ର ଜାଣିବା ଲୋକେ କହିଲେ “ଦେଖ ଜଗନ୍ନାଥ ନିଜେ ପ୍ରତିବାଦ କରୁଛନ୍ତି । ବାଇଶି ପାହାଚରେ ସ୍ଥିର ହୋଇ ଯାଇଛନ୍ତି । ସରକାର ପ୍ରତିଶ୍ରୁତି ଦିଅନ୍ତୁ ରଥଯାତ୍ରା ବେଳେ ଅଣସେବକଙ୍କୁ ରଥରେ ଚଢ଼ାଇଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ।” ଗଜପତି ପରାମର୍ଶ ଦେଲେ ଠାକୁରଙ୍କୁ ଶୋଧନ କରାଯାଉ ।

 

ଲକ୍ଷ୍ମୀନାରାୟଣ ବଚନିକାର ପର୍ବ ଔପଚାରିକତା ଭାବେ ଆରମ୍ଭ ହେଲା । “ଧର ଧର ସେ ଟୋକିକୁ ଧର ! ପଳେଇଲା ସିଏ । ଧର ଧର...ଶବ୍ଦରେ କମ୍ପି ଉଠିଲା ସ୍ଥାନଟି । ପାଖରେ ମହିଳା ପୁଲିସ ନଥିଲେ । ପୁରୁଷ ପୁଲିସିଏ ଧରିବାକୁ ସାହସ କଲେନି । ରାଗରେ ଫାଟି ପଡ଼ିଲେ ପଣ୍ଡିତମାନେ । ପ୍ରଶାସନ ଉପରେ ଆଙ୍ଗୁଳି ଉଠେଇଲେ । ଜାଣିଶୁଣି ଏ ଅପମାନ ବୋଲି ଚିତ୍କାର କଲେ ।

 

ଆଶ୍ଚର୍ଯ୍ୟର କଥା ଏତେ ଲୋକଙ୍କ ଭିତରେ ଛୋଟ ଝିଅଟିଏ ପଶି ଆସି ଠାକୁରଙ୍କ ଆଖିରୁ କଳାଟିକେ ପୋଛି ଦଉଡ଼ି ଦଉଡ଼ି ଚାଲିଗଲା । କେତେକ ଏହାକୁ ଖୋଲା ଚ୍ୟାଲେଞ୍ଜ ବୋଲି କହିଲେ । ଆଉ କେତେକ କହିଲେ ପୁଲିସ ଚାହିଁଥିଲେ ସିଂହଦ୍ୱାର ବାଟେ ସେ ବାହାରି ଗଲାବେଳେ ଧରି ପାରିଥାଆନ୍ତେ । ଏସ୍.ପି, କଲେକ୍ଟର ଜବାବ ଦିଅନ୍ତୁ । ମହିଳା ପୁଲିସ କାହିଁକି ଡ୍ୟୁଟିରେ ନଥିଲେ ?

 

ପୁଣି ସେଇ ସମାଧାନର ଚିରାଚରିତ ସୂତ୍ର, ସି.ସି.ଟି.ଭି ଯାଞ୍ଚ ହେବ । କିନ୍ତୁ ଉପସ୍ଥିତ ଲୋକେ ଜିଦ୍ ଧରି ବସିଲେ ସି.ସି.ଟି.ଭି ଏବେ ଯାଞ୍ଚ ହେଉ । ଜନମତ ଆଗରେ କିଏ ବା ଠିଆହେବ । ଯାଞ୍ଚ ଆରମ୍ଭ ହେଲା । ପୁରୀ ସହରର ଗଳିକନ୍ଦି ବି ଖୋଜାହେଲା । ସମସ୍ତେ ଧିକ୍କାର କଲେ ସେଇ ଝିଅର ବାପ ମା’ଙ୍କୁ । ସଂସ୍କାର ଶୂନ୍ୟ ମଣିଷ ସେମାନେ । କିଏ କହିଲା ଏଭଳି ଝିଅଟା ଅନ୍ତୁଡ଼ିଶାଳରୁ ମରିଯାଇଥିଲେ ଭଲ ହୋଇଥାଆନ୍ତା, ଏତେ ଲୋକରେ ପଶି ଜଗତର ଠାକୁରଙ୍କୁ ଅପବିତ୍ର କରିଦେଲା ।

 

ଆକାଶକୁ ଚାହିଁଲେ ସମସ୍ତେ । ବର୍ଷା ପବନ ମାଡ଼ିଆସୁଛି । କ୍ଷଣକ ପାଇଁ ସମସ୍ତଙ୍କର ସ୍ଵର ନିରବ ହୋଇଗଲା ବେଳେ ଶୁଭିଲା ସମୁଦ୍ର ଗର୍ଜନ । ସିଂହଦ୍ଵାରରେ ଧକ୍କା ଖାଉଥାଏ ସେଇ ଶବ୍ଦ । ନିଳାଦ୍ରୀବିଜେର ପର୍ବ ସଅଳ ସାରିବା ପାଇଁ ସମସ୍ତେ ବ୍ୟଗ୍ର ହେଲେ । ବାଇଶି ପାହାଚରେ ଅଚଳ ମହାମେରୁ ପରି ଏ ଯାବତ୍ ବସିଥିବା ଠାକୁର କାଠ ପାଲଟିଗଲେ । ସମସ୍ତେ କହିଲେ, “କାଳିଆର ଲୀଳା ।”

 

ରାଜଗୁରୁ କିନ୍ତୁ ଭୁଲିପାରୁନଥାନ୍ତି ସେଇ ଅପରୂପା, ସୌନ୍ଦର୍ଯ୍ୟମୟୀ ମୂର୍ତ୍ତିକି । ଯିଏ ସମସ୍ତଙ୍କୁ ଚକିତ କରି ଚାଲିଗଲା । ମୁଣ୍ଡରେ ଘନକୃଷ୍ଣ କେଶ, କଣ୍ଠରେ ସୁବର୍ଣ୍ଣର ମାଳା, ଆଉ ଚକ୍ଷୁରେ ଭୁବନମୋହିନୀ କିରଣ, ରାଜହଂସୀ ପରି ଚାଲି ? ସେତ ସେଇ ଚାଲିକି ଅନେଇ ବସିଥିଲେ । କିଏ ସେଇ ଝିଅ ?

 

ବିଜେପର୍ବ ସରିଗଲା । ଅବସନ୍ନ ରାଜଗୁରୁ ଘରକୁ ନଫେରି ଗଲେ ସମୁଦ୍ର କୂଳକୁ । ଶାନ୍ତିରେ ନିରୋଳାରେ କଟେଇ ଦେବେ ଏଇ ନିର୍ଜନ ବେଳାରେ । ସମୁଦ୍ର ଶାନ୍ତ ହୋଇଗଲାଣି, ଆକାଶରୁ ଅପସରି ଗଲାଣି ମେଘ, ଚିକ୍ ଚିକ୍ କରୁଛନ୍ତି ତାରାପୁଞ୍ଜ । ଅନୁଭୂତି ବିଚିତ୍ର ଲାଗୁଥିଲା ରାଜଗୁରୁଙ୍କୁ । କ’ଣ ଆଜି ଘଟିଲା ? ଠାକୁର ଅଟକି ବସିବା, ଲକ୍ଷ୍ମୀପ୍ରତିମା ମଳିନ ଦିଶିବା ଆଉ ପୁଣି ସେଇ ଛୋଟ ଝିଅଟା ଆସି ଛୁଇଁଦେଇ କ’ଣ କଲା କେଜାଣି କାଳିଆ ଠାକୁର ଉଠି ଚାଲିଯିବ । ଆଜି ଏତେ ଲୋକରେ ଝିଅଟା ଅନ୍ତର୍ଦ୍ଧାନ ହୋଇଯିବା କଥାକୁ ଭାବୁଥିଲେ “ଏ କଣ କାଳିଆର ନୂଆ ଖେଳ ?”

 

ଚମକି ପଡ଼ିଲେ । ଶୁଣିଥିଲେ ଠାକୁର ଶ୍ରୀକ୍ଷେତ୍ର ଛାଡ଼ିବେ ? କେତେ କ'ଣ ଅଘଟଣ ଘଟିବ ? ବିଷର୍ଣ୍ଣ ରାଜଗୁରୁ ଆଣ୍ଠୁରେ ମୁହଁମାଡ଼ି ବସିପଡ଼ିଲେ ଓଦା ବାଲି ଉପରେ ।

 

“ପ୍ରଣାମ ଗୋସେଇଁ ।

 

ମୁହଁଟେକି ରହିଲେ ରାଜଗୁରୁ । କଣ୍ଢେଇପରି ଝିଅଟିଏ । ଚାରିପାଖକୁ ଚାହିଁଲେ କେହିନାହିଁ । ଖାଲି ସମୁଦ୍ର ଆଉ ସମୁଦ୍ର । ଏତେ ରାତିରେ ଛୋଟ ଝିଅଟା ? ଭଲ କରି ଚାହିଁଲେ ଝିଅଟିକୁ । ଏଇ ସେଇ ଝିଅ, ଯିଏ ସମସ୍ତଙ୍କୁ ଠକି ଦେଇ କିଛି ସମୟ ତଳେ ଶ୍ରୀମନ୍ଦିରରୁ ଚାଲିଆସିଛି । ଚାରିପାଖରେ କେହି ନାହିଁ ଅଥଚ ! “କଣ ଭାବୁଛ, ଗୋସେଇଁ ମୋ ସାଙ୍ଗରେ କେହିନାହିଁ ବୋଲି ଭାବୁଛ ନା ?” ଆଖିରୁ ପ୍ରାୟ ବୁଝିପାରିଲା ଝିଅଟା । କହିଲା “ପାଖରେ ବାପା ଅଛନ୍ତି । ବାପଥିଲା ଝିଅର ଡର କ’ଣ ?” କଥା ଯୋଡ଼ିଲା “ମୋ ସାଥୀରେ ଆଉ କିଏ ବି ଅଛନ୍ତି । କାଇଁ ଆଉ ତ କେହି ନାହାନ୍ତି । କାହା କଥା ସବୁ କହୁଚି ଝିଅଟି ? କିଏ ଏଇ ରହସ୍ୟମୟୀ । ଏକଥା ଭାବୁଭାବୁ ଝିଅଟି କହିଲା ଆପଣ ସକାଳୁ କିଛି ଖାଇନାହାନ୍ତି । ଭୋକ କରୁଥିବ । ମୋ ପାଖରେ ପୋଡ଼ ପିଠା ଖଣ୍ଡେ ଅଛି ଖାଇ ଦିଅନ୍ତୁ ।” ପୋଡ଼ ପିଠା ଖଣ୍ଡ ହାତକୁ ବଢ଼େଇ ଦେଉ ଦେଉ କହିଲା ଝିଅଟି । ଝିଅଟା ମନ୍ଦିରରୁ ଅଦୃଶ୍ୟ ହେଲାବେଳର ଦୃଶ୍ୟକୁ ମନେ ପକେଇଲେ ରାଜଗୁରୁ । ଠାକୁରଙ୍କୁ ଛୁଇଁଦେଇ ସେ ଅଦୃଶ୍ୟ ହେଲାବେଳେ ଠାକୁରଙ୍କ ଠାରୁ ନୀଳ ଲୋହିତ ଲେଖାଟିଏ ବାହାରି ମିଶିଯାଇଥିଲା ତା’ ସାଥୀରେ ।

 

ଆଉ ସମ୍ଭାଳି ପାରିଲେନି ରାଜଗୁରୁ । ମା’ ବୋଲି ଡାକି ସମର୍ପଣ ଭାବରେ ଲୋଟିପଡ଼ିଲେ ପାଦତଳେ । ଆଖି ଖୋଲିଲା ପରେ ସ୍ୱପ୍ନ ଦେଖିଲା ପରି ଲାଗିଲା, ଲକ୍ଷ୍ମୀ ମନ୍ଦିରର ସେଇ ପ୍ରତିମା । ଅବସନ୍ନ ଚେହେରା ଅଳଙ୍କାର ଶୂନ୍ୟ ଦେହ ଏଠି ରୂପାନ୍ତରିତ ହୋଇଛି ଚଳମାନ ମୂର୍ତ୍ତିରେ । ଦେହରେ ସେଇ ଆଇ ଅଳଙ୍କାର । ତେବେ କ’ଣ ମା’ ଶ୍ରୀମନ୍ଦିର ଛାଡ଼ି ଚାଲିଆସିଛନ୍ତି ? ଥରେ ଠାକୁରଙ୍କୁ ଅଭିମାନ କରି ଅଭିଶାପ ଦେଇ ଛାଡ଼ିଦେଲେ ଶ୍ରୀମନ୍ଦିର । ବାରଦ୍ୱାର ବୁଲି ଭଗବତୀଙ୍କୁ ଠାକୁରେ ଆବିଷ୍କାର କରିଥିଲେ ଶ୍ରୀୟା ଚଣ୍ଡାଳୁଣୀର ଦୁଆରେ । ସମାଜର ବର୍ଣ୍ଣ ବୈଷମ୍ୟ, ଦାରିଦ୍ର୍ୟ, ରାଜ ଅତ୍ୟାଚାର ବିଚଳିତ କରିଥିଲା ମାଆଙ୍କୁ । ବ୍ରାହ୍ମଣ ପଣ୍ଡିତମାନେ ଅପମାନିତ କରିଥିଲେ ଦେବୀ ଶ୍ରୀୟାଙ୍କୁ । କାରଣ ଜନ୍ମ ଶ୍ରୀୟାର ଚଣ୍ଡାଳ କୂଳରେ । ବିଶ୍ୱରେ ସାମାଜିକ ସାମ୍ୟବାଦର ଦେବୀ ଲକ୍ଷ୍ମୀ । ସରସ୍ଵତୀ ତାଙ୍କର ସପତ୍ନୀ ନୁହନ୍ତି ବରଂ ଗୋଟିଏ ଆତ୍ମା କେବଳ ପରିପ୍ରକାଶ ଭିନ୍ନ । ବିଶ୍ୱର ସମସ୍ତ ମାତୃଶକ୍ତି ଭିତରେ ବିରାଜିତା ମାତା ଶ୍ରୀଦେବୀ ଶ୍ରୀମୟୀ, ଶ୍ରୀରୂପୀ । ନାରୀ ହିଁ ତାଙ୍କର ସମାହାର ।

 

ରାଜଗୁରୁଙ୍କର ଆଖିରୁ ଗଡ଼ିଯାଉଥିଲା ଧାର ଧାର ଲୁହ । ଇଛା ହେଉଥିଲା ଦଉଡ଼ି ଯିବେ ଶ୍ରୀମନ୍ଦିର, ଶ୍ରୀନଅର ! ଧରି ଆସିବେ ସୁବର୍ଣ୍ଣ ଶିବିକା । ନିଜେ କାନ୍ଧଦେଇ ମାଆଙ୍କୁ ଫେରେଇ ନେବେ ଶ୍ରୀମନ୍ଦିର । ମାଆ ଆପଣଙ୍କ ଅବର୍ତ୍ତମାନରେ କେତେ କଷ୍ଟ ପାଉଥିବେ ଜଗତ ଠାକୁର ? ଭାବୁଥିଲେ ରାଜଗୁରୁ ।

 

ଚମକି ପଡ଼ିଲେ ରାଜଗୁରୁ ଚାରିପଟରେ ଅପୂର୍ବ ବାସ୍ନା । ଏ ତ ଶ୍ରୀ ମନ୍ଦିରର ବାସ୍ନା । ବଡ଼ଠାକୁର ଚାଲିଗଲାବେଳେ ତ ଭାସି ଆସେ ଏଇ ବାସ୍ନା । ଚିନ୍ତା କରୁଥିଲେ “ଠାକୁର ଦୃଶ୍ୟ ପୁଣି ଅଦୃଶ୍ୟ । ସେ ଏକ ଅନୁଭବ । ସେ ବିଦ୍ୟମାନ ମାଟିରେ, ପାଣିରେ, ପବନରେ ଆଉ ଏଇ ମାଟିର ପିଣ୍ଡରେ ଆତ୍ମା ରୂପରେ ସବୁରି ପ୍ରାଣୀର ଦେହରେ । ଏ ଦେହ ରଥରେ ସେ ସଦା ଆସୀନ । ଏଇ ଦେହ ତାଳଧ୍ଵଜ ନନ୍ଦିଘୋଷ, ଆଉ ଦର୍ପଦଳନ ରଥର ପ୍ରତୀକ ।

 

ହସିଦେଲେ ମା’ ଲକ୍ଷ୍ମୀ । ରାଜଗୁରୁଙ୍କର ମନେ ପଡ଼ିଲା ସେଇ ଝିଅଟା ମନ୍ଦିରରେ ଲକ୍ଷ୍ମୀନାରାୟଣ ବଚନିକା ଆରମ୍ଭ ହେବା ଆଗରୁ ଯେତେବେଳେ ଠାକୁରଙ୍କୁ ଛୁଇଁ ଦେଇ ଚାଲିଗଲା ସେତେବେଳେ ଠାକୁରଙ୍କ ଦେହରୁ ନୀଳ ଲୋହିତ ଶିଖାଟିଏ ମିଶି ଯାଇଥିଲା ସେ ଝିଅ ଦେହରେ । ତାପରେ ଠାକୁର ହାଲୁକା ଭାବରେ ଉଠିଯାଇଥିଲେ । ପଣ୍ଡାଏ ପାଟି କରିଥିଲେ “ସବୁ କାଳିଆର ଲୀଳା, ସବୁ କାଳିଆର ଲୀଳା’’ । ରାଜଗୁରୁ ସାଗରର ଏଇ ବିଜନ ବେଳାରେ ଅନୁଭବ କରୁଥିଲେ ସବୁ କାଳିଆର ଲୀଳା” ।

 

ଏ କ’ଣ ? କୁଆଡ଼େ ଗଲା ସେ ସାଗରବେଳା । ଶୁଭୁନି ତ ସିନ୍ଧୁର ସ୍ୱର । ଏ ତ ଏକ ପର୍ବତ ଶିଖର, ନିଘଞ୍ଚ ଅରଣ୍ୟାନୀ । ତା’ ଉପରେ ଗୋଟେ ଭଗ୍ନ କୁଟୀର ସମୀପରେ ଆସୀନ ଏକ ନାରୀ ! ଉନ୍ମୁକ୍ତ ବକ୍ଷ । କୋଳରେ ଶିଶୁଟିଏ । ମଥାନତ କରି ଦୃଷ୍ଟି ନିବିଷ୍ଟ ସେଇ ଶିଶୁଟି ଉପରେ । ଶିଶୁଟିର ମୁଣ୍ଡଟି ଆବଡ଼ା ଖାବଡ଼ା, ଗୋଡ଼ ସବୁ ସରୁ ବାଉଁଶ କଣି ପରି । ତା' ଉପରେ ଏକ ବେଖାପ ପେଟ ! ଚାରିପଟେ ଘେରି ରହିଛନ୍ତି ଅଧାଲଙ୍ଗଳା ମଣିଷ କେତେ ! ଦାରିଦ୍ର୍ୟ ଅଭୁକ୍ତି ମଣିଷର ବୟସକୁ କେତେଗୁଣ କରି ଦେଇଛି କେଜାଣି । କେତେବି ଦୂରାରୋଗଗ୍ରସ୍ତ ।

 

ବକ୍ଷୋଜରୁ ଝରି ଆସୁଛି ଅମୃତର ଧାରା । ଅବୋଧ ଶିଶୁଟି ଯେମିତି ବୁଡ଼ି ଯାଇଛି ପବିତ୍ର ଗଙ୍ଗୋତ୍ରୀର ସ୍ରୋତରେ । ହିମଗିରି ଉପରୁ ପବିତ୍ର ପୟୋଧାରା ହୋଇ ଗଡ଼ିପଡ଼ୁଛନ୍ତି ମାଆ ଗିରୀଶ ନନ୍ଦିନୀ । ଗୋଟିଏ ନୁହେଁ ମା’ଙ୍କ କୋଳରୁ ଦେଖାଦେଲେ କୋଟି କୋଟି ଶିଶୁ ।

 

ଅବୁଝା ଆଖିରେ ଶିଶୁଟିଏ ପରି ଚାହିଁଲେ ରାଜଗୁରୁ । ଅନୁଭବ କଲେ ସେ ବି ଶିଶୁଟିଏ-। ଥାନଟିଏ ନେଇଛନ୍ତି ସେଇ ଅମୃତ କୋଳରେ । ସେଇ ଆଖି ସେଇ ଅନୁଭବ, ସେଇ ଜଗତ କଲ୍ୟାଣୀ ଦୃଷ୍ଟି । ପୁନଶ୍ଚ ଲୋଟିଗଲେ ମାଙ୍କ ପାଦତଳେ । ବୁଝିବାକୁ ବାକି ରହିଲାନି ସେ ବିଷ୍ଣୁ ପାଟରାଣୀ, ସାଗରଦୁଲଣୀ ମା ଲକ୍ଷ୍ମୀ ! କିନ୍ତୁ ରତ୍ନଭଣ୍ଡାର, ସେବାପୂଜା ଛାଡ଼ି ମା' ଏଇ ଅସନା, ଅଳିଆ ମଣିଷଗୁଡ଼ାକଙ୍କ ମେଳରେ ?

 

ମାଆ ହସିଦେଲେ । ସ୍ଥାନର ନାଁ ତୁମେ ଯାହା ଦେଇପାର । ହେଇପାରେ ନଗଡ଼ା, ହୋଇପାରେ ଇଥିଓପିଆ କି ଗଡ଼ତିରୋଲି । କିନ୍ତୁ ସମସ୍ତେ ଭୂଦେବୀଙ୍କର ସନ୍ତାନ । ମାଆ ଉପରେ ସମସ୍ତଙ୍କର ସମାନ ଅଧିକାର ଅଛି । ମାଆକୁ ଧନ ଦେଇ କିଣା ଯାଏନି, ହେଲେ ସେମାନେ ଆଜି ମା’କୁ ତଉଲୁଛନ୍ତି ଧନର ନିକିତିରେ । କ୍ଷମତାର ଦଣ୍ଡରେ ମାପୁଛନ୍ତି ଜଗତର ନାଥକୁ । ଷାଠିଏ ପଉଟିର ଲୋଭ ଦେଖେଇ ବାନ୍ଧୁଛନ୍ତି ସ୍ଵାର୍ଥର ଦଉଡ଼ିରେ ।

 

ଅଭୁକ୍ତ ଶିଶୁଟିକୁ ଆଉଁସୁ ଆଉଁସୁ ମାଆ କହୁଥିଲେ “ଏଇ ଜୀବନ ରଥ ଆଜି ଜରାଜୀର୍ଣ୍ଣ-। ଏଇ ରଥରେ ନିତ୍ୟ ବିରାଜିତ ପ୍ରଭୁ ଜଗତର ନାଥ । ଦେହ ସହ ଆତ୍ମା ସଂଯୁକ୍ତ-। ଆତ୍ମା କାଠପାଷାଣର ରଥରେ ନାହିଁ । ଅଛି ଏଇ ଦେହର ରଥରେ । ଚିରନ୍ତନ ଏଇ ରଥ ସେଇ ପ୍ରତୀକ ରଥକୁ ଛୁଇଁଦେଲେ ସେ ରଥ କିପରି ଅପବିତ୍ର ହେବ ? ମଣିଷର ଦେହରେ ନିତ୍ୟ ବିରାଜମାନ କରୁଛନ୍ତି ଜଗନ୍ନାଥ । ଏ ଦେହ ରଥକୁ ଛୁଇଁଲେ ଜଗନ୍ନାଥ କେମିତି ଅପବିତ୍ର ହେବେ ? ରମାଙ୍କ ଆଖିରେ ଅବାରିତ ଲୁହ । ଏଇଠି ନିତ୍ୟ ଜଗନ୍ନାଥ ଅଭୁକ୍ତ ଜରାଗ୍ରସ୍ତ । କାଠପାଷାଣ ମୂର୍ତ୍ତି ପାଖରେ ଦଶଧୂପ ବାଢ଼ିଲେ ପ୍ରଭୁଙ୍କର କଣ ଯାଏ ଆସେ ? ମା’ଙ୍କ ଚାରିପାଖରେ ଶହଶହ ଭୋକିଲା ନିରନ୍ନ ମଣିଷ । ପୁଣି ରୋଗଗ୍ରସ୍ତ । ଯୌବନ ଢାଙ୍କିବାକୁ ବସନ ଖଣ୍ଡ ପାଉନି ବଢ଼ିଲା ଝିଅ । ହାତପାତି ସେମାନେ ଠିଆ ହୋଇଛନ୍ତି ଆଉ ଗୋଟିଏ ମଣିଷ ପାଖରେ । ଅବାରିତ ଭାବେ ମାଆ ଲକ୍ଷ୍ମୀଙ୍କ ଆଖିରୁ । ଗଡ଼ିଚାଲିଥିଲା ଲୁହ । ଶାନ୍ତ କମନୀୟ ହରିଦ୍ରା ବର୍ଣ୍ଣଙ୍କର ନିଃଶ୍ଵାସର ଗତି ପ୍ରଖର ହୋଇ ଉଠିଲା । ମୁହଁରେ ପ୍ରତିବାଦର ଭାବ । ଶାନ୍ତମୂର୍ତ୍ତି ରୂପାନ୍ତରିତ ହେଲେ ପ୍ରଳୟର ମୂର୍ତ୍ତିରେ । ମାଡ଼ି ଆସିଲା ପ୍ରଳୟର ପବନ । ଚମକି ପଡ଼ିଲେ ରାଜଗୁରୁ । ଏ ଯେ ଛିନ୍ନମସ୍ତା । ରାଜଗୁରୁ ମା’ଙ୍କୁ ଶାନ୍ତ କରିବାକୁ କହିଲେ “ମା ତୁମେ ପରାତ୍ପରମୟୀ, ଚିନ୍ମୟୀ, ବ୍ରହ୍ମମୟୀ, ତତ୍ତ୍ଵାତୀତମୟୀ । ହସିଦେଲେ ମା’ । ‘‘ତେବେ ରଥରେ ମୁଁ ଚଢ଼ିଲେ ସେ ରଥ କେମିତି ଅପବିତ୍ର ହେଲା । ପୃଥିବୀର ପ୍ରତିଟି ନାରୀ ମାତୃ ସ୍ୱରୂପର ! ଦେହରଥଟା ପଶୁପକ୍ଷୀର ହେଉ କି ଜୀବ ଜଙ୍ଗମର ହେଉ ।” ଶଙ୍କରାଚାର୍ଯ୍ୟ ନାରୀକୁ ଏଇ ଶବ୍ଦାବଳୀ ଭିତରେ ବୁଝିଥିଲେ । ସତରେ ପୃଥିବୀର ବିବର୍ତ୍ତନ ଭିତରେ ଆସିଥିଲେ ଜଣେଇ ଶଙ୍କରାଚାର୍ଯ୍ୟ । ସେ ନାମର ବ୍ୟବହାର କୌଣସି ମଠାଧୀଶଙ୍କର ଅଧିକାର ନୁହେଁ-। ଧନର ରକ୍ଷକଙ୍କର ନୁହେଁ । ସେଇ କଲ୍ୟାଣକାରୀ । ଶଙ୍କରାଚାର୍ଯ୍ୟଙ୍କୁ ମଣିଷର ଦାରିଦ୍ର୍ୟ, ଦୁଃଖ ଯାତନା ବ୍ୟଥିତ କରିଥିଲା, ଆଉ ସେଇ ବ୍ୟଥାରୁ ସୃଷ୍ଟି ହୋଇଥିଲା “କଲ୍ୟାଣ ବୃଷ୍ଟି ସ୍ତବ-।” ହାତଯୋଡ଼ି ହୋଇଗଲା ରାଜଗୁରୁଙ୍କର !

 

ମାଆ ସେଇ ଶିଶୁଟିର ହାତ ପାପୁଲିକୁ ଚାପିଧରି କହୁଥିଲେ “ଏଇ ହାତ ଜଗତର ନାଥ ଜଗନ୍ନାଥ । ଏଇ ହାତ ଭୂଦେବୀଙ୍କ ସାଙ୍ଗରେ ମିଶି ସୃଷ୍ଟି କରିଛି ମୋତେ । ସ୍ଥୂଳ ରୂପରେ ମୁଁ ପ୍ରକଟିତ ହୋଇଛି ଖାଦ୍ୟ ଆଉ ଧନରତ୍ନରେ । ବିଚଳିତ ରାଜଗୁରୁ ପ୍ରଶ୍ନ କଲେ, “ମାଆ ଆପଣ କଣ ଆଉ ପ୍ରଭୁଙ୍କ ପାଖକୁ ଶ୍ରୀମନ୍ଦିର ଫେରିବେନି ?”

 

ରାଜଗୁରୁଙ୍କ ଆଗରେ ବିଶ୍ଵରୂପ ଖୋଲିଗଲା । ଶ୍ରୀମନ୍ଦିରରୁ ଚମକି ଆସିଥିବା ନୀଳ ଲୋହିତ ଆଲୋକରୁ ଉଦ୍ଭାସି ଆସିଲେ ଶ୍ରୀଜଗନ୍ନାଥ । ମା’ଙ୍କ ସହ ଛାଡ଼ି ଆସିଛନ୍ତି ପଥରର ବଡ଼ଦେଉଳ ହୃଦ ଶ୍ରୀମନ୍ଦିରର ସନ୍ଧାନରେ । ଅନୁଭବ କରୁଥିଲେ ରାଜଗୁରୁ, ଏ ଧରିତ୍ରୀ ଶ୍ରୀମନ୍ଦିର । ଏହାର ତେତିଶି କୋଟି ଠାକୁର ହେଲେ ଏଇ ଅଭୁକ୍ତ ଜନତା ଆଉ ରାକ୍ଷସ ହେଲେ ଧରିତ୍ରୀକୁ ଶୋଷଣ କରି ଧର୍ଷଣ କରି ସମ୍ପତ୍ତି ସୃଷ୍ଟି କରିଥିବା ଧର୍ମଦ୍ରୋହୀ କ୍ଷମତା ଲିପ୍‍ସୁମାନେ ।

 

ଦୁଃଖୁନୀ ସିନ୍ଧୁଜେମାନଙ୍କୁ ସାଙ୍ଗରେ ଧରି ନୂଆ ଏକ ଶ୍ରୀମନ୍ଦିର ଗଢ଼ିବାର ପ୍ରାର୍ଥନା ବ୍ରହ୍ମଦେବଙ୍କ ପାଖରେ କରୁଥିଲେ କାଳିଆ ଠାକୁର । ରାଜଗୁରୁ ଦେଖୁଥିଲେ ଧନଧାନ୍ୟ ପୁଷ୍ପରେ ହସୁଛି ଏ ଧରା, ସୁନ୍ଦର ବସୁନ୍ଧରା । ଶାନ୍ତିର ବସୁନ୍ଧରା ।

Image

 

ସମ୍ପର୍କ

 

ବିନ୍ଦୁସାଗରର ଫିକା ସବୁଜ ପଦ୍ମପତ୍ର ଉପରେ ଦୋଳି ଖେଳୁଥିବା ରୂପେଲି ଜଳବିନ୍ଦୁ ଆଡ଼େ ଚାହିଁ ଶୁଣୁଥିଲା ଆନନ୍ଦିକା । ମହାଳୟା ଶ୍ରାଦ୍ଧ ପକେଇବାକୁ ଆସିଲାବେଳେ ତାକୁ ସାଥୀରେ ଡାକି ଆଣିଥିଲେ ବାପା । ଶ୍ରାଦ୍ଧ କରୁଥିବା ବ୍ରାହ୍ମଣ ଗୋଟିକ ପରେ ଗୋଟିଏ ନାଁ ପଚାରୁ ଥାଆନ୍ତି ବାପାଙ୍କୁ । ବାପାଙ୍କ ବାପା, ତାଙ୍କର ବାପା, ପୁଣି ତାଙ୍କର ବାପାଙ୍କ ନାମ । ଆହୁରି ମଧ୍ୟ ପଚାରୁ ଥାଆନ୍ତି ମାମୁଘର ପରିବାରର କେତେ ପୂର୍ବପୁରୁଷଙ୍କର ନାଁ । କେଉଁଠି କାହାର ନାଁ ମନେ ନପଡ଼ିଲେ କୁହାଯାଉଥାଏ ଲକ୍ଷ୍ମୀ ଅବା ଜଗନ୍ନାଥ ।

 

ପ୍ରତିଥର ପିଣ୍ଡ ବାଟୁଳାଟିଏ କଦଳୀ ପତ୍ରରେ ବାଢ଼ିଲା ପରେ ବ୍ରାହ୍ମଣ କହୁ ଥାଆନ୍ତି ସେଇ ଦିବଂଗତ ଆତ୍ମାକୁ ପ୍ରଣାମ କରିବାକୁ । ତା’ ପରେ ପିଣ୍ଡ ବାଟୁଳା ଉପରେ ପ୍ରଦାନ କରାଯାଉଥାଏ । ମହାଲଜ୍ଜା ଆଉ ମହାକ୍ଷୁଧା ନିବାରଣ ପାଇଁ ବସ୍ତ୍ର ଅଭାବେ ସୂତ୍ର ଆଉ ଟିକିଏ ଭୋଗ । ତା’ପରେ ଫୁଲ, ଧୂପ, ଦୀପ ଆଉ ଚନ୍ଦନ ଦେଇ ବନ୍ଦନା । ପୂର୍ବପୁରୁଷଙ୍କ ନାଁ ସ୍ମରଣ କରି ବ୍ରାହ୍ମଣ କହୁଥାଆନ୍ତି “ଆଗଛନ୍ତୁ ମହା ଭାଗେ...’’ । ତା’ ପରେ ସ୍ମରଣ କରି ପ୍ରଣାମ କରିବାକୁ କହୁଥାଆନ୍ତି, ଦେଖିନଥିବା ମଣିଷମାନଙ୍କୁ । ବେଳେବେଳେ ବାପାଙ୍କର ଆଖି ବୁଜି ହୋଇଯାଉଥାଏ-। ଆଖୁରୁ ଚୁପୁଡ଼ି ହୋଇ ଅନିଛାକୃତ ଭାବେ ବହିଯାଉଥାଏ ଲୁହ କେତେଧାର ।

 

ଆଖି ପାଉ ନଥିଲା ଆନନ୍ଦିକାର । ଆକାଶକୁ ଚାହିଁ ଦୂରତା ମାପିବାକୁ ଲାଗିଲା ସୀମାହୀନ ଆକାଶର । ହଜିଲା ଆଖି ଫେରୁ ନଥାଏ । କିନ୍ତୁ ତା’କୁ ଲାଗିଲା ଯେମିତି ଏଇ ଅନନ୍ତ ଆକାଶ ଭିତରେ ନିଜର ପୂର୍ବପୁରୁଷମାନଙ୍କୁ ଠିକ୍ ଖୋଜି ପାଉଥାଆନ୍ତି ବାପା । ଲୁହ ଭିତରେ ବାପାଙ୍କ ଆଖିରେ ବେଳେ ବେଳେ ପ୍ରାପ୍ତିର କ୍ଷୀଣ ରେଖାଟିଏ ଆସିଯାଉଥାଏ ।

 

ଆମୋଦିତ ହେଲା ଆନନ୍ଦିକା । ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ସମାଜବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷାପରେ ଆମେରିକାର କାଲିଫର୍ଣ୍ଣିଆ ବିଶ୍ଵବିଦ୍ୟାଳୟରୁ ଡକ୍ଟରେଟ୍ କରି, ଡକ୍ଟର ଆନନ୍ଦିକା ପାଲଟି ଯାଇଛି ଏଇ ଝିଅଟି । ଇତି ମଧ୍ୟରେ ବହୁ ଅନ୍ତର୍ଜାତୀୟ ପତ୍ରିକାରେ ତା’ର ସନ୍ଦର୍ଭ ପ୍ରକାଶିତ ହୋଇଛି । ମୋଟା ଦରମା ଆଉ ଆନୁଷଙ୍ଗିକ ସୁବିଧା ସହ ନିଯୁକ୍ତି ବି ମିଳିଯାଇଛି କୁବେରପୁରୀ ଆମେରିକାରେ । ଏବେ ବୁଲିଆସିଛି ବାପାଙ୍କ ପାଖକୁ ।

 

ମନ୍ଦିରମାଳିନୀ ଭୁବନେଶ୍ଵରର ଆକାଶକୁ ଚାହିଁଲା ସେ । ଲାଗିଲା ସତେ ଯେମିତି ଏଇ ଆକାଶରୁ ପୂର୍ବପୁରୁଷମାନେ ଚାହିଁଛନ୍ତି ଆଉ ବାପା ସେମାନଙ୍କୁ ଠିକ୍‍ ଦେଖିପାରୁଛନ୍ତି । ସମ୍ପର୍କର ମାନସପଥରେ ପହଁରି ଯାଉଛନ୍ତି ଏଇ ଦେଖିଥିବା ଆଉ ନ ଦେଖିଥିବା ମଣିଷମାନଙ୍କ ପାଖକୁ । ଲାଗିଲା ସତେ ଯେମିତି ସେମାନେ ବି କେଉଁ କଳ୍ପିତ ଦେଶରୁ ଅନେଇ ବସିଛନ୍ତି । ଯେଉଁଠି ଜହ୍ନଟାକୁ ହାତମାରି ଆଉଁସି ହେବ କି ସୂର୍ଯ୍ୟଟାର ଆଉଟା ତାତିରେ ଜଳି ନଯାଇ ତାର ରଙ୍ଗରେ ଉବୁଟୁବୁ ହୋଇ ହେବ !

 

ଟିକିଏ ଦ୍ୱନ୍ଦ ଭିତରେ ହସ ଲାଗିଲା ତାକୁ । ଯିଏ ଚାଲିଗଲା ସିଏ ଅତୀତ ହୋଇଗଲା । ମଣିଷର ବର୍ତ୍ତମାନ ହିଁ ସବୁକିଛି ! ଅଦ୍ଭୁତ ଏଇ ଭାବପ୍ରବଣତା । ଏଇଟା ଗୋଟାଏ ପାଗଳାମି । ଦୀର୍ଘଦିନ ହେଲା ସେ ଅଛି ଆମେରିକାରେ । ନିରିଖେଇ ଦେଖିଛି ସେଠିକାର ଜୀବନର ଧାରାକୁ ବୟସ୍କମାନେ ପୁଅବୋହୂଙ୍କ ପାଖରୁ ଦୂରେଇ ଯାଇ ଆତଙ୍କିତ ହୁଅନ୍ତି ନାହିଁ କାରଣ ସଞ୍ଚିତ ଅର୍ଥ କି ଇନ୍‍ସୁରାନ୍‍ସ ବଦଳରେ ସେବା ମିଳିଯାଏ । ସ୍ୱାମୀକୁ ହରେଇଥିବା ସ୍ତ୍ରୀ ଧଳା ସଫେଦ ରୂପ ହୋଇ ଫୁଙ୍ଗୁଳା ଚେହେରାରେ ଆଖିରୁ ଲୁହ ଗଡ଼ାଏ ନାହିଁ ।

 

ନିଜର ସନ୍ଦର୍ଭଗୁଡ଼ିକ ପାଇଁ ସେ ବେଶ ଚର୍ଚ୍ଚିତ ଆଉ ସମ୍ମାନିତ ମଧ୍ୟ । ସୁନ୍ଦର ଭାବରେ ସେ ଫୁଟେଇଛି ଭାରତୀୟ ସମାଜର ଦୋଷ ଦୁର୍ବଳତାକୁ । ଦେଶପାଇଁ ନିନ୍ଦା ଆଣିଲେବି ତା’ ପାଇଁ ଏଇ ସନ୍ଦର୍ଭ ସବୁ ଆଣିଛି ଅନେକ ପ୍ରଶଂସା । ଅଣୁ ପରିବାର, କମ୍ପାନୀ ଅର୍ଥନୀତି, ଉପଭୋଗବାଦକୁ ନେଇ ତା’ର ନିବନ୍ଧର ପରିସୀମା ।

 

କିନ୍ତୁ ଆଜି ବିନ୍ଦୁସାଗର କୂଳରେ କାଇଁ ଆକସ୍ମିକ, ଭାବରେ ନିଜର ନିଜର ଲାଗିଲେ ଇତିହାସ ହୋଇଯାଇଥିବା ମଣିଷମାନେ ! ଲାଗିଲା ବାପା ବି କାଲି ଇତିହାସ ହୋଇଯିବେ । ପୁଣି ତା’ ପରଦିନ ସେ...ନିଜ କଥାଟା ଚିନ୍ତା କଲାବେଳେ ବଡ଼ ଅସହ୍ୟ ଲାଗିଲା ତାକୁ । ସତରେ ଉପଭୋଗ ଦୁନିଆଁ ଭିତରେ ମଣିଷ କେବେ ଅନୁଭବ କରେନା ଏ ସମୟ ସରିଯିବ ବୋଲି ।

 

ଆନନ୍ଦିକା ଦେଖୁଥିଲା, ବାପା ବାଢ଼ୁଥିବା ପିଣ୍ଡୁଳାଟି ଥିଲା ତା’ ଜେଜେଙ୍କ ଉଦ୍ଦେଶ୍ୟରେ । ବାପାଙ୍କର ବାପା...ହଠାତ୍‍ ତାକୁ ଲାଗିଲା ଯେମିତି ସେ ପିଣ୍ଡୁଳାଟି ଜୀବନ୍ୟାସ ପାଇ ଉଠି ଠିଆହେଉଛି । ହାତ ଗୋଡ଼ ସବୁ କଅଁଳିଆସୁଛି । ମୁଣ୍ଡରେ ଗୋଟାଏ ଶୀତଳ ହାତର ସ୍ପର୍ଶ ଅନୁଭବ କଲା ସେ । ଆପେ ଆପେ ମନେ ପଡ଼ିଲା । ସେଦିନ ତାକୁ ଭୀଷଣ ଜର । ବାଉଳିଲା ପରି ଲାଗୁଥାଏ । ସେତେବେଳେ ସେ ସେଣ୍ଟଜନ କନଭେଣ୍ଟ ସ୍କୁଲର ଛାତ୍ରୀ । ପଲକ ଆଉ ନ ପକେଇ ରାତିସାରା ଚେଇଁ ରହିଥିଲେ । ଜେଜେ ଆଉ ଜେଜେ ମା’ ।

 

ମନେ ପକଉଥିଲା । ରାତିରେ ସେ ବାପା ମା’ଙ୍କ ପାଖରେ ଶୋଉ ନଥିଲା । ଯୋଡ଼ିଏ ମଣିଷକୁ ଦି’ ଭାଗ କରି ମଝିରେ ଶୋଉଥିଲା ସେ । ପାଖରେ ଗୁଡ଼ାଏ ନରମ ଟେଡ଼ି । ମୁଣ୍ଡ ଉପରେ କେତେ ଗୁଡ଼ାଏ ଗାଡ଼ି ମଟର ଆଉ ଖେଳଣା । ଅଭ୍ୟାସ ଥିଲା ଦି ଜଣଙ୍କ ଉପରେ ଦି ଗୋଡ଼ ପକେଇ ଚିତ ହୋଇ ଶୋଇବା । ସେମାନେ ଥିଲେ ତାର ଜେଜେ ଆଉ ଜେଜେମା । ନିଦ ହବା ଆଗରୁ ଜେଜେମା କେତେ ଗପ କହେ । ଅନେକ ସେ ବୁଝିପାରେ ପୁଣି ଅନେକ ବୁଝିପାରେନା ।

 

ବେଳେବେଳେ ଜେଜେ ଆଉ ଜେଜେମା ତା’ ମୁହଁରେ ମୁହଁ ହଲେଇ କଳି କଲା ପରି ପଚାରନ୍ତି “କହ ତୁ କାହାକୁ ଅଧିକ ଭଲପାଉ ? ଜେଜେଙ୍କୁ ନା ଜେଜେମାଙ୍କୁ” । ଦିଜଣଙ୍କ ଗାଲରେ ପାପୁଲି ମାଡ଼ି ନିଜ ଆଡ଼କୁ ନୁଆଁଇ ଆଣି କହେ “ତମ ଦି ଜଣଙ୍କୁ" । ଉଭୟେ ହସି ହସି କହନ୍ତି " ଆମ ନାତୁଣୀ ଚାଲାକ ହେଇ ଗଲାଣି । ବଡ଼ ହେଲେ ରାଜନୀତି କରିବ । କିନ୍ତୁ ଆନନ୍ଦିକା ସତରେ ମାପି ପାରେନା । କିଏ କମ୍‍ କିଏ ବେଶି ! ଏଇ ଦୁଇଟି ଦେହ ଧରିଥିବା ମଣିଷଙ୍କୁ ସେ ଏକ ବୋଲି ସଦା ଭାବେ । ଅନେକ ଦିନ ହେଲା ପାଶୋରି ଦେଇଥିବା ସ୍ମୃତିଗୁଡ଼ାକ ମନରେ ତା’ର ଜୀବନ୍ତ ହୋଇଉଠିଲେ । ଅଲୋଡ଼ା ଲାଗୁଥିବା ଅନୁଭୂତି ଗୁଡ଼ାକ ନିଜର ହୋଇ ଉଠିଲେ ।

 

ମନେ ପକାଉଥିଲା ଆନନ୍ଦିକା ! ଏକଦା ଜେଜେ ଥିଲେ ତା’ର ପଢ଼ାସାଥୀ, ଶିକ୍ଷକ, ସେବକ ଆଉ ସବୁକିଛି । ନିର୍ଭୁଲ ଇଂରାଜୀ ଲେଖନ୍ତି ସେ । ଥରେ ପାଠ ବୁଝେଇ ଦେଲେ ମନରେ ଲାଖିଯାଏ । ମୁହଁ ଟିକିଏ ନିରସ ଦେଖାଗଲେ ବଡ଼ ବ୍ୟସ୍ତ ହୋଇ ପଡ଼ନ୍ତି ସେ । ଦେହ ଟିକେ ଖରାପ ହେଲେ ରାତି ରାତି ଜଗି ବସନ୍ତି !

 

ହଠାତ ଅଶ୍ଵସ୍ତି ଲାଗିଲା ତାକୁ । ଅନୁଭବ କଲା ସତେ ଯେମିତି ଜେଜେ ତା’ର କ୍ରୋଧ ଆଉ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ଏଯାବତ ନିଜକୁ ପ୍ରଗତିର ଅଗ୍ରଦୂତ ବୋଲି ଭାବୁଥିବା ଆନନ୍ଦିକାକୁ ଚୋରଣି ପରି ଲାଗିଲା । ଜେଜେ ଥିଲେ ମଦ୍ୟପାନର ବିରୋଧୀ । ସାଧାରଣ ଲୋକ କିଏ ମଦ ପିଇଲେ ଦୁଃଖ କରନ୍ତି । କିନ୍ତୁ ପ୍ରତିଷ୍ଠିତ କେହି ଲୋକ ମଦ ପିଇଲେ ସେ ଅଗ୍ନିଶର୍ମା ହୋଇଯାଆନ୍ତି । ଆନନ୍ଦିକା ଆଜି ଖୁସିରେ ମଦ ପିଉଛି । ସେ ବୁଝିଚି ଏଇଟା ସଂକ୍ରାନ୍ତ ଚଳଣିର ପ୍ରତୀକ । କିନ୍ତୁ କାଇଁ ମୁହଁ ତଳକୁ ହୋଇଗଲା ତାର । ସତେ ଯେମିତି ତା’ ଆଗରେ ଜେଜେ ଠିଆ ହୋଇ ତାର ଆଜିକାର ଆଚରଣରେ ସ୍ତମ୍ଭୀଭୂତ ହୋଇ ଯାଇଛନ୍ତି ।

 

ସେ ଜୀବନ ମୃତ୍ୟୁର ଫରକକୁ ଭଲ ଭାବରେ ବୁଝିପାରୁ ନଥିବା ବୟସରେ ଜେଜେ ଆଉ ଜେଜେମା ଆରପାରିକୁ ଚାଲିଯାଇଥିଲେ । ପ୍ରଥମେ ମା’, ତା’ ପରେ ତାର ଶୁଦ୍ଧିଘର ନ ଯାଉଣୁ ଜେଜେ । ସେ ଯେତେବେଳେ ବହୁତ କାନ୍ଦିଲା, ବାପା ତା’ର ବୁଝେଇ କହିଲେ ଆଜିଠୁଁ ଏମାନେ ଆକାଶର ତାରା ହୋଇଗଲେ । ଲୋକେ କହିଲେ ଏମାନେ ସ୍ଵର୍ଗର ଦେବୀ ଆଉ ଦେବତା । କୋଉ ଅଭିଶାପରେ ମାଟିର ପୃଥିବୀକୁ ଆସିଥିଲେ ଡକାଡକି ହୋଇ ଚାଲିଗଲେ ।

 

ସେମାନଙ୍କର ଅବର୍ତ୍ତମାନରେ ଆନନ୍ଦିକା ତାଙ୍କୁ ଅଗଣିତ ତାରାପୁଞ୍ଜ ଭିତରେ କୋଉଠି ଖୋଜି ନ ପାଇଲେବି ତା’ ମନର ଆକାଶରେ ସେମାନେ ସେମିତି ବଞ୍ଚି ରହିଥିଲେ । କିନ୍ତୁ ପାଶ୍ଚାତ୍ୟ ଜୀବନଧାରାର ମେଘମାଳା ତଳେ ସେମାନେ ଲୁଚି ଯାଇଥିଲେ ! ଭୋଗବାଦୀ ଜୀବନ ତଳେ ଲୁଚିଯାଇଥିଲା ଏଇ ତ୍ୟାଗୀ ମଣିଷମାନଙ୍କର କଥା । ସମ୍ପର୍କର ବିରାଟ ସେତୁ ଉପରେ ମାଡ଼ିଯାଇଥିଲା ‘ମୁଁ ସର୍ବସ୍ଵ ଆରବସାଗର ।

 

ଆଜି କିନ୍ତୁ ସମାଜ ବିଜ୍ଞାନୀର ଆଖି ନେଇ ବାପା ତା’ର ପଢ଼େଇ ଥିବା ବଂଶାବଳୀର ପୃଷ୍ଠାପରେ ପୃଷ୍ଠା ଖୋଲିଲା ସେ । ସେଦିନ ସେ ଗୁରୁତ୍ଵ ଦେଇ ନଥିଲା । ସେଇ ବଂଶାବଳୀରେ ଲେଖା ଅଛି ତାଙ୍କର ପୂର୍ବ ପୁରୁଷମାନେ କିଏ କେଉଁଠୁ ଆସିଥିଲେ ଆଉ ଜୀବନଧାରାର କାହାଣୀ ପାପ ଅଛି ପୂଣ୍ୟ ଅଛି । କିନ୍ତୁ ଯାହା ଅଛି ସତ ଅଛି ଆବିଷ୍କାର କଲାପରି ମନେ ପକଉଥିଲା ଏକ ପ୍ରେମକାହାଣୀକୁ । କେମିତି ମରାଠା ଜମିଦାରୀର ପ୍ରଭାବଶାଳୀ ମାଲ ଗୁଜରଦାରଙ୍କ କନ୍ୟାକୁ ଭଲ ପାଉଥିଲେ ଜଣେ ଶିକ୍ଷିତ ଯୁବକ । ଭଲପାଇବା ରୂପାନ୍ତରିତ ହୋଇଥିଲା ବିବାହରେ । ବଂଶାବଳୀର ପ୍ରଥମ ଧାଡ଼ିରେ ସେମାନେ ଲେଖିଥିଲେ ମଣିଷକୁ ଭଲପାଇବାର କାହାଣୀ । ସତରେ ଭାରତୀୟ ସମାଜର ଇତିହାସ ଅଛି ଆଉ ପ୍ରତ୍ୟେକ ଦିନ ଇତିହାସରେ ନୂଆ ନୂଆ ପୃଷ୍ଠା ଯୋଡ଼ି ହୋଇଯାଉଛି ।

 

ଆନନ୍ଦିକା ଆଶ୍ଚର୍ଯ୍ୟ ହେଲା ଯେତେବେଳେ ବାପା ତା’ ମାମୁଁଘର ବଂଶର ପିଣ୍ଡ ପକାଇଲେ । ରୋମାଞ୍ଚିତ ହୋଇ ଉଠି ଅନୁଭବ କଲା ଯେମିତି ଯୋଡ଼ିଏ ରକ୍ତଧାରା ଏକାଠି ହୋଇ ବହିଯାଉଛି ଗୋଟାଏ ମହାମାନବୀୟ ଧାରା ହୋଇ । ସମ୍ପର୍କଟା ଏଠି ଅତୀତର, ବର୍ତ୍ତମାନର ଆଉ ଭବିଷ୍ୟତର ।

 

ହଠାତ୍ ଆନମନା ହୋଇଗଲା ଆନନ୍ଦିକା । ଲାଗିଲା ଯେମିତି ଜନଗହଳିପୂର୍ଣ୍ଣ ବିନ୍ଦୁସାଗର କୂଳରେ ସେ ଏକୁଟିଆ ହୋଇଯାଇଛି । ଘାରି ହେବାକୁ ଲାଗିଲା । ଆମେରିକାରୁ ଭାରତ ଆସିବାର ଆଗ ରାତିର କଥା । ରାତ୍ରିଭୋଜନ ପାଇଁ ତା'କୁ ନିମନ୍ତ୍ରଣ କରିଥିଲେ ତା’ର ଜଣେ ସାଥୀ ଗବେଷିକା । ଭିତରେ ଉଦ୍ଦେଶ୍ୟ ଥିଲା ଏକ ସରପ୍ରାଇଜ୍ ଦେବେ । ମନର କଥା କହିବେ ।

 

ସଫେଦ୍ ଆକାଶଟା ଅନ୍ଧାରିଆ ଦେଖାଯାଉଥିଲା ଆନନ୍ଦିକାକୁ । ସାଥୀ ଗବେଷିକା ଜଣକ ଅଳ୍ପ ବର୍ଷ ହେଲା ବିବାହ କରିଛି । ସ୍ୱାମୀଙ୍କର ବୟସ ସତୁରୀ ଦଶକର ଆଦ୍ୟପାଦ । କିନ୍ତୁ ପାଖରେ ରହିଛି ଅଚଳାଚଳ ସମ୍ପତ୍ତି, ଘର, ଦାମୀ ଗାଡ଼ି, ଫାର୍ମ ହାଉସ୍ ଆଦି । ସମ୍ପତ୍ତିର ସୀମା ନାହିଁ-। ସ୍ଵାମୀ ସ୍ତ୍ରୀ ଭିତରେ ବୟସର ତାରତମ୍ୟ ପାଖାପାଖି ଚାଳିଶି ବର୍ଷ । ଇତି ମଧ୍ୟରେ ପିଲାଟିଏ ହେଲାଣି ।

 

ଖାଇବା ବାଢ଼ୁ ବାଢ଼ୁ ସାଥୀଟି ହସି ହସି କହିଲା ଜାଣିଛୁ ମୋର ମିଷ୍ଟର କିଏ ? ଆନନ୍ଦିକା ଭାବିଥିଲା ସିଏ କହିବ ଭଦ୍ରଲୋକଙ୍କର କିଛି ଲୁକ୍‍କାୟିତ ପ୍ରତିଭାର କାହାଣୀ । ଯାହାକି ତା’କୁ ଆକର୍ଷିତ କଲା ଆଉ ଭୁଲିଯିବାକୁ ବାଧ୍ୟ କଲା ବୟସର ବିରାଟ ତାରତମ୍ୟକୁ ? ବେଳେବେଳେ ପୁରୁଷର ନିଖୁଣ ଗଢ଼ଣ କିମ୍ବା ଅସାଧାରଣ ପ୍ରତିଭା କି ଦରଦୀ ମନ ଭୁଲାଇ ଦିଏ ନାରୀକୁ ।

 

ଆନନ୍ଦିକାକୁ ଆଶ୍ଚର୍ଯ୍ୟ କରି ସାଥୀଟି ଆଲବମଟିଏ ଆଣି ଥୋଇ ଦେଖେଇ ଦେଲା ଗୋଟାଏ ପାରିବାରିକ ଫଟୋକୁ ! ବୁଝି ପାରିଲାନି ଆନନ୍ଦିକା । ଫଟୋରେ ଦେଖାଯାଉଥିବା ଦୁଇଜଣଙ୍କ ଫଟୋକୁ । ଜଣକ କୋଡ଼ରେ ଛୋଟପିଲାଟିଏ । ସାଧାରଣ ଭାବେ ଫଟୋଟି ଦେଖିସାରି ଫେରେଇଲା ବେଳେ ବନ୍ଧୁଟି କହିଲା ଏ ଦି ଜଣ ବାପ ପୁଅ । ଜଣେ ମୋର ବାପା ଆଉ ଜଣେ ତାଙ୍କ ବାପା । ମୋର ଜେଜେ କୋଳରେ ବସିଥିବା ଛୋଟ ଝିଅଟି ମୁଁ ।

 

ବହୁ ଦିନଠାରୁ ଅଲଗା ହୋଇ ଯାଇଛନ୍ତି ଏଇ ବାପ ପୁଅ । ତା'ପରେ ବୋଉର ମୃତ୍ୟୁ ପରେ ସାଥୀଟିଏ ବାଛି ଚାଲି ଯାଇଥିଲେ ବାପା ! ମୁଁ ବି କେବେ ଆଉ ତାଙ୍କୁ ଦେଖି ନାହିଁ । ଧୀରେ ଧୀରେ ଜେଜେ, ବାପା ଆଉ ମୁଁ ପରସ୍ପରଠାରୁ ଅଜଣା ହୋଇଯାଇଥିଲୁ । ଅଭାବ ଅବଶ୍ୟ ମୁଁ କେବେ ଅନୁଭବ କରିନି, କାରଣ ମୋ ଆକାଉଣ୍ଟରେ ବାପା ରଖି ଦେଇଥିଲେ ପ୍ରଚୁର ଟଙ୍କା । ଟଙ୍କା ବଦଳରେ ମୁଁ ଭୁଲିଯାଇଥିଲି ବାପାଙ୍କୁ ।

 

ମନେ ମନେ ଭାବୁଥିଲା ଆନନ୍ଦିକା ସେଥିରେ ସରପ୍ରାଇଜ୍ କ’ଣ ଅଛି । ଆମେରିକାର ଅନେକ ପରିବାରରେ ତ ସମ୍ପର୍କ ଏଇପରି । ତେବେ କେଉଁ କଥା କହିବ ବୋଲି ଡାକିଛି ସାଙ୍ଗଟି ? ପୁଣି ଆରମ୍ଭ କଲା ସାଙ୍ଗଟି । ଘଟଣା କ୍ରମେ ଇଣ୍ଟରନେଟ୍‌ର ସାଥୀ ହିସାବରେ ମୋ ପାଖକୁ ଆସିଥିଲା ଏକ ବିବାହ ପ୍ରସ୍ତାବ ! ବାରବାର କଥାବାର୍ତ୍ତା ଆଉ ମିଳାମିଶା ଭିତରେ ମୁଁ ମାପି ପାରିଲିନି ତାଙ୍କର ସମ୍ପତ୍ତିର ସୀମାକୁ । ମୁଁ ଗ୍ରହଣ କରିଥିଲି ସେଇ ପ୍ରସ୍ତାବକୁ । ସମ୍ପର୍କର ସ୍ମାରକୀ ଏଇ ଶିଶୁ । ପାଖ ଘରେ ଶୋଇଥିବା ପିଲାଟିକୁ ଦେଖେଇ ଦେଲେ ସେ ।

 

ଆକାଶ ଛିଡ଼ିପଡ଼ିବା ପରି ଯେତେବେଳେ ସାଥୀଟି କହିଲା “ସେ ଫଟୋରେ ଥିବା ଜେଜେବାପ ଆଜି ମୋର ମିଷ୍ଟର୍ । କୋଳରେ ଥିବା ପିଲାଟି ମୁଁ ନିଜେ । ମୁଁ କେବେ ଜେଜେବାପାଙ୍କୁ ଦେଖି ନଥିଲି କି ତାଙ୍କ ବିଷୟରେ ଚିନ୍ତା କରି ନଥିଲି । ଏଠି ତାଙ୍କର ପୁରୁଣା ଫଟୋକୁ ଦେଖି ବାପାଙ୍କୁ ଚିହ୍ନିଲା ପରେ ଏ ସବୁ ଜାଣୁଛି । ଲାଗିଲା ଯେମିତି ସ୍ଵାଭାବିକ ଭାବରେ କହୁଛି ।

 

ହଡ଼ବଡ଼େଇ ଯାଇ ପ୍ରଶ୍ନ କରିଥିଲା ଆନନ୍ଦିକା “ଆଉ ଏବେ ?”

 

ଉତ୍ତର ଥିଲା ବାସ୍ ସ୍ୱାମୀ ସ୍ତ୍ରୀ । ଅନୁଶୋଚନାହୀନ ଭାବରେ ସ୍ଵାଭାବିକ ଉତ୍ତରଟିଏ ଦେଲା ସାଙ୍ଗଟି । ଯେମିତି ଗୋଟାଏ ଆମୋଦଦାୟକ ଘଟଣା ଘଟିଛି । କଥାଟା ମନେ ପଡ଼ିଗଲାରୁ ନିର୍ବାକ ଲାଗିଲା ତାଙ୍କୁ । ଗୋଟିଏ ପଟରେ ବିନ୍ଦୁସାଗର କୂଳର ପିଣ୍ଡଦାନର ଆବେଗତ୍ମକ ଦିଗ, ସମ୍ପର୍କର ବିସ୍ତାରିତ ସୀମା, ଜେଜେବାପା ଜେଜେମାଙ୍କର ଆଦର ବନ୍ୟାରେ ଉବୁଟୁବୁ ଆନନ୍ଦିକା ଆଉ ଆର ପଟରେ... । ଆଲୋକକୁ ଅନ୍ଧାର ସାଙ୍ଗରେ ତଉଲି ପାରୁ ନଥିଲା ସେ ।

 

ବ୍ରାହ୍ମଣଙ୍କର ଉଚ୍ଚସ୍ଵରରେ ସମ୍ବିତ ଫେରି ପାଇଲା ପରି ଲାଗିଲା ତାକୁ । ବ୍ରାହ୍ମଣ ପୂଜକ ପୂର୍ବପରୁରୁଷମାନଙ୍କ ଉଦ୍ଦେଶ୍ୟରେ କହୁଥିଲେ “ସ୍ଵସ୍ଥାନଂ ଗଚ୍ଛ” । ବିସର୍ଜନ ପର୍ବରେ ପିଣ୍ଡ ଉପରେ ଫୁଲ, ଅକ୍ଷତ ଛିଞ୍ଚି ବାପା ବିଦାୟ ଦେଉଥିଲେ ଅଶ୍ରୁଳ ଆଖିରେ ।

 

ଆନନ୍ଦିକାର ଇଚ୍ଛା ହେଲା କହିବାକୁ କୁଆଡ଼େ ଯାଆନ୍ତୁନି, କୁଆଡ଼େ ଯାଆନ୍ତୁନି” । ମନ ହେଲା ଯାବୁଡ଼ି ଧରିବାକୁ ! ଲାଗିଲା ଯେମିତି ସେ ଶୋଇଯାଇଛି ଜେଜେ ଆଉ ଜେଜେମାଙ୍କ କୋଳରେ, ଦି' ଜଣଙ୍କ ଉପରେ ଦି’ ଗୋଡ଼ ପକେଇ ଆଉ ପ୍ରକୃତି ପୁରୁଷର ଚିରନ୍ତନ ମହାମିଳନର ସୂତ୍ରଧର ହୋଇ ।

Image